spot_img
Home Blog Page 3241

ପ୍ରେମରେ ପଡ଼ିଲେ କି ବଲିଉଡ କୁଇନ୍?

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରଣାଓ୍ବତଙ୍କୁ ମିଳିଗଲା କି ତାଙ୍କ କିଙ୍ଗ ? ନିଜ ପଙ୍ଗା ପାଇଁ ଚର୍ଚ୍ଚାରେ ରହୁଥିବା କଙ୍ଗନା ଏବେ ତାଙ୍କ ଲଭ୍ ଲାଇଫକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଯଦିଓ କଙ୍ଗନା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ଥର ଆଲୋଚନା କରିଆସୁଥିଲେ ମଧ୍ୟ ତାଙ୍କ ନାଁ କୌଣସି ଅଭିନେତାଙ୍କ ସହ ଯୋଡ଼ି ହୋଇନି । କଙ୍ଗନାଙ୍କୁ ସବୁବେଳେ ପ୍ରଶ୍ନ କରାଯାଏ ଯେ, ତାଙ୍କର ମିଷ୍ଟର ପରଫେକ୍ଟ କିଏ? ସେ କେବେ ବିବାହ କରିବେ? କିନ୍ତୁ, କଙ୍ଗନା ଏହି ପ୍ରଶ୍ନଗୁଡ଼ିକର କୌଣସି ସିଧା ଉତ୍ତର ଦିଅନ୍ତି ନାହିଁ । କିନ୍ତୁ ଏବେ କଙ୍ଗନା ରଣାୱତଙ୍କର ଏକ ପୋଷ୍ଟରୁ ଜଣାପଡିଛି ଯେ, କୁଇନ ପ୍ରେମରେ ପଡିଛନ୍ତି। କଙ୍ଗନା ତାଙ୍କ ପୋଷ୍ଟରେ ଏମିତି କିଛି ଲେଖିଛନ୍ତି ଯାହା ଏଇୟା ଦର୍ଶାଉଛି ।

କଙ୍ଗନାଙ୍କର ଟ୍ବିଟ ଦେଖିବା ପରେ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ, କଙ୍ଗନା କାହାକୁ ଭଲ ପାଉଛନ୍ତି। କଙ୍ଗନା ତାଙ୍କ ପୋଷ୍ଟରେ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କୁ କ୍ଲୋଜ ଅପ୍ ସଟରେ ଦେଖିବାକୁ ମିଳିଛି । ଏହି ଚିତ୍ରଗୁଡ଼ିକରେ କଙ୍ଗନାଙ୍କ ମନ ଖୁସି ଥିବା ଦେଖାଯାଉଛି ।

କଙ୍ଗନା ଫଟୋ ସେୟାର କରି ଏକ କବିତାକୁ କ୍ୟାପସନରେ ଲେଖିଛନ୍ତି । ସେ ଲେଖିଛନ୍ତି- ‘ଇସ୍କ ୱୋ ଆତିସ ହେ, ଗାଲିବ…ଜୋ ଲାଗନେ ସେ ନେହି ଲଗତି । ବୁଝାନେ ସେ ନେହିଁ ବୁଝତି’ । କଙ୍ଗନାଙ୍କର ଏହି ପୋଷ୍ଟ ଦେଖି ପ୍ରଶଂସକମାନେ ଖୁବ୍ କମେଣ୍ଟ ଦେଇଛନ୍ତି । ଜଣେ ଫ୍ୟାନ ଲେଖିଛନ୍ତି ‘ଯିଏ ସ୍ୱପ୍ନରେ ଆସିଛି, ଯିଏ ହୃଦୟରେ ଅଛି । ଆଜି ଏହି ରହସ୍ୟ ଖୋଲି ଦିଅନ୍ତୁ ।ଅନ୍ୟ ଜଣେ ଫ୍ୟାନ ଲେଖିଛନ୍ତି “ଲାଗୁଛି ରାଣୀ ପ୍ରେମରେ ପଡିଛନ୍ତି”।

ଏଠାରେ ଆପଣଙ୍କୁ କହି ରଖିବାକୁ ଚହୁଁଛୁ ଯେ, ୨୦୧୭ ରେ, କଙ୍ଗନା ତାଙ୍କ ସ୍ୱପ୍ନର ରାଜକୁମାର ବିଷୟରେ କହିଥିଲେ । ସେ କହିଥିଲେ ଯେ ସେ ୟୁନିଫର୍ମରେ ଥିବା ପୁଅମାନଙ୍କ ପ୍ରତି ବହୁତ ଆକର୍ଷିତ ହୁଅନ୍ତି । ଏବଂ ସେମାନେ ତାଙ୍କୁ ସଚ୍ଚୋଟ ମନେ କରନ୍ତି । ଏହା ପରେ, ୨୦୨୧ ମସିହାରେ କଙ୍ଗନା ଏକ ସାକ୍ଷାତକାରରେ କହିଥିଲେ- ‘ମୁଁ ନିଶ୍ଚିତ ଭାବରେ ବିବାହ ଏବଂ ସନ୍ତାନ ଚାହୁଁଛି । ମୁଁ ଭାବୁଛି ମୁଁ ଆଗାମୀ ପାଞ୍ଚ ବର୍ଷରେ ନିଜକୁ ପତ୍ନୀ ଏବଂ ମା’ ହେବା ଦେଖିବାକୁ ଚାହେଁ ।

 

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ସକାଳୁଆ ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ସକାଳୁଆ ସ୍କୁଲ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ପ୍ରଥମରୁ  ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କର ହେବ ସକାଳୁଆ କ୍ଲାସ୍। ସକାଳ ୭ରୁ ୧୧ଟା ୩୦ ଯାଏ ହେବ ମର୍ଣ୍ଣିଂ କ୍ଲାସ୍।

ସ୍କୁଲରେ ଖରା ଦିନ ପାଇଁ ପଦକ୍ଷେପ ନିଆଯିବ । ପାଣି ବ୍ୟବସ୍ଥା, ORSର ବ୍ୟବସ୍ଥା କରାଯିବ। ସେହିପରି ହିଟୱେଭ୍ ହେଲେ ପଦକ୍ଷେପ ନିଆଯିବ ବୋଲି ପ୍ରାଥମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକ କହିଛନ୍ତି ।

ଗ୍ୟାସ ଲିକରୁ ହୋଟେଲରେ ଅଗ୍ନିକାଣ୍ଡ, ଯୁବକ ଗୁରୁତର

ବାଲେଶ୍ବର: ଗ୍ୟାସ ଲିକରୁ ଅଗ୍ନିକାଣ୍ଡ, ଜଳିଗଲା ହୋଟେଲ୍ । ବାଲେଶ୍ବର ଜାଇକା ନାମକ ଏକ ହୋଟେଲରେ ହଠାତ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡରେ ହୋଟେଲର ସମସ୍ତ ଆସବାବପତ୍ର ଜଳି ପୋଡ଼ି ନଷ୍ଟ ହୋଇଯାଇଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଅଗ୍ନିକାଣ୍ଡରେ ହୋଟେଲରେ କାମ କରୁଥିବା ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକ ହେଲେ ତାପସ କୁମାର ମଲ୍ଲିକ । ତାଙ୍କୁ ବାଲେଶ୍ବର ମେଡିକାଲର ବର୍ଣ୍ଣ ୱାର୍ଡରେ ଭର୍ତ୍ତି କରାଯାଇଛି ।

ରିଙ୍କୁ ସିଂ କିଏ? କାହିଁକି ତାଙ୍କୁ ନେଇ ଏତେ ଚର୍ଚ୍ଚା?

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ କ୍ରିକେଟର ରିଙ୍କୁ ସିଂଙ୍କୁ ନେଇ ଜୋରଦାର ଚର୍ଚ୍ଚା । ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ ଏବେ ଖବରର ଶିରୋନାମା ପାଲଟିଛି । କୋଲକାତାକୁ ଦେଇଛନ୍ତି ଆଶ୍ଚର୍ଯ୍ୟଜନକ ଭେଟି । ତେବେ ଏହି ରିଙ୍କୁ ସିଂ କିଏ? ତାଙ୍କୁ ନେଇ ଏତେ ଚର୍ଚ୍ଚା କାହିଁକି ଜାଣନ୍ତୁ ।

ଆଇପିଏଲ-୧୬ରେ ରବିବାର ହୋଇଥିବା ମ୍ୟାଚ ଗୁଜୁରାଟ ଏବଂ କୋଲକାତା ମଧ୍ୟରେ ହୋଇଥିଲା । ଏଥିରେ କୋଲକାତାକୁ ୨୯ ରନ ଆବଶ୍ୟକ ଥିଲା । ବୋଲର ୟଶ ଦୟାଲଙ୍କୁ ଶେଷ ୫ଟି ବଲରେ ୫ଟି ଛକା ମାରି ରିଙ୍କୁ ସିଂ ଗୁଜରାଟ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ । ତାଙ୍କର ଏହି ଛକା ପାଇଁ ସେ ଆଜି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ସୋସିଆଲ ମିଡିଆରେ ରିଙ୍କୁ ଛାଇ ଯାଇଛନ୍ତି ।

ରିଙ୍କୁ ସିଂ ୧୨ ଅକ୍ଟୋବର ୧୯୯୭ ମସିହା ଉତ୍ତରପ୍ରଦେଶରେ ଜନ୍ମ ହୋଇଥିଲେ । ଏକ ଗରିବ ପରିବାରରେ ଜନ୍ମ ହୋଇଥିବା ରିଙ୍କୁଙ୍କ ବାପା ଗ୍ୟାସ ବିତରଣ କରି ପରିବାର ଚଳାଉଥିଲେ । ରିଙ୍କୁଙ୍କ ଭାଇ ଅଟୋ ଚଳାନ୍ତି । ପିଲାଟିବେଳୁ ରିଙ୍କୁଙ୍କର କ୍ରିକେଟ ପ୍ରତି ଦୁର୍ବଳତା ଥିଲା । ଯେଉଁଥିପାଇଁ ସେ ନବମ ଶ୍ରେଣୀରେ ଫେଲ ହୋଇଥିଲେ । କ୍ରିକେଟ ପାଇଁ ସେ ବାପାଙ୍କଠାରୁ ବହୁତ ମାଡ଼ ବି ଖାଇଛନ୍ତି । ମାଡ଼ ଖାଇ ବି ସେ ନିଜ ରୁଚିକୁ ପରିବର୍ତ୍ତନ କରି ନଥିଲେ । କ୍ରିକେଟରେ ସେ ଭଲ ପ୍ରଦର୍ଶନ କରିବାରୁ ବାପାଙ୍କ ମନୋଭାବ ବି ବଦଳିଥିଲା । ରିଙ୍କୁ ଜିତିଥିବା ବାଇକକୁ ନେଇ ବାପା ଗ୍ୟାସ ବିତରଣ କରୁଥିଲେ । ୧୬ ବର୍ଷ ବୟସରେ ରିଙ୍କୁ ଉତ୍ତରପ୍ରଦେଶ ପାଇଁ ଲିଷ୍ଟ- ଏ କ୍ରିକେଟରେ ପଦାର୍ପଣ କରିଥିଲେ । ଏକ ମ୍ୟାଚରେ ସେ ୮୭ ବଲରେ ୮୩ ରନ୍ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ପରେ ତାଙ୍କୁ ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ଉତ୍ତରପ୍ରଦେଶ ଦଳରେ ସ୍ଥାନ ମିଳିଥିଲା । ୨୦୧୬-୧୭ ସିଜିନରେ ସେ ରଣଜୀରେ ପଦାର୍ପଣ କରିଥିଲେ । ଏହା ପରେ ରିଙ୍କୁ ଆଗକୁ ଆଗକୁ ସ୍ବପ୍ନ ଦେଖି ପୂରଣ କରିଚାଲିଛନ୍ତି ।

୨୦୧୭ରେ ରିଙ୍କୁ ପଞ୍ଜାବ ପାଇଁ ଖେଳିଥିଲେ । ୨୦୧୮ରେ ତାଙ୍କୁ ୮୦ ଲକ୍ଷ ନିଲାମୀରେ କିଣିଥିଲା କୋଲକାତା । କିନ୍ତୁ ଏଥର ରିଙ୍କୁଙ୍କୁ ୫୫ ଲକ୍ଷ ଟଙ୍କାରେ କିଣାଯାଇଛି ।

ଏୟାର ଇଣ୍ଡିଆ ବିମାନରେ ପୁଣି ଯାତ୍ରୀଙ୍କ ଦୁର୍ବ୍ୟବହାର, ଉଡାଣ ଭରିବା ପରେ ଫେରିଲା ବିମାନ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ପୁଣି ଯାତ୍ରୀଙ୍କ ଦୁର୍ବ୍ୟବହାର । ଉଡାଣ ଭରିବା ପରେ ଫେରିଲା ବିମାନ । ଦିଲ୍ଲୀରୁ ଲଣ୍ଡନ ଯାଉଥିବା ବିମାନରେ ଦୁଇ ଜଣ କ୍ରୁ-ମେମ୍ବରଙ୍କୁ ଜଣେ ଯାତ୍ରୀ ଦୁର୍ବ୍ୟବହାର କରିବା ସହ ଆକ୍ରମଣ କରିଥିଲେ । ଫଳରେ ବିମାନଟି ପୁଣି ଦିଲ୍ଲୀର IGI ବିମାନବନ୍ଦରକୁ ଫେରିଥିଲା ।

ଏୟାରପୋର୍ଟରେ ସମ୍ପୃକ୍ତ ଯାତ୍ରୀଙ୍କୁ ପୋଲିସ ଗିରଫ କରିଥିବା ବେଳେ ବିମାନଟି ପୁଣି ଲଣ୍ଡନ ଅଭିମୁଖେ ଉଡାଣ ଭରିଥିବା ଜଣାପଡ଼ିଛି। ବିମାନରେ ୨୨୫ଜଣ ଯାତ୍ରୀ ରହିଥିବା ନେଇ ସୂଚନା।

ଗୋଟିଏ ଦିନରେ ହେବ ୩ଟି ସୂର୍ଯ୍ୟ ପରାଗ, ଶହେ ବର୍ଷ ପରେ ହେବ ଏମିତି

ଭୁବନେଶ୍ବର: ଚଳିତବର୍ଷ ଗୋଟିଏ ଦିନରେ ହେବ ୩ଟି ସୂର୍ଯ୍ୟ ପରାଗ । ଏପ୍ରିଲ ୨୦ରେ ହେବାକୁ ଥିବା ପରାଗ ଗୋଟିଏ ନୁହେଁ ୩ଟି ହେବାକୁ ଯାଉଛି । ଏହି ପରାଗକୁ ବୈଜ୍ଞାନିକମାନେ ହାଇବ୍ରିଡ ସୂର୍ଯ୍ୟ ପରାଗ ବୋଲି କହୁଛନ୍ତି ।

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ୨୦ ଏପ୍ରିଲରେ ଦେଖାଯିବ । ଏହି ପରାଗ ସକାଳ ୭.୮ରୁ ଆରମ୍ଭ ହେଇ ଦିନ ୧୨ଟା ୨୯ରେ ସରିବ । ଏହି ପରାଗର ଅବଧି ୫ ଘଣ୍ଟା ୨୪ ମିନିଟ ରହିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ପରାଗ ପୂର୍ବରୁ ରାଶି ପରିବର୍ତ୍ତନ କରିବେ । କିନ୍ତୁ ଏହି ପରାଗ ଭାରତରେ ଦୃଶ୍ୟମାନ ହେବନାହିଁ ।

ଚଳିତ ଥର ସୂର୍ଯ୍ୟ ପରାଗ ୩ଟି ହେଉଥିବାରୁ ସୂର୍ଯ୍ୟ ମଧ୍ୟ ୩ ପ୍ରକାର ଦେଖାଯିବେ । ଆଂଶିକ ପରାଗ, ପୂର୍ଣ୍ଣ ପରାଗ ଏବଂ କୁଣ୍ଡଳାକାର ପରାଗ ।

ଆଂଶିକ ସୂର୍ଯ୍ୟ ପରାଗରେ ଚନ୍ଦ୍ର ସୂର୍ଯ୍ୟଙ୍କ ଛୋଟ ଅଂଶକୁ ପ୍ରଭାବିତ କରିବ । ଏହାକୁ କୁହାଯିବ ଆଂଶିକ ପରାଗ ।

କୁଣ୍ଡଳାକାର ସୂର୍ଯ୍ୟ ପରାଗରେ ଚନ୍ଦ୍ର ସୂର୍ଯ୍ୟଙ୍କ ମଝିରେ ରହି ସୂର୍ଯ୍ୟଙ୍କ କିରଣକୁ ରୋକିଥାଏ । ଏହି ପରାଗରେ ସୂର୍ଯ୍ୟଙ୍କ ଚାରିପାଖରେ କୁଣ୍ଡଳ ବା ରିଙ୍ଗ ଦୃଶ୍ୟମାନ ହୁଏ । ଏହାକୁ କୁଣ୍ଡଳାକାର ସୂର୍ଯ୍ୟ ପରାଗ ବୋଲି କୁହାଯାଏ । ଚଳିତ ପରାଗରେ ସୂର୍ଯ୍ୟ ଏପରି ଦୃଶ୍ୟମାନ ହେବେ ।

ପୂର୍ଣ୍ଣ ସୂର୍ଯ୍ୟ ପରାଗରେ ସୂର୍ଯ୍ୟ, ଚନ୍ଦ୍ର ଏବଂ ପୃଥିବୀ ଗୋଟିଏ ସରଳରେଖାରେ ରୁହନ୍ତି । ଏଥିରେ ପୃଥିବୀର ଗୋଟେ ଭାଗ ପୂରା ଅନ୍ଧାର ହୋଇଯାଏ । ଏହାକୁ ପୂର୍ଣ୍ଣ ସୂର୍ଯ୍ୟ ପରାଗ ବୋଲି କୁହାଯାଏ ।

ହାଇବ୍ରିଡ ସୂର୍ଯ୍ୟ ପରାଗ କ’ଣ?

ଆଂଶିକ, ପୂର୍ଣ୍ଣ ଏବଂ କୁଣ୍ଡଳାକାର ପରାଗକୁ ହିଁ ହାଇବ୍ରିଡ ସୂର୍ଯ୍ୟ ପରାଗ ବୋଲି କୁହାଯାଏ । ଏହା ପ୍ରତି ଶହେ ବର୍ଷରେ ଥରେ ହୋଇଥାଏ । ଏହି ପରାଗରେ ଚନ୍ଦ୍ର ପୃଥିବୀଠୁ ଦୂରରେ ନଥାଏ କିମ୍ବା ପାଖରେ ବି ନଥାଏ ।  ଏହି ପରାଗରେ କିଛି ସମୟ ପାଇଁ ସୂର୍ଯ୍ୟ ରିଙ୍ଗ ଭଳି ଦେଖାଯାଇଥାଏ । ଏହାକୁ ରିଙ୍ଗ ଅଫ ଫାୟାର ବୋଲି ବି କୁହାଯାଏ ।

