ଛାତ୍ର ମୃତ୍ୟୁ ପାଇଁ ୪ ଶିକ୍ଷକ ସସପେଣ୍ଡ, ନୂଆ ଶିକ୍ଷକଙ୍କୁ ପାଠପଢ଼ା ଦାୟିତ୍ବ

1 min read

ନୂଆପଡା: ନୂଆପଡ଼ା ବୋଡେନ ବୁଢାପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ତୃତୀୟ ଶ୍ରେଣୀ ଛାତ୍ରର ନାଳରେ ବୁଡି ମୃତ୍ୟୁ ଘଟଣା । ଜିଲ୍ଲା ଶିକ୍ଷା ବିଭାଗର କାର୍ଯ୍ୟାନୁଷ୍ଠାନ । ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଯୋଶୀଙ୍କ ସମେତ ଶିକ୍ଷକ କିଶୋର ସାହୁ ଓ ଦୁଇ ଶିକ୍ଷୟିତ୍ରୀ ହିଙ୍ଗୁଳା ମାଝୀ, ଲୋଚନେ ବେହେରାଙ୍କୁ ସସପେଣ୍ଡ କରିଛି । କାର୍ଯ୍ୟରେ ଅବହେଳା ନେଇ ନିଲମ୍ବିତ କରିଛି ଜିଲ୍ଲା ଶିକ୍ଷା ବିଭାଗ । ସ୍କୁଲରେ ଶିକ୍ଷାଦାନ ପାଇଁ ନୂଆ ୪ ଜଣ ଶିକ୍ଷକଙ୍କୁ ଦାୟିତ୍ବ ଦିଆଯାଇଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୋଇ କହିଛନ୍ତି । ସେହିପରି ଜିଲ୍ଲାରେ ଥିବା ସମସ୍ତ ସ୍କୁଲକୁ ଛାତ୍ରଛାତ୍ରୀଙ୍କ ଦାୟିତ୍ୱକୁ ଠିକ ଭାବରେ ତୁଲାଇବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ବୁଢାପଡା ଗାଁର ରୁଦ୍ର ମାଧବ ଜଗତ ଓ ସବିତା ଜଗତଙ୍କ ପୁଅ କେଶବ ଜଗତ ବିଦ୍ୟାଳୟକୁ ଯାଇଥିଲେ । ଖାଇବା ଛୁଟି ପରେ ସେ କିଛି  ଛାତ୍ରଙ୍କ ସହ ନିକଟରେ ଥିବା ଏକ ନାଳକୁ ଯାଇଥିଲେ । ସେଠାରେ ନାଳ ପାଣିରେ ବୁଡିଯାଇଥିଲେ କେଶବ । ଖବର ପାଇ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଯୋଶୀ ଓ ପିଲାମାନେ ନାଳକୁ ଯାଇ ଛାତ୍ରକୁ ଉଦ୍ଧାର କରିଥିଲେ  । ପରିବାର ଲୋକେ ନାଳ ନିକଟକୁ ଯାଇ କେଶବଙ୍କୁ ଖଡ଼ିଆଳ ଡାକ୍ତରଖାନା ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହାପରେ ପରିବାର ଲୋକେ ଓ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ସ୍କୁଲ ଘେରାଉ ସହ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଯୋଶୀ ଓ ସହକର୍ମୀଙ୍କୁ ସ୍କୁଲରେ ତାଲା ପକାଇ ଦେଇଥିଲେ ଏବଂ ଖଡ଼ିଆଳ-ବୋଡେନ ରାସ୍ତା ଅବରୋଧ କରିଥିଲେ । ଶିକ୍ଷକଙ୍କ ଅବହେଳା ଯୋଗୁଁ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଅଭିଯୋଗ କରିବା ସହ ସେମାନଙ୍କୁ ନିଲମ୍ବନ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ବିଭାଗୀୟ ଅଧିକାରୀ ତଦନ୍ତ କରି ୪ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ।