ସାଉଥ-ଓ୍ବେଷ୍ଟ ଦିଲ୍ଲୀ ଆର.କେ ପୁରମରେ ଡବଲ ମର୍ଡର, ଘରେ ପଶି ଦୁଇ ଭଉଣୀଙ୍କୁ ଗୁଳିମାଡ଼

1 min read

ନୂଆଦିଲ୍ଲୀ: ଅସୁରକ୍ଷିତ ରାଷ୍ଟ୍ରୀୟ ରାଜଧାନୀ । ଏକାଧିକ ଲୋମହର୍ଷକ ହତ୍ୟାକାଣ୍ଡ ପୂରା ଦେଶକୁ ସ୍ତବ୍ଧ କରିଦେଇଥିବା ବେଳେ ଏବେ ରାଜଧାନୀ ଛାତି ଉପରେ ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା ଘଟଣା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟଇ କରିଛି । ସାଉଥ-ଓ୍ବେଷ୍ଟ ଦିଲ୍ଲୀରେ ଘରେ ପଶି ଦୁଇ ଭଉଣୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଟଙ୍କା ନେଣଦେଣ ବିବାଦରୁ ହତ୍ୟା କରାଯାଇଥିବା ଜଣାପଡ଼ିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଚଳାଇଛି । ମୃତ ଦୁଇ ମହିଳାଙ୍କ ଭାଇଙ୍କ କହିବା ମୁତାବକ, କିଛି ଯୁବକ ତାଙ୍କୁ ଟଙ୍କା ମାଗିବାକୁ ଆସିଥିଲେ । ଯୁକ୍ତିତର୍କ ପରେ ସେମାନେ ଚାଲିଯାଇଥିଲେ । ହେଲେ କିଛି ସମୟ ପରେ ସେମାନେ ପୁଣି ଆସି ଗୁଳିମାଡ଼ କରିଥିଲେ । ଜଣଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଅନ୍ୟଜଣଙ୍କ ପେଟରେ ଗୁଳି ବାଜିଛି । ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି ।

ସେପଟେ ରାଜଧାନୀର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉପ-ରାଜ୍ୟପାଳଙ୍କୁ ଘେରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । କେନ୍ଦ୍ର ସରକାରଙ୍କ ଅଧୀନରେ ଦିଲ୍ଲୀର ଆଇନଶୃଙ୍ଖଳା ଦାୟିତ୍ବ ରହିଥିବା ବେଳେ ସେମାନେ ସରକାର କବଜା କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି । LGଙ୍କ ବଦଳରେ ଦିଲ୍ଲୀ ସରକାରଙ୍କ ଅଧୀନରେ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା ଥିଲେ ଦିଲ୍ଲୀ ସବୁଠୁ ସୁରକ୍ଷିତ ସ୍ଥାନ ହୋଇଥାନ୍ତା ବୋଲି ଟୁଇଟ କରିଛନ୍ତି କେଜ୍ରିଓ୍ବାଲ ।