 

ରାଜଧାନୀରେ ଅସହ୍ୟ ଗରମ; ସକାଳ ୮.୩୦ ସୁଦ୍ଧା ୩୧ ଡ଼ିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଗରମ । ସକାଳ ୮.୩୦ ସୁଦ୍ଧା ଭୁବନେଶ୍ବରରେ ୩୧ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। କାଲିଠୁ ରାଜ୍ୟରେ ବଢିବ ତାତି । ସ୍ବାଭାବିକଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳକ ପାଣିପାଗ କେନ୍ଦ୍ର। ବାୟୁ ଚଳାଚଳରେ ତାରତମ୍ୟ ପାଇଁ ଗତ ସପ୍ତାହେ ହେବ ରାଜ୍ୟରେ କାଳବୈଶାଖୀର ତାଣ୍ଡବ ଜାରି ରହିଥିଲା ।

ଏବେ ରାଜ୍ୟରେ ଶୁଷ୍କ ଉଷ୍ମ ବାୟୁ ପ୍ରବାହ ବଢିବା ସହ ତାପମାତ୍ରାରେ ଅହେତୁକ ବୃଦ୍ଧି ହେବ । ଉପକୂଳ ଓଡ଼ିଶା ସମେତ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରଭାବ ଦେଖିବାକୁ ମିଳିଥିଲା। ମଧ୍ୟାହ୍ନରେ ପ୍ରବଳ ତାତି ଅନୁଭୁତ ହେଉଥିଲେ ମଧ୍ୟ ଅପରାହ୍ନରେ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ହେଉଥିଲା। ଏଭଳି ପାଗ ଆସନ୍ତା କାଲି ପର୍ଯ୍ୟନ୍ତ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

ବଲାଙ୍ଗୀର ଫେକ୍ ସାର୍ଟିଫିକେଟ ମାମଲାରେ ଆଉ ୪ଜଣଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ

ବଲାଙ୍ଗୀର: ବଲାଙ୍ଗୀର ଫେକ୍ ସାର୍ଟିଫିକେଟ ମାମଲା । ପୁଣି ୪ ଜଣକୁ ତଦନ୍ତ ପାଇଁ ଉଠାଇନେଲା କ୍ରାଇମବ୍ରାଞ୍ଚ । ଅଟକ ସଂଖ୍ୟା ୭କୁ ବୃଦ୍ଧି । ଗତକାଲି ୩ଜଣଙ୍କୁ ନେଇ ପଚରାଉଚରା କରୁଥିଲା କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ତ୍ରିବିହାରିର ମୋବାଇଲରୁ ଡିଲିଟ ଡାଟା ରିକଭର କଲା କ୍ରାଇମବ୍ରାଞ୍ଚ । ଜବତ ଲ୍ୟାପଟପ, କମ୍ପ୍ୟୁଟର, ମୋବାଇଲ ଓ ହାର୍ଡଡିକ୍ସକୁ ପରୀକ୍ଷା ପାଇଁ ରସୁଲଗଡର ଟେଷ୍ଟ ଫରେନସିକ୍ ଲ୍ୟାବକୁ ପଠାଇଲା କ୍ରାଇମବ୍ରାଞ୍ଚ ।

