ଜୁଇରୁ ଯୁବତୀଙ୍କ ଦରପୋଡା ମାଂସ ଖାଇବାକୁ ନେଇ ଉତ୍ତେଜନା, ୨ ଗିରଫ

ମୟୂରଭଞ୍ଜ: ଜୁଇରୁ କୁଆଁରୀ ଝିଅର ଦରପୋଡା ମାଂସ ଖାଇବାକୁ ନେଇ ଉତ୍ତେଜନା । ୨ ଜଣଙ୍କୁ ଗିରଫ କଲା ପୋଲିସ । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ପ୍ରତାପପୁର ପଞ୍ଚାୟତ ବନ୍ଧସାହି ଗାଁରେ ଘଟଣା । ଶବର ପୋଡ଼ା ମାଂସ ଖାଇବାକୁ ନେଇ ପରିବାର ଲୋକଙ୍କ ସମେତ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ମାଂସ ଖାଉଥିବା ଦୁଇ ଜଣକୁ ଗ୍ରାମବାସୀ ଅଟକ ରଖି ପୋଲିସ ଜିମା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଥାନାକୁ ଆଣି ପଚରାଉଚୁରା କରିଛି । କେବଳ ନିଶା ନା ଆଉ କିଛି କାରଣ ରହିଛି, ଚାଲିଛି ତଦନ୍ତ ।

ମଙ୍ଗଳବାର ବନ୍ଧସାହିଗାଁର ୨୫ ବର୍ଷୀୟ ମଧୁସ୍ମିତା ସିଂଙ୍କ ମୃତ୍ୟୁ ହୋଇଥିଲା । ଗାଁ ମଶାଣୀରେ ଶବ ସତ୍କାର ହେଲା । ହେଲେ ଶବ ପୋଡା ଚାଲିଥିବା ସମୟରେ ଦୁଇ ଜଣ ଲୋକ ଶବରୁ ଅଧା ପୋଡା ମାଂସକୁ ଆଣି ଖାଇବାକୁ ଲାଗିଥିଲେ । ଏହା ଦେଖି ପରିବାର ଲୋକେ ଉତ୍ୟକ୍ତ ହୋଇ ଦୁଇ ଜଣକୁ ଗାଁ ମୁଣ୍ଡରେ ଅଟକ ରଖିଥିଲେ । ୫୮ ବର୍ଷୀୟ ସୁନ୍ଦର ସିଂ ଓ ୨୫ ବର୍ଷୀୟ ନରେନ୍ଦ୍ର ସିଂଙ୍କୁ ଅଟକ ରଖିଛି ପୋଲିସ । ୨ ଅଭିଯୁକ୍ତ ବଡ଼ସାହି ଥାନା ଦାନ୍ତୁଣୀ ଗାଁର । ସୁନ୍ଦର ମୋହନ ଗାଁରେ ଗୁଣିଆ ଭାବେ ଝଡାଫୁଙ୍କା କରନ୍ତି। ତେବେ ଗୁଣି ପାଇଁ ନୁହେଁ ମହୁଲି ମଦ ନିଶାରେ ଦରପୋଡା ମାଂସ ଖାଇଦେଇଥିବା ସ୍ବୀକାର କରିଛନ୍ତି ଉଭୟ ।