ଦିଲ୍ଲୀରେ ୪୧ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା

ନୂଆଦିଲ୍ଲୀ: ଦିଲ୍ଲୀରେ ୪୧ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା ।  ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନ ଜଳବନ୍ଦୀ ହୋଇଛି । ରାସ୍ତା, ଗଳି କନ୍ଦି, ଅଣ୍ଡରପାସ ସବୁଠି ପାଣି ଜମି ରହିଛି। ଜଳବନ୍ଦୀ ଅଞ୍ଚଳ ଅନୁଧ୍ୟାନ କରିବେ ସମସ୍ତ ମନ୍ତ୍ରୀ ଓ ମେୟର । ସେହିପରି ସବୁ ବିଭାଗର ଅଧିକାରୀଙ୍କ ରବିବାର ଛୁଟି ବାତିଲ୍ କରିବା ସହ ସେମାନଙ୍କୁ ଗ୍ରାଉଣ୍ଡକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ।

ଗତ ୨୪ଘଣ୍ଟା ମଧ୍ୟରେ ଦିଲ୍ଲୀରେ୧୫୩ ମିଲିମିଟର ବର୍ଷା ହୋଇଛି । ୧୯୮୨ମସିହା ପରେ ଜୁଲାଇ ମାସରେ ଏହା ସର୍ବାଧିକ ବର୍ଷା। ପ୍ରବଳ ବର୍ଷା ଯୋଗୁଁ ବିଦ୍ୟୁତ ସରବରାହ ଓ ଇଣ୍ଟରନେଟ୍ ମଧ୍ୟ ବାଧାପ୍ରାପ୍ତ ହୋଇଛି । କେବଳ ଦିଲ୍ଲୀ ନୁହେଁ ଉତ୍ତର ଭାରତରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ଗତ ଦୁଇ ଦିନ ମଧ୍ୟରେ ବର୍ଷା ଯୋଗୁଁ ଉତ୍ତର ଭାରତରେ ୯ଜଣଙ୍କ ମୃତ୍ୟୁ ହୋଇଛି । ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଦିଲ୍ଲୀ, ହରିୟାଣା, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ, ପଞ୍ଜାବ ଓ ଜାମ୍ମୁ କାଶ୍ମୀରକୁ ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି।

ବର୍ଷା ଯୋଗୁଁ ଉତ୍ତର ଭାରତରେ ୨୦ଟି ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସିମଲାରେ ଭୂସ୍ଖଳନରେ ଘର ଭାଙ୍ଗି ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ହୋଇଛି । ହିମାଚଳପ୍ରଦେଶ କୁଲୁରେ ବେଜ୍ ନଦୀରେ ଜାତୀୟ ରାଜପଥ ଧୋଇ ହୋଇଯାଇଛି । ସେହିପରି ଲାହୁଲ ସ୍ପିତିରେ ଫ୍ଲାସ ଫ୍ଲଡ ଓ ଲ୍ୟାଣ୍ଡସ୍ଲାଇଡ୍ ହୋଇଛି ।