ଆଜି ପୁଣି ରିମାଣ୍ଡ ପାଇଁ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ । ରାକେଟର ଚେର ସହିତ ଚାଲିଛି ଆର୍ଥିକ କାରବାରର ଖୋଳତାଡ଼। ଜେରାରେ ଅଭିଯୁକ୍ତଙ୍କଠୁ ମିଳିଥିବା ତଥ୍ୟ ଆଧାରରେ ବିଭିନ୍ନ ସ୍ଥାନରେ ଚାଲିଛି ଘନ ଘନ ଚଢାଉ। କ୍ରାଇମବ୍ରାଞ୍ଚର ସ୍କାନରରେ ରହିଛନ୍ତି ୨୦୦ରୁ ଅଧିକ ଲୋକ। ଟାର୍ଗେଟରେ ମିଡିଲ ମ୍ୟାନ୍ । ନକଲି ସାର୍ଟିଫିକେଟ ନେଇ ଚାକିରି କରିଥିବା ଲୋକଙ୍କର ବି ତାଲିକା ପ୍ରସ୍ତୁତ ହୋଇଛି।  ରିଲାଏନ୍ସ କୋଚିଂ ସେଣ୍ଟରରେ ଏକାଧିକ ଥର ଚଢାଉ ପରେ ତଦନ୍ତକାରୀ ଟିମ୍ ହାତରେ ଲାଗିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରମାଣ।

ଚୀନର ମେଗା ମିଲିଟାରୀ ଏକ୍ସରସାଇଜର ଶେଷ ଦିନ, ତାଇଓ୍ବାନ ଉପରେ ଉଡାଇଲା ଯୁଦ୍ଧ ବିମାନ

ଚୀନ: ଚୀନର ମେଗା ମିଲିଟାରୀ ଏକ୍ସରସାଇଜର ଶେଷ ଦିନ। ତାଇଓ୍ବାନ ଉପରେ ଓ୍ବାରପ୍ଲେନ ଉଡିବା ସହ ଦ୍ବୀପଦେଶ ଚାରିପାଖେ ଘେରିଛନ୍ତି ୧୧ରୁ ଅଧିକ ଯୁଦ୍ଧଜାହାଜ । ଗତକାଲି ତାଇଓ୍ବାନର କେତେକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଉପରେ ଚୀନ ଷ୍ଟ୍ରାଇକ କରିଥିବା ବେଳେ ଆଜି ତାଇଓ୍ବାନକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରିଛି ଚୀନ । ତାଇଓ୍ବାନର ବୈଗାନ ଦ୍ବୀପ ଚାରିପାଖକୁ ବି ଚୀନ କରିଛି ଘେରାବନ୍ଦୀ । ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ଦ୍ବୀପରେ ଆତଙ୍କ ପ୍ରକାଶ ପାଇଛି ।

ଏହି ଡ୍ରିଲରେ ଚୀନ ପକ୍ଷରୁ ମୁତୟନ ହୋଇଛି J-16 ଓ J-10C ଫାଇଟର ଜେଟ। ସ୍ବଳ୍ପ ଓ ଦୂରଗାମୀ ମିସାଇଲ ପରିବହନ କରିବାର କ୍ଷମତା ହାସଲ କରିଛନ୍ତି ଏହି ଦୁଇ ଜେଟ। ଏହି ଡ୍ରିଲରେ ବି ସାମିଲ ହୋଇଛି KJ-500 ଅତ୍ୟାଧୁନିକ ସର୍ଭେଲାନ୍ସ ବିମାନ। ଏହାର 360 ଡିଗ୍ରୀ ରାଡାର କଭରେଜ ରହିଥିବା ସୂଚନା ମିଳିଛି । ସମୁଦ୍ରରେ ବି ମୁତୟନ ହୋଇଛି Y-8 ବୁଡାଜାହାଜ ବିଧ୍ବଂସୀ ବିମାନ ଏବଂ YJ-12B, DF-11 ଓ DF-15 ଯୁଦ୍ଧଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ର ।

ମୁତୟନ ହୋଇଥିବା ଯୁଦ୍ଧଜାହାଜ ମଧ୍ୟରେ ରହିଛି 052C ଡେଷ୍ଟ୍ରୟର ଓ 054A ଫ୍ରିଗେଟ। ତାଇଓ୍ବାନର ପ୍ରତିରକ୍ଷା ବିଷୟକ କେତେକ ଗୁରୁତ୍ବପୂର୍ଣ୍ଣ ସ୍ଥଳୀ ଉପରେ ଚୀନ ଯୁଦ୍ଧବିମାନ ଉଡିବା ଦେଖାଯାଇଛି । ତାଇପେଇରୁ ୧୯୦ କିଲୋମିଟର ଦୂର ମାତସୁ ଦ୍ବୀପକୁ ଟାର୍ଗେଟରେ ରଖାଯାଇଛି। ଲାଇଭ ଫାୟାର ଡ୍ରିଲକୁ ନେଇ ତାଇଓ୍ବାନରେ ଖେଳିଛି ଆତଙ୍କ ।

ଗତକାଲି ତାଇଓ୍ବାନ ଆକାଶରେ ୭୦ରୁ ଅଧିକ ଯୁଦ୍ଧବିମାନ ଉଡିବା ସହ ୧୧ଟି ଯୁଦ୍ଧଜାହାଜ ମୁତୟନ ହୋଇଥିଲା ବୋଲି କହିଛି ତାଇଓ୍ବାନ ପ୍ରତିରକ୍ଷା ମନ୍ତ୍ରାଳୟ । ଗତ ସପ୍ତାହରେ ତାଇଓ୍ବାନ ଜଳ ଓ ଆକାଶ ସୀମାରେ ଚୀନର ଯୁଦ୍ଧଜାହାଜ, ଯୁଦ୍ଧ ବିମାନ, ଡ୍ରୋନ, ଫାଇଟର ଜେଟ, ବମ୍ବର, ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ୧୫୦ରୁ ଅଧିକ ଥରେ ପ୍ରବେଶ କରିଥିବା ସୂଚନା ମିଳିଛି।

ପ୍ରସାଦ ସେବନ ବେଳେ ଉପୁଡ଼ି ପଡ଼ିଲା ଗଛ, ୭ ମୃତ

ଅକୋଲା: ମନ୍ଦିର ପରିସରରେ ନିମ୍ବ ଗଛ ଉପୁଡି ୭ମୃତ । ମହାରାଷ୍ଟ୍ରର ଅକୋଲା ଜିଲ୍ଲାରେ ଅଘଟଣ । ପ୍ରସାଦ ସେବନ ବେଳେ ମନ୍ଦିର ପରିସରରେ ଥିବା ନିମ୍ବ ଗଛ ଉପୁଡ଼ି ପଡ଼ିବାରୁ ୭ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୫ଜଣ ମଧ୍ୟ ଗୁରୁତର ହୋଇଛନ୍ତି ।

ଗତକାଲି ସନ୍ଧ୍ୟାରେ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ପ୍ରବଳ ବର୍ଷା ପବନ ଯୋଗୁ ଟିଣ ଛପର ସେଡ୍ ଉପରେ ଗଛଟି ଉପୁଡ଼ି ପଡ଼ିଥିଲା । ସେଡ୍ ତଳେ ପ୍ରାୟ ୩୫ରୁ ୪୦ ଶ୍ରଦ୍ଧାଳୁ ଫସି ରହିଥିବା ବେଳେ ୭ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୫ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଅକୋଲା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ପାଇ ପୋଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଘଟଣାସ୍ଥଳରେ ଜେସିବି ମେସିନ ସାହାଯ୍ୟରେ ଗଛ ହଟାଯାଇଥିଲା । ସ୍ଥାନୀୟ ଜିଲ୍ଲାପାଳ ଓ ଏସପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସଙ୍ଗେ ସଙ୍ଗେ ଗ୍ୟାସ କଟର ସାହାଯ୍ୟରେ ଗଛ ଓ ସେଡ୍କୁ କାଟି ତା’ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଅକୋଲା ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ।