CVC ରିପୋର୍ଟରେ ବଡ ଖୁଲାସା, କେନ୍ଦ୍ର ସରକାରଙ୍କ ଏକ ଲକ୍ଷ କର୍ମଚାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କେଉଁ ବିଭାଗରେ କେତେ ଦୁର୍ନୀତି ହୋଇଛି ସେ ନେଇ ରିପୋର୍ଟ ଦେଇଛି ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ । କମିଶନ ଜାରି କରିଥିବା ବାର୍ଷିକ ରିପୋର୍ଟ ଅନୁସାରେ ଗତବର୍ଷ କେନ୍ଦ୍ର ଗୃହ ମନ୍ତ୍ରାଳୟର ଅଧିକାରୀଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ସର୍ବାଧିକ ଆସିଛି । ଏହାପଛକୁ ରେଳବାଇ ଓ ବ୍ୟାଙ୍କ କର୍ମଚାରୀଙ୍କ ବିରୋଧରେ ସର୍ବାଧିକ ଦୁର୍ନୀତି ଅଭିଯୋଗ ଆସିଛି ।

କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ମୋଟ ଏକ ଲକ୍ଷ ୧୫ ହଜାର ୨୦୩ଟି ଦୁର୍ନୀତି ଅଭିଯୋଗ ରହିଛି । ସେଥିମଧ୍ୟରୁ ୮୫ ହଜାର ୪୩୭ଟି ଅଭିଯୋଗର ସମାଧାନ ହୋଇଥିବା ବେଳେ ୨୯ ହଜାର ୭୬୬ ଅଭିଯୋଗ ବିଚାରଧିନ ରହିଛି । ଗୃହ ମନ୍ତ୍ରାଳୟର କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ୪୬ ହଜାର ୬୪୩ ଅଭିଯୋଗ ଆସିଥିବା ବେଳେ ୧୦ ହଜାର ୫୮୦ଟି ଅଭିଯୋଗ ରେଳ ବିଭାଗରେ ରହିଛି । କୋଇଲା ମନ୍ତ୍ରାଳୟ, ଶ୍ରମ ମନ୍ତ୍ରାଳୟ, ପେଟ୍ରୋଲିୟମ ମନ୍ତ୍ରାଳୟର ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଛି ।