ଦେବଭୂମିରେ ପୁଣି ବର୍ଷା ବିପତ୍ତି, ମାଟି ତଳୁ ୪ ମୃତଦେହ ଉଦ୍ଧାର

1 min read

ଡେରାଡୁନ: ଦେବଭୂମିରେ ପ୍ରକୃତିର ତାଣ୍ଡବ । ସପ୍ତାହେ ଧରି ପ୍ରଳୟଙ୍କରୀ ବନ୍ୟା, ଭୂସ୍ଖଳନ ପରେ ଆଜି ପୁଣି ଆରମ୍ଭ ହୋଇଛି ବର୍ଷା । ପ୍ରବଳ ବର୍ଷା ସହ ଭୂସ୍ଖଳନ ଯୋଗୁ ଉତ୍ତରାଖଣ୍ଡର ତେହରି ଜିଲ୍ଲାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ୪ ବର୍ଷର ଶିଶୁ ରହିଛନ୍ତି । ଚାମ୍ବା ପୋଲିସ ଷ୍ଟେସନ ନିକଟର ଟାକ୍ସି ଷ୍ଟାଣ୍ଡ ପାର୍ଶ୍ବରେ ଭୟଙ୍କର ଭୂସ୍ଖଳନ ଯୋଗୁ ଆହୁରି ଏକାଧିକ ଗାଡ଼ି ମାଟି ତଳେ ଦବି ରହିଛି । ଫଳରେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଲ୍ୟାଣ୍ଡସ୍ଲାଇଡ ଯୋଗୁ ତେହରି-ଚାମ୍ବା ରାସ୍ତାରେ ଯାତାୟାତ ବନ୍ଦ ରହିଛି । SDRF ପକ୍ଷରୁ ରାସ୍ତା ସଫେଇ କାର୍ଯ୍ୟ ଚାଲିଛି । ଆଗାମୀ ଦୁଇ ଦିନ ପାଇଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଥିବା ବେଳେ ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରଖାଯାଇଛି । ଆଜି ସକାଳୁ ଅଧିକାଂଶ ଜିଲ୍ଲାରେ ବର୍ଷା ସହ ଭୂସ୍ଖଳନ ଜାରି ରହିଛି । ଆଜି ପାଇଁ ଡେରାଡୁନ, ପଉରୀ, ନୈନିତାଲ, ଚମ୍ବାଓ୍ବତ ଓ ବାଗେଶ୍ବର ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଋଷିକେଶ-ବଦ୍ରିନାଥ ୫୮ନମ୍ବର ଜାତୀୟ ରାଜପଥ ଚମୋଲି ନିକଟରେ ୨୫୦ ମିଟର ଧସିଯାଇଛି । ଫଳରେ ସେହି ରାସ୍ତା ଦେଇ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି । ହିମାଚଳ ପ୍ରଦେଶରେ ବି ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ । ଦୁଇ ଦିନ ଧରି ସାରା ରାଜ୍ୟରେ ପ୍ରବଳ ବର୍ଷା ସହ ଭୂସ୍ଖଳନ ହୋଇପାରେ । ଭୂସ୍ଖଳନ ଜୋନରେ ରେସ୍କ୍ୟୁ ଟିମ୍ ଆଲର୍ଟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୋଲନରେ ମାଜରୀ ଗାଁ ସମ୍ପୂର୍ଣ୍ଣ ମାଟିରେ ମିଶି ଯାଇଥିବା ବେଳେ କଟଲ ପକୌଟି ଗାଁରେ ଅନେକ ଘର ବିପଦସଙ୍କୁଳ ଅବସ୍ଥାରେ ରହିଛି । ୧୭ ପରିବାର ବାସିହୀନ ହୋଇଛନ୍ତି । ଅଗଷ୍ଟ ଶେଷ ସପ୍ତାହରେ ବି ରାଜ୍ୟରେ ବର୍ଷା ବିପତ୍ତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।