କୋରାପୁଟ ଜିଲ୍ଲା ରାଇପାହାଡ ଗାଁକୁ ଅକ୍ତିଆର କରିବାକୁ ଆନ୍ଧ୍ରର ଚକ୍ରାନ୍ତ

ଜୟପୁର: ପଦାରେ ପଡ଼ିଲା ଆନ୍ଧ୍ର ସରକାରଙ୍କ ବଡ଼ ଷଡଯନ୍ତ୍ର । ନଥିପତ୍ର ନଧରି ସୀମା ଚିହ୍ନଟ ପାଇଁ ଆସି ନିରାଶ ହୋଇ ଫେରିଲା ଆନ୍ଧ୍ର ପ୍ରଶାସନ ।

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ଗଲୁର ପଞ୍ଚାୟତର ରାଇପାହାଡ ଗାଁକୁ ଅକ୍ତିଆର ପାଇଁ ଚକ୍ରାନ୍ତ ଚଳାଇଛି ଆନ୍ଧ୍ର । ଗ୍ରାମବାସୀଙ୍କୁ ନିଜ ଅଧୀନକୁ ଆଣିବା ପାଇଁ ବେଆଇନ ଭାବେ ଆଧାର, ରାସନ୍ କାର୍ଡ, ପାଣି, ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିଲା । ଏହା ଜାଣିବା ପରେ ସୀମାର ସୁରକ୍ଷା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ସକ୍ରିୟ ହୋଇଉଠିଥିଲା । କୋରାପୁଟ ଉପଜିଲ୍ଲାପାଳ, ନନ୍ଦପୁର ବ୍ଲକ ଓ ତହସିଲ ପ୍ରଶାସନ  ରାଇପାହାଡ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଓଡ଼ିଶା ସୀମା ଭିତରେ ପଶି ବେଆଇନ କାର୍ଯ୍ୟ କରିଥିବାରୁ ଆନ୍ଧ୍ରର ଆଲୁର ସୀତାରାମ ରାଜୁ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଥିଲେ ଜିଲ୍ଲାପାଳ ।

ସୀମା ଚିହ୍ନଟ ପାଇଁ ଆଜି ଉଭୟ ରାଜ୍ୟର ଅଧିକାରୀମାନେ ଏକାଠି ହୋଇଥିଲେ । ହେଲେ ଆନ୍ଧ୍ର ଅଧିକାରୀମାନେ କୌଣସି ଡକ୍ୟୁମେଣ୍ଟ ଆଣି ନଥିବା ଯୋଗୁଁ ଆଜି କୌଣସି ନିଷ୍କର୍ସ ବାହାରି ପାରି ନଥିଲା । ପରବର୍ତ୍ତୀ ଦିନ ଧାର୍ଯ୍ୟ କରାଯାଇ ସୀମା ନିର୍ଦ୍ଧାରଣ କରାଯାଇ ବିବାଦର ସମାଧାନ କରାଯିବ ବୋଲି କହିଛି କୋରାପୁଟ ପ୍ରଶାସନ । ଅନ୍ୟପଟେ ରାଇପାହାଡ଼ ଗାଁ ଆମର ବୋଲି କହିଛନ୍ତି ସ୍ଥାନୀୟ ଜନସାଧାରଣ । ଆନ୍ଧ୍ରର ଷଡଯନ୍ତ୍ରକୁ କୌଣସି ସ୍ଥିତିରେ ବରଦାସ୍ତ କରାଯିବାକୁ ଦିଆଯିବନି ବୋଲି କହିଛନ୍ତି ଗ୍ରାମବାସୀ ।