ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନଙ୍କ ସରପ୍ରାଇଜ ବେଜିଂ ଭିଜିଟ୍‌

ନୂଆଦିଲ୍ଲୀ: ବହୁ ବାଦବିବାଦ ମଧ୍ୟରେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନଙ୍କ ଅଚାନକ ବେଜିଂ ଗସ୍ତ । ପ୍ରାୟ ୫ ବର୍ଷ ମଧ୍ୟରେ ଏହି ଗସ୍ତ ହେଉଛି ଆମେରିକାର କୌଣସି ତୁଙ୍ଗ ନେତାଙ୍କ କ୍ଷେତ୍ରରେ ପ୍ରଥମ । ତାଇଓ୍ବାନ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ଉତ୍ତେଜନା ଜାରି ରହିଥିବାବେଳେ ଉତ୍ତେଜନା ପ୍ରଶମନ ଲାଗି ଏହି ଗସ୍ତ ଉଦ୍ଦିଷ୍ଟ ଥିବା କୁହାଯାଇଛି । ଚୀନ ବୈଦେଶିକ ମନ୍ତ୍ରୀ କ୍ବିନ ଗାଙ୍ଗଙ୍କ ସହ ବ୍ଲିଙ୍କେନ ଆଲୋଚନା କରିବେ । ବିଶ୍ବର ଦୁଇ ସୁପରପାଓ୍ବାର ମଧ୍ୟରେ ଏହି ଆଲୋଚନା ପ୍ରତି ସାରା ବିଶ୍ବର ନଜର ରହିଛି । ତେବେ ବ୍ଲିଙ୍କେନଙ୍କ ଏହି ଦୁଇ ଦିନିଆ ଗସ୍ତ ପରିପ୍ରେକ୍ଷୀରେ ବାଣିଜ୍ୟ, ପ୍ରଯୁକ୍ତି, ଆଞ୍ଚଳିକ ନିରାପତ୍ତା ଆଦି ପ୍ରସଙ୍ଗରେ ଆଲୋଚନା ହେବା ଆଶା ରହିଛି ।

ଆସନ୍ତା ବର୍ଷ ଆମେରିକା ଓ ତାଇଓ୍ବାନରେ ନିର୍ବାଚନ ହେବାକୁ ଯାଉଥିବାବେଳେ ବ୍ଲିଙ୍କେନଙ୍କ ବେଜିଂ ଗସ୍ତ ଅନେକ ସମ୍ଭାବନା ସୃଷ୍ଟି କରୁଛି । ବାଲିରେ ଗତବର୍ଷ ନଭେମ୍ବରରେ ଜୋ ବାଇଡେନ ଓ ସି ଜିନପିଙ୍ଗଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା ହେବା ପରେ ଗତ ୪ ମାସ ତଳେ ବ୍ଲିଙ୍କେନ ବେଜିଂ ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିଲା । ମାତ୍ରା ତାହା ଅଚାନକ ବାତିଲ ହୋଇଥିଲା । ଆମେରିକା ମାଟିରେ ଚୀନର ସ୍ପାଏ ବେଲୁନ ଉଡିବାକୁ କେନ୍ଦ୍ର କରି ଏହି ଗସ୍ତ ବାତିଲ କରାଯାଇଥିଲା । ସେପଟେ ତାଇଓ୍ବାନ ନିକଟସ୍ଥ ଫିଲିପାଇନ୍ସ ଓ ଜାପାନରେ ସୈନ୍ୟ ମୁତୟନ ନେଇ ଆମେରିକା ଚୁକ୍ତି ସ୍ବାକ୍ଷର କରିଥିବାରୁ ଏହା ଚୀନ ଲାଗି କ୍ରୋଧର କାରଣ ହୋଇଛି ।