ଇମ୍ଫାଲ: ମଣିପୁରରେ ଇଣ୍ଟରନେଟ ସେବା ବନ୍ଦ । ଲୋକଙ୍କ ପାଖରେ ଖବର ପହଞ୍ଚାଇବାକୁ ନିଜସ୍ବ ଖବରକାଗଜ ଛାପୁଛନ୍ତି କୁକୀ ସମୁଦାୟ । କୁକୀ ଆଦିବାସୀ ସ୍ବେଚ୍ଛାସେବୀଙ୍କ ଉଦ୍ୟମରେ ଜଲେନ ଅଗିନ (ବିପ୍ଳବର ସ୍ବର) ନାମରେ ଏକ ପେପର ପ୍ରିଣ୍ଟ କରାଯାଉଛି । ସାମ୍ପ୍ରଦାୟିକ ହିଂସାରେ ଜଳୁଛି ମଣିପୁର । କୁକୀ-ମିତେଇ ସମୁଦାୟ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି । ହତ୍ୟା, ଦୁଷ୍କର୍ମ, ପୋଡ଼ାଜଳା ଆଦି ଅନେକ ବର୍ବର ଘଟଣା ସାମ୍ନାକୁ ଆସୁଥିବା ବେଳେ ଅନେକ ଘଟଣା ଲୋକଲୋଚନକୁ ଆସିପାରୁନି । ଏଭଳି ଅନେକ ଘଟଣା ସମ୍ପର୍କରେ ରାଜ୍ୟବାସୀଙ୍କୁ ଜଣାଇବାକୁ ନିଜସ୍ୱ ଖବରକାଗଜ ଛାପୁଛନ୍ତି କୁକୀ ସମୁଦାୟ । କିଛି ଗୁରୁତ୍ବପୂର୍ଣ୍ଣ ଖବର ସଂଗ୍ରହ କରି ଏକ ହଜାର ଲେଖାଏଁ କପି ଛପାଯାଉଛି । ଏହି କପି ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇ ଲୋକମାନଙ୍କୁ ରାଜ୍ୟର ସ୍ଥିତି ସମ୍ପର୍କରେ ସୂଚନା ଦିଆଯାଉଛି ବୋଲି ଆସିଷ୍ଟାଣ୍ଟ ଏଡିଟର ହାଓପୁ କହିଛନ୍ତି । ରାଜ୍ୟର ସ୍ଥିତି ସହ ଦେଶ ବିଦେଶର ଅନେକ ଗୁରୁତ୍ବପୂର୍ଣ୍ଣ ଖବର ଛାପି ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଉଛନ୍ତି ସ୍ବେଚ୍ଛାସେବୀ ।
ସମୁଦ୍ର ମଝିରେ ହୁତୁ ହୁତୁ ଜଳିଲା ସିପ୍
ନୂଆଦିଲ୍ଲୀ: ସମୁଦ୍ର ମଝିରେ ହୁତୁ ହୁତୁ ଜଳିଲା ସିପ୍ । ପ୍ରାୟ ୩ ହଜାର କାର୍ ନେଇ ଯାଉଥିବା ଏକ କାରଗୋ ସିପ୍ ଜଳିଯାଇଛି । ଡଚ୍ କୋଷ୍ଟରେ ଜାହଜଟି ଜଳିଯାଇଥିବା ବେଳେ ସିପରେ ଥିବା ଜଣେ ଭାରତୀୟ କ୍ରିଉ ମେମ୍ବରଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି । ସିପରେ ଥିବା ସମସ୍ତ ୨୩ କ୍ରୁମେମ୍ବର ଭାରତୀୟ ଥିବା ଜଣାପଡ଼ିଛି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଜର୍ମାନୀରୁ ମିସ୍ର ଯାଉଥିଲା ଜାହାଜ । ସମୁଦ୍ର ମଝିରେ ନିଆଁ ଲାଗିଯିବା ପରେ କ୍ରୁ ମେମ୍ବର ନିଆଁ ଲିଭାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଅଧାରାତିରେ ଡଚ୍ କୋଷ୍ଟୟାର୍ଡକୁ ଡେଞ୍ଜର ଆଲର୍ଟ ପଠାଯିବା ପରେ ନିଆଁକୁ ଆୟତ୍ତ କରାଯାଇଛି ।
ଆମେରିକା ପାଖରେ ରହସ୍ୟମୟ ଯାନ, UFO ରଖିଛନ୍ତି ବାଇଡେନ ସରକାର
ଓ୍ୱାଶିଂଟନ: ଆମେରିକାରେ ଅଛନ୍ତି ଏଲିଅନ୍ସ । ଅନ୍ୟଗ୍ରହର ଜୀବଙ୍କ ଶବ ରଖିଛନ୍ତି ସରକାର । ଏଲିଅନ୍ସ ସ୍ପେସକ୍ରାଫ୍ଟ୍ UFO ଓ ପାଇଲଟଙ୍କ ଶବ ଆମେରିକା ସରକାର ଲୁଚାଇ ରଖିଛନ୍ତି । ଆମେରିକା ଗୁଇନ୍ଦା ବିଭାଗ ପୂର୍ବତନ ଅଧିକାରୀ ଡେଭିଡ ଗ୍ରୁସଙ୍କ ଏଭଳି ବୟାନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା । ସତ୍ୟତା ଜାଣିବାକୁ ହାଉସ୍ ଅଫ ଓଭରସାଇଟ କମିଟି ଏହାର ଶୁଣାଣି କରିଥିବା ବେଳେ ଗ୍ରୁସ୍ ସମାନ ବୟାନ ଦୋହରାଇଛନ୍ତି । ଚଳିତବର୍ଷ ଆମେରିକା ପ୍ରତିରକ୍ଷା ବିଭାଗ ପକ୍ଷରୁ ଚାଲିଥିବା ଏକ ସ୍ୱତନ୍ତ୍ର ଅପରେସନର ନେତୃତ୍ବ ନେଉଥିଲେ ଗ୍ରୁସ । ମହାକାଶ ସହ ପୃଥିବୀର କନେକ୍ସନ ଓ ଅନ୍ୟ କିଛି ରହସ୍ୟମୟ ଘଟଣାକୁ ନେଇ ହେଉଥିବା ଏକ୍ସପେରିମେଣ୍ଟର କରାଯାଉଥିଲା । ସରକାରଙ୍କ ପକ୍ଷରୁ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଦୁର୍ଘଟଣାଗ୍ରସ୍ତ UFOକୁ ଏକାଠି କରାଯିବା ସହ ସେଗୁଡ଼ିକୁ ପୁନଃ ପରିଚାଳନା ପାଇଁ ଚେଷ୍ଟା କରାଯାଇଥିଲା । ଅନ୍ୟ ଗ୍ରହର ସ୍ପେସକ୍ରାଫ୍ଟ ଓ ସେଥିରେ ଥିବା ପାଇଲଟଙ୍କ ମୃତଦେହ ମିଳିଥିଲା । ସରକାର ଦେଶବାସୀ ଓ ଆମେରିକା କଂଗ୍ରେସଠାରୁ ଏହା ଲୁଚାଇଥିବା କହିଛନ୍ତି ଗ୍ରୁସ୍ । ଡେଭିଡଙ୍କ ଏହି ଦାବିକୁ ଖଣ୍ଡନ କରିଛି ହ୍ବାଇଟ ହାଉସ ।
ସାରା ବିଶ୍ବରେ ଜନକଲ୍ୟାଣ କରୁଛି ବ୍ରହ୍ମକୁମାରୀ, ମହିଳାଙ୍କ ନିୟନ୍ତ୍ରଣ ରହିଛି ଅଗ୍ରଣୀ ସଂସ୍ଥା
ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ଦିନିଆ ଓଡ଼ିଶା ଗସ୍ତର ଆଜି ତୃତୀୟ ତଥା ଶେଷଦିନ । ଭୁବନେଶ୍ୱର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କଲେ ରାଷ୍ଟ୍ରପତି । ନିର୍ଦ୍ଧାରିତ ସମୟରେ ପହଞ୍ଚି ଏକ ଶାନ୍ତ ପରିବେଶରେ ଲାଇଟ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କରିବା ପରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସାମିଲ ଥିଲେ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦବୋଧନ ଦେଇଥିଲେ । ସମାଜରେ ପରିବର୍ତ୍ତନ ଆଣିବାକୁ ବ୍ରହ୍ମକୁମାରୀ ଅନେକ ପ୍ରୟାସ କରିଛି । ଆଜି ଲାଇଟ ହାଉସ୍ କମ୍ଲେକ୍ସର ଶିଳାନ୍ୟାସ କରି ମୁଁ ଖୁସି ବୋଲି ରାଷ୍ଟ୍ରପତି କହିଛନ୍ତି ।
ବ୍ରହ୍ମକୁମାରୀ ଏକ ସାମାଜିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନ । ପରିବର୍ତ୍ତନ ଏକ ଅପରିବର୍ତ୍ତନୀୟ ପ୍ରକ୍ରିୟା ଭଳି ବ୍ରହ୍ମକୁମାରୀରେ ଅନେକ ପରିବର୍ତ୍ତନ ଆସିଛି । ଜଳସ୍ରୋତା ସର୍ବଦା ପ୍ରବହମାନ । ନିଜେ ପରିବର୍ତ୍ତନ ହେଲେ ବିଶ୍ୱ ପରିବର୍ତ୍ତନ ହେବ । ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ପରିବର୍ତ୍ତନ ହେତୁ ପୃଥିବୀରେ ଅନେକ ପରିବର୍ତ୍ତନ ହୋଇଛି । ବସ୍ତୁବାଦୀ ପରିବର୍ତ୍ତନ ସୁଖ ଦିଏ ମାତ୍ର ଶାନ୍ତି ଦେଇ ନଥାଏ । ମାନସିକ ଶାନ୍ତି ବିନା ଜଣେ ପ୍ରକୃତ ସୁଖ ପାଇ ପାରିବନାହିଁ । ସୋସିଆଲ ମିଡିଆ ଆମକୁ କୂପ ମଣ୍ଡୁକ ସଜାଇ ଦେଇଛି ବୋଲି କହିଛନ୍ତି ରାଷ୍ଟ୍ରପତି । ନକରାତ୍ମକ ଚିନ୍ତାରୁ ମୁକୁଳି ସକରାତ୍ମକ ଦିଗ ଆଡକୁ ଯିବା । ଏଥିସହ ଆଧ୍ୟାତ୍ମିକ ବିକାଶ ହେଲେ ଆମେ ବିଶ୍ବ ଗୁରୁ ହୋଇପାରିବା ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଆଜି ବି ହେବନି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର, ବନକଲାଗି ନୀତିକୁ ନେଇ ଥମୁନି ବିବାଦ
ପୁରୀ: ବଢୁଛି ବନକଲାଗି ବିବାଦ । ଆଜି ବି ହେବନି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର । ବନକଲାଗି ନୀତିକୁ ନେଇ ବିବାଦ ଥମିବାର ନାଁ ନେଉନି । ଦତ୍ତ ମହାପାତ୍ର ଆଜି ବନକଲାଗି ନୀତି କରିବା ପାଇଁ ପ୍ରସ୍ତୁତ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମନା କରାଯାଇଥିବା ସମ୍ପୃକ୍ତ ସେବକ ପ୍ରକାଶ କରିଛନ୍ତି । ଗତକାଲି ବନକ ଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଆଜି ନୀତି କରିବାକୁ ଦତ୍ତ ମହାପାତ୍ର ସେବକ ପ୍ରସ୍ତାବ ଦେଇଥିଲେ । ଆଜି ବନକଲାଗି ପାଇଁ ଦତ୍ତ ମହାପାତ୍ର ସେବକ ପ୍ରସ୍ତୁତ ଥିବା ବେଳେ ଶ୍ରୀମନ୍ଦିର କମାଣ୍ଡର ସେମାନଙ୍କୁ ମନା କରିଥିବାରୁ ବେଳେ ଦ୍ଵନ୍ଦ୍ୱ ବଢୁଛି ।
OSSC ଜେଇ ସିଭିଲ ପ୍ରଶ୍ନପତ୍ର ଲିକ୍ ମାମଲା, ବିହାରରୁ ଗିରଫ ହେଲା ମାଷ୍ଟରମାଇଣ୍ଡ
ବାଲେଶ୍ୱର: JEE MAIN ସିଭିଲ୍ ପ୍ରଶ୍ନପତ୍ର ଡିଲ୍ ଘଟଣା । ବିହାରରୁ ଗିରଫ ହେଲା ରାକେଟର ମାଷ୍ଟରମାଇଣ୍ଡ । ପୋଲିସର ସ୍ବତନ୍ତ୍ର ଟିମ୍ ପଚରାଉଚରା ପରେ ପାଇଛି ପ୍ରଶ୍ନପତ୍ର ଡିଲର ଲିଙ୍କ୍ । ମାଷ୍ଟର ମାଇଣ୍ଡ ସମେତ ୭ ଜଣଙ୍କୁ ଅଟକ ରଖିଛି ପୋଲିସ । ପୂର୍ବରୁ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବାଲେଶ୍ବର ପୋଲିସ । ତେବେ ଏହି ପରୀକ୍ଷା ଆସନ୍ତା ସେପ୍ଟେମ୍ବର ୩ରେ ଅନୁଷ୍ଠିତ ହେବ । ପ୍ରଶ୍ନପତ୍ର ଲିକ୍ ହୋଇଥିବା ବାଲେଶ୍ୱର ଏସପି ସାଗରିକା ନାଥ ସୂଚନା ଦେବାପରେ OSSC ତରଫରୁ ଗତ ୧୬ ତାରିଖରେ ହୋଇଥିବା ପରୀକ୍ଷାକୁ ରଦ୍ଦ କରାଯାଇଥିଲା । ସେପ୍ଟେମ୍ବର ୩ ତାରିଖରେ ପୁଣି ହେବ ପରୀକ୍ଷା ବୋଲି ସୂଚନା ଦେଇଛି OSSC ।
OPSC ୨୦୨୧ର ଫଳ ପ୍ରକାଶନ ଉପରୁ ହଟିଲା ଅଙ୍କୁଶ
କଟକ: OPSC ପରୀକ୍ଷା, ୨୦୨୧ର ଫଳ ପ୍ରକାଶନ ଉପରୁ ଅଙ୍କୁଶ ହଟିଲା । ଅଙ୍କୁଶ ହଟାଇଲେ ହାଇକୋର୍ଟ । ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ଆବେଦନର ପ୍ରାରମ୍ଭିକ ଶୁଣାଣି କରି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । କୋର୍ଟଙ୍କ ବିନା ଅନୁମତିରେ ନିଯୁକ୍ତି ପ୍ରକ୍ରିୟାର ଫଳାଫଳ ପ୍ରକାଶ କରାଯିବ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଫଳରେ ସମଗ୍ର ସିଭିଲ୍ ସର୍ଭସ୍ ପରୀକ୍ଷା ଫଳ ଉପରେ ପରୋକ୍ଷରେ କଟକଣା ରହିଥିଲା। ଏହି ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ ପ୍ରସଙ୍ଗ ନେଇ OPSC କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲା । ଅଙ୍କୁଶ ଯୋଗୁଁ ଅନ୍ୟ ଶତାଧିକ ପ୍ରାର୍ଥୀ ପ୍ରଭାବିତ ହେବେ ବୋଲି ଆବେଦନରେ ଉଲ୍ଲେଖ କରିଥିଲା OPSC । ହାଇକୋର୍ଟ ଓପିଏସ୍ସି ଆବେଦନର ଶୁଣାଣି କରି ପୂର୍ବ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି । ଗୋଟିଏ ପଦବୀ ସଂରକ୍ଷିତ ରଖିବାକୁ ଓପିଏସସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ପଦବୀରେ ହାଇକୋର୍ଟଙ୍କ ବିନା ଅନୁମତିରେ ନିଯୁକ୍ତି ଦିଆଯିବ ନାହିଁ ।

