spot_img
Home Blog Page 3125

ମୟୂରଭଞ୍ଜ ବହଳଦାରେ ଗୁଳିକାଣ୍ଡ, ବାଇପାସ୍ ନିକଟରେ ୩ ଦୁର୍ବୃତ୍ତଙ୍କ ଗୁଳିରେ ୨ ଜଣ ଗୁରୁତର ଆହତ

ମୟୂରଭଞ୍ଜ: ମୟୂରଭଞ୍ଜ ବହଳଦାରେ ଗୁଳିକାଣ୍ଡ । ୩ ଦୁର୍ବୃତ୍ତଙ୍କ ଗୁଳିରେ ୨ ଜଣ ଗୁରୁତର ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି । ତିନି ଜଣ ଦୁର୍ବୃତ୍ତ ବାଇକରେ ଆସି ଜଣକ ଘରେ ଡକାୟତି ପାଇଁ ଉଦ୍ୟମ କରୁଥିଲେ । ଦୁର୍ବୃତ୍ତଙ୍କ ଗତିବିଧି ଦେଖିବା ପରେ ପରିବାର ଲୋକ ସେମାନଙ୍କୁ ଘଉଡ଼ାଇ ଦେଇଥିଲେ । ପରେ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ । ଗୁଳିମାଡ଼ରେ ଗୌରବ ଦାସ ଓ ଅନ୍ୟ ଜଣେ ଯୁବକ କାର୍ତ୍ତିକ ସ୍ବାଇଁ ଆହତ ହୋଇଥିଲେ ।

ଗୁଳିକାଣ୍ଡ ପରେ ଘଟଣାସ୍ଥଳରୁ ଖସି ପଳାଇବା ବେଳେ ଜଣଙ୍କୁ କାବୁ କରି ଲୋକେ ନିସ୍ତୁକ ମାଡ଼ ମାରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଥିବା ଯୁବକଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ପରେ ସେମାନଙ୍କୁ ଜାମସେଦପୁରକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଘଟଣାସ୍ଥଳରୁ ଏକ ମାଉଜର ଜବତ କରିଛି ପୋଲିସ ।

ଆଜି ଘୋଷଣା ହେବ ମାଟ୍ରିକ ରେଜଲ୍ଟ ପ୍ରକାଶ ତାରିଖ

କଟକ: ଆଜି ଘୋଷଣା ହେବ ମାଟ୍ରିକ ରେଜଲ୍ଟ ପ୍ରକାଶ ତାରିଖ । ଦିନ ସାଢ଼େ ୧୧ଟାରେ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ପ୍ରେସମିଟରେ ତାରିଖ ଘୋଷଣା କରାଯିବ । କଟକ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ଏନେଇ ସୂଚନା ଦେଇଛନ୍ତି । ଗତ ମାର୍ଚ୍ଚ ୧୦ରୁ ୨୦ ଯାଏ ସମ୍ମେଟିଭ-୨ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପ୍ରାୟ ୫ ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ପରୀକ୍ଷାର୍ଥୀ । ଗତ ବର୍ଷ ମାଟ୍ରିକ ପରୀକ୍ଷାରେ ପାସ୍‌ ହାର ଥିଲା ୯୦.୫୫ ପ୍ରତିଶତ ।

