spot_img
Home Blog Page 3211

କାଲି ଖୋର୍ଦ୍ଧା ଯିବେ ମୁଖ୍ୟମନ୍ତ୍ରୀ, କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ରର କରିବେ ଉଦଘାଟନ

ଭୁବନେଶ୍ୱର: ଆସନ୍ତାକାଲି ଖୋର୍ଦ୍ଧା ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନରେ ଜିଲ୍ଲାଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିବେ । ଗୁରୁଜଙ୍ଗରେ କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ରକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଗୁରୁଜଙ୍ଗରେ ୧୯୪୧ ମସିହାରେ ପ୍ରତିଷ୍ଠିତ ପ୍ରାଥମିକ ଶିକ୍ଷା କେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଥିଲା । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପରେ ସେଠାରେ ଗଢ଼ି ଉଠିଛି ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର । ରାଜସ୍ଥାନ ଜୟପୁରର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ଏଠାରେ କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ପ୍ରସ୍ତୁତ ହେବ। ସେ ସଂପର୍କରେ ଗବେଷଣା ତାଲିମ କେନ୍ଦ୍ର ମଧ୍ୟ ଚାଲିବ ।

ରାଜ୍ୟ ସରକାରଙ୍କ ସହଯୋଗରେ ଏହାର ପ୍ରତିଷ୍ଠା ହୋଇଥିବାବେଳେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ପରେ ଏକ ସାଧାରଣ ସଭାରେ ଯୋଗଦେବେ ନବୀନ । ସେଠାରେ ଦିବ୍ୟାଙ୍ଗଙ୍କୁ ଶ୍ରବଣ ଯନ୍ତ୍ର, ଟ୍ରାଇସାଇକେଲ୍, ଓ୍ବିଲଚେୟାର ଆଦି ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି । ନବୀନଙ୍କ ଗସ୍ତକୁ ନେଇ ଉତ୍ସାହିତ ହୋଇ ପଡ଼ିଛନ୍ତି ଖୋର୍ଦ୍ଧାବାସୀ । ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରିଛି ପୋଲିସ ପ୍ରଶାସନ ।

ଟ୍ରାଫିକ ଚେକିଂ ବେଳେ ଅଘଟଣ, ନାବାଳକ ସ୍କୁଟି ଚାଳକ ଧକ୍କାରେ RTO କର୍ମଚାରୀ ଆହତ

ଭୁବନେଶ୍ୱର: ଟ୍ରାଫିକ ଚେକିଂ ବେଳେ ଅଘଟଣ । ଜଣେ ନାବାଳକ ସ୍କୁଟି ଚାଳକ ଧକ୍କା ଦେବାରୁ ଆହତ ହୋଇଛନ୍ତି RTO କର୍ମଚାରୀ । ଭୁବନେଶ୍ବର ୟୁନିଟ ୮ ଅଞ୍ଚଳରେ ଆଜି ସକାଳୁ ଚାଲିଥିଲା ଆରଟିଓ ଏବଂ ଟ୍ରାଫିକ ପୋଲିସର ଚେକିଂ । ଏହି ସମୟରେ ପାୱାର ହାଉସ ଛକରୁ ଜଣେ ନାବାଳକ ସ୍କୁଟି ଚାଳକ ଦ୍ରୁତଗତିରେ ସ୍କୁଟି ନେଇ ଯାଉଥିଲେ ।

ନାବାଳକ ଜଣକୁ RTO କର୍ମଚାରୀ ଅଟକାଇବା ପାଇଁ ଚେଷ୍ଟା କରିବା ସମୟରେ ଧକ୍କା ଦେଇଥିଲା ସ୍କୁଟି ଚାଳକ । ଦୁର୍ଘଟଣାରେ RTO କର୍ମଚାରୀଙ୍କ ସହ ନାବାଳକ ସ୍କୁଟି ଚାଳକ ଆହତ ହୋଇଛନ୍ତି । ଉଭୟଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗଣଶିକ୍ଷା ବିଭାଗର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଓ ସମୀକ୍ଷା ବୈଠକ ଉଦ୍‌ଯାପିତ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ସମ୍ବଲପୁର ଜୋନର ୧୨ଟି ଜିଲ୍ଲାର ଶିକ୍ଷା ଅଧିକାରୀ ଓ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ ଦୁଇଦିନିଆ ସମୀକ୍ଷା ବୈଠକ ଓ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ଭୁବନେଶ୍ୱରସ୍ଥିତ କୃଷି ଭବନ ଅଡିଟୋରିୟମ୍‌ରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଲେ ଯେ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ କ୍ରୀୟାଶୀଳ କରିବା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନକୁ ସାକାର କରିବା ହିଁ ଆମର ଲକ୍ଷ୍ୟ । ଚିରାଚରିତ କାର୍ଯ୍ୟପନ୍ଥାରୁ ବାହାରି ଆମକୁ ଶିକ୍ଷାକ୍ଷେତ୍ରରେ ସ୍ୱତନ୍ତ୍ର କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପଡ଼ିବ ।

