spot_img
Home Blog Page 3083

ଜେଲ୍ ନା ପଞ୍ଚତାରକା ହୋଟେଲ ? କଏଦୀଙ୍କୁ ମିଳିଥାଏ ବିଳାସପୂର୍ଣ୍ଣ ସୁବିଧା

ନନ୍ଦିଘୋଷ ବ୍ୟୁରୋ: ଜେଲ୍ ନାଁ ଶୁଣିଲେ ହଠାତ ମନକୁ ଆସିଯାଏ, କାଳକୋଠରୀ ଆଉ ଯନ୍ତ୍ରଣା। ଯେଉଁଠି  ଜଣେ ବ୍ୟକ୍ତି  ବଡ଼ବଡ଼ କାନ୍ଥ ଥିବା ଅନ୍ଧାରୀ କୋଠରୀ ମଧ୍ୟରେ ବନ୍ଦୀ ଜୀବନ ବିତାଉଥିବେ । ବିଭିନ୍ନ ଫିଲ୍ମରେ ଆପଣ ଜେଲ ଭିତରର କାଳ୍ପନିକ ଦୃଶ୍ୟ ହୁଏତ ଦେଖିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଜେଲ୍ ବିଷୟରେ କହିବୁ, ଯେଉଁଠି କଏଦୀମାନଙ୍କୁ ମିଳିଥାଏ ବିଳାଶପୂର୍ଣ୍ଣ ସୁବିଧା ଏପରିକି ଏହି ଜେଲ୍ ତୁଳନାରେ ହୁଏତ ଫାଇଭ୍ ଷ୍ଟାର ହୋଟେଲ ମଧ୍ୟ ପଛରେ ପଡିଯିବ  

ବଷ୍ଟାଇ ଜେଲ୍, ନରୱେ – ଏହି ଜେଲ୍ ବଷ୍ଟାଇର ଆଇଲାଣ୍ଡରେ ରହିଛି । ଯେଉଁଠି ୧୦୦ରୁ ଅଧିକ କଏଦୀ ରହିଛନ୍ତି । କଏଦୀଙ୍କୁ ମିଳୁଥିବା ସୁବିଧା ପାଇଁ ଏହି ଜେଲ୍ ଖୁବ୍  ଚର୍ଚ୍ଚାରେ । ଏଠି କଏଦୀଙ୍କ ମନୋରଞ୍ଜନ ପାଇଁ ବହୁ ବ୍ୟବସ୍ଥା କରାଯାଇଛି । ଟେନିସ୍, ଘୋଡାଦୌଡ ଓ ମାଛ ଧରିବା ଭଳି ସୁବିଧା ରହିଛି ।

ଏଚଏମପି ଅଡ୍ଡେବେଲ୍ଲ, ସ୍କଟଲାଣ୍ଡ- ଏହି ଜେଲକୁ ଲର୍ଣ୍ଣିଂ ପ୍ରିଜନ ମଧ୍ୟ କୁହାଯାଏ । ଏଠି କଏଦୀଙ୍କୁ ସପ୍ତାହରେ ୪୦ ଘଣ୍ଟା କିଛିନା କିଛି ଶିକ୍ଷା ଦିଆଯାଏ । ଯାହାଦ୍ୱାରା ଜେଲରୁ ବାହାରିବା ପରେ କଏଦୀ ଜଣକ ଏକ ଭଲ ଜୀବନଯାପନ କରିପାରିବ । ଏଠାରେ ୭୦୦ରୁ ଅଧିକ କଏଦୀଙ୍କୁ କିଛିନା କିଛି ଟ୍ରେନିଂ ଦିଆଯାଏ । ଏହା ଦୁନିଆର ସବୁଠୁ ଭଲ ଜେଲ୍ ଭାବେ ପରିଗଣିତ ।

ଅଟାଗୋ କରେକ୍ସନ ଫେସିଲିଟି, ନ୍ୟୁଜିଲାଣ୍ଡ- ଏଠି କଏଦୀଙ୍କ ସ୍କିଲ୍ ଡେଭଲପମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଏ । ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯାଏ । ଏହି ଜେଲର ମୁଖ୍ୟ ଲକ୍ଷ୍ୟ ହେଉଛି, ଜେଲରୁ ବାହାରିବା ପରେ କଏଦୀ ଜଣକ ଭଲ ଆୟ କରିବା ସହ ଏକ ସ୍ୱଚ୍ଛନ୍ଦ ଲାଇଫଷ୍ଟାଇଲ ବଞ୍ଚିପାରିବ ।

ଜଷ୍ଟିସ୍ ସେଣ୍ଟର ଲୋବେନ୍, ଅଷ୍ଟ୍ରିଆ- ଏହି ଜେଲରେ ରହୁଥିବା କଏଦୀମାନଙ୍କୁ ବ୍ୟକ୍ତିଗତ ରୁମ୍ ଦିଆଯାଇଥାଏ । ଯାହାସହିତ ପ୍ରାଇଭେଟ୍ ବାଥରୁମର ସୁବିଧା ଦିଆଯାଇଥାଏ । ଏହାବ୍ୟତୀତ ଏକ କିଚେନ୍, ଟିଭି ମଧ୍ୟ ମିଳିଥାଏ । ଏପରିକି ଏହି ଜେଲରେ କଏଦୀଙ୍କୁ ଜିମ୍ ଓ ବାସ୍କେଟବଲ୍ କୋର୍ଟ ମଧ୍ୟ ମିଳିଥାଏ ।

ଅରନଜୁଏଜ୍ ପ୍ରିଜନ୍, ସ୍ପେନ୍- ଅନ୍ୟ ଜେଲ୍ ଠାରୁ ଏହି ଜେଲ ଖୁବ୍ ଭିନ୍ନ । ଏହାକୁ କଏଦୀ ମାନଙ୍କ ସ୍ୱର୍ଗ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । କାରଣ  ଯେଉଁ କଏଦୀଙ୍କ ପିଲାମାନେ ଛୋଟ୍ ସେମାନେ ପୂରା ପରିବାର ସହ ଜେଲରେ ରହିପାରିବେ । ଏମିତିକି ପିଲାମାନଙ୍କ ପାଇଁ ଏଠାରେ ସ୍କୁଲ ମଧ୍ୟ ରହିଛି । ଏହାଦ୍ୱାରା ପିଲାମାନେ ନିଜ ମା’ ବାପାଙ୍କ ସ୍ନେହରୁ ବଞ୍ଚିତ ହେବେ ନାହିଁ ।

ମଣିପୁରରେ ଥମୁନି ହିଂସା, ଶାନ୍ତି ପ୍ରସଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଖଡଗେ

ଇମ୍ଫାଲ: ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଥମୁନି ହିଂସା । ସଶସ୍ତ୍ର ପୋଲିସ ମୁତୟନ ସତ୍ତ୍ବେ ଜାରି ରହିଛି ହିଂସା ଓ ପୋଡ଼ାଜଳା । ସ୍ଥିତି ସ୍ବାଭାବିକ କରିବାରେ ବିଫଳ ରାଜ୍ୟ ସରକାର । ସେପଟେ ଆଜି ମଣିପୁରରେ ଶାନ୍ତି ପ୍ରସଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବରେ ଏକ ଟିମ୍। ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ।

ସେ କହିଛନ୍ତି- ମଣିପୁରରେ କିଛି ଦିନ ଧରି ହିଂସା ଜାରି ରହିଛି । ରାଜ୍ୟରେ 355 ଧାରା ବଳବତ୍ତର ରହିଛି। ଏହା ସତ୍ତ୍ବେ ହିଂସା ଥମିବାର ନାଁ ନେଉନାହିଁ । ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି । ଗତକାଲି ହିଂସାରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ । ମଣିପୁରର ବିଭିନ୍ନ ସ୍ଥାନରେ ଉଗ୍ରବାଦୀମାନେ ସାଧାରଣ ଲୋକଙ୍କ ଉପରେ ଗୁଳି ଚାଳନା କରିବା ଯୋଗୁ ସ୍ଥିତି ପୁଣିଥରେ ଉତ୍ତେଜନାପୂର୍ଣ୍ଣ ହୋଇଛି ।

ରାଜ୍ୟରେ ୪୦ ସଶସ୍ତ୍ର ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂ କହିଥିବା ସତ୍ତ୍ବେ ସ୍ଥିତିରେ କୌଣସି ସୁଧାର ଆସୁନାହିଁ । ଏବେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଜାରି ରହିଛି । ରାଜ୍ୟରେ ସେନା ଓ ଆସାମ ରାଇଫଲ୍ସର ୧୦ ହଜାରରୁ ଅଧିକ ଯବାନ ମୁତୟନ ହୋଇଥିଲେ ବି ହିଂସା ନିୟନ୍ତ୍ରଣ ବାହାରେ ରହିଛି । ଆଦିବାସୀ ମାନ୍ୟତା ଦେବା ଲାଗି ମେତେଇମାନେ ଦାବି କରିବା ପରେ ପରେ ଗତ ମେ ୩ ତାରିଖରୁ ମଣିପୁରରେ ହିଂସା ଜାରି ରହିଛି ।

ଆଇପିଏଲ୍ ୨୦୨୩: ୫ଥର ପାଇଁ ଟାଇଟଲ୍ ହାତେଇଲେ ଚେନ୍ନାଇ

ଅହମ୍ମଦାବାଦ: ଆଇପିଏଲ୍ ୨୦୨୩ ଟାଇଟଲ ଜିତିଲା ଧୋନୀ ବାହିନୀ। ବର୍ଷା ଓ ଗୁଜରାଟକୁ ମାତ୍ ଦେଇ ଚାମ୍ପିଅନର ଖିତାବ୍ ଜିତିଲା ଚେନ୍ନାଇ ସୁପରକିଙ୍ଗସ। ଗତକାଲି ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ ଫାଇନାଲ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ପରାସ୍ତ କରିଛି ଚେନ୍ନାଇ। ଏହି ବିଜୟ ସହ ପଞ୍ଚମ ଥର ପାଇଁ ଆଇପିଏଲ ଟାଇଟଲ ହାସଲ କରିଛି ଚେନ୍ନାଇ ।

ଆଇପିଏଲ ଇତିହାସରେ ମୁମ୍ବାଇର ୫ଟି ଟାଇଟଲ ସହ ଚେନ୍ନାଇ ସମକକ୍ଷ ହୋଇଛି । ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ସାଇ ସୁଦର୍ଶନ ୯୬ ଓ ରିଦ୍ଧିମାନ ଶାହ ୫୪ ରନ କରିବା ଫଳରେ ଗୁଜରାଟ ଟାଇଟନ୍ସ ୪ ୱିକେଟରେ ୨୧୪ ରନ୍ କରିଥିଲା । ଜବାବରେ ୨୧୫ ରନର ବିଜୟ ଲକ୍ଷ ନେଇ କ୍ରିଜକୁ ଓହ୍ଲାଇଥିଲା ଚେନ୍ନାଇ । ୩ଟି ବଲରେ ଖେଳିବା ପରେ ବର୍ଷା ଯୋଗୁ ଖେଳ ୨ଘଣ୍ଟା ୨୦ ମିନିଟ୍ ବନ୍ଦ ରହିଥିଲା ।

ବର୍ଷା ଛାଡ଼ିବା ପରେ ଡିଏଲଏସ ନିୟମ ଅନୁସାରେ ଚେନ୍ନାଇ ଆଗରେ ୧୫ ଓଭରରେ ୧୭୧ ରନର ବିଜୟ ଲକ୍ଷ୍ୟ ରହିଥିଲା । ୫ୱିକେଟ ହରାଇ ଶେଷ ବଲରେ ବିଜୟ ହାସଲ କରିନେଲା ଚେନ୍ନାଇ । ଶେଷ ଦୁଇଟି ବଲରେ ରବୀନ୍ଦ୍ର ଜାଡେଜା ଛକା ଓ ଚୌକା ମାରି ଚେନ୍ନାଇକୁ ଦେଇଥିଲେ ଐତିହାସିକ ବିଜୟ।

ମେ ୩୧ରେ ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ଫଳ

ଭୁବନେଶ୍ୱର: କାଲି ଆସିବ ଯୁକ୍ତ ଦୁଇ ପରୀକ୍ଷା ଫଳ । ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି CHSE ପରୀକ୍ଷା ନିୟନ୍ତ୍ରକ । ସେହିପରି ୮ଜୁନ ସୁଦ୍ଧା ପ୍ରକାଶ ପାଇପାରେ କଳା ଓ ଧନ୍ଦାମୂଳକ ଫଳାଫଳ । ଚଳିତବର୍ଷ ମୋଟ ୩ ଲକ୍ଷ ୫୭ ହଜାର ୯୪୨ ଛାତ୍ରଛାତ୍ରୀ ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଛନ୍ତି। ଏଥିରେ ୧ ଲକ୍ଷ ୭୩ ହଜାର ୫୩୪ ଜଣ ଛାତ୍ର ଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ରହିଛି ୧ ଲକ୍ଷ ୮୪ ହଜାର ୪୦୮ । କଳାରେ ୨ ଲକ୍ଷ ୨୯ ହଜାର ୧୧୦ ଛାତ୍ରଛାତ୍ରୀ, ବିଜ୍ଞାନରେ ୯୧ ହଜାର ୩୭୯, ବାଣିଜ୍ୟରେ ୨୩ ହଜାର ୧୪୮ ଜଣ ପିଲା ପରୀକ୍ଷା ଦେଇଛନ୍ତି ।

ସେହିପରି ଧନ୍ଦାମୂଳକରେ ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଚଳିତବର୍ଷ ମୋଟ ୧୧ ଶହ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ୬୫ଟି ଅଫଲାଇନ କେନ୍ଦ୍ର ଓ ୩୯ଟି ଅନଲାଇନ କେନ୍ଦ୍ରରେ ଖାତା ଦେଖା ହୋଇଥିଲା ।

