spot_img
Home Blog Page 3204

ରାସ୍ତାରେ ଜଳିଗଲା ସେନା ଗାଡି, ୪ ଯବାନ ସହିଦ

ଜମ୍ମୁ କାଶ୍ମୀର:  ଘଟିଛି ବଡ଼ ଅଘଟଣ  । ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ସେନା ଗାଡି  । ମିଳିଥିବା ସୂଚନା ମୁତାବକ ଗାଡିରେ ୪ ଜଣ ଯବାନ ରହିଥିଲେ  । କୌଣସି କାରଣ ବଶତଃ ଗାଡିରେ ନିଆଁ ଲାଗିଯାଇଥିଲା  । ଯାହା ଫଳରେ ଗାଡିଟି ତତକ୍ଷଣାତ ସେହିଠାରେ ହିଁ ଜଳିଯାଇଥିଲା  । ଗାଡିରେ ଥିବା ୪ ଜଣ ଯବାନ ସହିଦ ହୋଇଥିବା ସୂଚନା ରହିଛି  ।

ସେପଟେ ସ୍ଥାନୀୟ ଲୋକ ହିଁ ପ୍ରଥମେ ନିଆଁ ଲାଗିଥିବା ନେଇ ସୂଚନା ଦେଇଥିଲେ  । ବରିଷ୍ଠ ଅଧିକାରୀ ଏନେଇ ସୂଚନା ପାଇଥିଲେ  । ସୂଚନା ପାଇବା ପରେ ଘଟଣା ସ୍ଥଳରେ ପହଁଚିଥିଲେ ବରିଷ୍ଠ ଅଧିକାରୀ  । ମେଡିକାଲ ଟିମ୍ ଓ ଆମ୍ବୁଲାନ୍ସ ମଧ୍ୟ ପହଁଚି ଯବାନଙ୍କୁ ଉଦ୍ଧାର କରିବାରେ ଲାଗିଥିଲେ  । ଦୁର୍ଘଟଣା ପୁଞ୍ଚ ଅଞ୍ଚଳରେ ହୋଇଥିବା ଜଣାପଡିଛି  । କିନ୍ତୁ ଗାଡିରେ ଥିବା ସମସ୍ତ ଯବାନ ସହିଦ ହୋଇଛନ୍ତି  ।

ହାଇଟେକ୍‌ ହସ୍ପିଟାଲରେ ନୂଆ ଡାଇଲେସିସ ୟୁନିଟର ଶୁଭାରମ୍ଭ କଲେ ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ବର: ଭୁବନେଶ୍ବର ହାଇଟେକ୍‌ ହସ୍ପିଟାଲରେ ନୂଆ ଡାଇଲେସିସ ୟୁନିଟର ଶୁଭାରମ୍ଭ । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଏହାର ଶୁଭାରମ୍ଭ କରିଛନ୍ତି । ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଅଗ୍ରଣୀ ଭୂମିକା ନେଇଥିବା ବେଳେ ହାଇଟେକ୍‌ ହସ୍ପିଟାଲ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନେଇଛି । କିଡନୀ ରୋଗୀଙ୍କ ପାଇଁ ଏହା ଅନେକ ସହାୟକ ହେବ । ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ପ୍ରକଳ୍ପ BSKYକୁ କାର୍ଯ୍ୟକାରୀ କରିବାରେ ହାଇଟେକ ଆଗୁଆ ରହିଛି ବୋଲି ସାଂସଦ ମାନସ ମଙ୍ଗରାଜ କହିଛନ୍ତି । ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ହାଇଟେକ ହସ୍ପିଟାଲ ନିରନ୍ତର ସେବା ଯୋଗାଇଚାଲିଛି । ପୂର୍ବରୁ ୨୦ ଶଯ୍ୟା ବିଶିଷ୍ଟ ଡାଇଲେସିସ ୟୁନିଟ ଥିବା ବେଳେ ଏବେ ୨୪ ଶଯ୍ୟା ଆଉ ଏକ ଡାଇଲେସିସ ୟୁନିଟ ଗରିବ କିଡନୀ ରୋଗୀଙ୍କୁ ସହାୟକ ହେବ ବୋଲି ହାଇଟେକ ଗ୍ରୁପ ଅଧ୍ୟକ୍ଷ କହିଛନ୍ତି ।

ଓ୍ବାରିସ ପଞ୍ଜାବ ଦେ ମୁଖ୍ୟ ତଥା ପଳାତକ ଅମ୍ରିତପାଲର ସ୍ତ୍ରୀ କିରଣଦୀପ ଅଟକ

ଚଣ୍ଡିଗଡ଼: ଓ୍ବାରିସ ପଞ୍ଜାବ ଦେ ମୁଖ୍ୟ ତଥା ପଳାତକ ଅମ୍ରିତପାଲର ସ୍ତ୍ରୀ କିରଣଦୀପ ଅଟକ । ଅମ୍ରିତସରର ଶ୍ରୀଗୁରୁ ରାମ ଦାସ ଏୟାରପୋର୍ଟରୁ କିରଣଦୀପଙ୍କୁ ଅଟକ ରଖିଛି ପଞ୍ଜାବ ପୋଲିସ । ଲଣ୍ଡନ ଯିବାକୁ ଯୋଜନା କରୁଥିବା ବେଳେ ପୋଲିସ ତାଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ଗତ ଫେବୃଆରୀରେ କିରଣଦୀପଙ୍କୁ ବିବାହ କରିଥିଲା ଅମ୍ରିତପାଲ । କିରଣଦୀପ ବ୍ରିଟିସ ନାଗରିକତ୍ବ ଗ୍ରହଣ କରିଛନ୍ତି । କିରଣଦୀପଙ୍କ ବିରୋଧରେ କୌଣସି ମାମଲା ନାହିଁ । ଅମ୍ରିତପାଲ ଫେରାର ମାମଲାରେ ପଚରାଉଚୁରା ପାଇଁ ପୋଲିସ ତାଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।

ପୁରୀରେ ଲୁଚିଥିଲା ଗୁଡ୍ଡୁ ମୁସଲିମ !

ଭୁବନେଶ୍ୱର: ଉମେଶ ପାଲ ହତ୍ୟା ମାମଲାରେ ଫେରାର ଅଭିଯୁକ୍ତ ଗୁଡ୍ଡୁ ମୁସଲିମର ଲାଷ୍ଟ ଲୋକେସନ୍ ଓଡ଼ିଶା ରହିଛି । ପୁରୀରେ ବମ୍ ସ୍ପେଶାଲିଷ୍ଟ ଗୁଡ୍ଡୁ ଲୁଚିଥିଲା ବୋଲି ଜଣାପଡିଛି । ଅସଦ୍ ଓ ଗୁଲାମର ଏନକାଉଣ୍ଟର ହେବା ସମୟରେ ଅଣ୍ଡର ଗ୍ରାଉଣ୍ଡ ହୋଇଥିଲା ଗୁଡ୍ଡୁ । ଏସଟିଏଫ ଟିମ୍ ଗୁଡ୍ଡୁ ମୁସଲିମକୁ ଧରିବାକୁ ବିଭିନ୍ନ ସ୍ଥାନରେ ରେଡ୍ କରୁଛି। ଶେଷ ଲୋକେସନ୍ ଓଡ଼ିଶା ଦେଖାଇବା ପରେ ପୁରୀରେ ଏସଟିଏଫ୍ ଟିମ୍ ପହଞ୍ଚିଥିଲା । ତେବେ ସେତେବେଳକୁ ପୁରୀରୁ ଫେରାର ହୋଇଯାଇଥିଲା ଗୁଡ୍ଡୁ । ତା ନାଁରେ ୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଛି ।

