ଓ୍ୱେଷ୍ଟଇଣ୍ଡିଜରେ ଭାରତର ଦବଦବା, ୧୭ ବର୍ଷରେ ଲଗାତର ୪ ସିରିଜ ଜିତି କରିଛି ରେକର୍ଡ

1 min read

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେବ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜ୍ । ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ଦୁଇଟି ଟେଷ୍ଟ, ତିନୋଟି ଦିନିକିଆ ଓ ପାଞ୍ଚଟି ୨-୨୦ ମ୍ୟାଚ୍ ଖେଳିବ । ତେବେ ଏହି ସିରିଜର ପ୍ରଥମ ମ୍ୟାଚ ଆସନ୍ତାକାଲି ଡୋମିନିକାରେ ଖେଳାଯିବ । ବିଶ୍ୱ ଟେଷ୍ଟ ଚାମ୍ପିଆନ୍ସସିପ୍ ଫାଇନାଲରେ ପରାଜୟ ପରେ ପୁଣି ଥରେ ଏକ ନୂଆ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ରୋହିତ ବ୍ରିଗେଡ୍ ।

ଜୁଲାଇ ୧୨ରୁ ଆରମ୍ଭ ହେଉଥିବା ଟେଷ୍ଟ ସିରିଜରେ ଓ୍ୱେଷ୍ଟଇଣ୍ଡିଜ୍ ଉପରେ ଭାରି ପଡ଼ିବ ଭାରତ । କାହିଁକି ନା ଓ୍ୱେଷ୍ଟଇଣ୍ଡିଜ୍ ମାଟିରେ ଭାରତ ଶେଷ ଚାରୋଟି ଟେଷ୍ଟ ସିରିଜ୍ ନିଜ ନାମରେ କରିଥିଲା । ଶେଷଥର ପାଇଁ ଓ୍ୱେଷ୍ଟଇଣ୍ଡିଜ୍ ୨୦୦୨ରେ ନିଜ ମାଟିରେ ଭାରତ ବିପକ୍ଷରେ ଟେଷ୍ଟ ସିରିଜ୍ ଜିତିଥିଲା । ସେବେଠାରୁ ଓ୍ୱେଷ୍ଟଇଣ୍ଡିଜରେ ଭାରତ ସମ୍ପୂର୍ଣ୍ଣ ଭାବେ ପ୍ରାଧାନ୍ୟ ବିସ୍ତାର କରିଆସୁଛି ।

୨୦୦୬ ମସିହାରେ ରାହୁଲ ଦ୍ରାବିଡଙ୍କ ଅଧିନାୟକତ୍ୱରେ ଭାରତ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ରେ ଜିତିଥିଲା । ଏହାପରେ ୨୦୧୧ରେ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଓ୍ୱେଷ୍ଟଇଣ୍ଡିଜରେ ୧-୦ରେ ସିରିଜ୍ ଜିତିଥିଲା । ସେହିପରି ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ୨୦୧୬ ଓ ୨୦୧୯ରେ କ୍ରମାଗତ ଦୁଇଟି ଟେଷ୍ଟ ସିରିଜକୁ ୨-୦ରେ ନିଜ ନାମରେ କରିଥିଲା । ତେବେ ଏବେ ରୋହିତ ମଧ୍ୟ ଏହି ବିଜୟଧାରାକୁ ଆଗକୁ ନେବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି ।

ଏକବିଂଶ ଶତାବ୍ଦୀରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨୮ଟି ଟେଷ୍ଟ ମ୍ୟାଚ୍ ଖେଳି ୧୫ଟି ମ୍ୟାଚରେ ବିଜୟଲାଭ କରିଥିବାବେଳେ ମାତ୍ର ୨ଟି ମ୍ୟାଚରେ ପରାଜୟ ବରଣ କରିଛି । ମୋଟାମୋଟି ଭାବେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୯୮ଟି ଟେଷ୍ଟ ମ୍ୟାଚ୍ ଖେଳିଛି ଯେଉଁଥିରେ ୨୨ଟି ମ୍ୟାଚରେ ବିଜୟଲାଭ କରିଥିବାବେଳେ 30ଟି ମ୍ୟାଚରେ ପରାଜୟ ବରଣ କରିଛି ଓ ୪୬ଟି ମ୍ୟାଚ୍ ଡ୍ର’ ହୋଇଛି । ୱେଷ୍ଟଇଣ୍ଡିଜ୍ ମାଟିରେ ଭାରତ ୫୧ଟି ଟେଷ୍ଟ ମ୍ୟାଚ୍ ମଧ୍ୟରୁ ୧୬ଟି ଜିତିଛି ଏବଂ ୯ଟି ହାରିଛି । ମୋଟ ଉପରେ କହିବାକୁ ଗଲେ ଏକବିଂଶ ଶତାବ୍ଦୀରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ କେବଳ ଦୁଇଟି ଟେଷ୍ଟ ମ୍ୟାଚରେ ପରାଜୟ ବରଣ କରିଛି ।