spot_img
Home Blog Page 3058

ମିଶନ ଶକ୍ତି କାଫେରେ ଖାଇଲେ, ସଚିବଙ୍କ ସହ ଭିଡିଓ କଲରେ କଥା କରାଇଲେ 5T ସଚିବ

ରାୟଗଡା: ବିଷମକଟକ ମିଶନ ଶକ୍ତି କ୍ୟାଫେରେ 5T ସଚିବ । କ୍ୟାଫେର ସୌନ୍ଦର୍ଯ୍ୟତାକୁ ପ୍ରଶଂସା କରିବା ସହ ଜଳଖିଆ ଖାଇଛନ୍ତି 5T ସଚିବ । ଇଡଲି ଓ ଦୋସା ଖାଇ ସ୍ବାଦ ଖୁବ ଭଲ ଥିବାରୁ କାଫେ ମହିଳାଙ୍କୁ କରିଛନ୍ତି ପ୍ରଶଂସା । ଏହାସହ ପତ୍ନୀ ତଥା ମିଶନ ଶକ୍ତି ସଚିବ ସୁଜାତା ଆର. କାର୍ତ୍ତିକେୟନଙ୍କୁ ଭିଡ଼ିଓ କଲ୍ ମାଧ୍ୟମରେ ମିଶନଶକ୍ତି ମହିଳାଙ୍କ ସହ କଥା କରାଇଲେ ।

ଭଲ କାମ କରୁଥିବାରୁ ମିଶନ ଶକ୍ତି ସଚିବ ସେମାନଙ୍କୁ ପ୍ରଶଂସା କରିବା ସହ ସେ ନିଜେ ବିଷମକଟକ ଆସିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ଏହାସହ ମିଲେଟ୍ କ୍ୟାଫେ ଖୋଲିବାକୁ ଚାହୁଁଥିବାରୁ ମହିଳାଙ୍କୁ ସ୍ବାଗତ କରିବା ସହ ମନୋବଳ ବଢ଼ାଇଥିଲେ । ଏହାପରେ ମିଶନ ଶକ୍ତି ମହିଳାଙ୍କ ସହ ଫଟୋ ନେଇଥିଲେ ଫାଇବ-ଟି ସଚିବ । ଉପହାର ଆକାରରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଚତୁର୍ଦ୍ଧାମୁରତୀଙ୍କ ପଟ୍ଟଚିତ୍ର ପ୍ରଦାନ କରିଥିଲେ ମାଆମାନେ । ଏହାକୁ ଦେଖି ଖୁବ ଖୁସି ହୋଇଥିଲେ 5t ସଚିବ ।

ଡ଼ୁବୁରୀ ଛକରେ ଅଗ୍ନିକାଣ୍ଡ ଘଟି ଜଳି ଯାଇଛି ୩ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଯାଜପୁର: କଳିଙ୍ଗନଗର ଥାନା ଡ଼ୁବୁରୀ ଛକରେ ଅଗ୍ନିକାଣ୍ଡ ଘଟି ଜଳି ଯାଇଛି ୩ଟି ଦୋକାନ। ଏହି ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ଜଳଖିଆ ଦୋକାନ ଚୁଲାରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସୂଚନା ମୁତାବକ ଆଜି ସକାଳ ପାଖାପାଖି ୮ଟା ସମୟରେ ହଠାତ୍ ଏକ ଜଳଖିଆ ଦୋକାନରେ ନିଆଁ ଲାଗିଯାଇଥିଲା। ଜଳଖିଆ ଦୋକାନୀ ସୁରକ୍ଷିତ ଭାବେ ବାହାରକୁ ଚାଲି ଆସିଥିଲେ।

ପରେ ଏହି ନିଆଁ ପାଖରେ ଥିବା ଅନ୍ୟ ୨ଟି ଦୋକାନକୁ ବ୍ୟାପି ଯାଇଥିଲା। ତେବେ ଏହି ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ଜଳଖିଆ ଦୋକାନ ଚୁଲାରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଖବର ପାଇ ଅଗ୍ନିଶମ ବିଭାଗର ୩ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ଇମ୍ରାନ ଖାନଙ୍କୁ ଜୁନ ୨୧ ଯାଏଁ ଆଶ୍ବସ୍ତି, ପତ୍ନୀ ବୁସିରା ବିବି ୧୩ ଯାଏଁ ହୋଇପାରିବେନି ଗିରଫ

