spot_img
Home Blog Page 3059

ଶୀଘ୍ର ଭାରତ ଆସୁଛି ଇ-ଭେଇକିଲ କମ୍ପାନୀ ‘ଟେସଲା’

ନୂଆଦିଲ୍ଲୀ: ଶୀଘ୍ର ଭାରତ ଆସୁଛି ଟେସଲା । ନିଜେ ଟେସଲା ସିଇଓ ଏଲନ ମସ୍କ ଏହି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ଅବସରରେ ମସ୍କ, ମୋଦିଙ୍କୁ ସାକ୍ଷାତ କରିଥିଲେ । ଏହାପରେ ଟେସଲା ଭାରତ ଆସୁଥିବା ନେଇ ସେ ସୂଚନା ଦେଇଛନ୍ତି । ଏହାସହ ମୋଦିଙ୍କ ସହ ମସ୍କଙ୍କ ଭେଟ ପରେ ସେୟାର ବଜାରରୁ ଟେସଲା ପାଇଁ ଧମାକାଦାର ଖବର ଆସିଛି ।

ଚାରି ଦିନିଆ ଆମେରିକା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବୁଧବାର ମସ୍କ ଭେଟିଥିଲେ । ଏହାପରେ ମସ୍କ କହିଥିଲେ, ମୋଦିଜୀଙ୍କ ସହ ଭେଟ ବହୁତ ଚମତ୍କାର ଥିଲା । ତାଙ୍କ ସହ ଆଲୋଚନା ଭଲ ଥିଲା । ଏହାସହ ମସ୍କ କହିଥିଲେ, ଆସନ୍ତାବର୍ଷ ଟେସଲା ଭାରତ ଆସୁଛି ।

ଏହା ପୂର୍ବରୁ ମୋଦି ୨୦୧୫ରେ କାଲିଆର୍ଣ୍ଣିଆରେ ଟେସଲା ମୋଟର୍ସ କାରଖାନା ଗସ୍ତ ବେଳେ ମସ୍କଙ୍କ ସହ ଭେଟ ହୋଇଥିଲା । ତେବେ ବୁଧବାର ଉଭୟଙ୍କ ଭେଟ ବହୁତ ଗୁରୁତ୍ବ ରଖୁଛି । କାରଣ ଏହି ସାକ୍ଷାତ ଏମିତି ସମୟରେ ହୋଇଛି, ଯେତେବେଳେ ଟେସଲା ଭାରତରେ କାରଖାନା ପାଇଁ ସ୍ଥାନ ଖୋଜୁଛି ।

ଟେସଲାର ଭାରତ ପ୍ରବେଶ ନେଇ ମସ୍କ ସଙ୍କେତ ଦେଇଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ତାଙ୍କ କଥା ସ୍ପଷ୍ଟ କରି ଦେଇଛନ୍ତି । ନୀତୀନ ଗଡ଼କାରୀ କହିଛନ୍ତି, ‘ଟେସଲା ଯଦି ଭାରତ ଆସିବାକୁ ଚାହୁଁଛି, ଏଠାରେ ଇଲେଟ୍ରିକ୍ ଗାଡ଼ି ବନାଇବାକୁ ପଡ଼ିବ । ଚୀନରେ ନିର୍ମିତ ଗାଡ଼ି ଭାରତୀୟ ବଜାରରେ ବିକ୍ରି କରିବା ଅନୁଚିତ ।’

ମସ୍କଙ୍କୁ ୧୦ ବିଲିୟନର ବମ୍ଫର ଲାଭ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ମସ୍କଙ୍କୁ ଜବରଦସ୍ତ ଲାଭ ଦେଇଛି । ସେୟାର ବଜାରରେ ଟେସଲାର ଗ୍ରାଫ୍ ହଠାତ ଉପର ମୁହାଁ ହୋଇଯାଇଛି । ଏହାସହ ମସ୍କଙ୍କୁ ୧୦ ବିଲିୟନ ଡଲାରର ଲାଭ ହୋଇଛି ।

କୋଭିଡ ସ୍କାମ ଅଭିଯୋଗରେ ମୁମ୍ବାଇରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରେଡ

ମୁମ୍ୱାଇ :  କୋଭିଡ ସ୍କାମ ଅଭିଯୋଗରେ ମୁମ୍ବାଇରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରେଡ । ଆଇଏଏସ ଅଫିସର ସଂଜୀବ ଜୟସ୍ବାଲ ଏବଂ ଶିବସେନା ଉଦ୍ଧବ ଗୋଷ୍ଠୀର ଦୁଇ ଜଣ ସହଯୋଗୀଙ୍କ ଘରେ ଛାପା ମାରିଛି ଇଡି । ଶିବସେନା ଉଦ୍ଧବ ଗୋଷ୍ଠୀର ଦୁଇ ସହଯୋଗୀ ହେଲେ ସୂରଜ ଚଭନ ଓ ସୁଜିତ ପାଟକର । ସୂରଜ ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ତଥା ଆଦିତ୍ୟ ଠାକରେଙ୍କ ସହଯୋଗୀ ହୋଇଥିବାବେଳେ ସୁଜିତ ଦଳୀୟ ସାଂସଦ ସଂଜୟ ରାଉତଙ୍କ ଘନିଷ୍ଠ ।

ଥାନେ, ନଭି ମୁମ୍ବାଇ ସମେତ ମୁମ୍ବାଇର ୧୫ଟି ଇଲାକାରେ ରେଡ ମାରିଛି ଇଡି । ଆଇଏଏସ ଜୟସ୍ବାଲ ପୂର୍ବରୁ ଥାନେ ମ୍ୟୁନିସିପାଲ କମିଶନର ଥିବାବେଳେ ବୃହାନ ମୁମ୍ବାଇ ମ୍ୟୁନିସିପାଲିଟ କର୍ପୋରେସନର ଅତିରିକ୍ତ କମିଶନର ଥିଲେ । କୋଭିଡ ସମୟରେ ତାଙ୍କୁ ବୃହାନ ମୁମ୍ବାଇ ମ୍ୟୁନିସିପାଲିଟ କର୍ପୋରେସନର ଅତିରିକ୍ତ କମିଶନର ନିଯୁକ୍ତ କରାଯାଇଥିଲା । ଗତ ଜାନୁଆରୀରେ ଇଡି ବିଏମସି କମିଶନର ଆଇ ଏସ ଚହଲଙ୍କ ବାୟନ ରେକର୍ଡ କରିଥିଲା । ତାଙ୍କୁ ଏ ସଂପର୍କୀତ ମାମଲାରେ ଫିଲଡ ହସପିଟାଲର ଠିକା କାମ କାହାକୁ ଦିଆଯାଇଥିଲା ସେ ନେଇ ତଥ୍ୟ ଦେବାକୁ କୁହାଯାଇଥିଲା । ଆଜି ଏହାକୁ ନେଇ ଇଡି ରେଡ ମାରିଛି ।

୨୪ ପାଇଁ ସମରସଜ୍ଜା, ଦିନକ ପରେ ପାଟନାରେ ବିରୋଧୀଙ୍କ ଏକତା ମେଳି

ନୂଆ ଦିଲ୍ଲୀ : ବିଜେପି ବିରୋଧରେ ଏକାଠି ହେଉଛନ୍ତି ବିରୋଧୀ । ଦିନକ ପରେ ପାଟନାରେ ହେବାକୁ ଯାଉଛି ଗୁରୁତ୍ବପୂର୍ଣ୍ଣ ବୈଠକ । କଂଗ୍ରେସ, ଆପ୍, ସମାଜବାଦୀ ପାର୍ଟି, ଟିଏମସି, ଜେଡିୟୁ, ଆରଜେଡି, ଶିବସେନା ଉଦ୍ଧବ ଗୋଷ୍ଠୀ ଆଦି ୨୦ ଦଳର ନେତା ଗୋଟିଏ ମଞ୍ଚରେ ଏକାଠି ହେବେ ।