ୟୁକ୍ରେନକୁ ଫ୍ରାନ୍ସ ଯୋଗାଇବ ହାଲୁକା ଲଢୁଆ ଟ୍ୟାଙ୍କ ଓ ସାଞ୍ଜୁଆ ଯାନ

କିଭ୍: ୟୁକ୍ରେନ ହେବ ବାହୁବଳୀ । ୟୁକ୍ରେନକୁ ହାଲୁକା ଲଢୁଆ ଟ୍ୟାଙ୍କ ଓ ସାଞ୍ଜୁଆ ଯାନ ଯୋଗାଇବା ଫ୍ରାନ୍ସ । ଏନେଇ ଘୋଷଣା କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ । ସାମରିକ ସହଯୋଗିତା ନେଇ ଉଭୟ ମାକ୍ରନ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ମଧ୍ୟରେ ଘୋଷଣାନାମା ଜାରି ହୋଇଛି । ଏହି ଯୁଦ୍ଧାସ୍ତ୍ର ପାଇଲେ ଋଷ ବିରୋଧରେ ଜୋରଦାର ସଂଘର୍ଷ କରିପାରିବ ୟୁକ୍ରେନ । ଏହା ସହ ଆକାଶ ମାର୍ଗରେ ଋଷର ଆକ୍ରମଣକୁ ପ୍ରତିହତ କରିବା ଲାଗି ୟୁକ୍ରେନକୁ ଫ୍ରାନ୍ସ ଏୟାର ଡିଫେନ୍ସ ସିଷ୍ଟମ ଯୋଗାଇବ । ଋଷ ବାହିନୀକୁ ଦୁର୍ବଳ କରିବା ଲାଗି ୟୁକ୍ରେନକୁ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମାକ୍ରନ । ଗତ ରବିବାର ଫ୍ରାନ୍ସ ଗସ୍ତରେ ଜେଲେନସ୍କି ଯାଇଥିବା ଅବସରରେ ସାମରିକ ସମ୍ପର୍କ ନେଇ ଦୁଇ ନେତା ଆଲୋଚନା କରିଥିଲେ ।

ସେପଟେ ଚଳିତ ବର୍ଷ ହିଁ ଋଷର ପରାଜୟ ଘଟିବ ବୋଲି ଦମ୍ଭୋକ୍ତି ବ୍ୟକ୍ତ କରିଛନ୍ତି ଜେଲେନସ୍କି । ଏହା ସହ ସାମରିକ ସହାୟତା କରୁଥିବାରୁ ସେ ପାଶ୍ଚାତ୍ୟ ରାଷ୍ଟ୍ର ଓ ଜର୍ମାନୀକୁ ଦେଇଛନ୍ତି ଧନ୍ୟବାଦ । ଆସନ୍ତା ଦିନରେ ଖୁବ ଶୀଘ୍ର ଋଷ ବିରୋଧରେ ଜୋରଦାର ହମଲା କରିବା ଲାଗି ଧମକ ଦେଇଛନ୍ତି ଜେଲେନସ୍କି । ସେପଟେ ୟୁକ୍ରେନକୁ ବ୍ରିଟେନ ଶତାଧିକ ଏୟାର ଡିଫେନ୍ସ ସିଷ୍ଟମ ଓ ଲଙ୍ଗରେଞ୍ଜ ଡ୍ରୋନ ଯୋଗାଇବ ବୋଲି ସୂଚନା ମିଳିଛି ।

ଆଜି ଯାତ୍ରା କରିବ ବାତିଲ ହୋଇଥିବା ଇଣ୍ଡିଗୋ ବିମାନ, ଦିନ ୧୧ଟା ୪୦ରେ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବେ ଯାତ୍ରୀ

ଭୁବନେଶ୍ୱର: ଆଜି ଯାତ୍ରା କରିବ ବାତିଲ ହୋଇଥିବା ଇଣ୍ଡିଗୋ ବିମାନ । ଦିନ ୧୧ଟା ୪୦ରେ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବେ ଯାତ୍ରୀ । ଗତକାଲି ଭୁବନେଶ୍ୱର ବିମାନ ବନ୍ଦରରେ ଭୁବନେଶ୍ୱର-ଅହମ୍ମଦାବାଦ ଭାୟା କୋଲକାତା ବିମାନ ବାତିଲ ହେବାରୁ ଯାତ୍ରୀମାନେ ହଟ୍ଟଗୋଳ କରିଥିଲେ । ବିମାନ ବାତିଲ ନେଇ ଇଣ୍ଡିଗୋ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲା ।

ଗତକାଲି ରାତି ୯ଟା ୩୦ରେ ବିମାନ ଟେକଅପ୍ କରିବାର ଥିଲା । ଯାତ୍ରୀମାନେ ଦୁଇ ଘଣ୍ଟା ପୂର୍ବରୁ ବୋର୍ଡିଂ କରିଥିଲେ । ରାତି ୧୧.୩୦ରେ ବିମାନ ପହଞ୍ଚିଥାନ୍ତା । କିଛି ଯାତ୍ରୀ ଜରୁରୀ କାମରେ ଯାଉଥିବା ବେଳେ, କିଛି ଯାତ୍ରୀ ମେଡିକାଲ କାମରେ ଯାଉଥିଲେ । ହେଲେ ବିମାନ ବାତିଲ ନେଇ ଇଣ୍ଡିଗୋ ପକ୍ଷରୁ ଆଗୁଆ ସୂଚନା ଦିଆଯାଇନଥିଲା । ଯାହାକୁ ନେଇ ଯାତ୍ରୀମାନେ ହୋହଲ୍ଲା କରିଥିଲେ । ପରେ କମ୍ପାନୀ ପକ୍ଷରୁ ସମସ୍ତ ଯାତ୍ରୀଙ୍କୁ ହୋଟେଲରେ ରହିବାର ବ୍ୟବସ୍ଥା କରାଯାଇଥିଲା । ଆଜି ଯାତ୍ରୀମାନେ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବେ ।

ଥାଇଲାଣ୍ଡରେ ଦଶନ୍ଧି ବ୍ୟାପୀ ସାମରିକ ଶାସନର ଅବସାନ, ସାଧାରଣ ନିର୍ବାଚନରେ ଗଣତନ୍ତ୍ରପନ୍ଥୀଙ୍କ ବିଜୟ

ନୂଆଦିଲ୍ଲୀ: ଥାଇଲାଣ୍ଡରେ ଦଶନ୍ଧି ବ୍ୟାପୀ ସାମରିକ ଶାସନର ଅବସାନ । ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଗଣତନ୍ତ୍ରପନ୍ଥୀଙ୍କ ହୋଇଛି ବିଜୟ । ମୁଭ ଫରଓ୍ବାର୍ଡ ପାର୍ଟି ବା ଏମଏଫପି ସର୍ବାଧିକ ୧୫୧ ଆସନ ଲାଭ କରିଥିବାବେଳେ ସରକାର ଗଠନ ଲାଗି ପ୍ରସ୍ତୁତ ହୋଇଛି । ୫୦୦ ସଦସ୍ୟ ବିଶିଷ୍ଟ  ସଂସଦ ଲାଗି ହୋଇଥିବା ନିର୍ବାଚନରେ ପିଟା ଲିମଜାରୋନେରାଟ ନେତୃତ୍ବାଧୀନ ଏମଏଫପିକୁ ୧୫୧ ଆସନ, ପାତେନୋତାର୍ନ ସିନାବାତ୍ରା ନେତୃତ୍ବାଧୀନ ଫିଉ ଥାଇକୁ ୧୪୧ ଆସନ ମିଳିଛି । ଅନୁତିନ ଚାର୍ମବୀରକୁଳ ନେତୃତ୍ବାଧୀନ ଭୁମଜାଇଥାଇ ଦଳକୁ ୭୦ ଆସନ ମିଳିଛି । ପ୍ରବୀତ ଉଙ୍ଗସୁଆନ ନେତୃତ୍ବାଧୀନ ପାଲାଙ୍ଗ ପ୍ରଚାରତ ଦଳକୁ ମିଳିଛି ୪୦ ଆସନ । ପ୍ରୟୁତ ଚାନ ଚାଚା ନେତୃତ୍ବାଧୀନ ୟୁନାଇଟେଡ ଥାଇ ନ୍ୟାସନାଲ ପାର୍ଟି ବା ୟୁଟିଏନକୁ ମିଳିଛି ୩୬ ଆସନ । ୟୁଟିଏନକୁ ସାମରିକ ଜୁଣ୍ଟା ସମର୍ଥନ କରୁଛି । ଏମଏଫପି ନେତା ପିଟା ସମ୍ଭବତଃ ପ୍ରଧାନମନ୍ତ୍ରୀ ହେବାର ଆଶା ଉଜ୍ଜ୍ବଳ ହୋଇଛି । ନିର୍ବାଚନରେ ଭାଗ ନେଇଥିଲେ ମୋଟ ୬୭ଟି ରାଜନୈତିକ ଦଳ ।