ଇସଲାମାବାଦ: ବହୁଚର୍ଚ୍ଚିତ ତୋଷଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଶ୍ବସ୍ତି । ପାକିସ୍ତାନର ଏକ କୋର୍ଟ ଇମ୍ରାନଙ୍କୁ ଆସନ୍ତା ଜୁନ ୨୧ ତାରିଖ ଯାଏ ଦେଇଛନ୍ତି ସୁରକ୍ଷିତ ଜାମିନ । ସେ ପ୍ରଧାନମନ୍ତ୍ରୀ ଥିବାବେଳେ ତାଙ୍କୁ ମିଳିଥିବା ଗିଫ୍ଟଗୁଡିକୁ ବିକିଥିବା ନେଇ ହୋଇଥିବା ଅଭିଯୋଗ ଆଧାରରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା ।

ଏହି ଜାଲିଆତି ନେଇ ଇମ୍ରାନଙ୍କ ବିରୋଧରେ ପୁଣି ଏକ ସାନି ଏଫଆଇଆର ଦାୟର ହୋଇଛି । ଗତକାଲି ବି ଜାଲିଆତି ପ୍ରସଙ୍ଗରେ ଇମ୍ରାନ ଓ ପତ୍ନୀ ବୁସିରା ବିବିଙ୍କ ବିରୋଧରେ ପାକିସ୍ତାନ ସରକାର ଏକ ମାମଲା ଦାୟର କରିଥିଲେ । ସେହିପରି ବୁସିରା ବିବିଙ୍କୁ ଆସନ୍ତା ୧୩ ତାରିଖ ଯାଏ ଗିରଫ ନ କରିବା ଲାଗି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଲାହୋର ହାଇକୋର୍ଟ ।

ସୁଶାନ୍ତ ହତ୍ୟା ମାମଲାରେ ଅନ୍ୟ ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ବର: କ୍ୟାପିଟାଲ ଥାନା ସୁଶାନ୍ତ ନାୟକ ହତ୍ୟା ଘଟଣାରେ ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଏହା ପୂର୍ବରୁ ଜଣେ ଅଭିଯୁକ୍ତ କୋର୍ଟରେ ଆତ୍ମସମର୍ପଣ କରିଥିଲା । ମୁଖ୍ୟ ଅଭିଯୁକ୍ତ ବିଶାଲ ନାୟକ ମଧ୍ୟ ଗିରଫ ହୋଇଛି । ୪ ଜଣ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ କରିଥିଲେ ବିଭତ୍ସ ହତ୍ୟା । ଜିଲ୍ଲା ବାହାରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା ପୋଲିସ  ।

ନାବାଳିକା ଅସାଦାଚରଣ ଘଟଣାରେ ଏତଲାକୁ କେନ୍ଦ୍ର କରି ହୋଇଥିଲା ମର୍ଡର । ୟୁନିଟ ୧ ହାଇସ୍କୁଲ ସମ୍ମୁଖ ଜିଇଡି ବସ୍ତିରେ ଏଭଳି ଘଟଣା ଘଟିଥିଲା  । ହାଣିବା ପରେ ଫେରାର ହୋଇଯାଇଥିଲେ ଅଭିଯୁକ୍ତ ।

ଭୋର ୪ଟାରୁ ୫ଟା ଭିତରେ ଆକ୍ରମଣ ହୋଇଥିବା କୁହାଯାଉଛି । ଘଟଣାସ୍ଥଳରେ ଫରେନସିକ୍ ଟିମ୍ ଓ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା  । ନାବାଳିକା ଅସାଦାଚରଣ ଘଟଣାରେ ଏତଲାକୁ କେନ୍ଦ୍ର କରି ହୋଇଥିଲା ମର୍ଡର  ।

ଚତୁର୍ଥ ଦିନରେ ଖିରିଭୋଗ ପାଇଁ ଅଲାରନାଥରେ ପ୍ରବଳ ଭିଡ

ପୁରୀ: ସ୍ନାନଯାତ୍ରା ପରେ ଅଣସର ପିଣ୍ଡିରେ ମହାପ୍ରଭୁ । ଗୁପ୍ତ ଉପଚାର କରୁଛନ୍ତି ଦଇତାପତି ସେବାୟତ। ଅଲାରନାଥରେ ଅଣସରର ଚତୁର୍ଥ ଦିନରେ ଖିରିଭୋଗ ପାଇ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି।  ୪ଟାରୁ ଦ୍ଵାର ଫିଟା , ମଙ୍ଗଳ ଆଳତି, ତଡ଼ପ ଲାଗି ହେବାପରେ ସକାଳ ୫ଟାରେ ଗୋପାଳ ବଲ୍ଲଭ ପରେ, ସର୍ବସାଧାରଣ ଦର୍ଶନ ଆରମ୍ଭ ‌ହୋଇଛି।

ଭକ୍ତମାନେ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଅଣସର ବେଶକୁ ଦର୍ଶନ କରୁଛନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନରୁ ଭକ୍ତମାନେ ଆନନ୍ଦ ବଜାରରେ ଖିରି ଭୋଗ ପାଇ ଭିଡ ଲଗାଇଛନ୍ତି । ଅପରପକ୍ଷରେ ଶ୍ରୀମନ୍ଦିରର ଅଣସର ଗୃହରେ ଦଇତାପତି ସେବକଙ୍କ ଦ୍ଵାରା ଗୁପ୍ତ ନୀତି ଚାଲୁରହିଛି।

ଖୁବଶୀଘ୍ର ରାୟଗଡାରେ ସ୍କୁଲ କଲେଜର ରୂପାନ୍ତରଣ,ଏମବିକେ, ସିଆରପି ଓ ବ୍ୟାଙ୍କମିତ୍ରଙ୍କ ବଢିବ ଦରମା

ରାୟଗଡା: କାଶୀପୁରରେ ହେବ ଡିଗ୍ରୀ କଲେଜ । ଖୁବଶୀଘ୍ର ଖୁସିଖବର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାୟଗଡ଼ା ଗସ୍ତର ଦ୍ବିତୀୟ ଦିନରେ କାଶୀପୁରର ନବ ନିର୍ମିତ ସିଏଚସି ବୁଲି ଦେଖିବା ସହ ଏହି ବଡ଼ ଘୋଷଣା କରିଛନ୍ତି 5Tସଚିବ ଭି.କେ ପାଣ୍ଡିଆନ । ସିଏଚସି ନୂଆ ବିଲଡ଼ିଂରେ ଖର୍ଚ୍ଚ ହେଉଛି ୧୦କୋଟିରୁ ଅଧିକ ଟଙ୍କା । ବାକି ଥିବା ହାଇସ୍କୁଲ ରୂପାନ୍ତରଣ ଶୀଘ୍ର ହେବା ସହ ଯୁକ୍ତ ୨ କଲେଜ ବି ରୂପାନ୍ତରଣ ହେବ । ଜଳସେଚନ ଓ ପାନୀୟଜଳ ନେଇ ଥିବା ଦାବି ଖୁବଶୀଘ୍ର ପୂରଣ ହେବ । କାଶୀପୁରର ଘରେ ଘରେ ପହଞ୍ଚିବ ପାଣି, ଜଳସେଚିତ ହେବ ସବୁ କ୍ଷେତ ।

କେବଳ ସେତିକି ନୁହେଁ ବ୍ରହ୍ମପୁର-ଜୟପୁର ବିଜୁ ଏକ୍ସପ୍ରେସ ୱେ -୨ ନିର୍ମାଣ ଚାଲିଛି । ଉପକୃତ ହେବେ ରାୟଗଡ଼ା ଜିଲ୍ଲାବାସୀ । ରାୟଗଡ଼ାର ୧୨୦ କିଲୋମିଟରରୁ ଅଧିକ ରାସ୍ତା ତିଆରି ହେବ । କେବଳ ରାୟଗଡ଼ାରେ ରାସ୍ତା ପାଇଁ ୧୨ଶହ କୋଟି ଖର୍ଚ୍ଚ ହେବ ।

ମିଶନ ଶକ୍ତି ମା ମାନଙ୍କ ସହ କଥା ହେବା ସହ ବିଭିନ୍ନ ଦାବି ପତ୍ର ନେଇଛନ୍ତି ଭି.କେ ପାଣ୍ଡିଆନ । ଏମବିକେ, ସିଆରପି ଓ ବ୍ୟାଙ୍କ ମିତ୍ରଙ୍କ ଦରମା ବଢ଼ିବ ବୋଲି ଦେଇଛନ୍ତି ପ୍ରତିଶ୍ରୁତି । ସେହିପରି ଧାର୍ମିକ ଅନୁଷ୍ଠାନର ବିକାଶ ନେଇ ଥିବା ଦାବି ଉପରେ ଖୁବଶୀଘ୍ର ତର୍ଜମା କରି ଏକ ସପ୍ତାହରେ ମୁଖ୍ୟମନ୍ତ୍ରୀ ଖୁସିଖବର ଦେବେ ବୋଲି କହିଛନ୍ତି ଫାଇବ-ଟି ସଚିବ ଭି.କେ ପାଣ୍ଡିଆନ ।

