spot_img
Home Blog Page 3135

ସମାଧାନ ହେଲା ଯୋରନ୍ଦା ଧୁନି ମନ୍ଦିର ଭଙ୍ଗା ବିବାଦ, ମନ୍ଦିର ଉନ୍ନତି ପାଇଁ ୧୦ କୋଟି ଟଙ୍କା ଦେଲେ ରାଜ୍ୟ ସରକାର

ଢେଙ୍କାନାଳ: ସମାଧାନ ହେଲା ଯୋରନ୍ଦା ଧୁନି ମନ୍ଦିର ଭଙ୍ଗା ବିବାଦ । ୧୩୦ ବର୍ଷର ସମସ୍ୟା ସମାଧାନ ହେଲା । କୌପୁନିଧାରୀ ଓ ବକ୍କଳଧାରୀ ବାବାଙ୍କ ଭିତରେ ଲାଗିଥିବା ତିକ୍ତତାର ହେଲା ସମାଧାନ। ରାଜ୍ୟ ସରକାରଙ୍କ ତରଫରୁ ଯୋରନ୍ଦା ମନ୍ଦିରର ଉନ୍ନତି ପାଇଁ ୧୦ କୋଟି ଟଙ୍କା ପ୍ରଦାନ କଲେ ରାଜ୍ୟ ସରକାର। ଖୁବ୍ ଶୀଘ୍ର ଯୋରନ୍ଦା ପୀଠର ହେବ ନବ କଳେବର । ଏହା ସହିତ ଯୋରନ୍ଦା ପୀଠକୁ ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସରୋଜ ସେଠୀ ।

ମହାପ୍ରଭୁଙ୍କ ଭଉଁରୀ ଯାତ୍ରା, ରଥଖଳାରେ ତିନି ରଥର ଚକ ଅଖ ଡେରା ନୀତି ସମ୍ପନ୍ନ

ପୁରୀ: ଭଉଁରୀ ତିଥି । ତିନି ରଥର ଦୁଇ ଦୁଇଟି ଚକରେ ଗୋଟିଏ ଅଖ ଯୋଖା ହୋଇ ଡେରା ନୀତି ହୋଇଛି । ପ୍ରଥମେ ତାଳଧ୍ବଜ ରଥର ଚକ ଅଖ ଯୋଖା ହୋଇଛି । ପରେ ନନ୍ଦିଘୋଷ ଏବଂ ଶେଷରେ ଦର୍ପଦଳନ ରଥର ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି । ଭୋଇ ସେବକମାନେ ଏହି ନୀତି କରିଛନ୍ତି । ଚକ ଅଖ ଡେରା ନୀତି ପାଇଁ ସକାଳ ଧୂପ ପରେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିଥିଲା । ରଥଖଳାରେ ସବୁ ରଥର ଚକ ଅଖରେ ଆଜ୍ଞାମାଳ ଲଗା ଯାଇଥିଲା । ଭୋଇ ସେବକଙ୍କ ଦ୍ବାରା ଚକ ଅଖ ଯୋଖା ପରେ ଡେରା ହୋଇଛି । ପୋଲିସ ପ୍ରଶାସନର ଉପସ୍ଥିତିରେ ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି ।

ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଛେଳିଗଡ଼ ଜଳସେଚନ ପ୍ରକଳ୍ପ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଛେଳିଗଡ଼ ଜଳସେଚନ ପ୍ରକଳ୍ପ । ଖୁବ୍ କମ୍ ସମୟରେ ହେବ କାର୍ଯ୍ୟକ୍ଷମ । ହସିବ କ୍ଷେତ, ଦୂର ହେବ ଜଳକଷ୍ଟ । ଚୂଡ଼ାନ୍ତ ପର୍ଯ୍ୟାୟରେ ଛେଳିଗଡ଼ ଜଳସେଚନ ପ୍ରକଳ୍ପ କାମ । ପାହାଡ଼କୁ କାଟି ପାଣି ଆଣିବା ଛୋଟ କଥା ନୁହେଁ । ଏହା ଏକ ବୃହତ ପ୍ରକଳ୍ପ । ୧.୩ କିଲୋମିଟରର ଟନେଲ ତିଆରି ହୋଇଛି । ଏହି ଟନେଲ ସିଧାସଳଖ ବଂଶଧାରା ଓ ଋଷିକୂଲ୍ୟାକୁ ସଂଯୋଗ କରିବ । ପାନୀୟ ଜଳ ସୁବିଧା ସହିତ ଗଞ୍ଜାମ ଓ ଗଜପତି ଜିଲ୍ଲାର ପ୍ରାୟ ୬ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ । ବ୍ରହ୍ମପୁର ସହରକୁ ପ୍ରତି ସେକଣ୍ଡରେ ଏକ କ୍ୟୁବିକ ମିଟର ପିଇବା ପାଣି ଯୋଗାଇ ଦିଆଯିବ। ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୯୩୬.୬୩ କୋଟି। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିବେ।

ଛେଳିଗଡ଼ ପ୍ରକଳ୍ପ ପାଇଁ ସ୍ଥାନୀୟ ଲୋକେ ସ୍ବାର୍ଥ ତ୍ୟାଗ କରିଛନ୍ତି। ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପ୍ରକଳ୍ପ ସ୍ବପ୍ନ ଶୀଘ୍ର ପୂରଣ ହେବ । ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ଗତ ୧୦ ତାରିଖରେ ଗଜପତି ଜିଲ୍ଲା ଗସ୍ତ ବେଳେ ପ୍ରକଳ୍ପ କାମର ଅନୁଧ୍ୟାନ କରିଥିଲେ 5T ସଚିବ ।

 

ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ମୋକା, ସତର୍କ ରହିବା ଲାଗି କୃଷି ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ’ମୋକା’ । ପବନର ବେଗ ଘଣ୍ଟାପ୍ରତି ୧୫୦ ରୁ ୧୬୦ କିମି ତଥା ସର୍ବାଧିକ ୧୭୫ କିମି ସହ ଦକ୍ଷିଣପୂର୍ବ ବଙ୍ଗଳାଦେଶ ଏବଂ ଉତ୍ତର ମିଆଁମାରକୁ ୧୪ ତାରିଖ ମଧ୍ୟାହ୍ନ ସମୟରେ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଦକ୍ଷିଣପୂର୍ବ ତତସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅତିଭୀଷଣ ବାତ୍ୟାରେ ପରିଣତ ହେଲା ମୋକା । ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ବେଗ ୯ କିମି ହାରରେ ଉତ୍ତର ଆଡ଼କୁ ଗତି କରୁଛି । ପୋର୍ଟବ୍ଲେୟାରଠାରୁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ୫୨୦ କିମି, ବଙ୍ଗଳାଦେଶର କକ୍ସ ବଜାରଠାରୁ ଦକ୍ଷିଣ ଦକ୍ଷିଣ ପଶ୍ଚିମ ଦିଗରେ ୧୦୧୦ କିମି, ଏବଂ ମିଆଁମାରର ସ୍ୱଇଟେଠାରୁ ସମାନ ଦିଗରେ ୯୩୦ କିମି ଦୂରରେ ସକ୍ରିୟ ରହିଛି l ଏହା ଧୀରେ ଧୀରେ ଦିଗ ପରିବର୍ତ୍ତନ କରି ଉତ୍ତର ଉତ୍ତର-ପୂର୍ବ ଦିଗରେ ଗତିକରିବା ସହ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି ।

ଏହା ଏକ ଅତି ଭୀଷଣ ବାତ୍ୟା ଭାବେ ୧୪ ତାରିଖ ମଧ୍ୟାହ୍ନ ସମୟରେ ଦକ୍ଷିଣପୂର୍ବ ବଙ୍ଗଳଦେଶ ଏବଂ ଉତ୍ତର ମିଆଁମାର ଉପକୂଳକୁ କକ୍ସ ବଜାର (ବଙ୍ଗଳଦେଶ) ଏବଂ କ୍ୟାୟପିୟୁ (ମିଆଁମାର) ମଧ୍ୟରେ ମିଆଁମାରର ସ୍ୱଇଟେ ନିକଟରେ ସ୍ଥାୟୀ ପବନ ଘଣ୍ଟାପ୍ରତି ୧୫୦ ରୁ ୧୬୦ ସର୍ବାଧିକ ୧୭୫ କିମି ସହ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି । ତେଣେ ପଶ୍ଚିମବଙ୍ଗ ଦିଘାରେ ମୁତୟନ ହୋଇଛନ୍ତି ଏନଡିଆରଏଫର ୮ ଟିମ୍ । ଟିମରେ ରହିଛନ୍ତି ୨୦୦ରୁ ଅଧିକ ସଦସ୍ୟ । ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ପ୍ରସ୍ତୁତ ରହିଛନ୍ତି ଟିମ୍ । ମୋକା ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଆକାଶ ମେଘୁଆ ରହିବ । ଆଜି ଓ ଆସନ୍ତା କାଲି ସାମାନ୍ୟ ତାତିରୁ ସାମାନ୍ୟ ନିସ୍ତାର ମିଳିବ । ୧୫ରୁ ଅସହ୍ୟ ଗରମ ହେବ ବୋଲି କହିଛି ପାଣିପାଗ ବିଭାଗ ।

 

ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ପରୀକ୍ଷା ଫଳ, ଚଳିତ ବର୍ଷ ପାସହାର ରହିଛି ୮୭.୩୩ ପ୍ରତିଶତ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ପରୀକ୍ଷା ଫଳ । ଚଳିତ ବର୍ଷ ୮୭.୩୩ ପ୍ରତିଶତ ରହିଛି ପାସ୍ ହାର । ଗତବର୍ଷ ୯୨.୭୧ ପ୍ରତିଶତ ଥିଲା ପାସ୍ ହାର । cbse.gov.in, results.cbse.nic.inରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ଚଳିତ ବର୍ଷ ୧୬ ଲକ୍ଷ ୯୬ ହଜାର ୭୭୦ ଛାତ୍ରଛାତ୍ରୀ ଦେଇଥିଲେ ଯୁକ୍ତଦୁଇ ପରୀକ୍ଷା ।

ଆଜି ଇସଲାମାବାଦ ହାଇକୋର୍ଟରେ ହାଜର ହେବେ ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ଇସଲାମାବାଦ: ଇସଲାମାବାଦ ହାଇକୋର୍ଟରେ ହାଜର ହେବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ସେପଟେ ଇମ୍ରାନଙ୍କୁ ଭେଟିଛନ୍ତି ରାଷ୍ଟ୍ରପତି ଆରିଫ ଆଲଭି । ତେଣେ ବିଭିନ୍ନ ଅଭିଯୋଗ କ୍ରମେ ପିଟିଆଇ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସିରିନ ମଜାରୀଙ୍କୁ ଗିରଫ କରିଛି ପୋଲିସ ।  ଇମ୍ରାନଙ୍କୁ ମୁକ୍ତି ଲାଗି ସୁପ୍ରିମକୋର୍ଟ ଗତକାଲି ଦେଇଥିଲେ ନିର୍ଦ୍ଦେଶ । ପୂର୍ବରୁ ଗିରଫ ଅବୈଧ ବୋଲି କହିଥିଲେ ପାକିସ୍ତାନ ସୁପ୍ରିମକୋର୍ଟ । ତାଙ୍କୁ କୋର୍ଟ ପରିସରରୁ ଅପହରଣ କରାଯାଇଥିବା ସହ ଲାଠିରେ ପିଟାଯାଇଥିଲା । ଆତଙ୍କବାଦୀଙ୍କୁ ବ୍ୟବହାର ପ୍ରଦର୍ଶନ ପରି ତାଙ୍କୁ ଦୁର୍ବବ୍ୟହାର କରାଯାଇଥିଲା ବୋଲି ଅଭିଯୋଗ କରିଥିଲେ ଇମ୍ରାନ । ପ୍ରଧାନ ବିଚାରପତିଙ୍କ ଇସ୍ତଫା ଦାବି କରିଛନ୍ତି ପିଏମଏଲ-ଏନ ନେତ୍ରୀ ମରିୟାମ ନଓ୍ବାଜ । ତେଣେ ପାକିସ୍ତାନରେ ମାନବାଧିକାର ଉଲ୍ଲଂଘନ ଓ ଗଣମାଧ୍ୟମ ସ୍ବାଧୀନତା ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛି ଆମେରିକା ।

ଇମ୍ରାନଙ୍କ ସପକ୍ଷରେ ରାୟ ଦେଇଥିବାରୁ ସୁପ୍ରିମକୋର୍ଟ ପ୍ରଧାନବିଚାରପତିଙ୍କୁ ସମାଲୋଚନା କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ କନ୍ୟା ମରିୟାମ ନଓ୍ବାଜ । ଏପରିକି ପ୍ରଧାନ ବିଚାରପତି ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ମରିୟାମ । କୋର୍ଟ ପରିସରରେ ଅଦାଲତଙ୍କ ବିନା ଅନୁମତିରେ ଇମ୍ରାନଙ୍କୁ ଗିରଫ କରିବା କୋର୍ଟ ଅବମାନନା ବୋଲି କହିଥିଲେ କୋର୍ଟ । ସେପଟେ ଇସଲାମାବାଦରେ ଅବସ୍ଥିତି ସୁପ୍ରିମକୋର୍ଟ, ପାର୍ଲାମେଣ୍ଟ ଆଦି ସ୍ଥାନରେ ଆର୍ମି କରିଛି ଫ୍ଲାଗମାର୍ଚ୍ଚ ।  ଅଲ କାଦିର ଟ୍ରଷ୍ଟ ଦୁର୍ନୀତି ପ୍ରସଙ୍ଗରେ ମାମଲାର ଶୁଣାଣି କରୁଛନ୍ତି ପ୍ରଧାନ ବିଚାରପତି ଉମର ଆଟା ବନ୍ଦିଆଲ, ଜଷ୍ଟିସ ମହମ୍ମଦ ଅଲ୍ ମାଝାର ଓ ଜଷ୍ଟିସ ଅଥର ମିନାଲ୍ଲା । ସେପଟେ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ଗୃହଯୁଦ୍ଧ ସ୍ଥିତି । ସୁଧୁରୁନି ପାକିସ୍ତାନ ସ୍ଥିତି । ବିଭିନ୍ନ ସ୍ଥାନରେ ସ୍ଥିତି ନିୟନ୍ତ୍ରଣରୁ ବାହାରେ । ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାରେ ପ୍ରାଣ ହରାଇଲେଣି ୮ ଜଣ । ବର୍ତ୍ତମାନ ସୁଦ୍ଧା ଗିରଫ ହେଲେଣ ୧୯୦୦ । ପୂରା ଦେଶରେ ହିଂସା ଉଗ୍ର ରୂପ ଧାରଣ କରିଥିବା ବେଳେ ସରକାରୀ ସମ୍ପତ୍ତି ପୋଡ଼ାଜଳା କରିଛନ୍ତି ଇମ୍ରାନଙ୍କ ସମର୍ଥକ ।

ସୁପ୍ରିମକୋର୍ଟଙ୍କ ରାୟ ପରେ ଆକ୍ସନ ମୋଡ଼ରେ ଦିଲ୍ଲୀ ସରକାର, ହଟିଲେ ସେବା ବିଭାଗ ସଚିବ ଆଶିଷ ମୋରେ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ରାୟ ପରେ ଆକ୍ସନ ମୋଡ଼ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ ସରକାରଙ୍କ ସେବା ବିଭାଗ ସଚିବ ଆଶିଷ ମୋରେଙ୍କୁ ହଟାଇଛନ୍ତି ଦିଲ୍ଲୀ ସରକାର । ତାଙ୍କ ସ୍ଥାନରେ ନିଯୁକ୍ତି ପାଇଛନ୍ତି ଦିଲ୍ଲୀ ଜଳ ବୋର୍ଡର ପୂର୍ବତନ ସିଇଓ ଏ.କେ. ସିଂ । ଆଗକୁ ଅଧିକ ସଂଖ୍ୟକ ବ୍ୟୁରୋକ୍ରାଟଙ୍କୁ ବଦଳି କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ଦିଆଯାଇଥିବା ବିଶେଷ ଅଧିକାର ହଟାଇଥିଲେ ସୁପ୍ରିମକୋର୍ଟ । ଗଭର୍ଣ୍ଣମେଣ୍ଟ ଅଫ ଏନସିଟି ଅଫ ଦିଲ୍ଲୀ ବା GNCTD ଆକ୍ଟ ସଂଶୋଧନରେ ଉପରାଜ୍ୟପାଳଙ୍କୁ ଦିଆଯାଇଥିବା ବିଶେଷ ଅଧିକାରକୁ ଚ୍ୟାଲେଞ୍ଜ କରି ପିଟିସନ ଦାଏର କରିଥିଲେ ଦିଲ୍ଲୀ ସରକାର ।

ପିଟିସନର ଶୁଣାଣି କରି କୋର୍ଟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଶୁଣାଇଥିଲେ । ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳିର ଅଧିକାର ନିର୍ବାଚିତ ସରକାରଙ୍କ ପାଖରେ ରହିଛି ବୋଲି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ କହିଥିଲେ । ସରକାରୀ ଅଧିକାରୀଙ୍କ ଉପରେ ରାଜ୍ୟର ନିୟନ୍ତ୍ରଣ ନରହିବା ଭୁଲ । ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ନରହିଲେ, ଅଧିକାରୀ ଅମାନିଆ ହେବେ ବୋଲି ଖଣ୍ଡପୀଠ କହିଥିଲେ ।

ଟ୍ୱିଟର ସିଇଓ ପଦରୁ ବିଦାୟ ନେବେ ଏଲନ ମସ୍କ, ୬ ସପ୍ତାହ ମଧ୍ୟରେ ଯୋଗଦେଇପାରନ୍ତି ନୂଆ ସିଇଓ

ଓ୍ୱାଶିଂଟନ: ଟ୍ୱିଟରର ସିଇଓ ପଦରୁ ବିଦାୟ ନେବେ ଏଲନ୍ ମସ୍କ । ଖୁବ୍ ଶୀଘ୍ର ନୂଆ ସିଇଓ ନିଯୁକ୍ତି ହେବେ ବୋଲି ସୂଚନା ମିଳିଛି । ମସ୍କ କହିଛନ୍ତି- ସେ ଟ୍ୱିଟର ସିଇଓ ପଦ ଛାଡିବେ । ୬ ସପ୍ତାହ ମଧ୍ୟରେ ନୂଆ ସିଇଓ ଯୋଗଦେବେ । ନୂଆ ସିଇଓ ଲାଗି ଲିଣ୍ଡା ୟାକାରିନୋଙ୍କ ନାଁ ଚର୍ଚ୍ଚାରେ ଥିବା ସୂଚନା ମିଳିଛି । ୟାକାରିନୋ ଏନବିସି ୟୁନିଭର୍ସାଲର ଆଡଭର୍ଟାଇଜିଂ ସେଲ୍ସ ଏକଜିକ୍ୟୁଟିଭ ଅଛନ୍ତି । ମସ୍କଙ୍କ ସହ ୟାକାରିନୋଙ୍କ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ରହିଛି । ଗତବର୍ଷ ଅକ୍ଟୋବରରେ ୪୪ ବିଲିୟନ ଡଲାର ମୂଲ୍ୟରେ ଟ୍ୱିଟରକୁ କ୍ରୟ କରିଥିବା ମସ୍କ ଟ୍ୱିଟରର ଅନେକ ନୀତିରେ ପରିବର୍ତ୍ତନ ଆଣିସାରିଛନ୍ତି । ସିଇଓ ପଦ ଛାଡିବା ପରେ ସେ ଟୁଇଟରର ସଫ୍ଟଓ୍ବେର ଓ ସର୍ଭର୍ସ ଟିମର ନେତୃତ୍ବ ନେବେ ବୋଲି କହିଛନ୍ତି ମସ୍କ ।

ଗତବର୍ଷ ଡିସେମ୍ବର ଟ୍ୱିଟର ଫଲୋୟର୍ସଙ୍କୁ ନେଇ ହୋଇଥିବା ସର୍ଭରେ ମସ୍କ ସିଇଓ ପଦରୁ ହଟିବା ସପକ୍ଷରେ ମତଦେଇଥିଲେ ୫୭.୫ ପ୍ରତିଶତ ୟୁଜର । ଟ୍ୱିଟରର ନୀତି ପରିବର୍ତ୍ତନକୁ ନେଇ ବିଭିନ୍ନ ମହଲରୁ ସମାଲୋଚନାର ଶରବ୍ୟ ହୋଇଥିଲେ ଟେସଲା ଓ ସ୍ପେସ ଏକ୍ସପ୍ଲୋରେସନ ଟେକନୋଲୋଜିସ କର୍ପୋରେସନର ସିଇଓ । ଟ୍ୱିଟରକୁ କେବଳ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ନୁହେଁ ବରଂ ଏହାକୁ ଫିନାନସିଆଲ ସର୍ଭିସ ସମେତ ଅନ୍ୟାନ୍ୟ ସେବାଭିତ୍ତିକ ଆପରେ ପରିଣତ କରିବା ଲାଗି କହିଆସୁଛନ୍ତି ମସ୍କ ।

 

ଆନ୍ଧ୍ର କାଟ୍ରାଗଡ଼ରେ ୪ଟି ହାତୀଙ୍କ ମୃତଦେହ ଉଦ୍ଧାର, ବିଦ୍ୟୁତଆଘାତରୁ ମୃତ୍ୟୁ ସନ୍ଦେହ

ଗୁଣୁପୁର: ବିଦ୍ୟୁତ ଆଘାତରେ ୪ ହାତୀ ମୃତ । ଆନ୍ଧ୍ରପ୍ରଦେଶ କାଟ୍ରାଗଡ଼ାରେ ଏକାସାଙ୍ଗରେ ୪ ହାତୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଓଡ଼ିଶାରୁ ୬ ଟିକିଆ ହାତୀପଲ ଆନ୍ଧ୍ର ସୀମା ପାର ହେଉଥିବା ବେଳେ ବିଦ୍ୟୁତ ଆଘାତରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଗୁଣପୁର ପଦୁପୁର ନୁଆଗଡ଼ ଅଞ୍ଚଳରେ ଥିଲେ ହାତୀପଲ । କିଛି ମାସ ତଳେ ଆନ୍ଧ୍ର ମୁହାଁ ହୋଇଥିଲେ । ଆଉ ଦୁଇଟି ହାତୀ ଜୀବନ ବିକଳରେ ପାଖ ଜଙ୍ଗଲରେ ବୁଲୁଥିବା ଦେଖିବାକୁ ମିଳୁଛି । ଆନ୍ଧ୍ର ବନ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରୁଛନ୍ତି ଲୋକ ।

ଖାଦ୍ୟଶସ୍ୟ ଉତ୍ପାଦନରେ ଓଡ଼ିଶାର ସଫଳତା, ୨୦୨୨-୨୩ରେ ୧୩୬ ଲକ୍ଷ ୬ ହଜାର ମେଟ୍ରିକ ଟନରୁ ଅଧିକ ପରିମାଣ ଖାଦ୍ୟଶସ୍ୟ ଉତ୍ପାଦନ

ଭୁବନେଶ୍ୱର: ଖାଦ୍ୟଶସ୍ୟ ଉତ୍ପାଦନରେ ଓଡ଼ିଶାର ସଫଳତା । ଗତ ବର୍ଷ ରାଜ୍ୟରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି । ୨୦୨୨-୨୩ ବର୍ଷରେ ରାଜ୍ୟରେ ୧୩୬ ଲକ୍ଷ ୬ ହଜାର ମେଟ୍ରିକ୍ ଟନରୁ ଅଧିକ ପରିମାଣର ଖାଦ୍ୟ ଶସ୍ୟ ଉତ୍ପାଦନ ହୋଇଥିବା କୃଷି ବିଭାଗ କହିଛି । ୨୦୨୦-୨୧ ବର୍ଷରେ ରାଜ୍ୟରେ ୧୩୦ ଲକ୍ଷ ୩୮ ହଜାର ମେଟ୍ରିକ୍ ଟନରୁ ଅଧିକ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିଲା । ୧୧୫ ଲକ୍ଷ ମେଟ୍ରିକ୍ ଟନ ଚାଉଳ ଉତ୍ପାଦନ ହୋଇଥିବାବେଳେ ୮ ଲକ୍ଷ ୬୦ ହଜାର ମେଟ୍ରିକ୍ ଟନରୁ ଅଧିକ ମକା, ୧ ଲକ୍ଷ ୬୧ ହଜାର ମେଟ୍ରିକ୍ ଟନରୁ ଅଧିକ ମାଣ୍ଡିଆ ଏବଂ  ୨୮ ହଜାର ମେଟ୍ରିକ ଟନରୁ ଅଧିକ ଗହମ, ବାଜରା, ଓ ଅନ୍ୟ ଲଘୁଶସ୍ୟ ଉତ୍ପାଦନ ହୋଇଛି ।

ସେହିପରି ୧୦ ଲକ୍ଷ ୫୫ ହଜାର ମେଟ୍ରିକ୍ ଟନରୁ ଅଧିକ ଡାଲିଜାତୀୟ ଶସ୍ୟ ଉତ୍ପାଦନ ହୋଇଛି । ଏହା ମଧ୍ୟରେ ୪ ଲକ୍ଷ ୨୧ ହଜାର ମେଟ୍ରିକ୍ ଟନ ଅଧିକ ମୁଗ, ୧ ଲକ୍ଷ ୯୭ ହଜାର ମେଟ୍ରିକ୍ ଟନରୁ ଅଧିକ ବିରି, ୧ ଲକ୍ଷ ୩୭ ହଜାର ମେଟ୍ରିକ ଟନରୁ ଅଧିକ ହରଡ଼, ୯୧ ହଜାର ମେଟ୍ରିକ୍ ଟନରୁ ଅଧିକ କୋଳଥ, ୨୯ ହଜାର ମେଟ୍ରିକ ଟନରୁ ଅଧିକ ମଟର, ୭ ହଜାର ମେଟ୍ରିକ ଟନରୁ ଅଧିକ ମସୁର, ୬୮ ହଜାର ମେଟ୍ରିକ ଟନରୁ ଅଧିକ ବରଗୁଡ଼ି ଏବଂ ଅନ୍ୟ ଡାଲିଜାତୀୟ ଫସଲ ୭୬ ହଜାର ମେଟ୍ରିକ ଟନ୍ ଅନ୍ତର୍ଭୁକ୍ତ ରହିଛି । ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିବାରୁ ଖୁସି ପ୍ରକାଶ କରିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଏଥିପାଇଁ ସେ ଚାଷୀ ଓ  ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି  ।