ନିର୍ବାଚନୀ ହିଂସାରେ ଅଶାନ୍ତ ପଶ୍ଚିମବଙ୍ଗ

1 min read

କୋଲକାତା: ନିର୍ବାଚନୀ ହିଂସାରେ ଅଶାନ୍ତ ପଶ୍ଚିମବଙ୍ଗ । ଦ୍ବିତୀୟ ଦିନ ଗଣତି ବେଳେ ବି ଗଣ୍ଡଗୋଳ ଜାରି । ଗତକାଲି ରାତି ଓ ଆଜି ସକାଳୁ ବିଭିନ୍ନ ସ୍ଥାନରେ ଗୋଷ୍ଠୀ ସଂଘର୍ଷ ଭଳି ଘଟଣା ସାମ୍ନାକୁ ଆସିଛି । ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଭାଙ୍ଗଡ଼ ଅଞ୍ଚଳରେ ISF-ଟିଏମସି କର୍ମୀଙ୍କ ଗୁଳିମାଡ଼ରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଜଣେ ପୋଲିସ କର୍ମୀ ଆହତ ହୋଇଥିବା ଜଣାପଡ଼ିଛି । ଗଣତିରେ ଟିଏମସି ପ୍ରାର୍ଥୀ ବିଜୟୀ ହେବାରୁ ISF କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଉ ଥରେ ଭୋଟ ଗଣତି ପାଇଁ ଦାବି ପରେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଉତ୍ତେଜନା ପରେ ଉଭୟ ପକ୍ଷରୁ ଗୁଳିମାଡ଼ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ୧୪୪ ଧାରା ଲାଗୁ କରାଯାଇଛି ।

ସେପଟେ ରାଜ୍ୟର କିଛି ସ୍ଥାନରେ ବୋମା ମାଡ଼ ହୋଇଥିବା ବେଳେ ପୋଲିସ କିଛି ବୋମା ଜବତ କରିଛି । ସେପଟେ ପଞ୍ଚାୟତ ନିର୍ବାଚନରେ କ୍ଲିନ୍ ସୁଇପ୍ କରିଛି ଟିଏମସି । ୩ ହଜାର ୩୧୭ ଆସନରୁ ୨ ହଜାର ୫୫୨ ସିଟରେ ବିଜୟୀ ହୋଇଛି ତୃଳମୂଳ କଂଗ୍ରେସ । ୨୦ ଜିଲ୍ଲା ପରିଷଦରୁ ୧୨ ଆସନ କବଜା କରିଛି ଟିଏମସି । ବିଜେପି ମାତ୍ର ୨୧୨ ପଞ୍ଚାୟତରେ ବିଜୟୀ ହୋଇଛି ।