ତେବେ ଏହି ନିର୍ବାଚନରେ ସିନାବାତ୍ରାଙ୍କ ଦଳ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଫିଉ ଥାଇ ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଲୟନେୟାର ଥାକସିନ ସିନାବାତ୍ରାଙ୍କ ଦ୍ବାରା ପ୍ରତିଷ୍ଠିତ ଦଳ । ୨୦୦୧ ପରଠାରୁ ସିନାବାତ୍ରାଙ୍କ ଦଳ ଅନ୍ୟ ଦଳ ସହାୟତାରେ ସରକାର ଗଠନ କରିଆସୁଥିଲା । ଗତ ୨୦୧୪ରେ ସାମରିକ ବିଦ୍ରୋହ ଜରିଆରେ ପୂର୍ବତନ ସେନାମୁଖ୍ୟ ପ୍ରୟୁତ ଚାନ ଚାଚା କ୍ଷମତା ଦଖଲ କରିବା ପରଠାରୁ ଦେଶରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଆସୁଥିଲା । ଯଦିଓ ଏମଏଫପି ଓ ଫିଉ ଥାଇ ସଂଖ୍ୟାଗରିଷ୍ଠତା ଲାଭ କରିଛନ୍ତି ତଥାପି ୨୦୧୭ରେ କରାଯାଇଥିବା ସମ୍ବିଧାନ ସଂଶୋଧନ ଅନୁସାରେ ଉଭୟ ଦଳ ମିଳିତ ସରକାର ଗଠନ କରିବା କଷ୍ଟସାଧ୍ୟ ହେବ । ନିୟମ ଅନୁସାରେ ନୂଆ ପ୍ରଧାନମନ୍ତ୍ରୀଙ୍କୁ ୫୦୦ ନବନିର୍ବାଚିତ ସାଂସଦ ଓ ପ୍ରୟୁତଙ୍କ ଜୁଣ୍ଟା ପାର୍ଟି ଅର୍ଥାତ ୟୁଟିଏନ ଦ୍ବାରା ନିଯୁକ୍ତି ୨୫୦ ସିନେଟ ସଦସ୍ୟ ଚୟନ କରିବେ ।

ଆସନ୍ତା ଦୁଇଦିନ ଆହୁରି ବଢିବ ତାପମାତ୍ରା, କିଛି ସ୍ଥାନରେ ୪୫ ଡିଗ୍ରୀ ଛୁଇଁପାରେ ତାତି

ଭୁବନେଶ୍ୱର: ରାଜ୍ୟରେ ପୁଣି କଲବଲ କରୁଛି ତାତି । ଜଳୁଛି ପଶ୍ଚିମ ଓଡ଼ିଶା । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟରେ ଆହୁରି ବଢ଼ିବ ତାପମାତ୍ରା । ପ୍ରବଳ ଗ୍ରୀଷ୍ମପ୍ରବାହ ସହ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେବେ ରାଜ୍ୟବାସୀ । ବିଭିନ୍ନ ସ୍ଥାନରେ ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ ଏବଂ କିଛି ଜିଲ୍ଲାରେ ୭ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବା ସମ୍ଭାବନା ରହିଛି । କିଛି ସ୍ଥାନରେ ତାତି ୪୫ ଡିଗ୍ରୀ ଅତିକ୍ରମ କରିପାରେ । ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଆଜି ୮ଟି ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡ଼ିଶାର ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ଦିନ ୧୧ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ପିକ୍ ଆଓ୍ୱାର ଘୋଷଣା କରାଯାଇଛି । ଏହି ସମୟରେ ବୟସ୍କ ଏବଂ ଶିଶୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହକୁ ନଜରରେ ସବୁ ଜିଲ୍ଲାପାଳ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଗତକାଲି ରାଜ୍ୟର ୧୬ ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରେକର୍ଡ ହୋଇଥିଲା । ୪୪.୪ ଡିଗ୍ରୀ ସହ ବଲାଙ୍ଗୀର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା ।

ମଣିପୁରରେ ତଥାପି ଥମୁନି ହିଂସା, ବିଭିନ୍ନ ସ୍ଥାନରେ ସଂଘର୍ଷ ଜାରି

ଇମ୍ଫାଲ: ମଣିପୁରରେ ତଥାପି ଥମୁନି ହିଂସା । ଅନେକ ସ୍ଥାନରେ ଜାରି ରହିଛି ସଂଘର୍ଷ । ସେନା ମୁତୟନ ସତ୍ତ୍ୱେ ଉତ୍ତେଜନା ଥମୁନଥିବାରୁ ଇଣ୍ଟରନେଟ ସେବା କଟକଣାକୁ ଆଜି ଯାଏ ବୃଦ୍ଧି କରାଯାଇଛି । ସେପଟେ କୁକୀଙ୍କ ଲାଗି ସ୍ୱତନ୍ତ୍ର ପ୍ରାଶାସନିକ ଅଞ୍ଚଳ ଗଠନ କରିବା ଲାଗି ବିଜେପିର ୮ ଓ କୁକୀ ସମ୍ପ୍ରଦାୟର ୨ ବିଧାୟକଙ୍କ ଦାବିକୁ ଅଗ୍ରାହ୍ୟ କରିଛନ୍ତି ରାଜ୍ୟ ସରକାର । ମେତେଇ ଓ କୁକୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଥିବାରୁ ବିଭିନ୍ନ ସ୍ଥାନରେ ସେନା ସଜାଗ ଦୃଷ୍ଟି ରଖିଛି । ହ୍ବାଟ୍ସଆପ, ଇନଷ୍ଟାଗ୍ରାମ, ଫେସବୁକ, ଟ୍ୱିଟର ଆଦି ଜରିଆରେ ପ୍ରସାରିତ କୌଣସି ପ୍ରକାର ଗୁଜବରେ ବିଶ୍ବାସ ନ କରିବା ଲାଗି ରାଜ୍ୟବାସୀଙ୍କୁ ପରାମର୍ଶ ଦିଆଯାଇଛି ।

ତେଣେ ମଣିପୁରରେ ହିଂସା ପ୍ରତିବାଦରେ ଦିଲ୍ଲୀରେ ମଣିପୁରବାସୀ ଧାରଣା ଦେଇଛନ୍ତି ।  ଆଦିବାସୀ ମାନ୍ୟତା ଦେବା ଲାଗି ମେତେଇମାନେ ଦାବି କରିବା ପରେ ପରେ ଗତ ମେ ୩ ତାରିଖରୁ ମଣିପୁରରେ ହିଂସା ଜାରି ରହିଛି । ରାଜ୍ୟର ୧୦ଟି ପର୍ବତାଞ୍ଚଳରେ ହିଂସା ଯୋଗୁ ୬୦ ଲୋକଙ୍କ ପ୍ରାଣହାନି ହୋଇଥିବାବେଳେ ୧୭୦୦ରୁ ଅଧିକ ଗୃହଦାହ କରାଯାଇଛି । ବିଭିନ୍ନ ଘଟଣାରେ ୧୩ ହଜାରରୁ ଅଧିକ ଲୋକ ଗୃହହୀନ ହୋଇ ସେନା ଶିବିରରେ ଆଶ୍ରୟ ନେଇଛନ୍ତି । ଶାନ୍ତି ରକ୍ଷା ଲାଗି ସେନା, ରାପିଡ ଆକ୍ସନ ଫୋର୍ସ ଓ ଆସାମ ରାଇଫଲ୍ସକୁ ସଜାଗ ରଖାଯାଇଛି । ରାଜ୍ୟର ସ୍ଥିତି ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂ । ରାଜ୍ୟରେ ମେତେଇଙ୍କ ସଂଖ୍ୟା ୫୩ ପ୍ରତିଶତ ହୋଇଥିବାବେଳେ ନାଗା ଓ କୁକୀଙ୍କ ଆଦିବାସୀଙ୍କ ସଂଖ୍ୟା ରହିଛି ୪୦ ପ୍ରତିଶତ । ବର୍ତ୍ତମାନର ନିୟମ ଅନୁସାରେ ଇମ୍ଫାଲ ଭ୍ୟାଲି ଅଞ୍ଚଳରେ ମେତେଇମାନେ ଆଦିବାସୀ ବହୁଳ ପାର୍ବତ୍ୟାଞ୍ଚଳରେ ଜାଗା କିଣିପାରିବେ ନାହିଁ । ମାତ୍ର ଆଦିବାସୀମାନେ ସେଠାରେ ଜମି କିଣିପାରିବେ ।

 

ଆଜି ଦୁବାଇରେ ପାଳିତ ହେବ ଓଡ଼ିଶା ଦିବସ, ସନ୍ଧ୍ୟାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଦୁବାଇ: ଆଜି ଦୁବାଇରେ ପାଳିତ ହେବ ଓଡ଼ିଶା ଦିବସ । ଓଡ଼ିଶାରୁ ଦୁବାଇକୁ ସିଧାସଳଖ ବିମାନ ସେବା ଶୁଭାରମ୍ଭ ଅବସରରେ ଏହି ଉତ୍ସବ ପାଳନ କରାଯିବ । ଓଡ଼ିଶା ସରକାର ଓ ଦୁବାଇରେ ଅବସ୍ଥାପିତ ଭାରତୀୟ ଦୁତାବାସର ମିଳିତ ଉଦ୍ୟମରେ ଆୟୋଜିତ ହେଉଛି ଉତ୍ସବ । ସନ୍ଧ୍ୟାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଅନେକ ବରିଷ୍ଠ ବ୍ୟକ୍ତିବିଶେଷ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଗତକାଲି ଭୁବନେଶ୍ବରରୁ ଦୁବାଇକୁ ସିଧା ବିମାନସେବାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସାମଗ୍ରିକ ଅଭିବୃଦ୍ଧି ପାଇଁ ଆନ୍ତର୍ଜାତିକ ସଂଯୋଗୀକରଣ ଗୁରୁତ୍ବପୂର୍ଣ୍ଣ । ଶିଳ୍ପର ବିକାଶ ହେଉ କି ନିବେଶ, ପର୍ଯ୍ୟଟନକୁ ପ୍ରୋତ୍ସାହନ କିମ୍ବା ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ଯୋଗାଯୋଗ ଆନ୍ତର୍ଜାତିକ ସଂଯୋଗୀକରଣ ଆବଶ୍ୟକ।

ୟୁରୋପ ଓ ଆମେରିକା ବଜାର ପାଇଁ ଦୁବାଇ ହେଉଛି ମଧ୍ୟପ୍ରାଚ୍ୟର ଗେଟ୍ ଓ୍ବେ। ଆନ୍ତର୍ଜାତିକ ସଂଯୋଗୀକରଣ ଦିଗରେ ଓଡ଼ିଶା ଲେଖିଛି ନୂଆ ଅଧ୍ୟାୟ। ପ୍ରଥମ ଦିନରେ ୧୭୦ ଜଣ ଯାତ୍ରୀ ଦୁବାଇ ଯାତ୍ରା କରିଥିବାବେଳେ ଦୁବାଇରୁ ମଧ୍ୟ ୧୭୦ ଜଣ ଯାତ୍ରୀ ଓଡ଼ିଶା ଆସିଥିଲେ । ଯାତ୍ରୀଙ୍କ ଭିତରେ ରହିଛନ୍ତି ମିଶନ ଶକ୍ତି ସଦସ୍ୟ, କ୍ରୀଡ଼ାବିତ ପ୍ରମୁଖ । ଏୟାରକ୍ରାଫ୍ଟ କ୍ରିୟୁଙ୍କ ସହ ମୋଟ୍ ୧୭୦ ଜଣ ଭୁବନେଶ୍ୱରରୁ ଦୁବାଇ ଯାଇଛନ୍ତି ।

ମୋତେ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି ବିଧାୟକମାନେ: ସିଦ୍ଧରମେୟା, କଣ କହିଲେ ଶିବକୁମାର?

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସିଦ୍ଧରମେୟା ଏବଂ ଡିକେ ଶିବକୁମାରଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଛି । ଗୋଟିଏ ପଟେ ଡିକେ ଶିବକୁମାର ସୋମବାର ଦିଲ୍ଲୀ ଯିବା ପାଇଁ ମନା କରିଦେଇଥିବା ବେଳେ ଅନ୍ୟପକ୍ଷରେ ସିଦ୍ଧରମେୟା ଦାବି କରିଛନ୍ତି ଯେ ଅଧିକତର ବିଧାୟକ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି । ସିଦ୍ଧରମେୟାଙ୍କ ଏହି ଚାଲ ଆଗରେ ଶିବକୁମାର ଫଶିଯାଉଥିବାର ନଜର ଆସିଛନ୍ତି । ପ୍ରଥମେ ତ ସେ ଆଜି ଦିଲ୍ଲୀ ଗଲେନାହିଁ ଏବଂ ପରେ କହିଥିଲେ ଯେ ମୁଁ ମଙ୍ଗଳବାର ହାଇକମାଣ୍ଡକୁ ଭେଟିବାକୁ ଯିବି । ସିଏମ ପଦକୁ ନେଇ ଦଳ ହାଇକମାଣ୍ଡ ନିଷ୍ପତ୍ତି ନେବ ।

ମୁଁ କୌଣସି ବି ବିଧାୟକ ଚାହୁଁନାହିଁ ତାହା ୧୨୫ ହେଉ ବା ୧୩୫ । ସେମାନେ ସବୁ କଂଗ୍ରେସ ଦଳର ବିଧାୟକ ଅଟନ୍ତି ବୋଲି ଶିବକୁମାର କହିଥିଲେ । ଅବଶ୍ୟ ଶିବକୁମାରଙ୍କ ଭାଇ ଡିକେ ସୁରେଶ ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିବାକୁ ତାଙ୍କ ଆବାସରେ ପହଞ୍ଚିଛନ୍ତି । ଉଭୟଙ୍କ ମଧ୍ୟରେ କଣ ଆଲୋଚନା ହେଲା ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିପାରିନାହିଁ । ସେହିପରି ସିଦ୍ଧରମେୟା ସୋମବାର ଦିଲ୍ଲୀରେ ପହଞ୍ଚିଥିଲେ । ଯେତବେଳେ ସିଦ୍ଧରମେୟାଙ୍କୁ ପଚରାଯାଇଥିଲା ଯେ ଯଦି ଡିକେ ଶିବକୁମାରଙ୍କୁ ଦଳ ମୁଖ୍ୟମନ୍ତ୍ରୀ କରେ ତେବେ କଣ ସେ ତାଙ୍କର ସମର୍ଥନ କରିବେ । ଏହାର ଜବାବରେ ସେ କହିଥିଲେ ଏପରି ସ୍ଥିତି ଉପୁଜିବ ହିଁ ନାହିଁ । ମୋ ହିସାବରେ ଅଧିକତର ବିଧାୟକ ମୋତେ ଭୋଟ ଦେଇଛନ୍ତି ।

ଅନ୍ୟପକ୍ଷରେ କଂଗ୍ରେସ ନେତା ରଣଦୀପ ସୁରେଜୱାଲା କହିଛନ୍ତି ଯେ, ଦଳ ସଭାପତିଙ୍କ ପକ୍ଷରୁ ୩ଜଣ ପର୍ଯ୍ୟବେକ୍ଷକଙ୍କୁ ବେଙ୍ଗାଲୁରୁ ପଠାଯାଇଥିଲା । ସେମାନେ ନବନିର୍ବାଚିତ ବିଧାୟକମାନଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଏକ ରିପୋର୍ଟ ପ୍ରସ୍ତୁତ କରି ରାଷ୍ଟ୍ରୀୟ ସଭାପତିଙ୍କୁ ହସ୍ତାନ୍ତର କରିଛନ୍ତି । ଏହି ରିପୋର୍ଟ ଆଧାରରେ କଂଗ୍ରେସ ସଭାପତି ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ ଯେ କିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ । ଆସନ୍ତାକାଲି ସୁଦ୍ଧା ମୁଖ୍ୟମନ୍ତ୍ରୀ ନେଇ ସ୍ପଷ୍ଟ ସୂଚନା ମିଳିଯିବ ବୋଲି ଅନୁମାନ କରାଯାଉଛି ।

କର୍ଣ୍ଣାଟକ ନିର୍ବାଚନ ଫଳ ପରେ ବଦଳିଲା ଦିଦିଙ୍କ ଆଭିମୁଖ୍ୟ, କହିଲେ କଂଗ୍ରେସକୁ ସମର୍ଥନ କରିବୁ ଯଦି….

କୋଲକାତା: କର୍ଣ୍ଣାଟକ ନିର୍ବାଚନ ଫଳ ପରେ ନରମିଲେ ଦିଦି । କଂଗ୍ରେସ ପ୍ରତି ବଦଳିଛି ଫାୟାର ବ୍ରାଣ୍ଡ ଲିଡର ମମତା ବାନାର୍ଜୀଙ୍କ ଆଭିମୁଖ୍ୟ । ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସକୁ ସମର୍ଥନ କରିବା ନେଇ ଦିଦି କହିଛନ୍ତି । କହିଛନ୍ତି- ଯେଉଁ ସବୁ ରାଜ୍ୟରେ କଂଗ୍ରେସ ପ୍ରମୁଖ ଦଳ ରହିଛି ସେହି ସବୁ ରାଜ୍ୟରେ କଂଗ୍ରେସକୁ ଟିଏମସି ସମର୍ଥନ କରିବାକୁ ପ୍ରସ୍ତୁତ । ତେବେ କଂଗ୍ରେସ ବି ଟିଏମସି ପ୍ରତି ସମାନ ଆଭିମୁଖ୍ୟ ପ୍ରଦର୍ଶନ କରିବା ଉଚିତ ବୋଲି ସେ କହିଛନ୍ତି ।

ଏହି ନୀତି ଅନୁସାରେ ଉଭୟ ଦଳ ମଧ୍ୟରେ ସମନ୍ବୟ ରହିବ ଏବଂ ରାଜ୍ୟସ୍ତରରେ ଦୁଇ ଦଳ ପରସ୍ପରକୁ ସମର୍ଥନ କରିବା ଉଚିତ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଟିଏମସିର ଆକଳନ ଅନୁସାରେ ଦେଶରେ କଂଗ୍ରେସ ୨୦୦ ଆସନ ଲାଭ କରିବ । ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଶକ୍ତିଶାଳୀ ରହିଛି । ତେଣେ ସେଠାରେ ଏସପିକୁ ଟିଏମସି ସମର୍ଥନ କରିବ । ଦେଶରେ ବିରୋଧୀ ଦଳ ମଧ୍ୟରେ ଏକତାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।