“୨୦୩୬ରେ ରାଜ୍ୟର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଶିକ୍ଷାକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆମର ଲକ୍ଷ୍ୟ’’ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ବୋଲି ମନ୍ତ୍ରୀ ଶ୍ରୀ ଦାଶ ମତବ୍ୟକ୍ତ କରିଛନ୍ତି । ଡିଇଓ ଏବଂ ବିଇଓ ମାନେ ଏବଂ ସିଆର୍‌ସିସିମାନେ ବିଦ୍ୟାଳୟ ପର୍ଯ୍ୟବେକ୍ଷଣ କରିବା, ଛାତ୍ରମାନଙ୍କ ନାମଲେଖା, ଶତପ୍ରତିଶତ ପିଲା ଦଶମ ପରୀକ୍ଷା ଦେବା, ଡ୍ରପ୍‌ ଆଉଟ୍‌ କମାଇବା, ପିଲାମାନଙ୍କୁ ପୁନଃ ସ୍କୁଲକୁ ଫେରାଇ ଆଣିବା ଏବଂ ଛୁଟିରେ ଶିକ୍ଷକମାନେ ପିଲାମାନଙ୍କ ଘରକୁ ଯାଇ ସେମାନଙ୍କ ପାଠ୍ୟକ୍ରମ ସଂପର୍କରେ ପଚାରି ବୁଝିବା ବାବଦରେ ମନ୍ତ୍ରୀ ଶ୍ରୀ ଦାଶ ଗୁରୁତ୍ୱ ପ୍ରଦାନ କରିଥିଲେ ।

ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଆଶ୍ୱଥୀ ଏସ୍‌. ଶିକ୍ଷାର ବିକାଶ ଏବଂ ବିଭାଗର ସମସ୍ତ ସ୍କିମ୍‌ ତଥା ଉଦ୍ୟମର ସଫଳ ରୂପାୟନ ନିମନ୍ତେ ଯଥାସାଧ୍ୟ ପ୍ରୟାସ କରିବାକୁ ଡିଇଓ ଏବଂ ବିଇଓମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ଓସେପା) ଅନୁପମ ସାହା, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ମିଶ୍ର, ଏସ୍‌ସିଇଆର୍‌ଟିର ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ସମ୍ବଲପୁର ଜୋନର ୧୨ଟି ଜିଲ୍ଲାରୁ ଆସିଥିବା ସମସ୍ତ ଡିଇଓ ଏବଂ ବିଇଓଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

 

ଭୁବନେଶ୍ବରରେ ପ୍ରତିଷ୍ଠା ହେବ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର

ଭୁବନେଶ୍ୱର: ଭୁବନେଶ୍ବରରେ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବରର କ୍ରମ ବର୍ଦ୍ଧିଷ୍ଣୁ ପରିସର ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଅଗ୍ନିଶମ ବ୍ୟବସ୍ଥାକୁ ସୁଦୃଢ଼ କରି ଧନଜୀବନକୁ ସୁରକ୍ଷା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।

ଏହି ୩ଟି ଅଗ୍ନିଶମ ସେବା କେନ୍ଦ୍ର ତମାଣ୍ଡୋ, ମଞ୍ଚେଶ୍ବର ଓ ପାହାଳରେ ପ୍ରତିଷ୍ଠା କରାଯିବ। ଏଥିପାଇଁ ୪୫ଟି ପଦବୀ ମଧ୍ୟ ଅନୁମୋଦନ କରାଯାଇଛି । ପ୍ରତ୍ୟେକ କେନ୍ଦ୍ରରେ ୧୫ ଜଣ ଲେଖାଏଁ କର୍ମଚାରୀ ରହିବେ। ଏଥିରେ ଜଣେ ଷ୍ଟେସନ ଅଫିସର, ଦୁଇ ଜଣ ଲିଡିଂ ଫାୟାରମ୍ୟାନ, ଜଣେ ଡ୍ରାଇଭର-ହାବିଲଦାର, ଜଣେ ଫାୟାରମ୍ୟାନ ଡ୍ରାଇଭର ଓ ୧୦ ଜଣ ଫାୟାରମ୍ୟାନ ଅଛନ୍ତି ।

ଜଳୁଛି ସାରା ଓଡ଼ିଶା, ଦିନ ସାଢ଼େ ୨ ସୁଦ୍ଧା ଝାରସୁଗୁଡ଼ା ଉତ୍ତପ୍ତ ସହର

ଭୁବନେଶ୍ୱର: ଆଗାମୀ ଦୁଇଦିନ ପାଇଁ ଆଭ୍ୟନ୍ତରୀଣ ଓଡ଼ିଶାର ୮ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି। ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ ଜିଲ୍ଲାକୁ ଦୁଇ ଦିନ ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି। ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ପାଖାପାଖି ୮ ଜିଲ୍ଲାରେ ଏଭଳି ସ୍ଥିତି ରହିବ । ୨୦ ଏବଂ ୨୧ ତାରିଖରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ। ବାହାରକୁ ଗଲେ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି । ୨୧ ତାରିଖ ପରେ ତାପମାତ୍ରାରେ ପରିବର୍ତ୍ତନ ଆସିବ । ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ବି କମିବାର ଆଶଙ୍କା ରହିଛି । ୨୧ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି ।

ସେପଟେ ଦିନ ସାଢେ ୨ଟା ସୁଦ୍ଧା ୪୨.୬ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା । ୪୦ ଡିଗ୍ରୀ ଉପରେ ରହିଛି ୬ ସହରର ତାପମାତ୍ରା । ସେହିପରି ଭୁବନେଶ୍ୱରରେ ୪୨.୨, ସମ୍ବଲପୁରରେ ୪୨.୨ ଡିଗ୍ରୀ, କେନ୍ଦୁଝରରେ ୪୧.୦ ଡିଗ୍ରୀ, ହୀରାକୁଦରେ ୪୧.୦ ଡିଗ୍ରୀ, ଚାନ୍ଦବାଲିରେ ୪୦.୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ବାଲେଶ୍ୱର ୩୫.୮ ଡିଗ୍ରୀ, ପୁରୀରେ ୩୪.୫ ଡିଗ୍ରୀ, ଗୋପାଳପୁରରେ ୩୩.୬ ଡିଗ୍ରୀ ଓ ପାରାଦୀପରେ ୩୨.୮ ଡିଗ୍ରୀ ତାପମାତ୍ର ରେକର୍ଡ ହୋଇଛି ।

ନାମାଙ୍କନ ପତ୍ର ଦାଖଲ କଲେ ବିଜେଡ଼ି ପ୍ରାର୍ଥୀ ଦୀପାଳି ଦାସ

ଝାରସୁଗୁଡ଼ା: ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କଲେ ବିଜେଡ଼ି ପ୍ରାର୍ଥୀ ଦୀପାଳି ଦାସ । ମନମୋହନ ସ୍କୁଲରୁ ବିରାଟ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି ଦୀପାଳି । ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ଶାରଦା ପ୍ରସାଦ ନାୟକଙ୍କ ସହ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ । ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ । ଦୀପାଳିଙ୍କୁ ଜଣାଇଥିଲେ ସମର୍ଥନ ।

ନାମାଙ୍କନ ଦାଖଲ ପୂର୍ବରୁ ମା ପାଟଣେଶ୍ବରୀ, ଶ୍ରୀଗଣେଶ ଓ ମହାଦେବଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ମୁଖ୍ୟମନ୍ତ୍ରୀଙ୍କୁ ଗୌରବାନ୍ବିତ କରିବାକୁ ଯେଉଁ ପ୍ରତିଶ୍ରୁତି ଦେଇଛି, ସେଥିପାଇଁ ମାଆଙ୍କୁ ସାହସ ମାଗିଛନ୍ତି ଦୀପାଳି । ଏହାସହ ବାପାଙ୍କ ନାଁ ରଖିବାକୁ ଶକ୍ତି ଓ ସଦବୁଦ୍ଧି ମାଗିଛନ୍ତି ଦୀପାଳି । ବାପାଙ୍କ ପରି ଝାରସୁଗୁଡ଼ାବାସୀଙ୍କ ପାଇଁ କିଛି କରିବାର ଆଶା ରଖିଥିବା ସେ କହିଛନ୍ତି ।

ସ୍ବର୍ଗତ ନବକିଶୋର ଦାସ ଚାହୁଁଥିଲେ ଦୀପାଳି ରାଜନୀତିକୁ ଆସନ୍ତୁ ବୋଲି । ଦୀପାଳିଙ୍କ ଜୀବନର ବଡ଼ ଦିନ ଆରମ୍ଭ ହେଉଥିବା ବେଳେ, ବାପା ନାହାନ୍ତି ବୋଲି କହି ଭାବବିହ୍ବଳ ହୋଇ ପଡ଼ିଥିଲେ । ହେଲେ ସେ ଭାଙ୍ଗିଯିବେନି ବରଂ ଆହୁରି ଶକ୍ତିଶାଳୀ ହେବେ । ବିକାଶର ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବି । ମହିଳାଙ୍କ ବିକାଶକୁ ଆଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ କାମ କରିବି ବୋଲି କହିଛନ୍ତି ଦୀପାଳି ।

ଘାତକ ହେବାକୁ ଯାଉଛି ଅଂଶୁଘାତ, ବାହାରକୁ ବାହାରନ୍ତୁ ନାହିଁ ଏହି ରୋଗୀ…

ଭୁବନେଶ୍ୱର: ବର୍ତ୍ତମାନ ଅଂଶୁଘାତ ଘାତକ ହେବାକୁ ଯାଉଛି, ତମମାତ୍ରା ବଢିଲେ ଆମ ବଡ଼ିରେ ଥର୍ମୋ ରେଗୁଲାଟିଙ୍ଗ ମେକାନିଜିମ ଫେଲରୋ ହୋଇଥାଏ, ଫଳରେ ଆମକୁ ଅଂଶୁଘାତ ହୋଇଥାଏ  । ବିଶେଷ କରି ଶିଶୁ, ଗର୍ଭବତୀ ମହିଳା ଏବଂ ବୟସ୍କଙ୍କୁ ଅଂଶୁଘାତ ଅଧିକ ହେବାର ସମ୍ଭାବନା ରହିଛି  । ଯେଉଁମାନଙ୍କୁ କିଡ଼ନୀ ରୋଗ, ଲିଭର ସମସ୍ୟା ବା ବ୍ରେନ ଷ୍ଟ୍ରୋକ୍ ହୋଇଥିବା ସେମାନେ ସତର୍କତା ଅବଲମ୍ବନ କରିବା ଦରକାର ବୋଲି କହିଛନ୍ତି ଡାକ୍ତର ସୂର୍ଯ୍ୟ ପ୍ରକାଶ ଚୌଧୁରୀ  ।

ଏହାସହ ତାପମାତ୍ରା ବୃଦ୍ଧି ଫଳରେ ଅଧିକ ଗରମ ଅନୁଭୂତ ହେଉଛି, ବିଶେଷ କରି ଦିନ 11ଟା ରୁ 3 ଯାଏଁ ଘରୁ ବାହାରକୁ ବାହାରନ୍ତୁ ନାହିଁ, ଯଦି ବାହାରୁଛନ୍ତି ପାଣି ବୋଟଲ, ବା ors ପାଣି ପାଖରେ ରଖିବା ସହ ଅତ୍ୟନ୍ତ ପତଳା ସୁତା କପଡା ନେଇ ଘରୁ ବାହାରନ୍ତୁ ବୋଲି ପ୍ରତିକ୍ରିୟା ଦେଇ କହିଛନ୍ତି ଚିକିତ୍ସକ  ।

ଆଜି ହାଇଦ୍ରାବାଦକୁ ଭେଟିବ ମୁମ୍ବାଇ, ବ୍ରୁକଙ୍କ ଉପରେ ରହିବ ସମସ୍ତଙ୍କ ନଜର

ହାଇଦ୍ରାବାଦ: ଆଇପିଏଲରେ ବଢ଼ୁଛି ରୋମାଞ୍ଚ । ଆଜି ଆଇପିଏଲର ୨୫ତମ ମ୍ୟାଚରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚ ଆଜି ସନ୍ଧ୍ୟା ୭ଟା୩୦ରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ ପାଇଁ ହାଇଦ୍ରାବାଦ ଜୋରସୋରରେ ଅଭ୍ୟାସ ଜାରି ରଖିଛି ।

ଚଳିତ ଆଇପିଏଲରେ ଉଭୟ ଦଳ ଏପର୍ଯ୍ୟନ୍ତ ୪ଟି ଲେଖାଏଁ ମ୍ୟାଚ୍ ଖେଳିଛନ୍ତି । ଏହି ୪ ମ୍ୟାଚ୍ ମଧ୍ୟରୁ ହାଇଦ୍ରାବାଦ ଓ ମୁମ୍ବାଇ ପ୍ରଥମ ୨ଟି ମ୍ୟାଚରେ ପରାଜୟ ବରଣ କରିଥିବାବେଳେ ପରବର୍ତ୍ତୀ ଦୁଇଟି ମ୍ୟାଚରେ ବିଜୟ ଲାଭ କରିଛନ୍ତି ଉଭୟ ଦଳ । ତେଣୁ ଆଜିର ମ୍ୟାଚରେ ମଧ୍ୟ ବିଜୟ ଲାଭ କରି ଏହି ବିଜୟ ଧାରାକୁ ଜାରି ରଖିବାକୁ ଚେଷ୍ଟା କରିବେ ଦୁଇ ଦଳ । ତେବେ ଆଜିର ମ୍ୟାଚରେ ସମସ୍ତଙ୍କ ନଜର ରହିବ ହ୍ୟାରୀ ବ୍ରୁକଙ୍କ ଉପରେ । ବ୍ରୁକ୍ କେକେଆର ବିପକ୍ଷରେ ଦମଦାର ଶତକ ହାସଲ କରି ଫର୍ମକୁ ଫେରିଛନ୍ତି । ତେବେ ମୁମ୍ବାଇର ବୋଲିଂ ବିଭାଗ ଦୁର୍ବଳ ଥିବାରୁ ଏହାର ଫାଇଦା ଉଠାଇ ପାରନ୍ତି ବ୍ରୁକ୍ ।

ଅନ୍ୟପକ୍ଷରେ ମୁମ୍ବାଇ କଥା ଯଦି କହିବା ତାହାଲେ ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟ କୁମାର ଯାଦବ ଓ ଇଶାନ କିଶାନ ଫର୍ମକୁ ଫେରିଛନ୍ତି । ଉଭୟ ବ୍ୟାଟ୍ସମ୍ୟାନ୍ ଗତ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରିଥିଲେ । ତେଣୁ ଆଜିର ମ୍ୟାଚରେ ଏହି ଦୁଇ ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ଅଟକାଇବା ହାଇଦ୍ରାବାଦ ପାଇଁ ଚ୍ୟାଲେଞ୍ଜ ହେବ ।

ପ୍ରେମ ପାଇଁ ମୁସଲିମରୁ ବନିଲେ ହିନ୍ଦୁ, ରୀତିନୀତିରେ କଲେ ବିବାହ

ବରେଲି: ପ୍ରେମ ମାନେନି ବନ୍ଧବାଡ଼, ସେଥିପାଇଁ ତ ପ୍ରେମ ପାଇଁ ଧର୍ମ ବଦଳାଇଦେଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବରେଲୀରେ । ଜଣେ ମୁସଲିମ୍ ଯୁବତୀ ଧର୍ମ ପରିବର୍ତ୍ତନ ସହ ହିନ୍ଦୁ ରୀତିନୀତିରେ ପ୍ରେମିକକୁ ବିବାହ କରିଛନ୍ତି।

ଏନେଇ ସୋନମ କହିଛନ୍ତି, ମୁଁ ଓ ରାଜପାଲ୍ ଉଭୟ ପରସ୍ପରକୁ ଖୁବ୍ ଭଲ ପାଉଥିଲୁ । ହେଲେ ଭିନ୍ନ ଧର୍ମ ଯୋଗୁଁ ପରିବାର ଲୋକେ ବିବାହ ପାଇଁ ରାଜି ହୋଇନଥିଲେ । ଧର୍ମ ପରିବର୍ତ୍ତନ କରି ବିବାହ କରିଥିଲେ ମଧ୍ୟ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୋଲିସର ସୁରକ୍ଷା ଲୋଡିଛନ୍ତି  ।

ସୂଚନା ଅନୁଯାୟୀ, ପୂର୍ବରୁ ତାଙ୍କ ନାମ ସବିନା ଥିଲା । ଧର୍ମ ପରିବର୍ତ୍ତନ କରିବା ପରେ ସୋନମ ବନିଥିଲେ । ଅଗସ୍ତ ମୁନି ଆଶ୍ରମର ମହନ୍ତ କେକେ ଶଙ୍ଖଧାର ହିନ୍ଦୁ ରୀତିନୀତିରେ ଦୁହିଁଙ୍କ ବିବାହ କରାଇଥିଲେ ।

ମହାରାଷ୍ଟ୍ରରେ ପାଓ୍ୱାର ଗେମ୍, ବିଜେପିରେ ମିଶି ପାରନ୍ତି ଅଜିତ ପାଓ୍ୱାର

ମୁମ୍ବାଇ: ମହାରାଷ୍ଟ୍ରରେ ପାଓ୍ବାର ଗେମ୍ । ବିଜେପିରେ ମିଶି ପାରନ୍ତି ଏନସିପି ସୁପ୍ରିମୋ ଶରଦ ପାଓ୍ବାରଙ୍କ ପୁତୁରା ତଥା ଏନସିପି ଲିଡର ଅଜିତ ପାଓ୍ବାର । ସପ୍ତାହେ ଧରି ଏହି ଚର୍ଚ୍ଚା ଜୋର ଧରିଥିବା ବେଳେ ଆସନ୍ତା ୧୫ ଦିନ ମଧ୍ୟରେ ବଡ଼ଧରଣର ରାଜନୈତିକ ପରିବର୍ତ୍ତନ ହେବ ବୋଲି ଆଜି ସୁପ୍ରିୟା ସୁଲେ ବିସ୍ଫୋଟକ ବୟାନ ଦେଇଛନ୍ତି । ସେପଟେ ଆଜି ବିଧାନ ଭବନରେ ସମର୍ଥକ ବିଧାୟକଙ୍କ ସହ ବୈଠକ କରିଛନ୍ତି ଅଜିତ ପାଓ୍ବାର । ତମାମ ଚର୍ଚ୍ଚା ଆଲୋଚନାକୁ ଏନସିପି ସୁପ୍ରିମୋ ଖଣ୍ଡନ କରିଛନ୍ତି । ହେଲେ ନିଜ ଟୁଇଟର ପେଜରୁ ଅଜିତ ପାଓ୍ବାର ଏନସିପି ଲୋଗୋ ହଟାଇ ଦେଇଥିବା ଦେଖାଯାଇଛି ।

ସେପଟେ ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ମେଣ୍ଟ ମଜଭୂତ ରହିବ ବୋଲି ଶିବସେନା ଉଦ୍ଧବ ଗୋଷ୍ଠୀ ସାଂସଦ ସଞ୍ଜୟ ରାଉତ କହିଛନ୍ତି । ସେପଟେ ଅଜିତ ପାଓ୍ବର ବିଜେପି ସହ ମେଣ୍ଟରେ ସାମିଲ ହେଲେ ସିନ୍ଦେ ଗୋଷ୍ଠୀ ମେଣ୍ଟରୁ ଓହରିଯିବ ବୋଲି ଦଳ କହିଛି । ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ଏକନାଥ ସିନ୍ଦେ ଗୋଷ୍ଠୀର ସରକାର ରହିଛି । ବିଜେପି ପାଖରେ ୧୦୯ ବିଧାୟକ ରହିଥିବା ବେଳେ ୬ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ବିଜେପି ସହ ରହିଛି । ସେପଟେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ୪୦ ଶିବସେନା ବିଧାୟକ ଓ ୧୦ ଜଣ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ରହିଛି । ମହାରାଷ୍ଟ୍ର ବିଧାନସଭାରେ ବହୁମତ ସଂଖ୍ୟା ୧୪୫ ହୋଇଥିବା ବେଳେ ଏକନାଥ ସିନ୍ଦେଙ୍କ ପାଖରେ ୧୬୫ ବିଧାୟକ ରହିଛନ୍ତି ।