ଚନ୍ଦ୍ରରେ ପୃଥିବୀ ପାଇଁ କେତେ ରହିଛି ଉପାଦେୟ, ତଥ୍ୟ ଖୋଜୁଛି ରୋଭର ପ୍ରଜ୍ଞାନ

ନୂଆଦିଲ୍ଲୀ: ଚନ୍ଦ୍ରରେ ପୃଥିବୀ ପାଇଁ କେତେ ରହିଛି ଉପାଦେୟ । ତଥ୍ୟ ଖୋଜୁଛି ରୋଭର ପ୍ରଜ୍ଞାନ । ରାସାୟନିକ, ଖଣିଜ ପଦାର୍ଥ, ମାଟି ଓ ପଥର ସମ୍ପର୍କରେ କରୁଛି ଗବେଷଣା । ଏନେଇ ଗତକାଲି ପ୍ରଥମ ଫୋଟୋ ପଠାଇଥିଲା ଲ୍ୟାଣ୍ଡର । ୧୪ ଦିନ ଲାଗି ୬ ଚକିଆ ବିଶିଷ୍ଟ ରୋଭର ଚନ୍ଦ୍ରପୃଷ୍ଠର ଗବେଷଣା କରିବ । ୧୪ ଦିନର କାର୍ଯ୍ୟ ସମ୍ପାଦନ ପରେ ସୌରଶକ୍ତି ସମ୍ପନ୍ନ ରୋଭରର ଗତି କ୍ରମଶଃ ଥମିବ ।ଏହି ସମୟରେ ଲ୍ୟାଣ୍ଡର ନିକଟକୁ ପ୍ରଜ୍ଞାନ ଆସିବ । ଗତକାଲି ଲ୍ୟାଣ୍ଡର ବିକ୍ରମ ପଠାଇଛି ଲ୍ୟାଣ୍ଡିଂ ସାଇଟ, ମେଟାଲ ଲେଗ ଓ ଏହାର ଛାଇର ଫଟୋ । ମାଇକ୍ରୋଓ୍ବେଭ ଓଭନ ଆକାରର ରୋଭର ପ୍ରାୟ ୫୦୦ ମିଟର ଯାତ୍ରା କରିବ । ପ୍ରଜ୍ଞାନରେ ଥିବା କ୍ୟାମେରା, ସ୍ପେକ୍ଟ୍ରୋମିଟର ଓ ମାଗ୍ନେଟୋମିଟର ବିଭିନ୍ନ ଗବେଷଣା କାର୍ଯ୍ୟରେ ନିଜକୁ ନିୟୋଜିତ ରଖିବେ । ତେବେ ୧୪ ଦିନ ପରେ ବି ଲ୍ୟାଣ୍ଡର ଓ ରୋଭର କାର୍ଯ୍ୟକ୍ଷମ ନେଇ ଆଶାବାଦୀ ରହିଛି ଇସ୍ରୋ । ସୌରରଶ୍ମି ପଡୁଥିବା ଯାଏ ଲ୍ୟାଣ୍ଡର ଓ ରୋଭର କାର୍ଯ୍ୟକ୍ଷମ ହେବେ ବୋଲି କହିଛି ଇସ୍ରୋ ।