spot_img
Home Blog Page 3242

ଦୁଇ ଠକଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ

ଭୁବନେଶ୍ୱର: ଦୁଇ ଠକ ସର୍ଦ୍ଦାରଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ। ଜଣେ ଚାକିରି ଦେବା ନାଁରେ ଠକୁଥିଲେ, ଆଉ ଜଣେ ପୋଷ୍ଟାଲ ଜମା ଟଙ୍କା ହଡପ କରୁଥିଲେ । ଦୁଇ ଠକ ବିଭୂତି ମିଶ୍ର ଓ ସ୍ବର୍ଣ୍ଣଲତା ଦାସଙ୍କୁ ରିମାଣ୍ଡରେ ନେବ ଲକ୍ଷ୍ମୀସାଗର ଓ ଲିଙ୍ଗରାଜ ଥାନା ପୋଲିସ ।

ସରକାରୀ ଚାକିରୀ ଦେବାକୁ କହି ଠକିଥିବାରୁ ଗିରଫ ହୋଇଛନ୍ତି ବିଭୁତି ଭୂଷଣ ମିଶ୍ର । ଗ୍ରାମ୍ୟ ଉନ୍ନୟନ ବିଭାଗ ନୟାଗଡ଼ ଡିଭିଜନରେ କାର୍ଯ୍ୟରତ ଅଭିଯୁକ୍ତ ବିଭୁତି। ୩ ଶହ ଚାକିରୀ ଆଶାୟୀଙ୍କଠୁ ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକିଛନ୍ତି ବିଭୁତି।

ସେହିପରି ପୋଷ୍ଟାଲ ଏଜେଣ୍ଟ ସ୍ବର୍ଣ୍ଣଲତା ଦାସଙ୍କୁ ରିମାଣ୍ଡରେ ଆଣିବ ଲିଙ୍ଗରାଜ ଥାନା ପୋଲିସ। ୯୮ ଜମାକାରୀଙ୍କ କୋଟିଏରୁ ଉର୍ଦ୍ଧ ଟଙ୍କା ଚଳୁ କରିଛନ୍ତି ଏହି ମହିଳା । ଏ ନେଇ ଖୁବଶୀଘ୍ର କୋର୍ଟରେ ଆବେଦନ କରିବ ପୋଲିସ । ରିମାଣ୍ଡରେ ଆଣିବା ପରେ କ୍ରାଇମ ସିଣ୍ଡିକେଟର ହେବ ଖୋଳତାଡ଼ ।

ପୁଣି ଇତିହାସ ରଚିଲା ଏସସିବି ବଡ ମେଡିକାଲ, ବିନା ଆନାସ୍ଥେସିଆରେ କରାଗଲା ସର୍ଜରୀ

କଟକ: ଚିକିତ୍ସା ଜଗତରେ ପୁଣି ଇତିହାସ ରଚିଲା ଏସସିବି ବଡ ମେଡିକାଲ। ଏକମୋ ସପୋର୍ଟରେ ରଖି ମୁଖ୍ୟ ଶ୍ବାସନଳିରେ ଥିବା ଟ୍ୟୁମରର ହେଲା ସଫଳ ସର୍ଜରୀ । ବିନା ଆନାସ୍ଥେସିଆରେ ଏକମୋ ସପୋର୍ଟରେ ରଖାଯାଇ ଏହି ବିରଳ ଅପରେସନ କରାଯାଇଛି । ନୂଆ ଜୀବନ ପାଇଛନ୍ତି ଦେବଗଡ଼ର ରିଙ୍କୁ । ଏପରି ଅପରେସନ ଓଡିଶାରେ ପ୍ରଥମ ଥର ପାଇଁ ହୋଇଥିବା ଡାକ୍ତର ମନୋଜ ପଟ୍ଟନାୟକ କହିଛନ୍ତି । ଡାକ୍ତର ମନୋଜ ପଟ୍ଟନାୟକ ଓ ୧୨ ଜଣିଆ ଡାକ୍ତରୀ ଟିମ୍‌ଙ୍କ ଦୀର୍ଘ ୫ ଘଣ୍ଟାର ଅପରେସନ ସଫଳ ହୋଇଛି ।

ସୂଚନା ଅନୁସାରେ ଦେବଗଡ଼ର ରିଙ୍କୁ ଲହରା ଦୀର୍ଘ ଦିନ ହେବ ଶ୍ୱାସ ଜନିତ ରୋଗରେ ପୀଡିତ ଥିଲେ। ଗତମାସରେ ଏସସିବି ପଲମୁନାରୀ ବିଭାଗରେ ପରୀକ୍ଷା ପରେ ତାଙ୍କ ମୁଖ୍ୟ ଶ୍ୱାସନଳୀ ନିକଟରେ ୫ ସେଣ୍ଟିମିଟରର ଟ୍ୟୁମର ଥିବା ଜଣାପଡିଥିଲା। ତୁରନ୍ତ ଏହାର ଅପରେସନ ପାଇଁ ସର୍ଜରୀ ବିଭାଗକୁ ସୂଚନା ଦିଆଯାଇଥିଲା।

ସର୍ଜରୀ ସଫଳ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରିଙ୍କୁ । କୋଭିଡ ପାଇଁ ବ୍ୟବହୃତ ଏକମୋ ମେସିନରେ ଯେ ଏପରି ବିରଳ ଅସ୍ତ୍ରୋପଚାର ହୋଇପାରିବ ତାହା ଅସମ୍ଭବ ଲାଗୁଥିଲେ ବି ସମ୍ଭବ କରି ଦେଖାଇଛନ୍ତି ଡାକ୍ତର ମନୋଜ ପଟ୍ଟନାୟକଙ୍କ ଟିମ୍ ।

ଝାରସୁଗୁଡ଼ାରେ ପୁଣି ନାବାଳକଙ୍କୁ ଅପହରଣ ଅଭିଯୋଗ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ପୁଣି ନାବାଳକଙ୍କୁ ଅପହରଣ ଅଭିଯୋଗ । ଟାଉନ ଥାନା ବୁରୋମାଲ ଅଞ୍ଚଳର ଜଣେ ନାବାଳକ ନିଖୋଜ । ଗତ ଶୁକ୍ରବାରରୁ ନାବାଳକ ନିଖୋଜ ଅଛନ୍ତି । ବହୁ ଖୋଜାଖୋଜି ପରେ ଏବେ ପୋଲିସର ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକ ।

ସୂଚନା ଅନୁସାରେ, ମା’‌ ଅସୁସ୍ଥ ହେବାରୁ ଗତ ୭ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ସମୟରେ ନାବାଳକଙ୍କ ବାପା ବି ଡାକ୍ତରଖାନାରେ ଥିଲେ । ଘରେ ୨ ଭାଇ ଥିଲେ । ଶୁକ୍ରବାର ଅପରାହ୍ନରେ ଘର ବାହାରେ ଛିଡ଼ା ହୋଇଥିବା ବେଳେ କୁଆଡ଼େ ନିଖୋଜ ହୋଇଯାଇଛି ନାବାଳକ। ଶନିବାର ପରିବାର ଲୋକେ ସବୁଆଡ଼େ ଖୋଜାଖୋଜି କରିଥିଲେ । ତଥାପି ନାବାଳକଙ୍କର କୌଣସି ପତ୍ତା ମିଳିନଥିଲା । ରବିବାର ଝାରସୁଗୁଡ଼ା ପୋଲିସରେ ଅଭିଯୋଗ କରିଛନ୍ତି ପରିବାର।

IPL 2023ର ସୁପରହିରୋ ରିଙ୍କୁ ସିଂହ, ଶେଷ ୫ଟି ବଲରେ ୫ ଛକା ମାରି ମ୍ୟାଚ୍ ଜିତାଇଲେ

ଅହମ୍ମଦାବାଦ: ଅହମ୍ମଦାବାଦରେ ଚାଲିଲା ରିଙ୍କୁ ରାଜ୍। ଗତକାଲି ଆଇପିଏଲ ମୁକାବିଲାରେ ଦେଖିବାକୁ ମିଳିଥିଲା ଧମାକା। ଶେଷ ଓଭରରେ ମ୍ୟାଚ ଛଡ଼ାଇ ଆଣିଲା କୋଲକାତା । ଶେଷ ଓଭରର ଶେଷ ୫ଟି ବଲକୁ ଛକା ମାରି ଦଳକୁ ଜିତାଇଲେ ରିଙ୍କୁ ସିଂହ । ଗୁଜରାଟ ଟାଇଟନ୍ସ ବିରୋଧରେ ବିଜୟ ପାଇଁ ଶେଷ ଓଭରରେ କୋଲକାତାକୁ ଆବଶ୍ୟକ ଥିଲା ୨୯ରନ । ମ୍ୟାଚ ସମ୍ପୂର୍ଣ୍ଣ ଗୁଜରାଟ ସପକ୍ଷରେ ରହିଥିଲା ।

ହେଲେ ରିଙ୍କୁ ସିଂହଙ୍କ ବିସ୍ଫୋରକ ଇନିଂସ ସବୁକିଛି ଓଲଟପାଲଟ କରିଦେଲା । ୟସ୍ ଦୟାଲଙ୍କ ଶେଷ ଓଭରରେ ୫ଟି ଛକା ମାରି ସମସ୍ତ ବାଜି ଓଲଟପାଲଟ କରିଦେଇଥିଲେ ରିଙ୍କୁ । ମୋଟ ୨୧ଟି ବଲର ୬ ଛକା ଓ ଗୋଟିଏ ଚୌକା ସହିତ ୪୮ରନ କରିଥିଲେ ରିଙ୍କୁ ।

ଆଜିଠୁ ଆରମ୍ଭ ଯୁକ୍ତଦୁଇ ଖାତାଦେଖା, ମେ ୩୦ ସୁଦ୍ଧା ଆସିବ ଫଳାଫଳ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଯୁକ୍ତଦୁଇ ଖାତାଦେଖା। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୨୩ ଯାଏ ଓ ଦ୍ବିତୀୟ ପର୍ଯ୍ୟାୟ ଖାତାଦେଖା ମେ ୭ ଯାଏ ଚାଲିବ। ଏପଟେ ଟାବୁଲେସନ୍ ପ୍ରକ୍ରିୟାକୁ ଯିବ ସ୍କୁଲ ଓ ଗଣଶିକ୍ଷା ବିଭାଗ। ମେ ୨୫ ସୁଦ୍ଧା ଟାବୁଲେସନ୍ ସାରି ମେ ୩୦ ସୁଦ୍ଧା ଫଳ ପ୍ରକାଶ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।

ଚଳିତ ଥର ୬୫ଟି ଅଫଲାଇନ୍ ଓ ୩୯ ଟି ଅନଲାଇନ୍ କେନ୍ଦ୍ରରେ ଖାତା ଦେଖାଯିବ। ସିସିଟିଭି ସ୍କାନରରେ ରହିବ ମୂଲ୍ୟାୟନ କେନ୍ଦ୍ର। ଅନଲାଇନ୍ ମୋଡରେ ବିଜ୍ଞାନ, ବାଣିଜ୍ୟ ଓ କଳାର ଇଂରାଜୀ ପରୀକ୍ଷା ଖାତା ମୂଲ୍ୟାୟନ କରାଯିବ। ସ୍କାନ ହୋଇଥିବା ଖାତାକୁ  ସିକ୍ରେଟ୍ କୋଡ ଜରିଆରେ ମୂଲ୍ୟାୟନ କରିବେ ଅଧ୍ୟାପକ ।

ଅନ୍ୟ ଖାତାଗୁଡ଼ିକ ପାରମ୍ପରିକ ଭାବେ ମୂଲ୍ୟାୟନ କରାଯିବ । ମୂଲ୍ୟାୟନକୁ ସେଣ୍ଟର ମୁଖ୍ୟ ତଦାରଖ କରିବେ । ମାଟ୍ରିକ୍ ସହ ଯୁକ୍ତ ଦୁଇ ପରୀକ୍ଷାଫଳ ମଧ୍ୟ ଶୀଘ୍ର ପ୍ରକାଶ ପାଇବା ସମ୍ଭାବନା ଦେଖାଦେଇଛି । ଏପ୍ରିଲ ୧୫ ସୁଦ୍ଧା ମାଟ୍ରିକ ମୂଲ୍ୟାୟନ ସାରି ମାସ ଶେଷ ସୁଦ୍ଧା ଫଳ ପ୍ରକାଶ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଯୋଜନା କରୁଥିବା ବେଳେ ଯୁକ୍ତଦୁଇ ପରୀକ୍ଷାଫଳ ମେ ମାସ ଶେଷ ସୁଦ୍ଧା ପ୍ରକାଶ ପାଇପାରେ । ଫଳରେ ଜୁନରୁ ଜୁଲାଇ ଭିତରେ ଏକାଦଶ ଓ ଯୁକ୍ତ ତିନି କ୍ଲାସ୍ ଆରମ୍ଭ ହେବ । ଠିକ୍ ସମୟରେ ଛାତ୍ରଛାତ୍ରୀମାନେ ପ୍ରବେଶିକା ପରୀକ୍ଷା ଦେଇ ଟେକ୍ନିକାଲ ପାଠ ବି ପଢ଼ି ପାରିବେ।

୯ଟି ରାଜ୍ୟରେ ସିବିଆଇ ଉପରେ କଟକଣା

ନୂଆଦିଲ୍ଲୀ: ୯ଟି ରାଜ୍ୟରେ ସିବିଆଇ ଉପରେ କଟକଣା। ରାଜ୍ୟ ସରକାରଙ୍କ ବିନା ଅନୁମତିରେ ସେହି ରାଜ୍ୟରେ ପ୍ରବେଶ କରି ତଦନ୍ତ କରିପାରିବ ନାହିଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ଗତ ମାର୍ଚ୍ଚରେ ଏକ ସଂସଦୀୟ କମିଟି ୯ଟି ରାଜ୍ୟ ଦ୍ବାରା ସିବିଆଇକୁ ଦିଆଯାଇଥିବା ସାଧାରଣ ସହମତି ପ୍ରତ୍ୟାହାର କରିନେଇଥିବା ପ୍ରସଙ୍ଗ ଉଠାଇବା ସହ ସିବିଆଇର କାର୍ଯ୍ୟଶୈଳୀର ସୀମା ନିର୍ଦ୍ଧାରଣ ନେଇ ନୂଆ ଆଇନ ଗଠନ କରିବା ପାଇଁ ପ୍ରସ୍ତାବ ଦେଇଥିଲା।

ଦିଲ୍ଲୀ ବିଶେଷ ପୋଲିସ ପ୍ରତିଷ୍ଠାନ ଅଧିନିୟମ ୧୯୪୬ ଅନୁସାରେ ସିବିଆଇ କାର୍ଯ୍ୟଧାରାର ସୀମା ନିର୍ଦ୍ଧାରଣ କରାଯାଇଛି । ତେଣୁ ଏଥିରେ ପରିବର୍ତ୍ତନ ସ୍ବରୁପ ସିବିଆଇର ନିରପେକ୍ଷତାକୁ ସୁନିଶ୍ଚିତ କରିବା ଏବଂ ଅଧିକ କ୍ରିୟାଶିଳ କରିବା ପାଇଁ ନୂଆ ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ସଂସଦୀୟ କମିଟି ପ୍ରସ୍ତାବ ଦେଇଛି । ରାଜ୍ୟ ସରକାର ସିବିଆଇଠୁ ସହମତି ପ୍ରତ୍ୟାହାର କରିବାର ଅର୍ଥ, ସିବିଆଇକୁ ମାମଲାର ତଦନ୍ତ ପାଇଁ ପୁଣି ଥରେ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡିବ । ସହମତି ନମିଳିବା ପର୍ଯ୍ୟନ୍ତ ସେଠାରେ କୌଣସି ପ୍ରକାର ତଦନ୍ତ କରିପାରିବ ନାହିଁ ।

ତେବେ ୨୦୨୨ରେ ପଶ୍ଚିମବଙ୍ଗର ହାଇକୋର୍ଟ ବେଆଇନ କୋଇଲା ଖନନ ଓ ଗୋ ଚାଲାଣ ମାମଲାର ଶୁଣାଣି ବେଳେ ଏକ ନୂଆ ରାୟ ଦେଇଥିଲେ । ରାଜ୍ୟରେ କେନ୍ଦ୍ର ସରକାରଙ୍କର କୌଣସି କର୍ମଚାରୀଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ତଦନ୍ତ କରିବାକୁ ହେଲେ ରାଜ୍ୟ ସରକାରଙ୍କର ଅନୁମତି ଆବଶ୍ୟକ ପଡିବ ନାହିଁ ।

ପୂର୍ବରୁ କିଛି ଅଣ ବିଜେପି ଶାସିତ ରାଜ୍ୟ ଏହା ଅଭିଯୋଗ କରୁଛନ୍ତି ଯେ ସିବିଆଇ ତଦନ୍ତରେ କୌଣସି ନିରପେକ୍ଷତା ରହୁନାହିଁ । ବିରୋଧୀଙ୍କୁ ଜାଣିଶୁଣି ଟାର୍ଗେଟ କରାଯାଉଛି । ଏହାକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଯାଇଥିଲେ ବିରୋଧୀ ଦଳ । ବର୍ତ୍ତମାନ ଛତିଶଗଡ଼, ଝାଡ଼ଖଣ୍ଡ, କେରଳ, ମେଘାଳୟ, ମିଜୋରାମ, ପଞ୍ଜାବ, ରାଜସ୍ଥାନ, ତେଲେଙ୍ଗାନା, ପଶ୍ଚିମବଙ୍ଗ ସରକାର ସିବିଆଇକୁ କିଛି କ୍ଷେତ୍ରରେ ବିନା ଅନୁମତିରେ ତଦନ୍ତ ପାଇଁ ଯେଉଁ ଅନୁମତି ଦେଇଥିଲେ ତାହା ପ୍ରତ୍ୟାହାର କରିନେଇଛନ୍ତି ।

ଖୋର୍ଦ୍ଧାରେ ପୁଣି ହାତୀ ଆତଙ୍କ, ଜଣେ ମୃତ ଓ ଦୁଇ ଗୁରୁତର

ଖୋର୍ଦ୍ଧା: କିଛି ଦିନ ବ୍ୟବଧାନ ପରେ ଖୋର୍ଦ୍ଧାରେ ପୁଣି ହାତୀ ଆତଙ୍କ। ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ଆଜି ଭୋରରୁ ଖୋର୍ଦ୍ଧା ରେଞ୍ଜ ପାନବରଜ ଗାଁରେ ଫୁଲ ତୋଲୁଥିବା ସମୟର ହାତୀ ହାବୁଡ଼ରେ ପଡ଼ିଥିଲେ କିରଣବାଳା ମାନଧାତା। ହାତୀ ତାଙ୍କୁ ଦଳି ମାରି ଦେଇଥିବା ବେଳେ ଅନ୍ୟଜଣେ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି ।

ସେପଟେ ଟାଙ୍ଗିଆପଡାର ବିକ୍ରମ ସାମନ୍ତରାୟ ଛକରେ ଠିଆ ହୋଇଥିବା ବେଳେ ହାତୀ ଆକ୍ରମଣରେ ଗୁରୁତର ହୋଇ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ବନ ବିଭାଗ, ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହାତୀକୁ ଘଉଡ଼ାଇବା ଆରମ୍ଭ କରିଛି ।

ଉପରମୁହାଁ କରୋନା ଗ୍ରାଫ୍, ସାରାଦେଶରେ କରାଯିବ ଦୁଇ ଦିନିଆ ମକଡ୍ରିଲ

ନୂଆଦିଲ୍ଲୀ: ପୁଣି ଥରେ ଉପରମୁହାଁ ହୋଇଛି କରୋନା ଗ୍ରାଫ୍। ସ୍ଥିତିକୁ ନଜରରେ ରଖି ଆଲର୍ଟରେ ରହିଛି ସ୍ବାସ୍ଥ୍ୟ ବିଭାଗ। ମୁକାବିଲା ପାଇଁ ଆଜି ଓ କାଲି ସାରାଦେଶରେ ମକଡ୍ରିଲ କରାଯିବ । ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲରେ ମକଡ୍ରିଲ ହେବ । ଗ୍ରାଫ ବଢୁଥିବାରୁ ହରିୟାଣା, କେରଳ ଓ ପୁଡୁଚେରୀରେ ମାସ୍କ ବାଧ୍ୟତାମୂଳକ କରାଯାଇଛି ।

ଦିଲ୍ଲୀର ସମସ୍ତ ହସ୍ପିଟାଲ, କ୍ଲିନିକକୁ କରୋନା ଟେଷ୍ଟିଂ କୁ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଓମିକ୍ରନ ସବଭାରିଆଣ୍ଟ XBB1କୁ ନେଇ ସତର୍କ ରହିବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପରାମର୍ଶ ଦେଇଥିବା ବେଳେ ଏହି ଭୂତାଣୁ ଅଧିକ କ୍ଷତିକାରକ ନୁହେଁ ବୋଲି ବିଶେଷଜ୍ଞ କହିଛନ୍ତି । ଦେଶରେ ଦୈନିକ ୫ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏଣୁ ସତର୍କ ରହିବା ସହ କୋଭିଡ ପ୍ରୋଟୋକଲ ପାଳନ କରିବା ପାଇଁ ଜନସାଧାରଣଙ୍କୁ ଅପିଲ କରିଛି ସ୍ବାସ୍ଥ୍ୟ ବିଭାଗ ।

କାଳବୈଶାଖୀ ତାଣ୍ଡବରେ ଲାଗିବ ବ୍ରେକ୍

ଭୁବନେଶ୍ୱର: କାଳବୈଶାଖୀ ତାଣ୍ଡବରେ ଲାଗିବ ବ୍ରେକ୍ । ଦିନକ ପରେ ରାଜ୍ୟରେ ବଢିବ ତାତି । ସ୍ବାଭାବିକଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳକ ପାଣିପାଗ କେନ୍ଦ୍ର। ବାୟୁ ଚଳାଚଳରେ ତାରତମ୍ୟ ପାଇଁ ଗତ ସପ୍ତାହେ ହେବ ରାଜ୍ୟରେ କାଳବୈଶାଖୀର ତାଣ୍ଡବ ଜାରି ରହିଥିଲା । ଉପକୂଳ ଓଡ଼ିଶା ସମେତ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରଭାବ ଦେଖିବାକୁ ମିଳିଥିଲା ।

ମଧ୍ୟାହ୍ନରେ ପ୍ରବଳ ତାତି ଅନୁଭୁତ ହେଉଥିଲେ ମଧ୍ୟ ଅପରାହ୍ନରେ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ହେଉଥିଲା । ଏଭଳି ପାଗ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଘଡଘଡି ବିଜୁଳି ସହ ବର୍ଷା ନେଇ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମୟୁରଭଞ୍ଜ, କନ୍ଧମାଳ, ରାୟଗଡା, କୋରାପୁଟ, କେନ୍ଦୁଝର ଏବଂ ଢେଙ୍କାନାଳକୁ ସତର୍କତା ଜାରି କରାଯାଇଛି ।

