spot_img
Home Blog Page 3078

ସମୀରଙ୍କୁ ଲେନିନଙ୍କ କଟାକ୍ଷ, ଲାଇମଲାଇଟରେ ରହିବାକୁ କରୁଛନ୍ତି ଟୁଇଟ୍

ଭୁବନେଶ୍ୱର: ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ କଟାକ୍ଷ କଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସମୀର ମହାନ୍ତିଙ୍କ ଟୁଇଟର ଜବାବ ଦେଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଲେନିନ କହିଛନ୍ତି, ରାଜନୀତିରେ ତିଷ୍ଠି ରହିବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି ସମୀର । କୌଣସି ଘଟଣା ଉପରେ ନଜାଣି ଅର୍ଥହୀନ ଟ୍ୱିଟ୍ କରୁଛନ୍ତି ସମୀର । ଲେନିନ ମହାନ୍ତି ଟ୍ୱିଟ୍ କରି ସମୀରଙ୍କୁ ଟାର୍ଗେଟ କରିଛନ୍ତି । ଲେନିନ ନିଜ ଟ୍ୱିଟରେ ଲେଖିଛନ୍ତି, ”ବିଜେପି ନେତା ସମୀର ମହାନ୍ତି ରାଜ୍ୟ ବିଜେପି ସଭାପତି ପଦରୁ ବିଦା ହେବାପରେ ନିଜର ରାଜନୈତିକ ସ୍ଥିତି ହରାଇଛନ୍ତି ।

ରାଜନୀତିରେ ତିଷ୍ଠି ରହିବାପାଇଁ ଆପ୍ରାଣ ଉଦ୍ୟମ ସହିତ ଆଜିକାଲି ସେ ଟୁଇଟ୍‍ ଜରିଆରେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରୁଛନ୍ତି । ଆମେ ତାଙ୍କର ନିରାଶା ଏବଂ ହତାଶାକୁ ବୁଝୁଛୁ । ପୂର୍ବତନ ରାଜ୍ୟ ବିଜେପି ସଭାପତି ତାଙ୍କର ଅର୍ଥହୀନ ଏବଂ ବୁଦ୍ଧିହୀନ ଟୁଇଟ୍‍ ଜରିଆରେ ରାଜନୀତିରେ ପ୍ରାସଙ୍ଗିକ ହୋଇ ରହିବା ଏବଂ ଓଡ଼ିଶା ବିଜେପି ରାଜନୀତିରେ ନିଜର ରାଜନୈତିକ ଅସ୍ତିତ୍ୱ ଖୋଜିବାକୁ ଚେଷ୍ଟା କରୁଥିବାରୁ ଆମେ ତାଙ୍କ ପ୍ରତି ସହାନୁଭୂତି ଦେଖାଉଛୁ । ଆମେ ଆଶା କରୁଛୁ ଯେ ତାଙ୍କର ଓଡିଶା ବିଜେପି ସହକର୍ମୀମାନେ ତାଙ୍କ ପ୍ରତି ଅନୁରୂପ ଭାବେ ଅଧିକ ଦୟା ଏବଂ ସହାନୁଭୂତି ଦେଖାଇବେ ।”

ପାଇଖାନା ଟାଙ୍କି ସଫା ବେଳେ ଚାଲିଗଲା ୩ ଜଣଙ୍କ ଜୀବନ

କୋଲକାତା: ବୀରଭୂମି ଜିଲ୍ଲାର କଙ୍କଡାତଲା ଥାନା ଅଞ୍ଚଳର ହଜରତପୁରରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସଫା କରିବାବେଳେ ତିନି ଜଣଙ୍କ ମୃତ୍ୟୁ ହୋଇଯାଇଛି । ଗତକାଲି ବିଳମ୍ବିତ ରାତିସୁଦ୍ଧା ଦମକଳ ବାହିନୀ ଏବଂ ପୋଲିସର ଦୀର୍ଘ ସମୟ ଉଦ୍ୟମ ପରେ ତିନିଜଣଙ୍କ ଶବକୁ ପାଇଖାନା ଟାଙ୍କିରୁ ବାହାରକୁ ବାହାର କରାଯାଇଛି । ମୃତକଙ୍କ ଚିହ୍ନଟ ଘର ମାଲିକ ସନାତନ ଧୀର (୪୯), ଶ୍ରମିକ ସ୍ପପନ ବାଧାକର (୪୬), ଅମୃତ ବାଧାକର (୩୨) ରୂପରେ ହୋଇଛି । ମୃତକଙ୍କ ମଧ୍ୟରେ ଘର ମାଲିକ ଏବଂ ସଫେଇ କାର୍ଯ୍ୟରେ ଲାଗିଥିବା ଦୁଇ ଶ୍ରମିକ ସାମିଲ ଅଛନ୍ତି ।

ଘଟଣାକୁ ନେଇ ସ୍ଥାନୀୟ ଲୋକ ଏବଂ ପୋଲିସ କହିଛନ୍ତି ଯେ ଶନିବାର ବିଳମ୍ବିତ ସନ୍ଧ୍ୟାରେ ଏହି ଭୟାନକ ଘଟଣା ଘଟିଛି, ଯେଉଁଥିରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ଘଟଣା ବୀରଭୂମ ଜିଲ୍ଲାର ହଜରତପୁର ଗାଁର ଅଟେ । କୁହାଯାଉଛି ଯେ ଦୁର୍ଘଟଣା ସେବେ ଘଟିଛି ଯେବେ ହଜରତପୁର ଗାଁର ସନାତର ଧୀରଙ୍କ ଘରର ପାଇଖାନା ଟାଙ୍କି ସଫା କରିବା ପାଇଁ ମାଲିକ ସମେତ ଦୁଇ ଶ୍ରମିତ ମ୍ୟାନହୋଲ ଖେଲିଥିଲେ ।

ପ୍ରଥମେ ଟ୍ୟାଙ୍କ ମ୍ୟାନ ହୋଲ୍ ଖୋଲୁଥିବାବେଳେ ଗ୍ୟାସରେ ଅଚେତ ହୋଇ ଟାଙ୍କି ଭିତରେ ପଡ଼ିଯାଇଥିଲେ । ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଯାଇ ଘର ମାଲିକ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲେ । ପରେ ଅନ୍ୟ ଜଣେ ଶ୍ରମିକ ମଧ୍ୟ ପାଇଖାନା ଟାଙ୍କି ଭିତରେ ପଡ଼ିଯାଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ୩ଜଣଙ୍କର ମୃତଦେହ ଉଦ୍ଧାର କରିଛି ।

ଆଇଜି ପାର୍କ ନିକଟରୁ ମିଳିଲା ଜୁଏଲାରୀ ଥିବା ବ୍ୟାଗ୍‌

ଭୁବନେଶ୍ୱର: ରାସ୍ତା କଡରୁ ମିଳିଲା ଜୁଏଲାରୀ ଥିବା ବ୍ୟାଗ୍‌ । ଭୁବନେଶ୍ବର କ୍ୟାପିଟାଲ ଥାନା ଆଇଜି ପାର୍କ ନିକଟରୁ ମିଳିଲା ବ୍ୟାଗ । ବ୍ୟାଗ ଭିତରେ ଚେନ, ମଙ୍ଗଳସୁତ୍ର ଓ ଅନ୍ୟ ଆସବାବପତ୍ର ଅଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ଯାଞ୍ଚ ପରେ ବ୍ୟାଗ କ୍ୟାପିଟାଲ ଥାନାକୁ ନିଆଯାଇଛି । ଚୋରି ପରେ ବ୍ୟାଗଟିକୁ କେହି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ବ୍ୟାଗରେ ଥିବା ଜୁଏଲାରୀ ସୁନା ହୋଇନଥିବା ସନ୍ଦେହ । ଚୋରି କେସ ଦେଇଥିବା ଲୋକଙ୍କୁ ଏ ସମ୍ପର୍କରେ ଜଣାଇବ ପୋଲିସ । ଯଦି କାହାର ହଜିଥାଏ, ତେବେ ପ୍ରମାଣ ଦେଇ ଥାନାରୁ ନେଇପାରିବେ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