ପାଟନାରେ ମହାମେଳି କରିବେ ବିରୋଧୀ, ଯୋଗ ଦେବେ ରାହୁଲଙ୍କ ସହ ଖଡଗେ

ପାଟନା: ଆସନ୍ତା ୨୩ରେ ବିରୋଧୀଙ୍କ ମେଗା ସୋ । ପାଟନାରେ ହେବାକୁ ଥିବା ମହାମେଳିରେ ସାମିଲ ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦଳୀୟ ମୁଖ୍ୟ । ମହାସମାବେଶରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପ୍ରମୁଖ ସାମିଲ ହେବା ସମ୍ଭାବନା ରହିଛି ।

ସେହିପରି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଜେଡିୟୁ ସଭାପତି ରାଜୀବ ରଞ୍ଜନ, ଶିବସେନା ନେତା ଉଦ୍ଧବ ଠାକରେ, ଏନସିପି ନେତା ଶରଦ ପାଓ୍ବାର ପ୍ରମୁଖ ଯୋଗଦେବା ଆଶା ରହିଛି । ଏହି ସମାବେଶରେ ଆସନ୍ତା ଲୋକସଭା ନିର୍ବାଚନରେ ଏକତ୍ର ଲଢେଇ କରିବା ଲାଗି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ସମ୍ଭାବନା ରହିଛି । ଗତ କିଛି ଦିନ ଧରି ବିଜେପି ବିରୋଧରେ ମେଣ୍ଟକୁ ଶକ୍ତିଶାଳୀ କରିବା ଲାଗି ବିଭିନ୍ନ ନେତା ଘନ ଘନ ଉଦ୍ୟମ କରୁଥିବା ଦେଖାଯାଇଛି ।

ରାୟଗଡାରେ ଉନ୍ନତିକରଣ କାମର ସମୀକ୍ଷା କରୁଛନ୍ତି 5T ସଚିବ

ରାୟଗଡ଼ା: ଦୁଇ ଦିନିଆ ରାୟଗଡା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । ସକାଳୁ ସକାଳୁ ବିକାଶ କାମର ସମୀକ୍ଷା ପାଇଁ ବାହାରିଛନ୍ତି 5T ସଚିବ । ଆଉ କିଛି ସମୟ ପରେ କାଶିପୁର ନିୟୁ ସିଏଚସିରେ ପହଞ୍ଚି ବିକାଶ କାମର ଅନୁଧ୍ୟାନ କରିବେ । ନୂଆ ବିଲଡିଂ ନିର୍ମାଣ କାମର ଅନୁଧ୍ୟାନ କରିବେ 5T ସଚିବ । ପରେ ଖୁରିଗାମ ଗ୍ରାମପଞ୍ଚାୟତରେ ମିଶନ ଶକ୍ତି ମାଆମାନଙ୍କ ସହିତ ଆଲୋଚନା କରିବେ । ଏହାପରେ ବିଷମକଟକ ମିଶନ ଶକ୍ତି କାଫେ ପରିଦର୍ଶନ କରିବା ପରେ ଖଜୁରୀରେ ଗଡ଼ଗଡ଼ା ଜଳପ୍ରପାତ ନିକଟରେ ଇକୋ ଟୁରିଜିମର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିବେ ।

ଚାଟିକୋଣା ଶିବ ମନ୍ଦିରର ଉନ୍ନତିକରଣ ନେଇ ଆଲୋଚନା କରିବେ । ଏହା ସହିତ ଡଙ୍ଗରିଆ କନ୍ଧ ଗ୍ରୁପ ସହିତ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ପରେ ବିଷମକଟକ ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ଜନସାଧାରଣ ଓ ମିଶନ ଶକ୍ତି ସଦସ୍ୟାଙ୍କ ସହିତ ଆଲୋଚନା କରିବେ । ଏହାପରେ ପଦ୍ମପୁର ବ୍ଲକର ମାତାର୍ବମ ମନ୍ଦିରର ବିକାଶ ନେଇ ଆଲୋଚନା କରିବେ । ଖିଲାମୁଣ୍ଡାରେ କୃଷକଙ୍କ ସହିତ ଆଲୋଚନା କରିବେ ଫାଇଭ-ଟି ସଚିବ ।

ସେଠାରୁ ଗୁଣପୁରର ସେଫାଳି ହିଲରେ ପହଞ୍ଚି ରାମେଶ୍ବର ଶିବମନ୍ଦିରର ବିକାଶ ଓ ପର୍ଯ୍ୟଟନସ୍ଥଳୀର ବିକାଶ ନେଇ ଆଲୋଚନା କରିବେ । ଗୁଣପୁର ଇନଡୋର ଷ୍ଟାଡିୟମରେ ମିଶନ ଶକ୍ତି ସଦସ୍ୟ ଏବଂ ସାଧାରଣ ଲୋକଙ୍କ ସହିତ ଆଲୋଚନା କରି ସମସ୍ୟା ସମ୍ପର୍କରେ ଅବଗତ ହେବେ ଫାଇଭ-ଟି ସଚିବ ।

ବାହାନଗା ଟ୍ରେନ ଦୁର୍ଘଟଣା ପରେ ଚାଲିଛି ଶବ ଚିହ୍ନଟ, ଏବେସୁଦ୍ଧା ୧୧୧ ମୃତଦେହ ନେଲେଣି ପରିବାର

ବାଲେଶ୍ବର: ବାହାନଗା ଟ୍ରେନ୍ ଟ୍ରାଜେଡ଼ି ପରେ ଜାରି ରହିଛି ଶବ ଚିହ୍ନା । ବିଭିନ୍ନ ରାଜ୍ୟରୁ ସେମାନଙ୍କ ସମ୍ପର୍କୀୟ ଆସି ମୃତଦେହ ଚିହ୍ନଟ କରି ନେଉଛନ୍ତି । ଏବେସୁଦ୍ଧା ଭୁବନେଶ୍ବର ଏମ୍ସରେ ଥିବା ୧୯୩ ମୃତଦେହରୁ ୧୧୧ମୃତଦେହ ଚିହ୍ନଟ ସରିଛି । ସରକାର ନିଜ ଖର୍ଚ୍ଚରେ ପରିବାର ସହ ମୃତଦେହ ସେମାନଙ୍କ ଘରେ ପହଞ୍ଚାଉଛନ୍ତି । ଆଉ ୮୨ ମୃତଦେହ ରହିଛି ।

ଯାହାର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ସେପଟେ କଟକ ଏସସିବିରେ ଏବେ ୧୧୯ଗୁରୁତରଙ୍କ ଚିକିତ୍ସା ଚାଲିଛି । ୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୧ଜଣ ଆଇସିୟୁରେ ଅଛନ୍ତି । ମୋଟ୍ ୨୦୧ଆହତ ଏସସିବିରେ ଭର୍ତ୍ତି ହୋଇଥିଲେ ।

ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ । ଏହା ସହିତ ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ । ଅପରାହ୍ନ ୪ଟାରେ ରେଜଲ୍ଟ ବାହାରିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି । ଚଳିତବର୍ଷ କଳାରେ ୨ ଲକ୍ଷ ୨୯ ହଜାର ୧୧୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେହିପରି ଧନ୍ଦାମୂଳକରେ ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

ପୂର୍ବରୁ ଗତ ମେ ମାସ ୩୧ ତାରିଖ ଦିନ ପ୍ରକାଶ ପାଇଥିଲା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟର ଫଳାଫଳ । ଭୁବନେଶ୍ୱର ସିଏଚଏସଇ କାର୍ଯ୍ୟାଳୟ ପରିସରରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଫଳାଫଳ ଘୋଷଣା କରିଥିଲେ । ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ଆଗରେ ଛାତ୍ରୀ ଥିଲେ । ଆସନ୍ତା ବର୍ଷ ଠାରୁ ଯୁକ୍ତ ଦୁଇ ପରୀକ୍ଷାରେ ବ୍ୟାପକ ସଂସ୍କାର ଅଣାଯିବ ନେଇ ଲକ୍ଷ୍ୟ ରହିଛି । ଆସନ୍ତାବର୍ଷ ଏକସଙ୍ଗରେ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ନେଇ ସିଏଚ୍ଏସ୍ଇ ପ୍ରତିଶ୍ରୁତି ଦେଇଛି ।