୧୧ ତାରିଖରେ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୨ ତାରିଖ ବେଳକୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବା ସହ ବର୍ଷାରେ ବ୍ରେକ୍ ଲାଗିବ । ରାଜ୍ୟରେ ଶୁଷ୍କ ଉଷ୍ମ ବାୟୁ ପ୍ରବାହ ବଢିବା ସହ ତାପମାତ୍ରାରେ ଅହେତୁକ ବୃଦ୍ଧି ହେବ । ଗତ ୨୪ ଘଣ୍ଟା ମଧ୍ୟରେ ବାରିପଦାରେ ସର୍ବାଧିକ ୩୯.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ମୁଣ୍ଡପିଛା ଆୟ ବୃଦ୍ଧିରେ ବିଜେପି ଶାସିତ ରାଜ୍ୟଙ୍କୁ ପଛରେ ପକାଇଲା ଓଡ଼ିଶା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ଓଡ଼ିଶା। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ପରିକଳ୍ପନା ଧୀରେ ଧୀରେ ବାସ୍ତବ ରୂପ ନେଉଛି। ୨୦୧୭ରୁ ୨୦୨୩ ଭିତରେ ଓଡ଼ିଶାରେ ମୁଣ୍ଡପିଛା ଆୟ ବଢିଛି। ପଛରେ ପଡିଛନ୍ତି ଉତ୍ତରପ୍ରଦେଶ ଓ ଗୁଜରାଟ। ଏହି ୬ବର୍ଷ ଭିତରେ ଓଡ଼ିଶାରେ ମୁଣ୍ଡପିଛା ଆୟ ୭୩ପ୍ରତିଶତକୁ ବଢିଛି। ହେଲେ ବିଜେପି ଶାସିତ ଉତ୍ତରପ୍ରଦେଶ ଏହି ତାଲିକାର ସବୁଠାରୁ ତଳେ ରହିଛି। ଲଗାତର ଦୁଇ ଦୁଇ ଥର ୟୁପିରେ ଯୋଗୀ ସରକାର ଥାଇ ମଧ୍ୟ ମୁଣ୍ଡ ପିଛା ଆୟ ମାତ୍ର ୪୦ପ୍ରତିଶତରେ ସୀମିତ ରହିଛି। ସେହିପରି କେନ୍ଦ୍ର ଓ ରାଜ୍ୟ ବିଜେପି ବିକାଶର ଯେଉଁ ଗୁଜରାଟ ମଡେଲକୁ ନେଇ ବାହସ୍ଫୋଟ ମାରୁଛନ୍ତି, ସେହି ଗୁଜରାଟର ମୁଣ୍ଡପିଛା ଆୟ ୟୁପିଠାରୁ ମାତ୍ର ଏକ ପ୍ରତିଶତ ଉପରେ ରହିଛି।

ବିଜେପି ବିକାଶର ମଡେଲ ଷ୍ଟେଟ ଭାବେ ଜଣାଶୁଣା ଗୁଜରାଟରେ ଗତ ୬ବର୍ଷ ଭିତରେ ମାତ୍ର ୪୧ପ୍ରତିଶତରେ ପହଞ୍ଚିଛି ମୁଣ୍ଡ ପିଛା ଆୟ। ଛତିଶଗଡ଼, ରାଜସ୍ଥାନ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ତେଲେଙ୍ଗାନା ବି ମୁଣ୍ଡପିଛା ଆୟ ବୃଦ୍ଧିରେ ଓଡ଼ିଶାର ସମକକ୍ଷ ହୋଇନଥିବା କେନ୍ଦ୍ର ପରିସଂଖ୍ୟାନ ନିର୍ଦ୍ଦେଶାଳୟ ସର୍ଭେ ରିପୋର୍ଟରୁ ଜଣାପଡିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରର ପ୍ରଥମ ପାଳି ପୂର୍ବରୁ ରାଜ୍ୟରେ ଅତି ନୈରାଶ୍ୟଜନକ ସ୍ଥିତିରେ ଥିଲା ମୁଣ୍ଡପିଛା ଆୟ। ୧୯୯୯ ମହାବାତ୍ୟା ରାଜ୍ୟର ଅର୍ଥନୀତିକୁ ଦୋହଲାଇ ଦେଇଥିଲା। ସେ ସମୟରେ ମୁଣ୍ଡପିଛା ଆୟ ମାତ୍ର ୧୩,୦୧୨ ଥିଲା। ନବୀନ ସରକାର ଆସିବା ପରେ ଆରମ୍ଭ ହୋଇଥିଲା ଆର୍ଥିକ ସଂସ୍କାର। ଠିକ୍ ସମୟରେ ଦରମା ପାଉ ନଥିବା ସରକାରୀ କର୍ମଚାରୀ ବି ମାସ ଶେଷକୁ ଦରମା ପାଇଲେ। ୨୦୧୭-୧୮ରେ ରାଜ୍ୟରେ ମୁଣ୍ଡ ପିଛା ଆୟ ୮୭,୦୫୫ ଟଙ୍କା ଥିଲା। ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ଏହା ୧ଲକ୍ଷ ୨୮ ହଜାର ୮୭୩ ଟଙ୍କା ପହଞ୍ଚିଥିଲା।