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଏକତା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ । ଏଥିରେ ରାହୁଲ ଗାନ୍ଧୀ, ଅରବିନ୍ଦ କେଜ୍ରିଓ୍ବାଲ, ମମତା ବାନାର୍ଜୀ, ଶରଦ ପାଓ୍ବାର, ଏମ କେ ଷ୍ଟାଲିନ, ଫାରୁକ ଅବଦୁଲ୍ଲା ସାମିଲ ହେବେ । ସେହିପରି ମେହବୁବା ମୁଫତି, ଉଦ୍ଧବ ଠାକରେ, ତେଜସ୍ବୀ ଯାଦବ, ସୀତାରାମ ୟେଚୁରୀ, ଡି ରାଜା ପ୍ରମୁଖ ବୈଠକରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।

୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ଆଉଟ କରିବାକୁ ରାଷ୍ଟ୍ରୀୟ ଦଳ ଓ ଆଞ୍ଚଳିକ ଦଳ ମଧ୍ୟରେ ସମ୍ପର୍କ ସୁଧାର ପାଇଁ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ନୀତୀଶଙ୍କ ଅଭିଭାଷଣରୁ ବୈଠକ ଆରମ୍ଭ ହେବ । ସଭା ଶେଷରେ ଅଭିଭାଷଣ ରଖିବେ ରାହୁଲ ଗାନ୍ଧୀ । ଜୁନ ୧୨ ତାରିଖରେ ବିରୋଧୀ ଙ୍କ ମେଗା ବୈଠକ ହେବାକୁ ଥିବା ବେଳେ କୌଣସି କାରଣରୁ ଏହାକୁ ୨୩ ତାରିଖରୁ ସ୍ଥଗିତ ରଖାଯାଇଥିଲା ।…

ରାଜ୍ୟରେ ଅଂଶୁଘାତ ନେଇନି ଜୀବନ

ଭୁବନେଶ୍ୱର : ଓଡ଼ିଶାରେ ଚଳିତ ବର୍ଷ କେହି ଅଂଶୁଘାତରେ ପ୍ରାଣ ହରାଇ ନାହାନ୍ତି। ସାମାନ୍ୟ ଅସୁସ୍ଥଙ୍କୁ ହସ୍ପିଟାଲ ନିଆଯାଇଥିଲା, ସେଠାରେ ଏସି ରୁମ ଆଇସିୟୁ ବ୍ୟବସ୍ଥା କରାଯାଇଛି। ସମସ୍ତଙ୍କୁ ଚିକିତ୍ସା ପରେ ଘରକୁ ପଠାଯାଇଛି।

ଆଜି ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେବେ। କେନ୍ଦ୍ର ସରକାର ଏଯାଏ ଅଂଶୁଘାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିନାହାନ୍ତି। ଅନ୍ୟ ରାଜ୍ୟରେ ଅଂଶୁଘାତରେ ଅନେକ ଜୀବନ ଯାଇଛି। ଓଡ଼ିଶାରେ ସେପରି ହୋଇନି। ହେଲେ ଭବିଷ୍ୟତରେ କଣ ହେବ, କହି ହେବନି। ତେଣୁ ଅଂଶୁଘାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ ଦାବି କରିଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାର ଏନେଇ ବିଚାର କରିବେ ବୋଲି ଆଶା ରଖିଥିବା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି।

ଆସନ୍ତା ଜୁନ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାକୃତିକ ବିପର୍ଯ୍ୟୟ ବାର୍ଷିକ ସମୀକ୍ଷା ବୈଠକ ନେବେ। ଏହା ପରେ ତାଙ୍କ ନିର୍ଦେଶରେ ନିଅଣ୍ଟିଆ ବର୍ଷା ମୁକାବିଲା ପାଇଁ କାମ କରାଯିବ । ବର୍ଷାର ସ୍ଥିତି ଦେଖି ପରବର୍ତ୍ତୀ କାର୍ଯ୍ୟଧାରା ସ୍ଥିର କରାଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।

ଆଜି ବର୍ଷର ସବୁଠାରୁ ଲମ୍ୱା ଦିନ: ୧୨ ପରିବର୍ତ୍ତେ ୧୪ ଘଣ୍ଟା ହେବ ଦିନ, ଜାଣନ୍ତୁ କାରଣ…

ନନ୍ଦିଘୋଷ ବ୍ୟୁରୋ : ଆଜି ଭାରତ ମନାଉଛି ଗ୍ରୀଷ୍ମ ସଂକ୍ରାନ୍ତି । ଇଂରାଜୀରେ ଏହାକୁ ସମର ସୋଲାଷ୍ଟିକ୍ ଡେ’ କୁହାଯାଏ । ଆଜି ଅର୍ଥାତ୍ ୨୦୨୩ର ଜୁନ୍ ୨୧ ତାରିଖ ସବୁଠାରୁ ଲମ୍ବା ଦିନ । ଆଜିର ଦିନରେ ଦିଲ୍ଲୀ ତଥା ଉତ୍ତର ଭାରତରେ ସୂର୍ଯ୍ୟ ଶୀଘ୍ର ଉଦୟ ହୋଇ ବିଳମ୍ବରେ ଅସ୍ତ ହୋଇଥାନ୍ତି । ସେଥିପାଇଁ ଆଜି ଦିନ ୧୨ ପରିବର୍ତ୍ତେ ୧୪ ଘଣ୍ଟା ହୋଇଥାଏ ।

ସାଧାରଣ ଦିନ ମାନଙ୍କରେ ଦିନ ଓ ରାତି ସମାନ ସମାନ ଅର୍ଥାତ୍ ୧୨-୧୨ ଘଣ୍ଟା ହୋଇଥାଏ । ୨୧ ଡିସେମ୍ବର ପରେ ରାତି ଛୋଟ ହୋଇଥାଏ ଓ ଦିନ ବଡ । କିନ୍ତୁ ୨୧ ଜୁନ୍ ରେ ଦିନ ସବୁଠାରୁ ବଡ ହୋଇଥାଏ । ଏହା ପରେ ଦିନର ସମୟ କମ୍ ହେବାରେ ଲାଗିଥାଏ ଓ ରାତି ଧୀରେ ଧୀରେ ବଢିଥାଏ । ଦିଲ୍ଲୀରେ ୨୧ ଜୁନ୍ ୨୦୨୩ ଦିନ ୧୩ ଘଣ୍ଟା ୫୮ ମିନିଟ୍ ହୋଇଥାଏ ।

ଦିଲ୍ଲୀ ଓ ଉତ୍ତରଭାରତରେ ଏହି ଦିନ ସୂର୍ଯ୍ୟୋଦୟ ୫ଟା ୨୩ ମିନିଟ୍ ଓ ସୂର୍ଯ୍ୟାସ୍ତ ୭ଟା ୨୧ ମିନିଟ୍ରେ ହୋଇଥାଏ । ତେବେ ୨୧ ଜୁନରେ ସେହି ଅଞ୍ଚଳ ଲୋକଙ୍କ ଲାଗି ବଡ ହୋଇଥାଏ, ଯେଉଁମାନେ ଭୂମଧ୍ୟରେଖା ଅର୍ଥାତ୍ ଇକ୍ୱେଟରର ଉତ୍ତର ଦିଗରେ ରହିଥାନ୍ତି । ଏଥିରେ ରୁଷ, ଉତ୍ତର ଆମେରିକା, ୟୁରୋପ, ଏସିଆ, ଆଫ୍ରିକାର ଅଧା ଅଞ୍ଚଳ ଆସୁଅଛି । ବୈଜ୍ଞାନିକ ଦୃଷ୍ଟିରୁ ଦେଖିଲେ ଏହା ସେତେବେଳେ ହୋଇଥାଏ ଯେତେବେଳେ ସୂର୍ଯ୍ୟଙ୍କ କିରଣ ସିଧା କର୍କଟ ରେଖା/ଟ୍ରପିକ୍ ଅଫ୍ କ୍ୟାନସର ଉପରେ ପଡିଥାଏ । ସେଥିପାଇଁ ଏହି ଦିନ ସୂର୍ଯ୍ୟଙ୍କ ଠାରୁ ପୃଥିବୀର ଏହି ଅଂଶକୁ ମିଳିଥିବା ଶକ୍ତିି ୩୦ ପ୍ରତିଶତ ଅଧିକ ହୋଇଥାଏ ।

ପୃଥିବୀ ସୂର୍ଯ୍ୟ ଚାରିପଟେ ଘୁରୁଥିବାର ଆମେ ଜାଣୁ । ମାର୍ଚ୍ଚରୁ ସେପ୍ଟେମ୍ବର ମଧ୍ୟରେ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ଅଂଶକୁ ସିଧା କିରଣର ସାମ୍ନା କରିବାକୁ ପଡିଥାଏ । ଫଳରେ ଏଠାରେ ଦିନ ବଡ ହୋଇଥାଏ । ବାକି ଦିନ ଦକ୍ଷିଣ ଗୋଲାର୍ଦ୍ଧ ଉପରେ ସୂର୍ଯ୍ୟଙ୍କ କିରଣ ସିଧା ପଡିଥାଏ । ପୃଥିବୀର ଏହିପରି ଘୂର୍ଣ୍ଣନ କାରଣରୁ ଆମକୁ କେତେବେଳେ ଗରମ ପୁଣି କେତେବେଳେ ଥଣ୍ଡା ଅନୁଭୂତ ହୋଇଥାଏ । ଉତ୍ତର ଗୋଲାର୍ଦ୍ଧରେ ସବୁଠାରୁ ଅଧିକ ସୂର୍ଯ୍ୟଙ୍କ କିରଣ ୨୦,୨୧,୨୨ ଜୁନ୍ ରେ ପଡିଥାଏ । ଅର୍ଥାତ୍ ଏହି ସମୟରେ ଆମେ ସୂର୍ଯ୍ୟଙ୍କର ସବୁଠାରୁ ନିକଟତର ହୋଇଥାଉ । ପଶ୍ଚିିମର ବହୁ ସ୍ଥାନରେ ଏହାକୁ ଗ୍ରୀଷ୍ମକାଳୀନ ସଂକ୍ରାନ୍ତି ବି କୁହାଯାଏ । ଅନ୍ୟପକ୍ଷରେ ଦକ୍ଷିଣ ଗୋଲାର୍ଦ୍ଧରେ ଏହିଦିନ ୨୧,୨୨,୨୩ ଡିସେମ୍ବରରେ ଆସିଥାଏ ।

ଏବେ ପୃଥିବୀର ଶକ୍ତି କମ୍ ହେଉଥିବା କାରଣରୁ ଏହାର ଘୂର୍ଣ୍ଣନ ଗତି କମିବାରେ ଲାଗିଛି । ଫଳରେ ଦିନ ଲମ୍ବା ହେବାରେ ଲାଗିଛି । ପ୍ରତି ୧୦୦ ବର୍ଷରେ ଦିନ ୩ ସେକେଣ୍ଡେ ବଢିଯାଉଛି । ଏହା ଶୁଣିବାକୁ ବହୁତ କମ୍ ଲାଗୁଛି ସତ କିନ୍ତୁ ୧ କୋଟି ବର୍ଷ ପରେ ଆମର ଏକ ଦିନ ଏକ ଘଣ୍ଟା ବଢିଯିବ ଅର୍ଥାତ୍ ୨୪ ସ୍ଥାନରେ ଏହା ୨୫ ଘଣ୍ଟା ହୋଇଯିବ ।

ବିଚ୍ ରାସ୍ତାରେ ଯୁବ ଇଞ୍ଜିନିୟରଙ୍କୁ ଚାପୁଡା ମାରି ଚର୍ଚ୍ଚାରେ ମହାରାଷ୍ଟ୍ର ବିଧାୟିକା

ମୁମ୍ୱାଇ :  ବିଧାୟିକାଙ୍କ ଦବଙ୍ଗଗିରି । ବିଚ ରାସ୍ତାରେ ଜୁନିୟର ଇଞ୍ଜିନିୟରଙ୍କୁ ଚାପୁଡା ମାରି ଚର୍ଚ୍ଚାରେ ମହାରାଷ୍ଟ୍ରର ମୀରା ଭୟାଦର MLA ଗୀତା ଜୈନ । ସିବିଲ ଇଞ୍ଜିନିୟରଙ୍କ କଲର ଭିଡି ବିଧାୟିକା ଚାପୁଡ଼ା ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ଜୁନିୟର ଇଞ୍ଜିନିୟରଙ୍କୁ ବିଧାୟିକା ଗାଳିଗୁଲଜ କରିବା ସହ ଚାପୁଡ଼ା ମାରୁଥିବା ଦେଖାଯାଇଛି । ସରକାରୀ ଜମି ଉପରେ ଘର କରି ରହିଥିବା ପରିବାରକୁ ବିନା ନୋଟିସରେ ହଟାଇବା ସହ ଘର ଭାଙ୍ଗିବାକୁ ନେଇ ବିଧାୟିକା ଏଭଳି ଆକ୍ସନ ନେଇଥିବା ଜଣାପଡ଼ିଛି ।

ଗୀତା ଜୈନ୍ ପୂର୍ବରୁ ସହରର ବିଜେପି ମେୟର୍ ଥିଲେ । ୨୦୧୯ ବିଧାନସଭା ନିର୍ବାଚନରେ ସେ ସ୍ୱାଧୀନ ପ୍ରାର୍ଥିନୀ ଭାବେ ବିଜୟୀ ହୋଇ ବିଧାୟିକା ହୋଇଥିଲେ। ସମ୍ପ୍ରତି ମହାରାଷ୍ଟ୍ରର ବିଜେପି-ଶିବସେନା ସରକାରଙ୍କୁ ସମର୍ଥନ କରୁଛନ୍ତି ଗୀତା ।

ଟାଇଟାନିକ ଦେଖିବାକୁ ଯାଇ ବୁଡ଼ା ଜାହାଜ ନିଖୋଜ , ୪ଦିନ ହେଲା ଟ୍ରାକ୍ କରିପାରୁନି ଏକ୍ସପର୍ଟ ଟିମ୍

ନୂଆଦିଲ୍ଲୀ : ଆଣ୍ଟଲାଣ୍ଟିକରେ ଟୁରିଷ୍ଟ ବୁଡା ଜାହାଜ ନିଖୋଜ। ୪ ଦିନ ହେଲେ ବୁଡ଼ା ଜାହାଜ ନିଖୋଜ ଥିବା ବେଳେ ତମାମ ପ୍ରଚେଷ୍ଟା ସତ୍ତ୍ବେ ଏହାକୁ ଟ୍ରାକ କରାଯାଇନାରୁନାହିଁ । ଜାହାଜର ପତ୍ତା ମିଳୁ ନଥିବା ବେଳେ କେଉଁ ସ୍ଥାନରୁ ଜାହାଜ ଗାଏବ ହୋଇଛି ତାହା ମଧ୍ୟ ଜଣାପଡ଼ିନି । ଆମେରିକୀୟ କମ୍ପାନୀ ଓସିଆନ ଗେଟ ପକ୍ଷରୁ ଏହି ଟ୍ରିପର ଆୟୋଜନ କରାଯାଇଥିବା ବେଳେ ଜଣେ ଯାତ୍ରୀଙ୍କଠାରୁ ୨ କୋଟିରୁ ଅଧିକ ଟଙ୍କା ନିଆଯାଇଛି । ଜାହାଜରେ ଜଣେ ପାଇଲଟ, ଜଣେ ଏକ୍ସପର୍ଟ ଓ ୩ଜଣ ଯାତ୍ରୀ ରହିଛନ୍ତି । ରବିବାରଠାରୁ ବୁଡ଼ାଜାହାଜ ସମୁଦ୍ରରେ ନିଖୋଜ ହୋଇଯାଇଥିଲେ ବି ଏଯାଏଁ ଜାହାଜକୁ ଟ୍ରାକ କରାଯାଇପାରିନାହିଁ । ଜାହାଜକୁ ଟ୍ରାକ କରିବାକୁ ରେସ୍କ୍ୟୁ ଅପରେସନ ଜାରି ରହିଛି ।

ସେମାନଙ୍କୁ ଟ୍ରାକ କରିବାକୁ ସବୁ ପ୍ରକାର ଚେଷ୍ଟା କରାଯାଉଛି ବୋଲି ଜାହାଜ ନିର୍ମାଣକାରୀ କମ୍ପାନୀ ପକ୍ଷରୁ କୁହାଯାଉଛି । ବୁଡ଼ାଜାହାଜରେ ଯେତିକି ଅମ୍ଳଜାନ ଅଛି ତାହା ବ୍ୟବହାର କରି ସେଥିରେ ଥିବା ଲୋକମାନେ ୭୦ରୁ ୯୬ ଘଣ୍ଟା ପର୍ଯ୍ୟନ୍ତ ବଞ୍ଚିଯାଇପାରିବେ । ଅଧିକ ଡେରି ହେଲେ ସେମାନଙ୍କ ଜୀବନରକ୍ଷା ସମ୍ଭବ ହୋଇପାରିବ ନାହିଁ । ୨୧ ଫୁଟର ବୁଡ଼ାଜାହାଜରେ ସର୍ବାଧିକ ଚାରିଦିନ ଅମ୍ଳଜାନ ଯୋଗାଇବାର କ୍ଷମତା ରହିଛି ବୋଲି ଉଦ୍ଧାରକାରୀ ଦଳର ମୁଖ୍ୟ କହିଛନ୍ତି ।

ଜାହାଜ କର୍ମଚାରୀ ତଥା ଆମେରିକା ଓ କାନାଡ଼ାର ତଟରକ୍ଷୀମାନେ କେପ୍ କଡ୍ର ୯୦୦ ମାଇଲ ଦୂର ସମୁଦ୍ର ଭିତରେ ଖୋଜାଖୋଜି କରୁଛନ୍ତି । ୧୩,୦୦୦ ଫୁଟ୍ ଗଭୀର ସମୁଦ୍ର ତଳୁ କିଛି ଶବ୍ଦ ଶୁଣିବା ପାଇଁ ସେମାନେ ସୋନାର ପ୍ରଯୁକ୍ତି ବ୍ୟବହାର କରୁଛନ୍ତି । କାନାଡାର ପି-୮ ଏୟାରକାଫ୍ଟ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଛି । ଉକ୍ତ ୫ ଜଣ ଲୋକଙ୍କ ଭିତରେ ଜଣେ ବ୍ରିଟିସ ଅରବପତି ହାମିସ ହାର୍ଡିଂ ଅଛନ୍ତି। ୧୯୧୨ ମସିହାରେ ଉତ୍ତର ଆଣ୍ଟଲାଣ୍ଟିକ ମହାସାଗରରେ ଟାଇଟାନିକ ବୁଡ଼ି ଯାଇଥିଲା । ଏହି ଦୁର୍ଘଟଣାରେ ୧୫ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା ।

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ : ୧୦ରୁ ୧୨ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ୧୦ରୁ ୧୨ଟି ପ୍ରସ୍ତାବ ଉପରେ ବାଜିବ ମୋହର । ବିଭିନ୍ନ ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ହେବ ଆଲୋଚନା ।

ଏହି ବୈଠକରେ ଏକାଧିକ ବିଭାଗର ବହୁ ଗୁରୁତ୍ବପୁର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ଏଥି ସହିତ ଅନେକ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଏହି ବୈଠକରେ  ଆଲୋଚନା ହେବ ବୋଲି ଜଣାପଡିଛି।

ଆନ୍ତର୍ଜାତୀୟ ଯୋଗ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ନବମ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଆମ ପରମ୍ପରାରେ ଯୋଗ ଲୋକପ୍ରିୟ । ଭାରତୀୟ ମୁନିଋଷିଙ୍କ ଦ୍ବାରା ପ୍ରତିଷ୍ଠିତ ଏହି ଜୀବନଶୈଳୀ ମଣିଷକୁ ସ୍ବୟଂସମ୍ପୂର୍ଣ୍ଣ କରିବା ସହ ଆବଶ୍ୟକ ଦକ୍ଷତା ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ ।

ଶରୀର, ମନ ଓ ଆତ୍ମାର ସନ୍ତୁଳନ ରକ୍ଷା କରି ଯୋଗ ସକାରାତ୍ମକ ଚିନ୍ତାଧାରାର ବିକାଶ କରିଥାଏ । ବସୁଧୈବ କୁଟୁମ୍ବକମ୍ ଭାବ ଧାରାରେ ବଞ୍ଚିବା ପାଇଁ ଯୋଗ ଏକ ମାଧ୍ୟମ । ସମସ୍ତେ ନିଜ ଜୀବନରେ ଯୋଗକୁ ଅପରିହାର୍ଯ୍ୟ ଅଙ୍ଗଭାବେ ଗ୍ରହଣ କରି ସୁସ୍ଥ ରହିବା ସହ ସୁସ୍ଥ ସମାଜ ଗଠନରେ ସହାୟକ ହେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଶ୍ରୀଗୁଣ୍ଡିଚାରେ ଲାଗିଲା ତିନି ରଥ ; ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ଟାଣି ନେଲେ ହଜାର ହଜାର ଭକ୍ତ

ପୁରୀ :  ନବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି । ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ରଥ । ଗତକାଲି ଶରଧାବାଲିରେ ତାଳଧ୍ବଜ ରଥ ଲାଗିଥିବା ବେଳେ, ଆଜି ପହଞ୍ଚିଛି ଦର୍ପଦଳନ ଓ ନନ୍ଦିଘୋଷ ରଥ । ଗତକାଲି ଅଧାବାଟରେ ରହିଥିଲା ଦେବୀ ସୁଭଦ୍ରା ଓ ଜଗନ୍ନାଥଙ୍କ ରଥ । ଆଜି ସକାଳୁ ସମସ୍ତ ନୀତିକାନ୍ତି ପରେ ପୁଣି ଆରମ୍ଭ ହୋଇଥିଲା ରଥଟଣା ।

ହରିବୋଲ ଓ ଘଣ୍ଟ ଘଣ୍ଟା ମାଡ଼ରେ କମ୍ପୁଛି ଗୁଣ୍ଡିଚା ମନ୍ଦିର ପରିସର । ଆଜି ରଥରେ ନୀତିକାନ୍ତି କରାଯିବ । ଆସନ୍ତାକାଲି ଆଡ଼ପ ମଣ୍ଡପକୁ ବିଜେ କରିବେ ତିନି ଠାକୁର । ଗତକାଲି ସଂଧ୍ୟା ହୋଇଯିବାରୁ ଦେବ ଦଳନ ରଥ ଗୁଣ୍ଡିଚାମନ୍ଦିର ଓ ବଡ଼ଶଙ୍ଖ ମଧ୍ୟଭାଗରେ ଅଟକିଥିଲା । ସେହିଭଳି ମାଉସୀ ମା’ ମନ୍ଦିର ନିକଟରେ ଅଟକିଥିଲା ନନ୍ଦିଘୋଷ ରଥ ।