କୁଇ ଓ ଦେଶିଆ ଭାଷା ଜାତୀୟ କର୍ମଶାଳା ଆରମ୍ଭ

ଭୁବନେଶ୍ବର: କୁଇ ଓ ଦେଶିଆ ଭାଷାଭାଷୀ ଶିକ୍ଷାର୍ଥୀମାନଙ୍କ ପାଇଁ ପ୍ରାରମ୍ଭିକ ଶିକ୍ଷା ସ୍ତରରେ କହିବା, ପଢ଼ିବା, ବୁଝିବା ଓ ଲେଖିବାର ଉଦ୍ଦେଶ୍ୟ ନେଇ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବାକୁ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପରୀକ୍ଷଣ ପରିଷଦ (NCERT), ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE), ଭୁବନେଶ୍ଵର ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ମିଳିତ ଉଦ୍ୟମରେ ଏକ ୫ ଦିନିଆ ଜାତୀୟ କର୍ମଶାଳା ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି । ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଏହାକୁ ଉଦଘାଟନ କରିଥିଲେ ।

ଏହି ଅବସରରେ ଓଡ଼ିଆ ଶାସ୍ତ୍ରୀୟ ଭାଷା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାଷା ସମୂହର ଡିନ ପ୍ରଫେସର ନୃସିଂହ ଚରଣ ପଣ୍ଡା  ଏବଂ ବିଶିଷ୍ଠ ସାହିତ୍ୟିକା ଡ. ପ୍ରୀତିଧାରା ସାମଲ କୁଇ ଓ ଦେଶିଆ ଭାଷାରେ ପ୍ରାଥମିକ ସ୍ତରରେ ପଠ୍ୟପୁସ୍ତକ ତିଆରି କଲା ବେଳେ କେଉଁ କେଉଁ ଦିଗପ୍ରତି ଧ୍ୟାନ ଦେବାକୁ ପଡିବ ଉଲ୍ଲେଖ କରିଥିଲେ । ସମାଜଶାସ୍ତ୍ର ବିଭାଗର ସହ ପ୍ରାଧ୍ୟାପକ ଡ. କପିଳ ଖେମୁଣ୍ଡୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଓଡିଆ ବିଭାଗର ଅଧ୍ୟାପିକା ଡ. ରୁଦ୍ରାଣୀ ମହାନ୍ତି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଓଡ଼ିଆ ଶାସ୍ତ୍ରୀୟ ଭାଷା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଏହି କର୍ମଶାଳା ଆସନ୍ତା ଜୁନ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

NCERT ଦ୍ବାରା ଏକ କମିଟି ଗଠନ କରାଯାଇଥିଲା । ଏହି କମିଟିର ପାଞ୍ଚ ଦିବସୀୟ କର୍ମଶାଳାରେ କୁଇ ଓ ଦେଶିଆ ଭାଷାରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରାଯିବ । ପ୍ରଫେସର ତ୍ରିପାଠୀ ନୂତନ ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ନିଜ ଭାଷା ତଥା ମାତୃଭାଷାରେ ପ୍ରାଥମିକ ଶିକ୍ଷା ପ୍ରଦାନ କରିବା ଓ ରାଷ୍ଟ୍ରୀୟ ସଂହତି ଉପରେ ଗୁରୁତ୍ବ ଦେଇଥିଲେ । ସେ କହିଥିଲେ, ‘ମାତୃଭାଷାର ବିକାଶ ରାଷ୍ଟ୍ରର ବିକାଶ । ଭାଷା ପାଇଁ ଅନେକ ରାଷ୍ଟ୍ର ବିଭାଜିତ ହୋଇଛି ଓ ଅନେକ ରାଷ୍ଟ୍ର ଗଠନ ହୋଇଛି । କୁଇ ଓ ଦେଶିଆ ଭାଷାରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ ହେବା ଦ୍ୱାରା ଏହି ଭାଷାଭାଷୀ ଲୋକଙ୍କର ବିକାଶ ହେବା ସହ ଦେଶର ବିକାଶ ହୋଇପାରିବ’ ।

ପ୍ରଫେସର ପଣ୍ଡା ଶ୍ରବଣ, କଥନ, ପଠନ ଓ ଲିଖନକୁ ଗୁରୁତ୍ବ ଦେଇ ଏହି କାର୍ମଶାଳାରେ କୁଇ ଓ ଦେଶିଆ ଭାଷାରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରାଯିବ ଓ ଆସନ୍ତା ଜୁଲାଇ ମାସ ଶେଷ ସୁଦ୍ଧା ଏହି କାର୍ଯ୍ୟ ସମ୍ପନ୍ନ ହେବ ବୋଲି କହିଥିଲେ । ଡ ପ୍ରୀତିଧାର ସାମଲ କୁଇ ଓ ଦେଶିଆ ଭାଷାରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ ବେଳେ ଏହି ଭାଷାଭାଷୀ ଲୋକଙ୍କ ଉଚ୍ଚାରଣ, ସଂସ୍କୃତି ଓ ପରମ୍ପରାକୁ ଗୁରୁତ୍ବ ଦେବାକୁ କହିଥିଲେ ।

ଓଡ଼ିଶା ଫର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଣ୍ଡ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ  ଫର ୟୁଥ ଇନିସିଏଟିଭ ଲଞ୍ଚ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ନୂଆ ଅଧ୍ୟାୟ । ଓଡ଼ିଶା ଫର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ  ଆଣ୍ଡ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ  ଫର ୟୁଥ ଇନିସିଏଟିଭକୁ ଲଞ୍ଚ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ଏହି ଇନିସିଏଟିଭକୁ ଭୁବନେଶ୍ବର, ପୁରୀ ଓ କଟକରେ କାର୍ଯ୍ୟକାରୀ କରାଯିବ । ଲୋକସେବା ଭବନରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହାକୁ ଲଞ୍ଚ କରିଛନ୍ତି ।

ଆଇଟି କମ୍ପାନୀ ଇଣ୍ଟେଲକୁ ଏହି ଇନିସିଏଟିଭ ଲାଗି ଦାୟିତ୍ବ ଦିଆଯାଇଛି । ସାମ୍ପ୍ରତିକ ବିଶ୍ବର ରୂପାୟନ ଓ ଏହାକୁ ବିକଶିତ କରିବା ଲାଗି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, 5T ଇନିସିଏଟିଭ ଅନ୍ତର୍ଗତ ପ୍ରଯୁକ୍ତି ଭିତ୍ତିକ ରୂପାନ୍ତରଣକୁ ସରକାର ଗୁରୁତ୍ବ ଦେଉଛନ୍ତି । ଏହି ଇନିସିଏଟିଭ ଡିଜିଟାଲ ଲିଟେରାସିକୁ ବଢ଼ାଇବା କ୍ଷେତ୍ରରେ ସହାୟକ ହେବା ସହ ପରବର୍ତ୍ତୀ ପିଢ଼ି ଲାଗି ବିଶେଷ ସହାୟକ ହେବ । ଗବେଷଣା, ଉଦ୍ଭାବନ ଓ ବିଭିନ୍ନ କ୍ଷେତ୍ର ଲାଗି ଦିଗଦର୍ଶକ ହେବ ।

ଏହି ଇନିସିଏଟିଭର ସୁଯୋଗ ନେବା ଲାଗି ସମସ୍ତ ବିଭାଗକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଓ ଇଣ୍ଟେଲ ଇଣ୍ଡିଆର ମିଳିତ ସହଭାଗିତାରେ ଏହି ଇନସିଏଟିଭ ଆରମ୍ଭ ହୋଇଛି ।

ଗାଁ ରାସ୍ତା କାମ କରିବ ଗ୍ରାମ୍ୟ ଉନ୍ନୟନ ବିଭାଗ, ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ରାସ୍ତା

ଭୁବନେଶ୍ବର: ଏଣିକି ପଞ୍ଚାୟତ ଅଧୀନରେ ଥିବା ରାସ୍ତାକୁ ହାତକୁ ନେବ ଗ୍ରାମ୍ୟ ଉନ୍ନୟନ ବିଭାଗ । ଏବର୍ଷ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୧୫ ହଜାର କିମି ରାସ୍ତା ନିର୍ମାଣ କରାଯିବ । ୨୦୧୯ ନିର୍ବାଚନୀ ଇସ୍ତାହାରରେ ୩ ହଜାର ୭୩୧ କିମି ରାସ୍ତା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ୬ ହଜାର ୨୪ କିମି ରାସ୍ତା ନିର୍ମାଣ ହୋଇଛି । ଆଗକୁ ୬ ହଜାର କୋଟି ଟଙ୍କାରେ ୧୫ଶହ ବିଜୁସେତୁ ନିର୍ମାଣ ଲକ୍ଷ୍ୟ ଅଛି । ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ବାର୍ଷିକ ସମୀକ୍ଷା କରିବା ପରେ ରାଜ୍ୟବାସୀଙ୍କୁ ବିଭାଗ ଏପରି ହିସାବ ଦେଇଛି ।

୨୦୨୪ ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ହେବ ରାସ୍ତା ସଂଯୋଗ । ଟାର୍ଗେଟ୍‌ ଅନୁସାରେ ହେବ ଉଚ୍ଚମାନର କାମ । ପୂରଣ ହେବ ଶତ ପ୍ରତିଶତ ନିର୍ବାଚନୀ ପ୍ରତିଶ୍ରୁତି । ବଢ଼ିଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଦାୟିତ୍ବ । ପୂର୍ବରୁ ପଞ୍ଚାୟତର ୫ କିମି ରାସ୍ତାରୁ କମ୍ ହେଲେ ବିଭାଗ କାମ କରୁ ନଥିଲା । ଏବେ ୩ କିମି ହେଲେ ବି ନିର୍ମାଣ କରାଯିବ । ସେହିଭଳି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହେଉଥିବା ରାସ୍ତା ଆଦୃତ ହେଉଥିବାରୁ ଏବେ ବିଭାଗ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଅଧିକ ରାସ୍ତା ନିର୍ମାଣ କରୁଛି । ଚଳିତବର୍ଷ ୬ ହଜାର କିମି ରାସ୍ତା ନିର୍ମାଣ କରି ଅପହଞ୍ଚ ଗାଁକୁ ସଂଯୋଗ ହୋଇଛି ସବୁଦିନିଆ ରାସ୍ତା । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା  ପ୍ରଶସ୍ତିକରଣ ହେଉଛି । ପୂର୍ବରୁ ରାସ୍ତାର ଓସାର ସାଢ଼େ ୩ ମିଟର ଥିବା ବେଳେ ଗତ ଉତ୍କଳ ଦିବସରୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ସାଢ଼େ ୫ ମିଟର ଓସାର ରାସ୍ତା ନିର୍ମାଣ ଚାଲିଛି । ଯାହାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ନିର୍ଦ୍ଧାରିତ ସମୟରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବହୁ ପଡ଼ା ଗାଁକୁ ରାସ୍ତା ସଂଯୋଗ ହୋଇପାରୁ ନଥିବା ବେଳେ ଚଳିତବର୍ଷରୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ପଡ଼ା ଗାଁକୁ ରାସ୍ତା ସଂଯୋଗ କରାଯାଉଛି ।

୨୦୧୯ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ବାର୍ଷିକ ରିପୋର୍ଟ କାର୍ଡରେ ମନ୍ତ୍ରୀ ଏବଂ ସଚିବ ଓଡ଼ିଶାବାସୀଙ୍କ ପାଖରେ ତଥ୍ୟ ରଖିଛନ୍ତି । ବିଜୁସେତୁ ଯୋଜନାରେ ୭୫୦ଟି ସେତୁ ନିର୍ମାଣ ଲକ୍ଷ୍ୟ ଥିବାବେଳେ ୬୭୯ଟି ସେତୁ ନିର୍ମାଣ ସରିଛି । ୨୦୨୪ ସୁଦ୍ଧା ୯୦୦ଟି ସେତୁ ନିର୍ମାଣ ସରିବ । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ଅନ୍ୟ ରାଜ୍ୟ ଯୋଜନାରେ ୩ ହଜାର କିମି ସଡ଼କ ନିର୍ମାଣ ପ୍ରସ୍ତାବ ଥିବା ବେଳେ ୬୨୪୭ କିମି ରାସ୍ତା ନିର୍ମାଣ କରଛି ବିଭାଗ । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଧାର୍ଯ୍ୟ ୪୩ ହଜାର କିମି ମଧ୍ୟରୁ ୩୩ ହଜାର ୩୨୬ କିମି ରାସ୍ତାର ଉନ୍ନତି ହୋଇଛି । ଶିକ୍ଷା, ସ୍ବାସ୍ଥ୍ୟ, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ, ରାଜସ୍ବ ବିଭାଗର ୧୬୪ଟି କୋଠା ନିର୍ମାଣ ହୋଇଛି ।

୨୦୨୪ ମାର୍ଚ୍ଚ ସୁଦ୍ଧା ଖାଲଖମା ନଥିବା ରାସ୍ତା ଓ ଗମନାଗମନକୁ ସୁନିଶ୍ଚିତ କରିବା ପାଇଁ ୫୦ ହଜାର କିମି ରାସ୍ତାର ଗୁଣବତ୍ତାରେ ଉନ୍ନତି ଆଣିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଚେଷ୍ଟା କରୁଛି । ୧୮ ହଜାର ୧୬୧ଟି ଗ୍ରାମଞ୍ଚଳକୁ ସବୁଦିନିଆ ରାସ୍ତା ନିର୍ମାଣ କରିଛି ବିଭାଗ । ସର୍ବାଧିକ ଲମ୍ବା ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଜାତୀୟସ୍ତରରେ ପୁରସ୍କୃତ ହୋଇଛି ।

ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍ ବୈଠକରେ ନୂଆ ଯୋଜନା ‘ମୋ ଘର’ ସହ ୧୮ଟି ପ୍ରସ୍ତାବକୁ ମୋହର। ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ପାଇଁ ଆସିଲା ମୋ ଘର ଯୋଜନା । ନବୀନ ସରକାରଙ୍କ ୫ମ ପାଳିର ୪ର୍ଥ ବର୍ଷ ପୂରଣରେ ରାଜ୍ୟବାସୀଙ୍କୁ ବଡ଼ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋ ଘର ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ଯୋଜନାକୁ ଅନୁମୋଦନ କରିଛନ୍ତି । ଏଥିରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ନେଇପାରିବେ ହିତାଧିକାରୀ । ପ୍ରଥମବର୍ଷର ରିହାତି ଅବଧି ପରେ ପରବର୍ତ୍ତୀ ୧୦ ବର୍ଷ ମଧ୍ୟରେ ଋଣ ପରିଶୋଧ କରିପାରିବେ । ଏଥିପାଇଁ ଜୁନ ୧୬ ତାରିଖରୁ ଆବେଦନ ଗ୍ରହଣ କରାଯିବ।

ଏକାମ୍ର କ୍ଷେତ୍ର ବିକାଶ ପାଇଁ ସଂଶୋଧିତ ଆକ୍ସନ୍ ପ୍ଲାନକୁ କ୍ୟାବିନେଟ୍ ମଂଜୁରୀ । ଏଥିପାଇଁ ଖର୍ଚ୍ଚ ହେବ ୧୫୬ କୋଟି ୨୧ ଲକ୍ଷ ଟଙ୍କା । କୋଣାର୍କ ମନ୍ଦିର ପରିସର ଚତୁପାର୍ଶ୍ବ ବିକାଶ କରିବାକୁ ସ୍ବତନ୍ତ୍ର ପ୍ରକଳ୍ପ କରାଯିବ । ଏହାକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଏ ବାବଦରେ ୨୦୯ କୋଟି ୭୩ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ ହେବ । ନବକଳେବର ହେବ ଭିସୁଟ୍। ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଗତବର୍ଷ ଅନୁମୋଦନ କରାଯାଇଥିବା ବେଳେ ୨୦୨୬ ସୁଦ୍ଧା ୨୪ଟି ଅଣ୍ଡର ଗ୍ରାଜୁଏଟ୍ ବିଭାଗରେ ୧୦ ହଜାରରୁ ଅଧିକ ପିଲାଙ୍କ ପାଠପଢା ବ୍ୟବସ୍ଥା କରାଯିବ । ଏଥିପାଇଁ ତିନିଟି ପର୍ଯ୍ୟାୟରେ ୨ହଜାର କୋଟି ଖର୍ଚ୍ଚକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଓଡ଼ିଶା ବେସରକାରୀ ମହାବିଦ୍ୟାଳୟ, କନିଷ୍ଠ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅନୁଦାନ ନିୟମ-୨୦୦୮ ସଂଶୋଧନ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି।

ସେହିପରି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟକୁ ମଂଜୁରୀ ମିଳିଛି । ରାଜ୍ୟରେ ଅବକାରୀ ପ୍ରଶାସନର ସଫଳ ପରିଚାଳନା ପାଇଁ ଓଡ଼ିଶା ସରକାରଙ୍କ ଅବକାରୀ କନଷ୍ଟେବଳ ପଦବୀକୁ ଜିଲ୍ଲାସ୍ତର ଏବଂ ଇଆଇ ଓ ଇବି ୟୁନିଟ୍ ସ୍ତରରୁ ଡିଭିଜିନାଲ ସ୍ତର, ସରକାରୀ ଉପନିରୀକ୍ଷକ ପଦବୀକୁ ଜିଲ୍ଲାସ୍ତର ଏବଂ ଇଆଇ ଓ ଇବି ୟୁନିଟ୍ ସ୍ତରରୁ ରାଜ୍ୟସ୍ତରକୁ ରୂପାନ୍ତରିତ ହୋଇଛି । ବାଗଚୀ ଶ୍ରୀଶଙ୍କର କର୍କଟ କେନ୍ଦ୍ର ଗବେଷଣା ପ୍ରତିଷ୍ଠାନ ପାଇଁ ଷ୍ଟାମ୍ପ ଦେୟ ଓ ପଂଜିକରଣ ଫି ଛାଡ଼କୁ କ୍ୟାବିନେଟ୍ ମଂଜୁରୀ ମିଳିଛି ।

ଓଡ଼ିଶା ଚକବନ୍ଦୀ ଅଧିନିୟମ-୩୪କୁ ଉଲ୍ଲଂଘନ କରି ଜମି ବିକ୍ରି ହୋଇଥିଲେ ଏହାକୁ ଅବୈଧ ବିବେଚିତ କରାଯିବ । କ୍ୟାବିନେଟ୍ ଏହି ଅଧିନିୟନ ଧାରା ୩୪ ଓ ୩୫ ଉଚ୍ଛେଦ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଫଳରେ ଚକ ଜମି ବିକ୍ରି କରାଯାଇପାରିବ । ଜଳାଭାବ ଅଞ୍ଚଳରେ ଭୂତଳ ଜଳ ବିନିଯୋଗ ଯୋଜନା ପାଇଁ ଅର୍ଥରାଶି ବ୍ୟବସ୍ଥା କରାଯାଇଛି । ଜେଜେଏମରେ ବଲାଙ୍ଗୀରରେ ୨ଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ମଂଜୁରୀ ମିଳିଛି । ZWIGATO ଓ ‘ଡେଲିଭରୀ ବୟ’ ଦୁଇଟି ଫିଲ୍ମକୁ କରମୁକ୍ତ କରିବା ନେଇ ପ୍ରସ୍ତାବକୁ କ୍ୟାବିନେଟ୍ ମଂଜୁରୀ ମିଳିଛି ।

ସେହିପରି ବିଧାନସଭାରୁ ଫେରି ଆସିଥିବା ଆପାର୍ଟମେଣ୍ଟ ବିଲ୍ ଓ ଓନରସିପ ବିଲ୍ ବଦଳରେ ନୂତନ ଅଧ୍ୟାଦେଶକୁ କ୍ୟାବିନେଟ ମୋହର ମାରିଛି । ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ ୨୦୨୩ ଅଧ୍ୟାଦେଶକୁ କ୍ୟାବିନେଟ ଅନୁମୋଦନ କରିଛି । ଆଗକୁ ଏହି ଅଧ୍ୟାଦେଶ ଦ୍ବାରା କ୍ରେତାମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ସମ୍ଭବ ହେବ ବୋଲି ସରକାର ଆଶା କରିଛନ୍ତି । ରିଅଲ ଇଷ୍ଟେଟ ନିୟମାବଳୀ ଓ ବିକାଶ ଅଧିନିୟମ ୨୦୧୬ ଏବଂ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ ୨୦୨୧ ମଧ୍ୟରେ ଥିବା ବିରୋଧଭାସ ଦେଖାଦେଇଥିଲା । ଫଳରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ ୨୦୨୧ର ବିଜ୍ଞପ୍ତିକୁ ବିରୋଧ କରି ହାଇକୋର୍ଟରେ ଏକାଧିକ ମାମଲା ଦାୟର ହୋଇଛି । ଏହି ମାମଲା ଯୋଗୁଁ ଆପାର୍ଟମେଣ୍ଟ ପଞ୍ଜୀକରଣ ବନ୍ଦ ରହିଛି । ବିକ୍ରି କବଲା ପଞ୍ଜୀକୃତ ହେଉନଥିବାରୁ ରାଜ୍ୟ ସରକାର ରାଜସ୍ବ ହରାଉଛନ୍ତି । ଦୀର୍ଘଦିନ ଧରି ଏହି ଅଚଳାବସ୍ଥା ହଟାଇବାକୁ ସରକାର ଅଧ୍ୟାଦେଶ ଆଣିବାକୁ ନିଷ୍ପତ୍ତି ନେଇଥିଲେ ।