୨୦୨୨-୨୩ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହା ୧ଲକ୍ଷ ୫୦ ହଜାର ୬୭୬ରେ ପହଞ୍ଚିଛି। ୧୯୯୯-୨୦୦୦ରେ ରାଜ୍ୟର ମୁଣ୍ଡପିଛା ଆୟ ତୁଳନାରେ ମୁଣ୍ଡ ପିଛା ଋଣ ୨.୬୫ ଗୁଣ ଥିଲା। ବର୍ତ୍ତମାନ ମୁଣ୍ଡ ପିଛା ଆୟ ବୃଦ୍ଧି ପାଇ ମୁଣ୍ଡ ପିଛା ଋଣର ୫.୮ ଗୁଣାରେ ପହଞ୍ଚିଛି। ଏପରି ସ୍ଥିତିରେ ଏଫଆରବିଏମ୍ ନିୟମ ଅନୁସାରେ, ଯେକୌଣସି ରାଜ୍ୟ ୨୫ ପ୍ରତିଶତ ଋଣ କରିପାରିବ। ମହାରାଷ୍ଟ୍ର ପରି ବିକାଶିତ ରାଜ୍ୟ ୨୫ପ୍ରତିଶତ ଋଣ ଅତିକ୍ରମ କରିଥିବା ବେଳେ ଓଡ଼ିଶାର ଋଣ ପରିମାଣ ୧୭ରୁ ୧୯ ପ୍ରତିଶତରେ ସୀମିତ ରହିଛି। ଏହା ରାଜ୍ୟକୁ ଋଣ ସହନୀୟସ୍ତରରେ ରଖିଛି। କୋଭିଡ ସମୟରେ ବି ଖଣି କାରବାର ସହ ଅନଲାଇନ୍ କାମ ସକ୍ରିୟ ଭାବେ ଚଳାଇ ରାଜ୍ୟର ଅର୍ଥ ବ୍ୟବସ୍ଥାକୁ ସଜାଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ।…

ରାଜ୍ୟରେ ଋଣ ଭାର ହ୍ରାସ କରିବା ପାଇଁ ଅନେକ ସଂସ୍କାରମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ରାଜସ୍ବ ବଳକା ସୃଷ୍ଟି କରି ଋଣ ଉପରେ ଥିବା ନିର୍ଭରଶୀଳତା କମ୍ କରାଯାଇଛି। ୨୦୦୬-୦୭ରୁ ୨୦୧୩-୧୪ ଓ ୨୦୨୧-୨୨ରୁ ଏଯାଏ ଖୋଲା ବଜାରରୁ ଋଣ ନିଆଯାଇନି। ସେହିପରି ଉଚ୍ଚ ସୁଦ୍ଧହାର ବିଶିଷ୍ଟ ଋଣକୁ ଆଗୁଆ ପଇଠ କରାଯାଇଥିବା ବେଳେ ଜାତୀୟ ସ୍ବଳ୍ପ ସଞ୍ଚୟ ପାଣ୍ଠିରୁ ମଧ୍ୟ ୨୦୧୬-୧୭ରୁ ଏଯାବତ୍ କୌଣସି ଋଣ ନିଆଯାଇନାହିଁ।