ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ

ବାରିପଦା: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲଙ୍କ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତ । ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ସହିତ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ସମ୍ପର୍କରେ ସମୀକ୍ଷା କରିଛନ୍ତି ଡିଜିପି ବଂଶଲ । ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ସମ୍ପର୍କରେ ସମୀକ୍ଷା କରିବା ସହ ଆଗାମୀ ଦିନରେ ସୁରକ୍ଷା ବ୍ୟବସ୍ଥା କିପରି କଡ଼ାକଡ଼ି ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଦୁଇ ବନକର୍ମଚାରୀଙ୍କ ହତ୍ୟା ପରେ ସର୍ଚ୍ଚ ଅପରେସନ, ବିଭିନ୍ନ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ଓ ମାରଣାସ୍ତ୍ର ଆଦି ଜବତ କରାଯାଇଥିବା ବେଳେ ପୋଲିସର ଏହି ସଫଳତାକୁ ପୋଲିସ ଡିଜିପି ପ୍ରଶଂସା କରିଛନ୍ତି । ବନବିଭାଗ ସହ ଶିମିଳିପାଳ ପାଇଁ ଗଠିତ ଜଏଣ୍ଟ ଟାସ୍କଫୋର୍ସ ଅଭୟାରଣ୍ୟକୁ ସୁରକ୍ଷା ଦେବାରେ ଅଧିକ ପଦକ୍ଷେପ ଗ୍ରହଣ କରିବେ ବୋଲି ଡିଜିପି ବଂଶଲ କହିଛନ୍ତି ।

ଅଭୟାରଣ୍ୟକୁ ଶିକାରୀ ଓ ଶିକାରମୁକ୍ତ କରିବା ସମ୍ପର୍କରେ ଆଇଜି ଓ ଏସପିଙ୍କ ସହ ଆଲୋଚନା କରିଛନ୍ତି । ପୋଲିସ ଏଡିଜି ସଞ୍ଜୟ କୁମାର, ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ ଡ. ପ୍ରକାଶ ଚନ୍ଦ୍ର ଗୋଗେନାନୀ ପ୍ରମୁଖ ଡିଜିପିଙ୍କ ଗସ୍ତ ବେଳେ ସାମିଲ ହୋଇଥିଲେ ।