ମହିମା ଧର୍ମର ପ୍ରଚାର ପ୍ରସାରରେ ସହଯୋଗ କରିବେ ସରକାର, ବ୍ରାହ୍ମଣୀ ବ୍ରିଜ ହେଲା ମହିମା ସେତୁ

ଢେଙ୍କାନାଳ: ମହିମା ଧର୍ମ ପ୍ରତି ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶେଷ ସମ୍ମାନ । ନବୀନ ନିବାସରେ ରହିଛି ତାଳପତ୍ର ପଙ୍ଖା । ଯୋରନ୍ଦାରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କରି ମହିମା ଧର୍ମ ପ୍ରତି ନବୀନଙ୍କ ସମ୍ମାନକୁ ବଖାଣିଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ । ମହିମା ଗାଦିର ବିକାଶ ପାଇଁ ଯାହା ଦରକାର ସବୁ ଯୋଗାଇ ଦେବେ ସରକାର । ରାଜ୍ୟ ଓ ଦେଶରେ ମହିମା ଧର୍ମର ପ୍ରଚାର ପ୍ରସାର ପାଇଁ ସରକାର ସହାୟତା ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇ କହିଛନ୍ତି 5T ସଚିବ ।

ସରଳ ଧାର୍ମିକ ପରିବେଶରେ ରୂଚିପୂର୍ଣ୍ଣ ବିଚାର ଆଲୋଚନା । ଅଂହିସା, କରୁଣା ମନ୍ତ୍ରରେ ଉଚ୍ଚଶ୍ରେଣୀର ଚିନ୍ତା ଆଉ ସମାନତା ସମାଜ ପ୍ରସଙ୍ଗରେ ଚର୍ଚ୍ଚା । ଓଡ଼ିଶାର ନିଜସ୍ବ ଧର୍ମର ଆଦିପୀଠରେ ମହିମା ଧର୍ମର ମହନୀୟତା ବଖାଣିଛନ୍ତି 5T ସଚିବ । ଯୋରନ୍ଦାରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କରିବା ସହ ମହିମା ସାଧୁଙ୍କଠାରୁ ନେଇଛନ୍ତି ଆଶୀର୍ବାଦ । ମହିମା ଧର୍ମ ପ୍ରତି ମୁଖ୍ୟମନ୍ତ୍ରୀଙ୍କର କେତେ ସମ୍ମାନ ରହିଛି ତାହା ଗୋଷାଇଁଙ୍କ ଗହଣରେ ବଖାଣିଛନ୍ତି 5T ସଚିବ । ନବୀନ ନିବାସରେ ଏକ ତାଳପତ୍ର ପଙ୍ଖା ରହିଛି । ଆସୁଥିବା ଅତିଥି ଏହି ବିଷୟରେ ପଚାରିଲେ ମହିମା ଧର୍ମ ପ୍ରସଙ୍ଗରେ ବୁଝାଇ କୁହନ୍ତି ମୁଖ୍ୟମନ୍ତ୍ରୀ । ମହିମା ଗୋଷାଇଁ ଓ ତାଙ୍କ ଅନୁଗାମୀ ଭୀମ ଭୋଇଙ୍କୁ ସମ୍ମାନ ସ୍ବରୂପ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ କରାଯାଉଛି ବୋଲି କହିଛନ୍ତି 5T ସଚିବ ।

ଢେଙ୍କାନାଳ ଗସ୍ତ କରି ପ୍ରଥମେ ଯୋରନ୍ଦା ରୂପାନ୍ତରିତ ହାଇସ୍କୁଲ ଯାଇଥିଲେ 5T ସଚିବ  । ସେଠାରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବା ପରେ ମହିମା ଗାଦିକୁ ଯାଇ ସାଧୁଙ୍କ ସହିତ ଆଲୋଚନା କରିଥିଲେ । ୧୦ କୋଟି ଟଙ୍କାରେ ଯୋରନ୍ଦା ପୀଠର ରୂପାନ୍ତରଣ ହେଉଛି । ରାସ୍ତାଘାଟ, ପାର୍କ, ପୋଖରୀର ପୁନରୁଦ୍ଧାର ସହିତ ଉନ୍ନତମାନର ଶୌଚାଳୟ ନିର୍ମାଣ ଚାଲିଛି । ଏହାଛଡ଼ା ବିଶ୍ରାମସ୍ଥଳୀ, ବଡ଼ମଠ, ଆଶ୍ରମ ଓ ମନ୍ଦିରଗୁଡିକ ଚିହ୍ନଟ ପାଇଁ ସାଇନେଜ୍ ବ୍ୟବସ୍ଥା ଏବଂ ସମଗ୍ର ପୀଠରେ ଆଲୋକୀକରଣ କାର୍ଯ୍ୟ ଜାରି ରହିଛି । ଆଗକୁ ରାଜ୍ୟ ଓ ଦେଶରେ ଥିବା ସମସ୍ତ ମହିମା ଗାଦିର ବିକାଶ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ । ଶେଷରେ ବକଳଧାରୀ ଓ କୌପିନଧାରୀ ମହିମା ସନ୍ନ୍ୟାସୀଙ୍କ ସହିତ ପ୍ରସାଦ ସେବନ କରିଥିଲେ ଭି.କେ. ପାଣ୍ଡିଆନ ।

5T ସଚିବ କହିଛନ୍ତି, ‘ମହିମା ଧର୍ମ ସାରା ବିଶ୍ବ ପାଇଁ ଆଦର୍ଶ । ଜାତି, ଧର୍ମ ଓ ବର୍ଣ୍ଣ  ନିର୍ବିଶେଷରେ ସମସ୍ତେ ସମାନ । ଏହି ସମଭାବର ଚିନ୍ତାଧାରା ସହିତ ବିଶ୍ବ କଲ୍ୟାଣ ହେଉଛି ଏହି ଧର୍ମର ଆଦର୍ଶ । ଏହା ଆମ ସମସ୍ତଙ୍କ ପାଇଁ ପ୍ରେରଣା ସୃଷ୍ଟି କରେ । ମୁଖ୍ୟମନ୍ତ୍ରୀ ମହିମା ଧର୍ମର ଆଦର୍ଶରେ ଗଭୀର ଭାବରେ ଅନୁପ୍ରାଣୀତ । ଏହାକୁ ଆଧାର କରି ସମସ୍ତଙ୍କ କଲ୍ୟାଣ ଓ ଉନ୍ନତି ମୁଖ୍ୟମନ୍ତ୍ରୀଙ୍କ ଜୀବନର ଏକମାତ୍ର ବ୍ରତ ।’

ସେ ଆଗକୁ କହିଛନ୍ତି, ‘ଓଡିଶାରେ ମହିମା ଧର୍ମର ଜନ୍ମ। ତେଣୁ ମହିମା ଧର୍ମର ପ୍ରଚାର ଓ ପ୍ରସାର ପାଇଁ ସରକାର ସବୁ ପ୍ରକାର ସହଯୋଗ ଯୋଗାଇ ଦେବେ । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମହିମା ପୀଠର ବିକାଶ ପାଇଁ ପଦକ୍ଷେପ ନିଆଯିବ । ମହିମା ଧର୍ମର ମହାନ ସନ୍ଥ ଭୀମଭୋଇଙ୍କ ନାମରେ ବଲାଙ୍ଗୀର ମେଡିକାଲ କଲେଜ ନାମିତ ହୋଇଥିବା ବେଳେ ଭିନ୍ନକ୍ଷମ ଶିବିର ଆୟୋଜନ କରାଯାଉଛି ।’

ସେହିପରି କାଲୁରିଆ-ଗୋରଡିଆକୁ ସଂଯୋଗ କରୁଥିବା ବ୍ରାହ୍ମଣୀ ଉପରେ ନିର୍ମିତ ସେତୁକୁ ମହିମା ସେତୁ ନାମରେ ନାମିତ କରାଯାଇଛି । ଯୋରନ୍ଦା, କାଲୁରିଆ ଓ ଗୋରଡ଼ିଆ ରାସ୍ତାରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ୧୮୬୨. ୧୦ କିମିର ସେତୁ ପାଇଁ ଖର୍ଚ୍ଚ ହୋଇଛି ୨୩୫ କୋଟି ୫୬ ଲକ୍ଷ ଟଙ୍କା । ଏହାଦ୍ବାରା ଯୋରନ୍ଦା ମେଳାକୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଉପକୃତ ହେଉଛନ୍ତି । ଏହାସହ ୬୨ଟି ଗାଁର ଲୋକଙ୍କ ପାଇଁ ଯୋଗାଯୋଗରେ ସୁବିଧା ହେଉଛି ।

5T ସଚିବଙ୍କ ଗସ୍ତ ସମୟରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ସଚିବ ରୂପାରୋଶନ ସାହୁ, ଜିଲ୍ଲାପାଳ ସରୋଜ ସେଠୀ ଓ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।

ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତାକୁ ବିଶ୍ୱସ୍ତରୀୟ କରିବ ‘ୱାର୍ଲ୍ଡ ସ୍କିଲ୍ ସେଣ୍ଟର’

ଭୁବନେଶ୍ବର: ବିଭିନ୍ନ ବିଷୟରେ ଦକ୍ଷତା ବିକାଶ ତାଲିମ ନେଇ ଆଜି ଓଡ଼ିଶାର ଯୁବକ ଯୁବତୀମାନେ ରାଜ୍ୟ ତଥା ରାଜ୍ୟ ବହାରେ ନିଯୁକ୍ତି ପାଉଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ୱାର୍ଲ୍ଡ ସ୍କିଲ ସେଣ୍ଟର ବା ବିଶ୍ୱ ଦକ୍ଷତା କେନ୍ଦ୍ର ଏହି ଧାରାକୁ ଆଉ ଏକ ଉଚ୍ଚତାକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି । ସ୍କିଲ୍ଡ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ମଧ୍ୟରେ ଏହି ଅତ୍ୟାଧୁନିକ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରାଯାଇଛି । ଏହି କେନ୍ଦ୍ରରେ ଫିନିସିଙ୍ଗ୍ ସ୍କୁଲ ବା ଇଣ୍ଡଷ୍ଟ୍ରି ରେଡିନେସ୍ ଢାଞ୍ଚାରେ ଯୁବକଯୁବତୀଙ୍କୁ ଆବଶ୍ୟକ ଶିକ୍ଷା ଓ ତାଲିମ ଦିଆଯାଇ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କାମ କରିବା ପାଇଁ ପ୍ରସ୍ତୁତ କରାଯାଉଛି ।

କେନ୍ଦ୍ରରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଓ ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗରେ ମୋଟ ୭ଟି ଅତ୍ୟାଧୁନିକ ବିଷୟରେ ପ୍ରାର୍ଥୀଙ୍କୁ ତାଲିମ ଦିଆଯାଉଛି। ଦକ୍ଷତା ବିକାଶ ସହିତ ନିଯୁକ୍ତି ସମ୍ଭାବନା ବୃଦ୍ଧି ପାଇଁ ଏହି କେନ୍ଦ୍ରରେ ବର୍ଷକୁ ଦୁଇଟି ବ୍ୟାଚରେ ତାଲିମ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅନ୍ତର୍ଜାତୀୟ ଢାଞ୍ଚାର ପାଠ୍ୟକ୍ରମ ସହ ଆବଶ୍ୟକ ଭିତ୍ତିଭୂମି, ଅତ୍ୟାଧୁନିକ ଲାବୋରେଟୋରି ଓ ବିଶ୍ୱସ୍ତରୀୟ ବିଭିନ୍ନ ଯନ୍ତ୍ରପାତି ଓ ତାଲିମ ଉପକରଣ ରହିଛି । ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ପରିଚିତ ସିଙ୍ଗାପୁର ସ୍ଥିତ ଆଇଟିଇଇଏସ୍ ସଂସ୍ଥାର ସହଯୋଗରେ କେନ୍ଦ୍ରର ପାଠ୍ୟକ୍ରମ ଓ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି ।

ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଳକା ମିଶ୍ର କହିଛନ୍ତି, ‘ଓଡ଼ିଶାରୁ ଦକ୍ଷତା ବିକାଶ ତାଲିମ ନେଇ ବାହାରୁଥିବା ଯୁବକଯୁବତୀଙ୍କୁ ଆଗାମୀ ଦିନରେ ଦେଶ ବିଦେଶରେ ନିଯୁକ୍ତି ବେଳେ ନିଶ୍ଚୟ ଗୁରୁତ୍ୱ ମିଳିବ । ମୁଖ୍ୟମନ୍ତ୍ରୀଙ୍କ ଏହି ପରିକଳ୍ପନା ପାଇଁ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଆଜି ସର୍ବଭାରତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ପାଇଛି । ଆମର ଲକ୍ଷ୍ୟ ହେଉଛି ଓଡ଼ିଶାର ଯୁବପିଢ଼ିକୁ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ପ୍ରାକ୍ଟିକାଲ ତାଲିମ ଦେଇ ବିଶ୍ୱସ୍ତରୀୟ ମାନବ ସମ୍ବଳ ପ୍ରସ୍ତୁତ କରିବା ।’

ୱାର୍ଲ୍ଡ ସ୍କିଲ୍ ସେଣ୍ଟର ହେଉଛି ଦେଶର ଏକ ଅଭିନବ ଦକ୍ଷତା ବିକାଶ କେନ୍ଦ୍ର । ରାଜ୍ୟର ବିଭିନ୍ନ ଶିଳ୍ପ ତାଲିମ ଅନୁଷ୍ଠାନରୁ ଆଇଟିଆଇ ବା ଡିପ୍ଲୋମା ପାସ୍ କରିଥିବା ପ୍ରାର୍ଥୀଙ୍କ ଦକ୍ଷତାକୁ ଆହୁରି ଶାଣିତ କରି ସେମାନଙ୍କୁ ବିଭିନ୍ନ ଶିଳ୍ପ କ୍ଷେତ୍ର ପାଇଁ ପ୍ରସ୍ତୁତ କରିବାକୁ ଏଠାରେ ଅତ୍ୟାଧୁନିକ ପାଠ୍ୟକ୍ରମ ଦିଆଯାଉଛି । ପ୍ରାକ୍ଟିକାଲ ଶିକ୍ଷା ସହ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ବିକାଶ, ଯୋଗାଯୋଗ ଓ ବିଭିନ୍ନ ଜୀବନ କୌଶଳ ତାଲିମ ଦିଆଯାଉଛି । ସ୍କୁଲ ଅଫ୍ ଇଞ୍ଜିନିୟରିଂ ବିଭାଗ ଅଧୀନରେ ଇଲେକ୍ଟ୍ରିକାଲ ଟୋକ୍ନୋଲୋଜି, ଏୟାର କଣ୍ଡିସନିଂ ଆଣ୍ଡ୍ ରେଫ୍ରିଜିରେସନ, ମେକାନିକାଲ ଆଣ୍ଡ୍ ଇଲେକ୍ଟ୍ରିକାଲ ସର୍ଭିସେସ୍, ମେକାଟ୍ରୋନିକ୍ସ ଓ ଭର୍ଟିକାଲ ଟେକ୍ନୋଲୋଜି ଭଳି ୫ଟି ବିଷୟ ରହିଛି । ରାଜ୍ୟରୁ ଆଇଟିଆଇ ବା ଡିପ୍ଲୋମା ଇଞ୍ଜିନିୟରିଂ ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଯୋଗ୍ୟତା ଭିତ୍ତିରେ ଏହି ୧ ବର୍ଷିଆ ପାଠ୍ୟକ୍ରମରେ ତାଲିମର ସୁଯୋଗ ପାଉଛନ୍ତି । ସେହିପରି ସ୍କୁଲ ଅଫ ସର୍ଭିସେସ୍ ବିଭାଗରେ ବ୍ୟୁଟି ୱେଲନେସ୍ ଆଣ୍ଡ୍ ସ୍ପା ଓ ହେୟାର ଫ୍ୟାସନ ଆଣ୍ଡ୍ ଡିଜାଇନ ଭଳି ଦୁଇଟି ବଜାର ଉପଯୋଗୀ ବିଷୟ ରହିଛି । ଏଥିପାଇଁ ଯୁକ୍ତଦୁଇ ବା ଡିପ୍ଲୋମା ସାର୍ଟିଫିକେଟଧାରୀ ଆବେଦନ କରିପାରିବେ । ଏହି ତାଲିମର ସମୟ ସୀମାଏକ ବର୍ଷ ରହିଛି ।

ସୂଚନାଯୋଗ୍ୟ, ୨୦୨୧ ମସିହାରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଶୁଭାରମ୍ଭ ହୋଇଥିଲା । ପ୍ରଥମ ବ୍ୟାଚରୁ ବାହାରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୨୪ ଜଣ ସିଙ୍ଗାପୁରରେ ବିଭିନ୍ନ କମ୍ପାନୀରେ ପେଡ୍-ଇଣ୍ଟର୍ଣ୍ଣସିପ୍ କରିବାର ସୁଯୋଗ ପାଇଛନ୍ତି । ସେହିପରି ବିଭିନ୍ନ ବ୍ୟାଚର ସଫଳ ପ୍ରାର୍ଥୀ କିପରି ବିଭିନ୍ନ ପ୍ରମୁଖ ସଂସ୍ଥାରେ ନିଯୁକ୍ତି ପାଇପାରିବେ ସେଥିପାଇଁ ପ୍ଲେସମେଣ୍ଟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । କେନ୍ଦ୍ରରେ ବର୍ତ୍ତମାନ ତୃତୀୟ ବ୍ୟାଚର ପାଠ୍ୟକ୍ରମ ଚାଲିଛି । ସେପ୍ଟେମ୍ବରରେ ପରବର୍ତ୍ତି ବ୍ୟାଚର ଛାତ୍ରଛାତ୍ରୀଙ୍କ ପାଇଁ ତାଲିମ ଆରମ୍ଭ ହେବ ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଦିଆଯାଉଥିବା ବିଭିନ୍ନ ବିଷୟରେ ତାଲିମ ପାଇଁ ପ୍ରାର୍ଥୀଙ୍କଠାରୁ କୋର୍ସ ଫି’ ବାବଦରେ ୨୦ ହଜାର ଟଙ୍କା ନିଆଯାଉଛି । ତେବେ, ସେମାନଙ୍କ ଲାଗି ହଷ୍ଟେଲ ସୁବିଧା, ଖାଇବା, ୟୁନିଫର୍ମ ଓ ଯିବା ଆସିବା ଲାଗି ବସ୍ ସୁବିଧା ଆଦି ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଯୋଗାଇ ଦିଆଯାଉଛି ।

ଓଡ଼ିଶାର ଯୁବପିଢ଼ିଙ୍କ ଭିତରେ ନିଜକୁ ବିଶ୍ୱସ୍ତରୀୟ ଦକ୍ଷ ମାନବ ସମ୍ବଳ ଭାବେ ଗଢ଼ି ତୋଳିବା ଲାଗି ଯେଉଁ ଆଶା ସୃଷ୍ଟି ହୋଇଛି ତାକୁ ପୂରଣ କରିବା ଦିଗରେ ସ୍କିଲ୍ଡ ଇନ୍ ଓଡ଼ିଶା ଏକ ସ୍ଲୋଗାନ ପାଲଟିଛି । ତେଣୁ ବିଶ୍ୱ ଦକ୍ଷତା କେନ୍ଦ୍ର ଜରିଆରେ ସରକାର ଯେଉଁ ସୁଯୋଗ ସୃଷ୍ଟି କରିଛନ୍ତି ରାଜ୍ୟର ଯୁବପିଢ଼ି ତା’ର ସୁଯୋଗ ନେବାକୁ ଆଗେଇ ଆସିବା ଦରକାର ବୋଲି କହିଛନ୍ତି ଅଳକା ମିଶ୍ର ।

ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶିଳ୍ପ ତାଲିମ ପ୍ରତିଷ୍ଠାନର ପାଠ୍ୟକ୍ରମ ଓ ତାଲିମ ବ୍ୟବସ୍ଥାରେ ଗୁଣାତ୍ମକ ବିକାଶ ଆଣିବା ବିଶ୍ୱ ଦକ୍ଷତା କେନ୍ଦ୍ରର ଆଉ ଏକ ଲକ୍ଷ୍ୟ । ବିଭିନ୍ନ ପ୍ରତିଷ୍ଠାନର ଶିକ୍ଷକମାନଙ୍କୁ ଅତ୍ୟାଧୁନିକ ତାଲିମ ଦେଇ ସେମାନଙ୍କୁ ଆଗାମୀ କାଲି ପାଇଁ ପ୍ରସ୍ତୁତ କରିବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର କାର୍ଯ୍ୟକ୍ରମ ହାତକୁ ନେଉଛି ।