ବିଶ୍ୱକପ୍ ବୟକଟ୍ ନେଇ ପାକିସ୍ତାନ ଖେଳମନ୍ତ୍ରୀଙ୍କ ଧମକ, କହିଲେ ଏସିଆ କପ୍ ପାଇଁ ଭାରତ ନ୍ୟୁଟ୍ରାଲ ଭେନ୍ୟୁ ଜିଦ୍ ନଛାଡିଲେ ପାକ୍ ଟିମ୍ ମଧ୍ୟ ଭାରତ ଯିବନି

ନନ୍ଦିଘୋଷ ବ୍ୟୁରୋ: ଭାରତରେ ୫ ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ପାକିସ୍ତାନର ସାମିଲ ହେବାକୁ ନେଇ ଏବେ ବି ସନ୍ଦେହ ଜାରି ରହିଛି । ପାକିସ୍ତାନର ଖେଳ ମନ୍ତ୍ରୀ ଏହସାନ ମଜାରି କହିଛନ୍ତି, ମୁଁ ଚାହୁଁଛି ଯେ ଭାରତ ମଧ୍ୟ ଏସିଆ କପ୍ ମ୍ୟାଚ୍ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳିବା ଦାବିକୁ ଛାଡିଦେଉ ନଚେତ୍ ଆମେ ମଧ୍ୟ ବିଶ୍ୱକପ୍ ଖେଳିବା ପାଇଁ ଭାରତ ଯିବୁନି । ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ୨୭ ଜୁନରେ ବିଶ୍ୱକପ୍ ପାଇଁ ସିଡ୍ୟୁଲ ଜାରି କରିସାରିଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲ୍ଟେଜ ମ୍ୟାଚ୍ ୧୫ ଅକ୍ଟୋବରରେ ଅହମ୍ମଦାବାଦରେ ଖେଳାଯିବ ।

ଏହା ବ୍ୟତୀତ ପାକିସ୍ତାନକୁ ନିଜ ଲିଗର ୮ଟି ମ୍ୟାଚ୍ ଚାରି ସହର ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ ଏବଂ କୋଲକାତାରେ ଖେଳିବାକୁ ଅଛି । ପାକିସ୍ତାନ ଖେଳମନ୍ତ୍ରୀ ମଜାରି ଇଣ୍ଡିଆନ ଏକ୍ସପ୍ରେସକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି, ପ୍ରଧାନମନ୍ତ୍ରୀ ଶହବାଜ ସରିଫ ବିଦେଶମନ୍ତ୍ରୀ ବିଲୱାଲ ଭୁଟ୍ଟୋ ଜରଦାରୀଙ୍କ ଅଧ୍ୟକ୍ଷତାରେ ୧୪ ସଦସୀୟ କମିଟିର ଗଠନ କରିଛନ୍ତି । ସେଥିରେ ମୋ ସହ ମୋଟ ୧୧ମନ୍ତ୍ରୀ ରହିଛନ୍ତି । ଆମେ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବୁ ଯେ ପାକିସ୍ତାନକୁ ଭାରତ ଯାଇ କ୍ରିକେଟ ଖେଳିବା ଉଚିତ କି ନାହିଁ । ଆମେ ଆମର ସୁପାରିଶ ପ୍ରଧାନମନ୍ତ୍ରୀଙ୍କୁ ପଠାଇବୁ ।

ସେହି ଆଧାରରେ ପ୍ରଧାନମନ୍ତ୍ରୀ ବିଶ୍ୱକପରେ ପାକିସ୍ତାନ କ୍ରିକେଟ ଟିମ୍ କୁ ପଠାଇବର ଶେଷ ନିଷ୍ପତ୍ତି ନେବେ । ପିସିବି ମୋ ଭାଗରେ ଆସୁଛି । ତେଣୁ ମୋ ବିଚାରରେ ଭାରତ ମଧ୍ୟ ଏସିଆ କପ୍ ମ୍ୟାଚ୍ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳିବାର ଜିଦକୁ ଛାଡିଦେଉ ନଚେତ ଆମେ ମଧ୍ୟ ବିଶ୍ୱକପରେ ପାକିସ୍ତାନର ମ୍ୟାଚ୍ ଭାରତ ବଦଳରେ ନ୍ୟୁଟ୍ରାଲ ଭେନ୍ୟୁରେ କରାଇବା ନେଇ ଦାବି କରିବୁ । ଏସିଆନ କ୍ରିକେଟ କାଉନ୍ସିଲ ବିଶ୍ୱକପ୍ ପୂର୍ବରୁ ଏସିଆ କପ୍ ଶ୍ରୀଲଙ୍କା ଏବଂ ପାକିସ୍ତାନରେ କରାଇବା ନେଇ ନିଷ୍ପତ୍ତି କରିଛି । ଏହି ଅନୁଯାୟୀ, ପାକିସ୍ତାନରେ ଟୁର୍ଣ୍ଣାମେଣ୍ଟର କେବଳ ୪ ମ୍ୟାଚ୍ ଖେଳାଯିବ ।

ବାକି ୯ ମୁକାବିଲା ଶ୍ରୀଲଙ୍କାରେ ହେବ । ଗ୍ରୁପ ଷ୍ଟେଜର ଚାରି ମ୍ୟାଚ୍ ପାକିସ୍ତାନରେ ହେବ । ଏଥିରେ ଗୋଟିଏ ଗ୍ରୁପରୁ ପାକିସ୍ତାନ ବନାମ ନେପାଳ ମ୍ୟାଚ୍ ଏବଂ ଦ୍ୱିତୀୟ ଗ୍ରୁପରୁ ଆଫଗାନୀସ୍ତାନ ବନାମ ବାଂଲାଦେଶ, ଆଫଗାନୀସ୍ତାନ ବନାମ ଶ୍ରୀଲଙ୍କା ଏବଂ ବାଂଲାଦେଶ ବନାମ ଶ୍ରୀଲଙ୍କା ମ୍ୟାଚ୍ ସାମିଲ ରହିଛି । ଅର୍ଥାତ ପାକିସ୍ତାନରେ ଭାରତର ଗୋଟିଏ ମ୍ୟାଚ୍ ବି ହେବନାହିଁ । ଯଦି ଟିମ୍ ଇଣ୍ଡିଆ ଫାଇନାଲରେ ପହଞ୍ଚେ ତେବେ ଏହି ମ୍ୟାଚ୍ ମଧ୍ୟ ଶ୍ରୀଲଙ୍କାରେ ହେବ । ୩୧ ଅଗଷ୍ଟରୁ ୧୭ ସେପ୍ଟେମ୍ବର ମଧ୍ୟରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ସମ୍ପୂର୍ଣ୍ଣ ସୂଚୀ ବର୍ତ୍ତମାନ ସୁଦ୍ଧା ଜାରି କରାଯାଇନାହିଁ ।