ରାଜ୍ୟରେ ନିଯୁକ୍ତିର ସମ୍ଭାର, ୩ ହଜାର ୨୬୬ କୋଟି ଟଙ୍କାର ୧୧ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର: ରାଜ୍ୟରେ ନିବେଶର ସମ୍ଭାର । ୧୧ଟି ଶିଳ୍ପ ପ୍ରକଳ୍ପକୁ ମିଳିଛି ଅନୁମୋଦନ । ୧୧୯ ତମ ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟିର ବୈଠକରେ ୩ ହଜାର ୨୬୬ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହାଦ୍ବାରା ୯ ହଜାର ୧୪୬ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଧାତବ ଡାଉନଷ୍ଟ୍ରିମ୍ ଏବଂ ଆନୁଷଙ୍ଗିକ କ୍ଷେତ୍ର, ରାସାୟନିକ ପଦାର୍ଥ, ଖାଦ୍ୟ ପ୍ରକ୍ରିୟାକରଣ, କୃଷି ପ୍ରକ୍ରିୟାକରଣ, ପ୍ଲାଷ୍ଟିକ, ବୟନ ପୋଷାକ, ଆଇଟି ଏବଂ ଇଏସଡିଏମ ଏବଂ ଅକ୍ଷୟ ଶକ୍ତି ଭଳି ବିଭିନ୍ନ କ୍ଷେତ୍ରରେ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଅନୁମୋଦିତ ପ୍ରକଳ୍ପଗୁଡ଼ିକ ବାଲେଶ୍ବର, ବଲାଙ୍ଗୀର, କଳାହାଣ୍ଡି, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯିବ । ଖୋର୍ଦ୍ଧାରେ ନେଷ୍ଟଲ ଇଣ୍ଡିଆ ଲିମିଟେଡ୍ ତରଫରୁ ୮୯୦ କୋଟି ଟଙ୍କାରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରାଯିବ । ଏଥିରେ ୮୦୦ରୁ ଅଧିକ ଲୋକଙ୍କୁ ରୋଜଗାର ମିଳିବ । ଖୋର୍ଦ୍ଧାରେ ମେସର୍ସ କଲଗଟୋଜ୍ ଗାର୍ମେଣ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ୨୦୦ କୋଟି ଟଙ୍କାରୁ ଅଧି୍କ ବିନିଯୋଗରେ ୧.୨ ମେଗାଓ୍ବାଟ୍ ରୁଫ୍ ଟପ୍ କ୍ୟାପ୍ଟିଭ୍ ସୋଲାର ପାଓ୍ବାର ପ୍ଲାଣ୍ଟ ସହିତ ଏକ ସମନ୍ବିତ ପୋଷାକ ଉତ୍ପାଦନ କାରଖାନା ସ୍ଥାପନ କରିବ । ଏହାଦ୍ବାରା ୪୮୨୦ରୁ ଅଧିକ ଲୋକଙ୍କୁ ରୋଜଗାର ମିଳିବ ।

ଯାଜପୁରରେ ହିମାଦ୍ରି ସ୍ପେଶାଲିଟି କେମିକାଲ ଲିମିଟେଡ୍ ତରଫରୁ ୯୮୦ କୋଟି ଟଙ୍କାରେ ରସାୟନିକ ଉତ୍ପାଦନ ୟୁନିଟ ପ୍ରତିଷ୍ଠା ହେବାକୁ ରହିଛି । ସେହିପରି ପ୍ଲାଷ୍ଟିକ କ୍ଷେତ୍ରରେ ଖୋର୍ଦ୍ଧାରେ ଆଇଡିଭିବି ରିସାଇକ୍ଳିଂ ଅପରେସନ୍ସ ପ୍ରାଇଭେଟ୍ ଲିମିଟେଡ୍ ୩୧୮ କୋଟି ଟଙ୍କା ନିବେଶ କରିବ । ପର୍ଭ ପ୍ୟାକିଂ ତରଫରୁ ୧୫୨ କୋଟି ଟଙ୍କା ନିବେଶ କରାଯିବ । ସେହିପରି ଆର୍ଡିବି ରାସାୟନସ ଲିମିଟେଡ ୫୯ କୋଟି ଟଙ୍କା ବିନିଯୋଗରେ ଫ୍ଲେକିବଲ ଇଣ୍ଟରମିଡିଏଟ ବଲ୍କ କଣ୍ଟେନର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଉତ୍ପାଦ ଉତ୍ପାଦନ କରିବ । ମେଟାଲ ଡାଉନଷ୍ଟ୍ରିମ୍ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଦୁଇଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ବିକେ ଉତ୍କଳ ଷ୍ଟିଲ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଆଇଏଫ୍ ଜିଏଲ୍ ରିଫ୍ରାକ୍ଟୋରିଜ୍ ଲିମିଟେଡର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଯେଉଁଥିରେ ୨୬୦ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶରେ ୩୫୦ରୁ ଅଧିକ ଲୋକଙ୍କୁ ନିଯୁକ୍ତ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆଇଟି ଏବଂ ଇଏସଡିଏମ କ୍ଷେତ୍ରରେ ନିସୁମ କନସଲଟିଂ ପ୍ରାଇଭେଟ ଲିମିଟେଡ୍ ଦ୍ବାରା ୨୦୦ କୋଟି ଟଙ୍କା ନିବେଶକୁ ମଞ୍ଜୁରୀ ମିଳିଛି । ଗୋଟିଏ ସଫ୍ଟୱେର ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା ପାଇଁ କମ୍ପାନୀ ପ୍ରସ୍ତାବ ଦେଇଛି, ଯାହା ଓଡ଼ିଶାରେ ୬୪୦ରୁ ଅଧିକ ଲୋକଙ୍କୁ ରୋଜଗାର ସୁଯୋଗ ପ୍ରଦାନ କରିବ ।