ରାଜଧାନୀରେ ଲୁଟପାଟ କରି ଲୋକଙ୍କୁ ଟେନସନ ଦେଉଥିବା ଲୁଟେରା ଗ୍ୟାଙ୍ଗକୁ କାବୁ କଲା ସ୍ପେଶାଲ ସ୍କ୍ୱାଡ୍

ଭୁବନେଶ୍ୱର: ରାଜଧାନୀରେ ଲୁଟପାଟ କରି ଲୋକଙ୍କୁ ଟେନସନ ଦେଉଥିବା ଏକ ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି ସ୍ପେଶାଲ ସ୍କ୍ବାଡ । ୫ ଜଣ ଲୁଟେରାଙ୍କ ଠାରୁ ଟଙ୍କା, ସୁନା, ଗାଡି ଓ ଲୁଟ ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ । ୨୧ ମାମଲାରେ ସମ୍ପୃକ୍ତ ଥାଇ ବି ବେଫିକର ଥିଲେ ଲୁଟେରା । ଭୁବନେଶ୍ବର ଡିସିପିଙ୍କ ସ୍ପେଶାଲ ସ୍କ୍ବାର୍ଡ ଲୁଟେରା ଓ ଚୋରି ସାମଗ୍ରୀ କିଣୁଥିବା ଅଭିଯୁକ୍ତଙ୍କୁ କାବୁ କରିଛି ।

ଭରତପୁର, ଚନ୍ଦଶେଖରପୁରରେ ହୋଇଥିବା ଅଭିଯୋଗ ମୁତାବକ ସେମାନଙ୍କୁ ଗିରଫ କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ନାଁରେ ପାହାଳ, ସହିଦନଗର,ଖାରବେଳନଗର, ନୟାପଲ୍ଲୀ, ବିଂଝାରପୁର, ରାଜକନିକା ଥାନାରେ ରହିଛି ୨୧ ଟି ମାମଲା । ଗତ ୬ ମାସ ଭିତରେ ରାଜଧାନୀବାସୀଙ୍କ ନିଦ ହଜାଇଦେଇଥିବା ଲୁଟେରାଙ୍କ ଠାରୁ ୪୫ ଗ୍ରାମର ୧୦ ଟି ସୁନା ଚେନ, ୪୦ ହଜାର ଟଙ୍କା, ୨ଟି ବାଇକ, ୮ ଟି ମୋବାଇଲ ଓ ଲୁଟରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି । ତଥ୍ୟ,ପ୍ରମାଣ, ସାଇଣ୍ଟିଫିକ ଟିମରୁ ମିଳିଥିବା ସୁରାକ, ସିସିଟିଭି ଓ ସିଡ଼ିଆର ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଛି।