ଆଜି ବି ଭିଜିବ ଓଡ଼ିଶା, ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର: ଆଜି ବି ଭିଜିବ ଓଡ଼ିଶା । ଅଧିକାଂଶ ସ୍ଥାନରେ ଘଡଘଡି ବିଜୁଳି ସହିତ ବର୍ଷା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ,କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା , ନୟାଗଡ, ଗଞ୍ଜାମ, ଗଜପତି, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି , ରାୟଗଡା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏହି ସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ୨୬ ତାରିଖରେ ଉତ୍ତର ଉପକୂଳ ଏବଂ ଦକ୍ଷିଣ ଓଡିଶାର ୧୭ଟି ଜିଲ୍ଲାରେ ଘଡଘଡି ଓ ବିଜୁଳି ସହିତ ବର୍ଷା ହେବ ।

୨୭ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ଓଡିଶା ଉପରେ କୌଣସି ସିଷ୍ଟମର ପ୍ରଭାବ ନାହିଁ । ମୌସୁମୀ ନିମ୍ନ ଚାପରେଖା ତାର ସ୍ବାଭାବିକ ଅବସ୍ଥାନରୁ ସାମାନ୍ୟ ଉତ୍ତରରେ ରହିଛି । ସେପଟେ ଜୁନ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଠାରୁ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୧୧ ଟି ଜିଲ୍ଲାରେ ସ୍ବାଭାବିକ ଠାରୁ ୨୦ ରୁ ୫୯ ପ୍ରତିଶତ ବର୍ଷା ରେକର୍ଡ ହୋଇଥିବା ବେଳେ ୧୭ ଟି ଜିଲ୍ଲାରେ ସ୍ବାଭାବିକ ଏବଂ ୨ ଟି ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି ।