ମଧ୍ୟପ୍ରଦେଶରେ ପୁଣି ଦଳିତ ବିରୋଧୀ ହିଂସା, ଯୁବକଙ୍କୁ ପିଟି ପିଟି ହତ୍ୟା ପରେ ତାଙ୍କ ମାଆଙ୍କୁ ଉଲଗ୍ନ କଲେ ଦୁର୍ବୃତ୍ତ

ଭୋପାଳ: ମଧ୍ୟପ୍ରଦେଶରେ ପୁଣି ଦଳିତ ବିରୋଧୀ ହିଂସା । ଯୁବକଙ୍କୁ ପିଟି ପିଟି ହତ୍ୟା ପରେ ତାଙ୍କ ମାଆଙ୍କୁ ଉଲଗ୍ନ କରିଛନ୍ତି ଦୁର୍ବୃତ୍ତ । ଘଟଣା ଘଟିଛି ମଧ୍ୟପ୍ରଦେଶ ସାତନା ଜିଲ୍ଲାରେ । ୧୮ ବର୍ଷୀୟ ଦଳିତ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ୨୦୧୯ରେ ଅଭିଯୁକ୍ତ ବିରୋଧରେ ମୃତକଙ୍କ ଭଉଣୀ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଥାନାରୁ ଯୌନ ନିର୍ଯାତନା କେସ୍ ଉଠାଇବାକୁ ଅଭିଯୁକ୍ତଜଣଙ୍କ ଯୁବକଙ୍କ ଉପରେ ଚାପ ପକାଉଥିଲେ । ମାତ୍ର କେସ୍ ଉଠାଇବାକୁ ରାଜି ନହେବାରୁ ଦଳିତ ଯୁବକଙ୍କ ଘର ଭାଙ୍ଗି ଦେବା ପରେ ଯୁବକଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ୮ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ସରପଞ୍ଚଙ୍କ ସ୍ବାମୀ ମଧ୍ୟ ରହିଛନ୍ତି । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଛି ।

୧୪ଜଣଙ୍କ ନାଁରେ ହତ୍ୟ ମାମଲା ରୁଜୁ କରିବା ସହ ଏସସି, ଏସସି ଆକ୍ଟରେ ପୋଲିସ ତଦନ୍ତ କରୁଛି । ଘଟଣାକୁ ନେଇ ମଧ୍ୟପ୍ରଦେଶ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ରାଜ୍ୟରେ ଦଳିତ ବିରୋଧୀ ହିଂସା ବଢୁଥିବା ବେଳେ ସରକାର ନିରବଦ୍ରଷ୍ଟା ସାଜିଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି । କ୍ୟାମେରା ଆଗରେ ଦଳିତଙ୍କ ପାଦ ଧୋଇ ପାପ ଲୁଚାଇବାକୁ ଚେଷ୍ଟା କରୁଛି ବୋଲି କଂଗ୍ରେସ କହିଛି ।