ସୁନାବେଶରେ ଦର୍ଶନ ଦେଉଛନ୍ତି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି, ଦିବ୍ୟ ବେଶ ଦେଖି ଭକ୍ତ ବିଭୋର

ପୁରୀ: ସୁବର୍ଣ୍ଣରେ ସୁସଜ୍ଜିତ ଶ୍ରୀଜିଉ । ଶ୍ରୀଭୁଜ, ଶ୍ରୀପୟର, ହରିଡ଼ା ମାଳି, ବାହାଡ଼ା ମାଳି, ଘାଗଡ଼ା ମାଳି, ଶଙ୍ଖ, ଚକ୍ର, ଗଦା, ପଦ୍ମ, ହଳ ମୂଷଳ, ମୁକୁଟ, ସବୁକିଛି ସୁନା । ସୁନାରେ ଝଟକୁଛନ୍ତି ମହାବାହୁ। ଶ୍ରୀଜିଉଙ୍କ ପବିତ୍ର ସୁନାବେଶ ବା ବଡ଼ତଢ଼ାଉ ବେଶ । ସୁବର୍ଣ୍ଣ ବିଭୂଷିତ ଦାରୁବ୍ରହ୍ମଙ୍କ ଆଭାରେ ଦାଉ ଦାଉ ଦିଶୁଛନ୍ତି ରଥତ୍ରୟ ।  ରଥ ଉପରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁନାବେଶ ବା ବଡ଼ତଢ଼ାଉ ବେଶରେ ସଜ୍ଜିତ କରାଯାଇଥିବା ବେଳେ ଶାନ୍ତି ଶୃଙ୍ଖଳା ସହ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଛି । ଦୈନନ୍ଦିନ ନୀତି ଶେଷ ହେବା ପରେ ଠାକୁରଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା । ବଡ଼ଦାଣ୍ଡରେ, ରଥ ଉପରେ ଠାକୁରଙ୍କ ସୁନାବେଶ ଦେଖି ଭକ୍ତ ସନ୍ତୋଷ ଲାଭ କରିଛନ୍ତି ।

ଆସନ୍ତାକାଲି ଅଧର ପଣା । ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିବା ସହ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ୪ ଥର ରତ୍ନ ସିଂହାସନରେ ସୁନାବେଶ ହେଉଥିବା ବେଳେ ବର୍ଷକରେ ଥରେ ଏହି ଗୋଟିଏ ଦିନ ମହାପ୍ରଭୁ ରଥ ଉପରେ ସୁନାବେଶରେ ଦର୍ଶନ ଦେଇଥାନ୍ତି । ତେଣୁ ଏହାର ମହତ୍ତ୍ବ ଅଧିକ । ଆଜି ମଧ୍ୟାହ୍ନ ଧୂପ ପରେ ଭଣ୍ଡାର ମେକାପଙ୍କ ଦ୍ୱାରା ସୁନା ଅଳଙ୍କାର ଅଣାଯାଇ ଶ୍ରୀବିଗ୍ରହମାନଙ୍କୁ ସଜା ଯାଇଥିଲା । ସେପଟେ ରୁପା ଛାଉଣୀ ପରେ ଝଲସୁଛି ସିଂହଦ୍ବାର । ଶ୍ରୀଜିଉଙ୍କ ସୁନାବେଶ ସାଙ୍ଗକୁ ଆହୁରି ପରିବେଶର ଶୋଭା ବର୍ଦ୍ଧନ କରିଛି ରୁପା ଛାଉଣୀ କବାଟ । ଏହି ବିଶେଷ ମୁହୂର୍ତ୍ତରେ ନିଜକୁ ସାମିଲ କରି ସମସ୍ତେ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି ।