ରେସିଂରେ ବାଇକ କ୍ରାସ୍, ଆଖିବୁଜିଲେ ୧୩ ବର୍ଷ ବୟସ୍କ ବେଙ୍ଗାଳୁରୁ କିଡ୍ ଶ୍ରେୟସ ହରିଶ

1 min read

ଚେନ୍ନାଇ: ରେସିଂ ପ୍ରତିଯୋଗିତାରେ ୧୩ ବର୍ଷୀୟ ବାଇକ ରେସରଙ୍କ ମୃତ୍ୟୁ । ଚେନ୍ନାଇର ଇରୁଙ୍ଗାଟ୍ଟୁକୋଟମରେ ଆୟୋଜିତ ନ୍ୟାସନାଲ ମୋଟରସାଇକେଲ ରେସିଂ ଚାମ୍ପିଅନସିପରେ ରେସିଂ ପ୍ରତିଯୋଗିତାରେ ସାମିଲ ଥିବାବେଳେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି କୋପରମ ଶ୍ରେୟସ ହରିଶ । ଗତ ମେ ମାସରେ ସ୍ପେନରେ ଆୟୋଜିତ ଟୁ-ହୁଇଲର ରେସିଂ ବିଶ୍ବ ଚାମ୍ପିଅନସିପରେ ଫାଇନାଲରେ ପ୍ରବେଶ କରିବା କ୍ଷେତ୍ରରେ ଶ୍ରେୟସ ଥିଲେ ପ୍ରଥମ ଭାରତୀୟ ।

ବେଙ୍ଗାଲୁରୁ କିଡ୍ ନାମରେ ଖ୍ୟାତି ଅର୍ଜନ କରିଥିବା ଶ୍ରେୟସ ପ୍ରତିଯୋଗିତାରେ ଏକ ୨୦୦ ସିସି ମୋଟର ବାଇକ ଚଳାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଶ୍ରେୟସଙ୍କ ପଛରେ ଥିବା ଅନ୍ୟ ଜଣେ ଚାଳକ ଶ୍ରେୟସଙ୍କୁ ଗାଡିକୁ ଧକ୍କା ଦେବାରୁ ଶ୍ରେୟସ ଗୁରୁତର ଆହତ ହୋଇଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେତେବେଳକୁ ଶ୍ରେୟସଙ୍କ ମୃତ୍ୟୁ ଘଟିସାରିଥିଲା । ଶ୍ରେୟସଙ୍କ ମୃତ୍ୟୁ ପରେ ମାଡ୍ରାସ ମୋଟର ସ୍ପୋର୍ଟ୍ସ କ୍ଳବର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଗତ ଜୁଲାଇ ୨୬ ତାରିଖରେ ନିଜର ୧୩ ତମ ଜନ୍ମଦିନ ପାଳନ କରିଥିଲେ ଶ୍ରେୟସ । ଏଫଆଇଏମ ମିନି ଜିପିରେ କ୍ୟାରିୟର ଆରମ୍ଭ କରିଥିଲେ ଶ୍ରେୟସ ଏବଂ ୨୦୨୨ରେ ସେ ଚାମ୍ପିଅନସିପରେ ବିଜୟୀ ହୋଇଥିଲେ । ଟିଭିଏସ ପକ୍ଷରୁ ତାଙ୍କୁ ଏକ ବାଇକ ବି ଯୋଗାଇ ଦିଆଯାଇଥିଲା ।