ଗୁଡ୍ଡୁ ସହ ସଂପର୍କରେ ଥିବା ପୁରୁଣା ଅପରାଧୀ ଓ ବାହୁବଳୀଙ୍କ ନେଟଓ୍ବର୍କ ଖୋଜୁଛି ଏସଟିଏଫ୍ । ଲକ୍ଷ୍ନୌର ଜଣେ ବିତ୍ତଶାଳୀ ବ୍ୟକ୍ତି ଓ ଦୁଇ ଜଣ ନେତା ଗୁଡ୍ଡୁ ସହ ସିଧାସଳଖ ସଂପର୍କରେ ଥିବା ଜଣାପଡିଛି । ଓଡ଼ିଶା ପୂର୍ବରୁ କର୍ଣ୍ଣାଟକରେ ଗୁଡ୍ଡୁର ଲୋକେସନ୍ ମିଳିଥିଲା । ଉମେଶ ପାଲ ହତ୍ୟା ପରେ ଗୁଡ୍ଡୁ ଝାନସୀରେ ୫ଦିନ ରହିଥିଲା । ପରେ ମିରଟରେ ଅତିକର ଭଉଣୀ ଆୟଶା ନୁରୀ ଘରେ ଗୁଡ୍ଡୁକୁ ଦେଖିବାକୁ ମିଳିଥିଲା । ଏହାପରଠୁ ଗୁଡ୍ଡୁର ସୁରାକ ମିଳୁନଥିଲା। ପରେ କର୍ଣ୍ଣାଟକ ଓ ଓଡ଼ିଶାରେ ଗୁଡ୍ଡୁର ଲୋକେସନ୍ ଟ୍ରେସ ହୋଇଛି ।

ଦେଶର ବିଭିନ୍ନ ଭାଗରେ ହିଟଓ୍ବେଭର ତାଣ୍ଡବ, ୯୦ ପ୍ରତିଶତ ଅଞ୍ଚଳ ଡେଞ୍ଜର ଜୋନରେ

ନୂଆଦିଲ୍ଲୀ: ଭାରତର ୯୦ ପ୍ରତିଶତ ଅଞ୍ଚଳ ଡେଞ୍ଜର ଜୋନ୍ ବା ଅତ୍ୟଧିକ ବିପଜ୍ଜନକ ସ୍ଥିତିରେ ରହିଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ଅଧିକାଂଶ ଅଞ୍ଚଳ ହିଟଓ୍ବେଭର ଶିକାର ହେଉଛନ୍ତି । କେମ୍ବ୍ରିଜ ବିଶ୍ବବିଦ୍ଯାଳୟର ରମିତ ଦେବନାଥ ଓ ସହଯୋଗୀଙ୍କ ପକ୍ଷରୁ କରାଯାଇଥିବା ଗବେଷଣାରେ କୁହାଯାଇଛି- ଦେଶରେ ହିଟଓ୍ବେଭ ବଢ଼ିବାରେ ଲାଗିଛି । ନିର୍ଦ୍ଦିଷ୍ଟ ଭାବେ ଦିଲ୍ଲୀ ସିଭିୟର ହିଟଓ୍ବେଭର ଶିକାର ହେବାରେ ଲାଗିଛି । ଜାତିସଂଘ ସହନଶୀଳ ବିକାଶ ଆଭିମୁଖ୍ୟ ବା ଏସଡିଜି ହାସଲ କରିବା ଦିଗରେ ଭାରତର ଉଦ୍ୟମ ସତ୍ତ୍ବେ ଏହି ହିଟଓ୍ବେଭ ଜାରି ରହିଛି । ଏହି ତାପମାତ୍ରା ବୃଦ୍ଧି ଯୋଗୁ ଘର ବାହାରେ କାର୍ଯ୍ୟ କରିବାର ସାମର୍ଥ୍ୟ ୧୫ ପ୍ରତିଶତ ହ୍ରାସ ପାଇବ । ପ୍ରାୟ ୪୮ କୋଟି ଲୋକଙ୍କ ଜୀବନର ଗୁଣବତ୍ତା ହ୍ରାସ ପାଇବ । ଏହି କାରଣରୁ ୨୦୫୦ ସୁଦ୍ଧା ଭାରତର ଜିଡିପି ୨.୮ ପ୍ରତିଶତ ହ୍ରାସ ପାଇବ ।