ଟମାଟୋ ବୋଝେଇ ଟ୍ରକ୍‌ ହାଇଜାକ୍, ବେଙ୍ଗାଲୁରୁରେ ଚାଷୀଙ୍କୁ ଲୁଟିଲେ ହାଇଓ୍ବେ ଲୁଟେରା

ବେଙ୍ଗାଲୁରୁ: ଟମାଟୋ ବୋଝେଇ ଟ୍ରକ୍ ହାଇଜାକ୍ । ବଜାରରେ ଟମାଟୋ ଏବେ ଅମୂଲ୍ୟ ହୋଇଥିବା ବେଳେ ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ଆସିଛି । ଦୁର୍ଘଟଣା ନାଟକ କରି ଟମାଟୋ ବୋଝେଇ ଟ୍ରକ ନେଇ ଫେରାର ହୋଇଯାଇଛନ୍ତି ଦମ୍ପତି । ଟମାଟୋ ବୋଝେଇ ଟ୍ରକ ଏକ କାରକୁ ଧକ୍କା ଦେଇଥିଲା । କାରର କାଚ ଭାଙ୍ଗି ଯାଇଥିବା କହି ଦମ୍ପତି କ୍ଷତିପୂରଣ ମାଗିଥିଲେ । ଡ୍ରାଇଭର ଟଙ୍କା ଦେବାକୁ ମନା କରିବାରୁ ସେମାନେ ଟମାଟୋ ବୋଝେଇ ଟ୍ରକ ନେଇ ଫେରାର ହୋଇଥିଲ । ଘଟଣାର ଜୁଲାଇ ୮ ତାରିଖର । ଟ୍ରକରେ ଅଢ଼େଇ କୁଇଣ୍ଟାଲ ଟମାଟୋ ଥିବା ଚାଷୀ କହିଛନ୍ତି । ଘଟଣାରେ ପୋଲିସ ଚିତ୍ରଦୁର୍ଗ ଜିଲ୍ଲାର ଭାସ୍କର ଓ ତାଙ୍କ ସ୍ତ୍ରୀ ସିନ୍ଧୁଜାଙ୍କୁ ଗିରଫ କରିଛି । ଏବେ ବି ପୋଲିସ ଘଟଣାର ଯାଞ୍ଚ କରୁଛି ।

ରାଜଧାନୀରେ ଚଳିତବର୍ଷର ପ୍ରଥମ ଡେଙ୍ଗୁଜନିତ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଚଳିତବର୍ଷର ପ୍ରଥମ ଡେଙ୍ଗୁଜନିତ ମୃତ୍ୟୁ ଅଭିଯୋଗ । ଖଣ୍ଡଗିରି ଧର୍ମବିହାର ଅଞ୍ଚଳ ୬୩ ନମ୍ବର ୱାର୍ଡରେ ଜଣେ ୭ ବର୍ଷୀୟା ନାବାଳିକାଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାଙ୍କର ମୃତ୍ୟୁ ହୋଇଛି । ଡେଙ୍ଗୁରେ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଡେଙ୍ଗୁ ବ୍ୟାପିଥିବା ବେଳେ ପୁରୁଣା ଭୁବନେଶ୍ୱର, ନୟାପଲ୍ଲୀ, ଖଣ୍ଡଗିରି, ଧର୍ମବିହାର ଭଳି ଅଞ୍ଚଳରେ ଅଧିକ ବ୍ୟାପିଥିବା ଅଭିଯୋଗ ହୋଇଛି ।

ପୁଣି ବୋରଓ୍ବେଲରେ ଖସିପଡ଼ିଲା ଶିଶୁ, ୯୦ ଫୁଟ ଗର୍ତ୍ତରେ ଫସିଛି ତିନି ବର୍ଷର ଶିଶୁ ଶିବମ

ପାଟନା: ପୁଣି ବୋରଓ୍ବେଲରେ ଖସିପଡ଼ିଲା ଶିଶୁ । ୯୦ ଫୁଟ ଗର୍ତ୍ତରେ ଫସିଛି ତିନି ବର୍ଷର ଶିଶୁ ଶିବମ । ବିହାର ନାଳନ୍ଦା ଜିଲ୍ଲା କୁଲଗାଁରେ ଅଭାବନୀୟ ଘଟଣା । ଘର ପଛପଟେ ଖେଳୁଥିବା ବେଳେ ୯୦ ଫୁଟର ଏକ ବୋରଓ୍ବେଲ ଗର୍ତ୍ତରେ ତିନି ବର୍ଷର ଶିଶୁ ଖସିପଡ଼ିଛି । ପ୍ରାୟ ୪୦ରୁ ୫୦ ଫୁଟ ତଳେ ଶିଶୁଟି ଅଟକି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ରେସ୍କ୍ୟୁ ଅପରେସନ ଜାରି ରହିଛି । ଶିଶୁ ପାଖରେ ଅକ୍ସିଜେନ ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଖୁବଶୀଘ୍ର ଏନଡିଆରଏଫ ଟିମ୍ ପହଞ୍ଚିବ ବୋଲି ସୂଚନା ମିଳିଛି ।

ପ୍ରବଳ ବର୍ଷାରେ ବେହାଲ ଗୁଜରାଟ, ଗାଁରୁ ସହର ସବୁଠି ବନ୍ୟା ସ୍ଥିତି

ଗାନ୍ଧୀନଗର: ପ୍ରବଳ ବର୍ଷା ପରେ ଗୁଜରାଟ ବେହାଲ । ରାଜଧାନୀ ଅହମ୍ମଦାବାଦରୁ ଜୁନାଗଡ଼ ଯାଏଁ ବିଗିଡ଼ିଛି ସ୍ଥିତି । ବନ୍ୟାପାଣିରେ ସହର ବୁଡ଼ି ରହିଥିବା ବେଳେ ଏନଡିଆରଏଫ୍ ଟିମ୍ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଛି । ହସ୍ପିଟାଲରୁ ଏୟାରପୋର୍ଟ ସବୁଠି ଜଳପ୍ରଳୟର ଚିତ୍ର । ତଳିଆ ଅଞ୍ଚଳଗୁଡ଼ିକ ଜଳମଗ୍ନ ହୋଇଥିବା ବେଳେ ଅହମ୍ମଦାବାଦ ଏୟାରପୋର୍ଟ ପରିସର ଉବୁଟୁବୁ ହୋଇଛି । ବିମାନ ବନ୍ଦର ପରିସରରେ ବନ୍ୟାପାଣି ଯୋଗୁ ଯାତ୍ରୀମାନେ ଅସୁବିଧା ଭୋଗୁଥିବା ବେଳେ ଅନେକ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଛନ୍ତି । ବିମାନ ଉଡ଼ାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଅନେକ ସହରରେ ଆପାର୍ଟମେଣ୍ଟ ବେସମେଣ୍ଟଗୁଡ଼ିକ ବନ୍ୟାପାଣିରେ ବୁଡ଼ି ରହିଛି । ଲୋକମାନେ ମୋଟର ପମ୍ପ ଯୋଗେ ବେସମେଣ୍ଟରୁ ପାଣି ବଢୁଥିବା ଦେଖାଯାଉଛି । ଆଜି ସକାଳୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଥିବାରୁ ଉତ୍କଟ ବନ୍ୟା ସ୍ଥିତି ଉପୁଜିଛି । ନଦୀ ଓ ଡ୍ୟାମରେ ଜଳସ୍ତର ଲଗାତାର ବୃଦ୍ଧି ଯୋଗୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବନ୍ୟା ନେଇ ସତର୍କତା ଜାରି କରାଯାଇଛି ।

ଜୁନାଗଡ଼ରେ ବନ୍ୟାପାଣିରେ ଭାସି ଯାଉଥିବା କାର ଅଟକାଇବାକୁ ଯାଇ ଜଣେ ବ୍ୟକ୍ତି ଭାସିଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ନବସାରୀ ଜିଲ୍ଲାରେ ବି ବନ୍ୟା ଯୋଗୁ ଗମ୍ଭୀର ସ୍ଥିତି ଉପୁଜିଛି । ବର୍ଷା ଯୋଗୁ ଅହମ୍ମଦାବାଦର ସବୁଠୁ ବଡ଼ ସିବିଲ ହସ୍ପିଟାଲରେ ପାଣି ପଶିଯିବା ଯୋଗୁ ରୋଗୀ ଓ ସମ୍ପର୍କୀୟମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖାଯାଇଛି । ସେପଟେ ଯମୁନାରେ ପୁଣି ଜଳସ୍ତର ବିପଦସଙ୍କେତ ଉପରେ ପହଞ୍ଚିଥିବାରୁ ଦିଲ୍ଲୀରେ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି । ସେପଟେ ହିମାଚଳ, ଉତ୍ତରାଖଣ୍ଡରେ ବି ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ଏବେ ବି କିଛି ଅଞ୍ଚଳ ଜଳମଗ୍ନ ରହିଛି । ପ୍ରଳୟଙ୍କରୀ ବନ୍ୟା ଯୋଗୁ ଏବେସୁଦ୍ଧା ହିମାଚଳ ପ୍ରଦେଶରେ ପ୍ରାୟ ୮ ହଜାର କୋଟିର କ୍ଷୟକ୍ଷତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ସୁଖବୀନ୍ଦର ସିଂ ସୁଖୁ କହିଛନ୍ତି । ଉତ୍ତରାଖଣ୍ଡ ଉତ୍ତରକାଶୀରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଯୋଗୁ ଅରାକୋଟ-ହିମାଚଳ ହାଇଓ୍ବେ ଜାମ ହୋଇଛି ।  ଅରାକୋଟ ବଜାର ନିକଟରେ ଲ୍ୟାଣ୍ଡସ୍ଲାଇଡ ହୋଇଥିବା ବେଳେ ଗାଡ଼ିମୋଟର ଚଳାଚଳ ପ୍ରଭାବିତ ହୋଇଛି ।

ଖୋଲୁଛି ମଣିପୁର କ୍ରାଇମ ଫାଇଲ, ସାମ୍ନାକୁ ଆସୁଛି ୩ ମାସର ବୀଭତ୍ସ କାଣ୍ଡ

ଇମ୍ଫାଲ: ମଣିପୁରରେ ବର୍ବରତାର ଆଉ ଏକ ଘଟଣାର ସାମ୍ନାକୁ ଆସିଛି । ଦୁଇ ମହିଳାଙ୍କୁ ଉଲଗ୍ନ କରି ପରେଡ କରାଇବା ଦିନ ଘଟିଥିଲା ଆଉ ଲୋମହର୍ଷକ ଘଟଣା । ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରିଥିଲେ ହିଂସାକାରୀ । ୨୧ ଓ ୨୬ ବର୍ଷର ଦୁଇ ଯୁବତୀଙ୍କୁ ଯୌନ ଶୋଷଣ ପରେ ହତ୍ୟା କରାଯିବା ନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ରାଜଧାନୀ ଇମ୍ଫାଲଠାରୁ କିଛି ଦୂର କୋନୁଙ୍ଗ ମମାଙ୍ଗସ୍ଥିତ ଏକ କାର ସର୍ଭିସ ସେଣ୍ଟରରେ ଦୁଇ ଯୁବତୀ କାମ କରୁଥିଲେ । ସର୍ବସମ୍ମୁଖରେ ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟାକାଣ୍ଡ ଘଟଣାରେ ଏକାଧିକ ମହିଳା ହିଂସାକାରୀ ମଧ୍ୟ ସମ୍ପୃକ୍ତ ରହିଥିଲେ ବୋଲି ପୋଲିସ କହିଛି । ହତ୍ୟା ପରେ ମୃତଦେହକୁ ଏକ ଖୋଲାପଡ଼ିଆରେ ଫୋପାଡ଼ି ଦିଆଯାଇଥିଲା । ସେମାନଙ୍କ ଶରୀର ରକ୍ତ ଜୁଡୁବୁଡୁ ଥିଲା । ଚୁଟି କାଟି ଦିଆଯାଥିବା ବେଳେ ଡ୍ରେସ ମଧ୍ୟ ଚିରି ଦିଆଯାଇଥିଲା ବୋଲି ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ।

ରାଜ୍ୟରେ ଏଭଳି ଭୟାନକ ବାତାବରଣ ଥିଲା ଯେ, କିଛି ଦିନ ପର୍ଯ୍ୟନ୍ତ ମୃତଦେହ ନେବାକୁ ବି ପରିବାର ଲୋକେ ଆସିନଥିଲେ । ହେଲେ କିଛିଦିନ ପରେ ଜଣେ ଯୁବତୀଙ୍କ ମାଆ ଥାନାରେ ଜିରୋ ଏଫଆଇଆର ଦେଇଥଲେ । ମେ ପ୍ରଥମ ସପ୍ତାହର ଘଟଣା ହୋଇଥିଲେ ବି ଏବେ ଯାଏଁ ପୋଲିସ ଜଣଙ୍କୁ ବି ଗିରଫ କରିନି । ତିନି ମାସ ଧରି ମଣିପୁର ଜଳୁଥିବା ବେଳେ ପୋଲିସ ପାଖରେ ଗଣଦୁଷ୍କର୍ମ, ହତ୍ୟା, ଲୁଟପାଟ ଘଟଣାର ହଜାର ହଜାର ମାମଲା ରୁଜୁ ହୋଇଛି ।

କଟକରେ ଭଡ଼ାଘରୁ ଡାକ୍ତରଙ୍କ ମୃତଦେହ ଉଦ୍ଧାର, ଅସୁସ୍ଥତାରୁ ୧୫ ଦିନ ଛୁଟିରେ ଥିଲେ ଏମ୍‌. ଚନ୍ଦ୍ରଶେଖର

କଟକ: ବନ୍ଦଘରୁ ଡାକ୍ତରଙ୍କ ଗଳିତ ମୃତଦେହ ଉଦ୍ଧାର । କଟକ ଚାଉଳିଆଗଞ୍ଜର ଏକ ଭଡ଼ାଘରୁ ଜଣେ ଡାକ୍ତରଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଡାକ୍ତରଙ୍କ ନାଁ ଏମ୍‌. ଭେଙ୍କଟ ଚନ୍ଦ୍ରଶେଖର । ସେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ମଳଶାସନ ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ । କଟକ ଚାଉଳିଆଗଞ୍ଜରେ ଭଡ଼ା ଘରରେ ଏକାକୀ ରହୁଥିଲେ ଡାକ୍ତର । ଘର ଭିତରୁ ଦୁର୍ଗନ୍ଧ ଆସିବା ପରେ ଲୋକମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଏମ୍‌. ଭେଙ୍କଟ ଚନ୍ଦ୍ରଶେଖରଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି ।

ଡାକ୍ତରଙ୍କ ମୃତ୍ୟୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେମିତି ହେଲା ଡାକ୍ତର ଏମ୍‌. ଭେଙ୍କଟ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ? ଅସୁସ୍ଥ ଥିବାରୁ ସେ ୧୫ଦିନ ଛୁଟିରେ ଥିଲେ । ୪ ବର୍ଷ ହେଲା ସେ କଟକ ଚାଉଳିଆଗଞ୍ଜରେ ଭଡ଼ାଘରେ ରହୁଥିଲେ । ଗତ ୪-୫ ଦିନ ଧରି ବାହାରେ ତାଙ୍କୁ କେହି ଦେଖି ନଥିବା କୁହାଯାଉଛି । ଆଜି ବନ୍ଦ ଘରୁ ଦୁର୍ଗନ୍ଧ ଆସିବା ପରେ ଲୋକମାନେ ପୋଲିସକୁ ଖବର ଦେଇଥିଲେ । ବନ୍ଦଘରୁ ପୋଲିସ ଡାକ୍ତର ଏମ୍‌. ଭେଙ୍କଟ ଚନ୍ଦ୍ରଶେଖରଙ୍କ ଗଳିତ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।