spot_img
Home Blog Page 3134

ଜ୍ଞାନବାପୀ ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଏଏସଆଇକୁ ଶିବଲିଙ୍ଗର କାର୍ବନ ଡେଟିଂ କରିବାକୁ ଦେଲେ ଅନୁମତି

ପ୍ରୟାଗରାଜ: ବହୁ ଚର୍ଚ୍ଚିତ ବାରଣାସୀ ଜ୍ଞାନବାପୀ ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ)କୁ ମସଜିଦ ପରିସରରେ ମିଳିଥିବା ଶିବଲିଙ୍ଗର କାର୍ବନ ଡେଟିଂ କରିବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ଅବଶ୍ୟ, ଯାଞ୍ଚ ସମୟରେ ଯେପରି ଢାଞ୍ଚାକୁ କୌଣସି କ୍ଷତି ନପହଞ୍ଚେ ସେଥିପ୍ରତି ଧ୍ୟାନ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆହ୍ଲାବାଦ ହାଇକୋର୍ଟ ଜ୍ଞାନବାପୀ ପରିସରରେ ସର୍ଭେ ସମୟରେ ମିଳିଥିବା ଶିବଲିଙ୍ଗର କାର୍ବନ ଡେଟିଂ ଯାଞ୍ଚ ଏବଂ ସାଇଣ୍ଟିଫିକ ସର୍ଭେର ଦାବିକୁ ନେଇ ଦାଖଲ ଆବେଦନକୁ ସ୍ୱୀକାର କରିନେଇଛନ୍ତି ଏବଂ ଏଏସଆଇକୁ ଶିବଲିଙ୍ଗକୁ ବିନା କ୍ଷତି ପହଞ୍ଚାଇ କାର୍ବନ ଡେଟିଂ ଯାଞ୍ଚ କରିବାକୁ ଆଦେଶ ଦେଇଛନ୍ତି ।

ସୂଚନାଥାଉକି ଗତବର୍ଷ ବାରଣାସୀ କୋର୍ଟ ସୁପ୍ରିମକୋର୍ଟଙ୍କ ଯଥାସ୍ଥିତି କାଏମ ରଖିବାର ଆଦେଶକୁ ଉଲ୍ଲେଖ କରି କାର୍ବନ ଡେଟିଂ ଆଦେଶ ଦେବାକୁ ମନା କରିଦେଇଥିଲେ । ଏହାକୁ ହିନ୍ଦୁ ପକ୍ଷ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ହାଇକୋର୍ଟ ବାରଣାସୀ କୋର୍ଟଙ୍କ ଆଦେଶକୁ ରଦ୍ଦ କରିଦେଇଛନ୍ତି । ହାଇକୋର୍ଟର ବିଚାରପତି ଅରବିନ୍ଦ କୁମାର ମିଶ୍ର ଏହି ଆଦେଶ ଲକ୍ଷ୍ମୀ ଦେବୀ ଏବଂ ଅନ୍ୟଙ୍କ ଆବେଦନ ଉପରେ ଦେଇଛନ୍ତି । ସୂଚନାଥାଉକି, ଜ୍ଞାନବାପୀ ପରିସରରେ କମିଶନ କାର୍ଯ୍ୟବାହୀ କରାଯାଇଥିଲା । ଏହି ସମୟରେ ୧୬ ମଇ ୨୦୨୨ରେ ମସଜିଦ୍ ପରିସରରେ ଥିବା ଏକ ପରିତ୍ୟକ୍ତ କୂଅରୁ ଏହି ଶିବଲିଙ୍ଗ ଠାବ କରାଯାଇଥିଲା ।

ଯାହାର କାର୍ବନ ଡେଟିଂ ତଥା ସାଇଣ୍ଟିଫିକ୍ ଯାଞ୍ଚ ଏଏସଆଇ ଦ୍ୱାରା କରାଇବାକୁ ବାରଣାସୀ ଜିଲ୍ଲା କୋର୍ଟରେ ଆବେଦନ କରାଯାଇଥିଲା ।  ଅବଶ୍ୟ ଜିଲ୍ଲା କୋର୍ଟ ଏହା କହି ଯାଚିକା ଖାରଜ କରିଦେଇଥିଲେ ଯେ ସୁପ୍ରିମକୋର୍ଟ ଯାଥାସ୍ଥିତି କାଏମ ରଖିବାକୁ ଆଦେଶ ଦେଇଛନ୍ତି । ମାମଲା ସୁପ୍ରମିକୋର୍ଟରେ ବିଚାରଧିନ ରହିଛି, ତେଣୁ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ । ଏପରି ସ୍ଥିତିରେ ସିଭିଲ କୋର୍ଟଙ୍କୁ ଆଦେଶ ପାରିତ କରିବାର ଅଧିକାର ନାହିଁ ବୋଲି କୋର୍ଟ କହିଥିଲେ । ଏହାପରେ ହିନ୍ଦୁ ପକ୍ଷ ବାରଣାସୀ କୋର୍ଟଙ୍କ ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

ତେବେ କାର୍ବନ ଡେଟିଂ କଣ ଏବଂ ଏହା କେମିତି କାମ କରେ ବୋଲି ଆପଣଙ୍କ ମନରେ ପ୍ରଶ୍ନ ନିଶ୍ଚୟ ଉଠୁଥିବ । କାର୍ବନ ଡେଟିଂ ହେଉଠି କୌଣସି ଏକ ପ୍ରାକୃତିକ ଜିନିଷର ବୟସ ଠାବ କରିବାର ଏକ ପ୍ରକ୍ରିୟା । କାର୍ବନ ଆଟମ (ସି୧୪) ସହ ମିଳିଥିବା ଜନିଷର ତୁଳନା କଲେ ଏହା କେତେ ବର୍ଷ ପୂରୁଣା ଡଣାପଡ଼ିଥାଏ । କାର୍ବନ ଡେଟିଂର ବୈଜ୍ଞାନିକ ପଦ୍ଧତିରେ ପ୍ରତ୍ନତାତ୍ତ୍ୱିକ ଜିନିଷର ବୟସ ନିର୍ଦ୍ଧାରଣ କରାଯାଇଥାଏ । ଏହି ପଦ୍ଧତିରେ ପ୍ରତ୍ନତତ୍ତ୍ୱବିତମାନେ ସହଜରେ ୫୦୦ ଖ୍ରୀଷ୍ଟପୂର୍ବ ପରେ ତିଆରି ହୋଇଥିବା ଯେକୌଣସି ଦ୍ରବ୍ୟର ବୟସ ଜାଣିପାରିବେ ।

ବାପା ହେବାକୁ ଚାହୁଁଛନ୍ତି ଓଡିଆ ଆଥଲେଟ୍‌ ଦୂତି ଚାନ୍ଦ

ଭୁବନେଶ୍ବର: ଅନ୍ତର୍ଜାତୀୟ ଓଡ଼ିଆ ଆଥଲେଟ୍ ତଥା ସ୍ପିଣ୍ଟର ଦୂତି ଚାନ୍ଦଙ୍କ ବାପା ହେବାକୁ ଇଚ୍ଛା ।  ଜାତୀୟ ମାଗାଜିନ୍‌ ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ ଏଭଳି କହିଛନ୍ତି ଦୂତି ।

ସମଲିଙ୍ଗୀ ବିବାହକୁ ନେଇ ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି ଦୂତି  । ଯଦି ବାନ୍ଧବୀଙ୍କୁ ବିବାହ କରନ୍ତି କିଏ ବାପା ହେବେ ବୋଲି ସାକ୍ଷାତକାରରେ ଦୂତିଙ୍କୁ ପ୍ରଶ୍ନ କରାଯାଇଥିଲା  । ବାପା ଭୂମିକା ତୁଲାଇବା ସହ ସମସ୍ତ ଦାୟିତ୍ବ ନେବାକୁ ସ୍ବୀକାର କରିଥିଲେ ଦୂତି  । ହେଲେ ବାନ୍ଧବୀଙ୍କୁ କେବେ ବିବାହ କରୁଛନ୍ତି ସେ ନେଇ କିଛି କହିନାହାନ୍ତି  ।

କିଛି ଦିନ ପୂର୍ବରୁ ସମଲିଙ୍ଗୀ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିଲେ ଦୂତି । ସେପଟେ ସମଲିଙ୍ଗୀ ବିବାହ ଅଧିକାର ନେଇ ଆଗତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।

ପୂର୍ବରୁ ତାଙ୍କ ଶରୀରରେ ମାତ୍ରାଧିକ ପୁରୁଷ ହରମୋନ ଥିବା ଅଭିଯୋଗରେ ୨୦୧୪ ଗ୍ଲାସ୍‌ଗୋ କମନ୍‌ୱେଲଥ୍‌ ଗେମସ୍ ସହ ଏସିଆନ୍‌ ଗେମସ୍‌ରୁ ସେ ବାଦ୍ ପଡିଥିଲେ। ଏହାପରେ ଦୂତି ୨୦୧୬ ରିଓ ଅଲିମ୍ପିକସ୍‌ରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବା ସହ ୨୦୧୮ ଏସିଆନ୍‌ ଗେମସ୍‌ରେ ୧୦୦ ଓ ୨୦୦ ମିଟର ଦୌଡ଼ ଇଭେଣ୍ଟରେ ୨ଟି ରୌପ୍ୟ ପଦକ ଜିତି ଚର୍ଚ୍ଚାରେ ରହିଥିଲେ।

ଓଟିଇଟି ବୈଧତା ସୀମା ବୃଦ୍ଧି କଲେ ରାଜ୍ୟ ସରକାର, ଥରେ ପାସ୍ କଲେ ଆଉ ଦେବାକୁ ପଡ଼ିବନି ପରୀକ୍ଷା

ଭୁବନେଶ୍ୱର: ଏଣିକି ଥରେ ଓଟିଇଟି ପାସ୍ କଲେ ଆଉ ଦେବାକୁ ପଡିବନି ପରୀକ୍ଷା । ଓଟିଇଟି ବୈଧତା ସୀମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଓଟିଇଟି ପାସ୍ କଲେ ୭ ବର୍ଷ ରହୁଥିଲା ବୈଧତା, ଏବେ ଏହାକୁ ଜୀବନବ୍ୟାପୀ କରାଯାଇଛି । ଏବେ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭ବର୍ଷ ଭିତରେ ଚାକିରି ନପାଇଲେ ପୁଣି ଦେବାକୁ ପଡୁଥିଲା ପରୀକ୍ଷା । ହେଲେ ଏବେ ଥରେ ଓଟିଇଟି ପାସ କଲେ ଆଉ ଜୀବନବ୍ୟାପି ଦେବାକୁ ପଡିବନି ପରୀକ୍ଷା । ସେମାନେ ନିଯୁକ୍ତି ପାଇଁ ଯୋଗ୍ୟ ହେବେ ।

ସ୍କୁଲ ବିକାଶ ପାଇଁ ଆସିଥିବା ଅର୍ଥ ହଡ଼ପ କରିଥିବା ତିନି ଦୋଷୀଙ୍କୁ ୪ ବର୍ଷ କାରାଦଣ୍ଡ

କନ୍ଧମାଳ: ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହେଲେ କନ୍ଧମାଳ ଜିଲ୍ଲାର ଜଣେ ବରଖାସ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଶିକ୍ଷା କମିଟିର ଦୁଇ ସଦସ୍ୟ । ସ୍କୁଲ ବିକାଶ ପାଇଁ ଆସିଥିବା ଅର୍ଥ ଆତ୍ମସାତ କରିବା ମାମଲାରେ ବରଖାସ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଶିକ୍ଷା କମିଟିର ଦୁଇ ସଦସ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଫୁଲବାଣୀ ଭିଜିଲାନ୍ସର ସ୍ୱତନ୍ତ୍ର ଜଜ୍ ଏହି ମାମଲାର ଶୁଣାଣି କରି ୩ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡବିଧାନ ଶୁଣାଇଛନ୍ତି । କନ୍ଧମାଳ ଜିଲ୍ଲା ଘାଟିତାଳ ନୂତନ ୟୁପି ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ସ୍କୁଲ ଶିକ୍ଷା କମିଟିର ସମ୍ପାଦକ କିଶୋର କୁମାର ଦାସ, କନ୍ଧମାଳ ସର୍ବଶିକ୍ଷା ଅଭିଯାନର ପୂର୍ବତନ ଟିସି ପୃଥ୍ୱୀରାଜ ଲେଙ୍କା, ଘାଟିତାଳ ନୂତନ ୟୁପି ସ୍କୁଲ ଶିକ୍ଷା କମିଟିର ସଭାପତି ସୁବିନ୍ଦ୍ର କଁଅରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ୱତନ୍ତ୍ର ଜଜ୍ ।

କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ ଅଧୀନସ୍ଥ ଘାଟିତାଳ ୟୁପି ସ୍କୁଲରେ ନିର୍ମାଣ ପାଇଁ ଆସିଥିବା ଅର୍ଥରାଶି ବାଟବଣା କରଥିଲେ ଏହି ତିନି ଦୋଷୀ । ଦୁଇ ଦୋଷୀ କିଶୋର କୁମାର ଦାଶ ଏବଂ ପୃଥ୍ୱୀରାଜ ଲେଙ୍କାଙ୍କୁ ୪ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଆଉ ୬ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦିଆଯାଇଛି । ତିନୋଟି ମାମଲାରେ ଏହି ସମାନ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ସେହିପରି ଅନ୍ୟ ଜଣେ ଦୋଷୀ ସୁବିନ୍ଦର କଅଁରଙ୍କୁ ମଧ୍ୟ ୪ ବର୍ଷ କାରା ଦଣ୍ଡାଦେଶ ସହ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜରିମାନା ଅନାଦେୟ ହେଲେ ଆଉ ଛଅ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ତିନି ଦୋଷୀଙ୍କୁ ଆଜି ଜେଲକୁ ସ୍ଥାନାନ୍ତର କରାଯାଇଛି । ଆଜିଠୁ ସେମାନଙ୍କ କାରାଦଣ୍ଡର ଦିନ ହିସାବ ହେବ ।

ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ଶୁଣାଇଥିବା ବିଚାରପତିଙ୍କ ପଦୋନ୍ନତି ଉପରେ ରୋକ୍

ନୂଆଦିଲ୍ଲୀ: ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ଦେଇଥିବା ବିଚାରପତିଙ୍କ ପଦୋନ୍ନତି ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ଗୁଜରାଟର ମୋଟ ୬୮ ଜଣ ବିଚାରପତିଙ୍କ ପଦୋନ୍ନତି ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ଏହି ପଦୋନ୍ନତି ବେଆଇନ ବୋଲି କୋର୍ଟ କହିଛନ୍ତି । ଏହି ପଦୋନ୍ନତି ପାଇଁ ଗୁଜରାଟ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ । ୬୮ ଜଣ ବିଚାରପତିଙ୍କ ମଧ୍ୟରେ ସୁରଟ କୋର୍ଟର ବିଚାରପତି ହରିଷ ହସମୁଖଭାଇ ଅଛନ୍ତି । ସେ ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ଶୁଣାଇଥିଲେ । କିଛି ଦିନ ତଳେ ଗୁଜରାଟ ସରକାର ତାଙ୍କୁ ପଦୋନ୍ନତି ଦେଇଥିଲେ । ବରିଷ୍ଠତା ଏବଂ ଦକ୍ଷତା ଭିତ୍ତିରେ ବିଚାରପତିଙ୍କୁ ପଦୋନ୍ନତି ଦେବା କଥା କିନ୍ତୁ ରାଜ୍ୟ ସରକାର ଏହାକୁ ଅଣଦେଖା କରି ପଦୋନ୍ନତି ବଜ୍ଞପ୍ତି ଜାରି କରିଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଇମ୍ରାନଙ୍କୁ ବଡ଼ ଆଶ୍ୱସ୍ତି; ଅଲ କାଦୀର ଟ୍ରଷ୍ଟ ମାମଲାରେ ୨ ସପ୍ତାହ ପାଇଁ ଜାମିନ ଦେଲେ ଇସଲାମାବାଦ ହାଇକୋର୍ଟ

ଇସଲାମାବାଦ: ଇମ୍ରାନ ଖାନଙ୍କୁ ବଡ଼ ଆଶ୍ବସ୍ତି । ଅଲ କାଦୀର ଟ୍ରଷ୍ଟ ମାମଲାରେ ୨ ସପ୍ତାହ ପାଇଁ ଜାମିନ ଦେଲେ ଇସଲାମାବାଦ ହାଇକୋର୍ଟ । ଗତକାଲି ସୁପ୍ରିମକୋର୍ଟ ମଧ୍ୟ ଇମ୍ରାନ ଖାନଙ୍କ ଗିରଫଦାରିକୁ ବେଆଇନ ବୋଲି କହିଥିଲେ । କୋର୍ଟରୁମ୍ରୁ ରେଞ୍ଜର୍ସ ମାନେ ଇମ୍ରାନ ଖାନଙ୍କୁ ଗିରଫ କରିବା ଠିକ୍ ହୋଇନି ବୋଲି କହିଥିଲେ । ଆଜି ଇସଲାମାବାଦ ହାଇକୋର୍ଟ ଇମ୍ରାନଙ୍କୁ ଜାମିନ ଦେଇଛନ୍ତି । ଗିରଫ ବେଳେ ତାଙ୍କ ମୁଣ୍ଡକୁ ମାଡ଼ ମରାଯାଇଥିଲା ବୋଲି କୋର୍ଟରେ କହିଛନ୍ତି ଇମ୍ରାନ୍ । ତୋଷଖାନା ଦୁର୍ନୀତି ମାମଲାରେ ମଧ୍ୟ ଶୁଣାଣି ସ୍ଥଗିତ । ଇସଲାମାବାଦ ହାଇକୋର୍ଟରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ଼ ଆଶ୍ବସ୍ତି ମିଳିଛି ।

ଇମ୍ରାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ବନ୍ଦ କରିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ଇସଲାମାବାଦ ହାଇକୋର୍ଟ । ତଳ କୋର୍ଟରେ ଶୁଣାଣି ଉପରେ ମଧ୍ୟ କୋର୍ଟ ସ୍ଥଗିତାଦେଶ ଲଗାଇଛନ୍ତି । ଇମ୍ରାନଙ୍କୁ ମୁକ୍ତି କରିବାକୁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେବା ପରେ ଏହାକୁ ସମାଲୋଚନା କରିଛନ୍ତି ପାକିସ୍ତାନ ସରକାର । କୋର୍ଟଙ୍କ ନିର୍ଦ୍ଦେଶ ସାରାଦେଶରେ ଅଶାନ୍ତି ସୃଷ୍ଟି କରିବ ବୋଲି ସରକାର କହିଛନ୍ତି । ଏଥିସହ ପ୍ରଧାନ ବିଚାରପତି ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ଝିଅ ମରିୟାମ ନଓ୍ବାଜ । ସେପଟେ ଅନ୍ୟ ଏକ ମାମଲାରେ ଇମ୍ରାନଙ୍କୁ ଗିରଫ କରିବାକୁ ଯୋଜନା ଚାଲିଛି ବୋଲି ଜଣାପଡ଼ିଛି ।

ଲାଞ୍ଚ ନେବାବେଳେ କନିଷ୍ଠ ଷ୍ଟେନୋଗ୍ରାଫରଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର: ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ଓଡ଼ିଶା ଭିଜିଲାନ୍ସ ବିଭାଗ । ଅଭିଯୋଗ ମିଳିବା କ୍ଷଣି କାର୍ଯ୍ୟାନୁଷ୍ଠାନ ନେଉଛି ଭିଜିଲାନ୍ସ । ଏହିକ୍ରମରେ ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା ଟ୍ରେଜରୀ ଅଫିସର କନିଷ୍ଠ ଷ୍ଟେନୋଗ୍ରାଫର । ଲାଞ୍ଚ ନେବାବେଳେ କନିଷ୍ଠ ଷ୍ଟେନୋଗ୍ରାଫର ଦୁର୍ଗାପ୍ରସାଦ ମହାପାତ୍ରଙ୍କୁ ଧରିଛି ଭିଜିଲାନ୍ସ । ଅଭିଯୋଗକାରୀ ଶିକ୍ଷକଙ୍କଠାରୁ ୪୮୦୦୦ ଟଙ୍କା ନେବାବେଳେ ଧରିଛି ଭିଜିଲାନ୍ସ । ପରମାନେଣ୍ଟ ରିଟାୟରମେଣ୍ଟ ଆକାଉଣ୍ଟନ ନମ୍ବର (ପ୍ରାନ) ଖୋଲିଦେବାକୁ କହି ୧୬୧ ଜଣ ଶିକ୍ଷକଙ୍କଠାରୁ ୩୦୦ ଟଙ୍କା ଲେଖାଏଁ ମୋଟ୍ ୪୮ ହଜାର ଟଙ୍କା ନେଉଥିଲେ । ଲାଞ୍ଚ ଅର୍ଥକୁ ଜବତ କରାଯାଇଛି । ଏହି ମାମଲାରେ ଶ୍ରୀ ମହାପାତ୍ରଙ୍କ ଦୁଇଟି ସ୍ଥାନରେ ରେଡ୍ ଜାରି ରହିଛି । ଭୁବନେଶ୍ୱର ଭିଜିଲାନ୍ସ ପିଏସ୍ କେସ୍ ନଂ ୧୧/୨୦୨୩ ୟୁ/ଏସ୍-୭ପିସି (ଆମେଣ୍ଡମେଣ୍ଟ) ଆକ୍ଟ, ୨୦୧୮ ଆଧାରରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ଶ୍ରୀ ମହାପାତ୍ରଙ୍କ ବିରୋଧରେ ତଦନ୍ତ ଚାଲିଛି ।

 

ଜୟସ୍ୱାଲଙ୍କ ’ଯଶସ୍ୱୀ’ ଇନିଂସ, ଭାଙ୍ଗୁ ଭାଙ୍ଗୁ ବଞ୍ଚିଗଲା ଯୁବରାଜଙ୍କ ରେକର୍ଡ

କୋଲକାତା: ଆଇପିଏଲରେ ଇତିହାସ ରଚିଲେ ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲ । ପୂର୍ବ ସମସ୍ତ ରେକର୍ଡ ଭାଙ୍ଗି ହେଲେ ନମ୍ବର ଓ୍ୱାନ୍ । IPL ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ଗୌରବ ଅର୍ଜନ କଲେ ଯଶ୍ୱସୀ । ମାତ୍ର ୧୩ ବଲରେ ୫୦ ରନ କରି ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି ଜୟସ୍ୱାଲ ।

ଚଳିତ ଆଇପିଏଲରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲ । ଚଳିତ ସିଜିନରେ ବିସ୍ଫୋରକ ବ୍ୟାଟିଂ କରି ଚର୍ଚ୍ଚାରେ ଥିଲେ ଜୟସ୍ୱାଲ । ତେବେ ଗୁରୁବାର କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ବିଧ୍ୱଂସୀ ଇନିଂସ ଖେଳି ପୁଣି ଚର୍ଚ୍ଚାକୁ ଆସିଛନ୍ତି ଯୁବ ତାରକା ଜୟସ୍ୱାଲ । KKR ବିପକ୍ଷ ମ୍ୟାଚରେ ମାତ୍ର ୧୩ ବଲରେ ଅର୍ଦ୍ଧଶତକ କରି ଏକ ନୂଆ ରେକର୍ଡ ସେ ତାଙ୍କ ନାଁରେ କରିଛନ୍ତି । ଜୟସ୍ୱାଲଙ୍କ ଏହି ବିସ୍ଫୋରକ ବ୍ୟାଟିଂ କିନ୍ତୁ ଭାଙ୍ଗି ପାରିନି ଯୁବରାଜ ସିଂ ରେକର୍ଡ । କ୍ରିକେଟ ଇତିହାସରେ ଯୁବରାଜ ମାତ୍ର ୧୨ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ଟି-୨୦ ବିଶ୍ୱକପର ପ୍ରଥମ ସଂସ୍କରଣରେ ଇଂଲଣ୍ଡ ବିପକ୍ଷରେ ଏହି ଉପଲବ୍ଧି ହାସଲ କରିଥିଲେ ଯୁବରାଜ । କିନ୍ତୁ ଆଇପିଏଲରେ ଏପର୍ଯ୍ୟନ୍ତ କେହି ୧୩ଟି ବଲରେ ଅର୍ଦ୍ଧଶତକ ହାସଲ କରିନଥିଲେ । ଏହା ପୂର୍ବରୁ ଆଇପିଏଲରେ ଦ୍ରୁତତମ ଅର୍ଦ୍ଧଶତକ ରେକର୍ଡ କେଏଲ ରାହୁଲ ଓ ପ୍ୟାଟ୍ କମିନ୍ସଙ୍କ ନାମରେ ରହିଥିଲା । ଉଭୟ ବ୍ୟାଟ୍ସମ୍ୟାନ ୧୪ ବଲରେ ହାସଲ କରିଥିଲେ ଅର୍ଦ୍ଧଶତକ ।

ଯଶସ୍ୱୀ ଜୟସ୍ୱାଲଙ୍କ ଏହି ଇନିଂସ ପାଇଁ ତାଙ୍କ ପାଖକୁ ଛୁଟୁଛି ପ୍ରଶଂସାର ସୁଅ । ବିରାଟ କୋହଲିଙ୍କଠାରୁ ଆରମ୍ଭ କରି ବିରେନ୍ଦ୍ର ସେହଓ୍ୱାଗଙ୍କ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଯଶସ୍ୱୀ ଜୟସ୍ୱାଲଙ୍କୁ ପ୍ରଶଂସା କରିଛନ୍ତି । କେବଳ ଭାରତୀୟ କ୍ରିକେଟର ନୁହଁନ୍ତି ବରଂ ଅନ୍ୟ ଦେଶର ଖେଳାଳୀ ଓ ଅନ୍ୟ ଫ୍ରାଞ୍ଚାଇଜ୍ ମଧ୍ୟ ଜୟସ୍ୱାଲଙ୍କ ଏହି ଇନିଂସକୁ ପ୍ରଶଂସା କରିଛନ୍ତି । ତେବେ ଚଳିତ ସିଜିନରେ ଯଶସ୍ୱୀ ଜୟସ୍ୱାଲ ବ୍ୟାଟରୁ ଦେଖିବାକୁ ମିଳୁଛି ବନ ଇନିଂସ । ସେ ୧୨ଟି ମ୍ୟାଚରୁ ଗୋଟିଏ ଶତକ ଓ ୪ ଅର୍ଦ୍ଧଶତକ ସହ ୫୭୫ ରନ କରିଛନ୍ତି । ତେବେ ଆଗକୁ ମଧ୍ୟ ଯଶସ୍ୱଙ୍କ ବ୍ୟାଟରୁ ଏମିତି ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।

 

ଆସନ୍ତାକାଲି ଖୋଲିବ ଇଭିଏମ୍‌, ୧୪ଟି ଟେବୁଲରେ ୧୮ରାଉଣ୍ଡ ଗଣତି

ଝାରସୁଗୁଡା: ଆସନ୍ତାକାଲି ଭୋଟ ଗଣତି ସହ ପ୍ରକାଶ ପାଇବ ଝାରସୁଗୁଡା ଫଳାଫଳ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ହେବ ଗଣନା ଓ ଫଳାଫଳ ଘୋଷଣା କାର୍ଯ୍ୟ । ଏନେଇ ସୂଚନା ଦେଇଛନ୍ତି ସିଇଓ ନିକୁଞ୍ଜ ବିହାରୀ ଧଳ ।ସିଇଓଙ୍କ ସୂଚନା ଅନୁସାରେ, ଝାରସୁଗୁଡା ସ୍ଥିତ ଇଞ୍ଜିନିୟରିଂ କଲେଜରେ ହୋଇଛି ମତ ଗଣନା କେନ୍ଦ୍ର । ମତ ଗଣନା ସକାଳ 8 ଟାରୁ ଆରମ୍ଭ ହେବ ।

ପ୍ରଥମେ ପୋଷ୍ଟାଲ ବାଲାଟ ଗଣନା ହେବ । ସେହିପରି ୮ଟା ୩୦ ରୁ ଇଭିଏମ ଗଣନା ଆରମ୍ଭ ହେବ । ଇଭିଏମ ଗଣନା ଲାଗି ୧୪ଟି କାଉଣ୍ଟିଂ ଟେବୁଲ ବ୍ୟବସ୍ଥା ହୋଇଛି । ଆଉ ଗୋଟିଏ କାଉଣ୍ଟିଂ ଟେବୁଲରେ ପୋଷ୍ଟାଲ ବାଲାଟ ଗଣନା ହେବ । ୨୫୩ ବୁଥ ଥିବାରୁ ୧୯ ରାଉଣ୍ଡ ଗଣନା ହେବ । ସନ୍ଧ୍ୟା ୪ ଟା ରୁ ୬ଟା ଭିତରେ ଫଳାଫଳ ଆସିଯାଇପାରେ । ମତ ଗଣନାକୁ ତଦାରଖ କରିବା ଲାଗି ସେଣ୍ଟ୍ରାଲ ଅବଜରଭର ଉପସ୍ଥିତ ରହିବେ । ପ୍ରତ୍ୟେକ ଟେବୁଲରେ ଜଣେ ଲେଖାଏଁ କାଉଟିଙ୍ଗ ସୁପରଭାଇଜର, ଜଣେ ସହାୟକ ରହିବେ । ଏହା ସହ ଜଣେ ମାଇକ୍ରୋ ଅବଜରଭର ରହିବେ ।

ଗ୍ରାଉଣ୍ଡବାରୀ ଫଳାଫଳ ଘୋଷଣା ଲାଗି ବ୍ୟବସ୍ଥା ହୋଇଛି । ପ୍ରତ୍ୟେକ ଟେବୁଲରେ ପ୍ରାର୍ଥୀ ତାଙ୍କର ଏଜେଣ୍ଟ ଦେଇପାରିବେ । ସେହିପରି ପ୍ରାର୍ଥୀ କିମ୍ବା ତାଙ୍କ ଏଜେଣ୍ଟ କାଉଟିଙ୍ଗ ସେଣ୍ଟରରେ ଉପସ୍ଥିତ ରହିପାରିବେ । ଭୋଟ ଗଣତି କେନ୍ଦ୍ରରେ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭିତରେ ଅର୍ଦ୍ଧ ସୁରକ୍ଷା ବଳ, ରାଜ୍ୟ ସଶସ୍ତ୍ର ପୋଲିସ ଓ ଓଡ଼ିଶା ପୋଲିସ ନିୟୋଜିତ ହେବେ । ସାଧାରଣ ଲୋକ ମଧ୍ୟ ସିଧାସଳଖ ଫଳାଫଳ ଜାଣିପାରିବେ । www.result.eci.gov.in କୁ ଲଗଇନ କରି ରାଉଣ୍ଡ ବାରୀ ଫଳାଫଳ ଜାଣି ହେବ । ସିଇଓ ଅଫିସରେ ମଧ୍ୟ ବ୍ୟବସ୍ଥା କରାଯାଇଛି । ଗତ 10 ତାରିଖରେ ଭୋଟ ଗ୍ରହଣ ହୋଇଥିଲା ।

ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷାଫଳ, ପାସ୍‌ ହାର ୯୩.୧୨ ପ୍ରତିଶତ

ନୂଆଦିଲ୍ଲୀ: ସିବିଏସଇ ଦଶମ ରେଜଲ୍ଟ ପ୍ରକାଶିତ । ଏବର୍ଷ ଦେଶର ପାସ ହାର ରହିଛି ୯୩.୧୨% । ଗତବର୍ଷ ତୁଳନାରେ ଦେଶରେ କମିଛି ପାସ ହାର । ଚଳିତବର୍ଷ ୨୪,୪୮୦ ସ୍କୁଲରେ ପରୀକ୍ଷା ଦେଇଥିଲେ ୩୪ ଲକ୍ଷ ୮୦ହଜାର ଛାତ୍ରଛାତ୍ରୀ । ଚଳିତବର୍ଷ ଦିଲ୍ଲୀଠାରୁ ଓଡ଼ିଶା ରିଜିଅନରେ ଭଲ ରେଜଲ୍ଟ ହୋଇଛି । ଭୁବନେଶ୍ବର ରିଜିଅନରେ ପାସ୍‌ ହାର ୯୩.୬୪ ପ୍ରତିଶତ ରହିଛି । ପାସ୍ ହାରରେ ଟପ୍‌ରେ ରହିଛି କେରଳର ତ୍ରିଭେନ୍ଦ୍ରମ ରିଜିଅନ । ତ୍ରିଭେନ୍ଦ୍ରମରେ ପାସ ହାର ୯୯.୯୧ ପ୍ରତିଶତ ରହିଛି । ଗୌହାଟୀ ରିଜିଅନର ପାସ୍ ହାର ସବୁଠୁ କମ୍ । cbse.gov.in ରେ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । results.nic.in ଓ୍ବେବସାଇଟରୁ ବି ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ । ଚଳିତବର୍ଷ ପୁଅଙ୍କ ତୁଳନାରେ ଝିଅ ଭଲ ପ୍ରଦର୍ଶନ କରିଛନ୍ତି ବୋଲି ପରୀକ୍ଷା କଣ୍ଟ୍ରୋଲର କହିଛନ୍ତି ।