୧୯୯୨ରୁ ବର୍ତ୍ତମାନ ସୁଦ୍ଧା ଦେଶରେ ୨୪ ହଜାର ଲୋକଙ୍କ ପ୍ରାଣହାନି ଘଟିଛି । ଏହି ରିପୋର୍ଟରେ ଗତ ସପ୍ତାହରେ ମହାରାଷ୍ଟ୍ରରେ ଅଂଶୁଘାତରେ ୧୪ ଲୋକଙ୍କ ମୃତ୍ୟୁ ବିଷୟ ବି ସ୍ଥାନ ପାଇଛି । ପ୍ରଚଣ୍ଡ ହିଟଓ୍ବେଭ ଯୋଗୁ ଗ୍ଲାସିୟର ତରୁଳିଥିବା ରିପୋର୍ଟରେ କୁହାଯାଇଛି । ହିଟଓ୍ବେଭରେ ଦିଲ୍ଲୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ ଏବଂ ଦିଲ୍ଲୀ ବସ୍ତିବାସିନ୍ଦା ବିଦ୍ୟୁତ, ପାନୀୟ ଜଳ, ପରିମଳ, ସ୍ବାସ୍ଥ୍ୟ ସେବା ଆଦି ସଙ୍କଟରେ ଅତ୍ୟଧିକ କ୍ଷତିଗ୍ରସ୍ତ ହେବେ ବୋଲି କୁହାଯାଇଛି । ୧୯୦୧ ପରଠାରୁ ଚଳିତ ବର୍ଷ ଫେବ୍ରୁଆରୀରେ ସର୍ବାଧିକ ତାପମାତ୍ରା ପରିଲକ୍ଷିତ ହୋଇଥିବା ରିପୋର୍ଟରେ କୁହାଯାଇଛି ।

କର୍ଣ୍ଣାଟକ ବିଜେପିରେ ପୁଣି ବଢ଼ିଲା ଅଶାନ୍ତି, ପ୍ରାର୍ଥୀ ତାଲିକାକୁ ନେଇ ବିଦ୍ରୋହ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଜେପିରେ ପୁଣି ବଢ଼ିଲା ଅଶାନ୍ତି । ପ୍ରାର୍ଥୀ ତାଲିକାକୁ ନେଇ ବିଦ୍ରୋହ ସ୍ଥିତି । ଶିବମୋଗା ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ଚନ୍ନବାସପ୍ପାଙ୍କୁ ପ୍ରାର୍ଥୀ କରାଯାଇଛି । ମାତ୍ର ସେହି ଆସନରୁ ବିଧାୟକ ଥିବା ତଥା ବିଭିନ୍ନ ବିବାଦରେ ଛନ୍ଦି ହୋଇପଡିଥିବା ବରିଷ୍ଠ ବିଜେପି ନେତା କେ.ଏସ. ଈଶ୍ବରାପ୍ପାଙ୍କ ପରିବାରରୁ କାହାରିକୁ ପ୍ରାର୍ଥୀ କରିନି ବିଜେପି । କିଛିଦିନ ତଳେ ରାଜନୀତିରୁ ସନ୍ନ୍ୟାସ ନେବା ଲାଗି ଘୋଷଣା କରିଥିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଈଶ୍ବରାପ୍ପା । ତେବେ ପୁଅ କେ.ଇ. କାନ୍ତେଶଙ୍କୁ ସେହି ଆସନରୁ ପ୍ରାର୍ଥୀ କରାଯାଉ ବୋଲି ଦାବି କରିଥିଲେ ୫ଥରର ବିଧାୟକ ଈଶ୍ବରାପ୍ପା । ତେଣେ ଶିବମୋଗାରୁ ପ୍ରାର୍ଥୀ ହେବା ଲାଗି ଆଶାୟୀ ବିଜେପି ନେତା ଆୟାନୁର ମଞ୍ଜୁନାଥଙ୍କୁ ଟିକେଟ ନ ମିଳିବା ପରେ ସେ ବିଜେପି ତ୍ୟାଗ କରି ଜେଡିଏସରେ ମିଶିଛନ୍ତି ।

ସେପଟେ ବିଜେପିର ଏମଏଲସି ସଦସ୍ୟ ଏଚ. ବିଶ୍ବନାଥ ଦଳ ତ୍ୟାଗ କରି କଂଗ୍ରେସରେ ସାମିଲ ହୋଇଛନ୍ତି । ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ହୋଇଥିବାବେଳେ ବହୁ ନେତାଙ୍କୁ ଟିକେଟ ନ ମିଳିବା ବିଜେପି ଲାଗି ଚିନ୍ତାର କାରଣ ହୋଇଛି । ସେପଟେ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ପଡିଛନ୍ତି ଯୁବ ଚେହେରା ତେଜସ୍ବୀ ସୂର୍ଯ୍ୟ । ବିଜେପି ଯୁବଶାଖା ସଭାପତି ତଥା ବେଙ୍ଗାଲୁରୁ ସାଉଥ ସାଂସଦ ତେଜସ୍ବୀ ହିନ୍ଦୁତ୍ବବାଦୀ ରାଜନୀତିର ଜଣେ ଜଣାଶୁଣା ଚେହେରା । ତେବେ ଷ୍ଟାର ପ୍ରଚାରକ ତାଲିକାରୁ ତାଙ୍କ ନାମ ହଟିବାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି । କୁହାଯାଉଛି କିଛିଦିନ ତଳେ ଏକ ବିମାନର ଉଡାଣ ପୂର୍ବରୁ ସେ ବିମାନର ଏମର୍ଜେନ୍ସି ଏକ୍ସିଟକୁ ଖୋଲିବା କାରଣକୁ ନେଇ ବିଭିନ୍ନ ମହଲରୁ ଉପହାସର ପାତ୍ର ହୋଇଥିଲେ । ସେହିପରି ପ୍ରଚାରକ ତାଲିକାରୁ ବି ବାଦ୍ ପଡିଛନ୍ତି ବି.ଏସ. ୟେଦ୍ୟୁରପ୍ପାଙ୍କ ପୁଅ ବି.ଓ୍ବାଇ. ବିଜୟେନ୍ଦ୍ର । ସଂରକ୍ଷଣ ପ୍ରସଙ୍ଗକୁ ନେଇ ବଞ୍ଜାରା ସମ୍ପ୍ରଦାୟଙ୍କ ଆକ୍ରୋଶର ଶିକାର ହୋଇଆସିଛନ୍ତି ବିଜୟେନ୍ଦ୍ର ।

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ସହ ଆଲୋଚନା କଲେ ମମତା

କୋଲକାତା: ଅଣବିଜେପି ଶାସିତ ରାଜ୍ୟରେ ରାଜ୍ୟପାଳମାନଙ୍କ ଅଗଣତାନ୍ତ୍ରିକ କାର୍ଯ୍ୟଧାରା ପ୍ରସଙ୍ଗ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ସହ ଆଲୋଚନା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଖୁବ୍ ଶୀଘ୍ର ଏକାଠି ହେବା ନେଇ ଷ୍ଟାଲିନଙ୍କୁ ମମତା କହିଥିବା ସୂଚନା ମିଳିଛି । ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ବିଲକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସ୍ବୀକୃତି ଦେବା ଲାଗି ଏକ ପ୍ରସ୍ତାବ କିଛି ଦିନ ତଳେ ତାମିଲନାଡ଼ୁ ବିଧାନସଭାରେ ପାରିତ କରାଯାଇଛି । ଏହି ନିୟମ ପାଳନ କରିବାକୁ ବିଭିନ୍ନ ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି ଷ୍ଟାଲିନ ।

ଷ୍ଟାଲିନ ଲେଖିଛନ୍ତି- ଭାରତୀୟ ଗଣତନ୍ତ୍ର ଦୋଛକିରେ ରହିଛି । ଏକ ସହଯୋଗୀଭିତ୍ତିକ ସଂଘୀୟ ବ୍ୟବସ୍ଥା କ୍ରମଶଃ ନିଶ୍ଚିହ୍ନ ହେବାରେ ଲାଗିଛି ବୋଲି ଦର୍ଶାଇଛନ୍ତି ଷ୍ଟାଲିନ । ଏହି ପ୍ରସଙ୍ଗରେ ମମତାଙ୍କ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଓ କେରଳ ମୁଖ୍ୟମନ୍ତ୍ରୀ ପିନରୟି ବିଜୟନ ବି ଷ୍ଟାଲିନଙ୍କ ସହ ଆଲୋଚନା କରିଥିଲେ । ଏହି ପ୍ରସଙ୍ଗରେ କେରଳ ମୁଖ୍ୟମନ୍ତ୍ରୀ ଗୁରୁତର ସହ ବିଚାର କରୁଥିବା ସୂଚନା ମିଳିଛି ।

ମାନହାନୀ ମାମଲାରେ ରାହୁଲଙ୍କୁ ଶକ୍ତ ଝଟକା, ସୁରତ ସେସନ୍ସ କୋର୍ଟରୁ ମିଳିଲାନି ଆଶ୍ୱସ୍ତି

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ଆବେଦନ ଖାରଜ । ମାନହାନୀ ମାମଲାରେ ତଳକୋର୍ଟଙ୍କ ରାୟ ବଳବତ୍ତର ରଖିଲେ ସୁରଟ ସେସନ୍ସ କୋର୍ଟ । ସିଜେଏମ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସେସନ୍ସ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ରାହୁଲ । ତେବେ ରାହୁଲଙ୍କ ଆବେଦନକୁ ଅତିରିକ୍ତ ଦୌରାଜଜ୍ ରବୀନ ମୋଗେରା ଖାରଜ କରିଦେଇଛନ୍ତି । ଏପ୍ରିଲ ୧୩ ତାରିଖରେ ମାମଲାର ଶୁଣାଣି ସରିଥିବା ବେଳେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ମୋଦି ସରନେମ ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ ସିଜେଏମ କୋର୍ଟ । ସେସନ୍ସ କୋର୍ଟରେ ଆବେଦନ ଖାରଜ ପରେ ଆସନ୍ତାକାଲି ହାଇକୋର୍ଟରେ ପିଟିସନ ଦାଏର କରିବେ ରାହୁଲ ଗାନ୍ଧି ।

ଆଜିଠୁ ଓଡ଼ିଶା ଦକ୍ଷତା କନକ୍ଲେଭ୍ ୨୦୨୩, ବିଶ୍ୱସ୍ତରୀୟ ଦକ୍ଷତା ମହାକୁମ୍ଭର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଳିଙ୍ଗରେ ଦକ୍ଷତା ମହାକୁମ୍ଭ । ଓଡ଼ିଶା ଦକ୍ଷତା କନକ୍ଲେଭ୍ ୨୦୨୩ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆୟୋଜିତ ସଭାରେ ଓଡ଼ିଆ ପିଲାଙ୍କ ସହ ସମ୍ବଲପୁର ଇଟିଜର ଛାତ୍ରୀ ବନ୍ଦେ ଉତ୍କଳ ଜନନୀ ଗାଇଲେ । ଏହାପରେ ସିଙ୍ଗାପୁରର ଆନ୍ଥେମ୍ ପରିବେଷଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀ କନକ୍ଲେଭରେ ଯୋଗଦେବା ସହ ଅଭିଭାଷଣ ରଖିଥିଲେ । ୧ ଲକ୍ଷ ଯୁବପିଢ଼ିଙ୍କୁ ଟ୍ରେନିଂ ପାଇଁ ବଜେଟରେ ୧୦୦ କୋଟିର ବ୍ୟବସ୍ଥା ହୋଇଛି । ସ୍କିଲ୍ ଇନ୍ ଓଡ଼ିଶା ଏବେ ବିଶ୍ୱରେ ଝଟକିବାକୁ ଯାଉଛି ବୋଲି ଅଭିଭାଷଣରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ଅଭିଭାଷଣ ପରେ ଏଗଜିବିସନ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ।

ଏହି କନକ୍ଲେଭରେ ପଲିଟେକ୍ନିକ୍, ବୈଷୟିକ ଶିକ୍ଷାନୁଷ୍ଠାନ, ଇଞ୍ଜିନିୟରିଂ କଲେଜର ପ୍ରାୟ ୩ ହଜାର ଶିକ୍ଷାର୍ଥୀ ଓ ଶିଳ୍ପପତି ଯୋଗ ଦେଇଛନ୍ତି । ମେକ୍ ଇନ୍ ଓଡ଼ିଶାର ପାର୍ଟ ୨ ହେଉଛି ଏହି ବିଶ୍ବସ୍ତରୀୟ ଦକ୍ଷତା ଉତ୍ସବ । ବିଶ୍ବସ୍ତରରେ ରେକର୍ଡ କରିଥିବା ଓଡ଼ିଆ ପିଲାଙ୍କ ସାମର୍ଥ୍ୟର ସୋ-କେସିଂ ପାଇଁ ଏଭଳି ସ୍କିଲ୍ କନକ୍ଲେଭର ଆୟୋଜନ କରାଯାଉଛି । ଆଜି ଉଦଘାଟନୀ ଦିବସରେ ଖଣି ଅଞ୍ଚଳରେ ଆର୍ଥ ମୁଭର୍ସ୍ ଚଳାଉଥିବା ୮ରୁ ୧୦ ଜଣ ମହିଳା ଡ୍ରାଇଭରଙ୍କୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମିଳିଲା ନିଖୋଜ ଯବାନଙ୍କ ମୃତଦେହ

ଜଗତସିଂହପୁର: ମିଳିଲା ନିଖୋଜ ଯବାନଙ୍କ ମୃତଦେହ । ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଧୀନ ସୋମପୁର ଗାଁର ଯବାନ ସୂର୍ଯ୍ୟକାନ୍ତ କୁଆଁର ଗତ ୧୭ ତାରିଖରୁ ନିଖୋଜ ଥିଲେ । ଦୁଇ ଦିନ ପୂର୍ବରୁ ଯବାନଙ୍କ ବାଇକ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ଧାନମଣ୍ଡଳ ନିକଟ ପାହାଡ଼ ପାଖରୁ ବାଇକ ଜବତ ହୋଇଥିଲା । ଗତକାଲି ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ବହୁ ଖୋଜାଖୋଜି ପରେ ବି ଯବାନଙ୍କ କୌଣସି ପତ୍ତା ମିଳିନଥିଲା ।

ଆଜି ଯାଜପୁର SPଙ୍କ ନିର୍ଦ୍ଦେଶକ୍ରମେ SDPOଙ୍କ ଅଧ୍ୟକ୍ଷତାରେ ପୋଲିସର ୩ଟି ଟିମ୍, ବନ ବିଭାଗ କର୍ମଚାରୀ ପାହାଡ଼ ଉପରକୁ ଚଢି ଖୋଜାଖୋଜି କରିଥିଲେ । ଶେଷରେ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଂଚିବା ପରେ ମୃତଦେହକୁ ଶବ ବ୍ୟବଛେଦ ପାଇଁ ପଠାଯିବ । କେଉଁ କାରଣରୁ ଯବାନ ଜଣକ ଜଙ୍ଗଲରେ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ଅଛି ସେନେଇ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।