spot_img
Home Blog Page 3038

ରାତିରେ ବି ଶୁଆଇ ଦେବନି ପ୍ରବଳ ତାତି, ୪୮ ଘଣ୍ଟା ପର୍ଯ୍ୟନ୍ତ ଉଷ୍ମ ରାତି ପାଇଁ ଚେତାବନୀ

ଭୁବନେଶ୍ୱର: ଦିନରେ ସିଭିୟର ହିଟଓ୍ବେଭ୍ । ରାତିରେ ବି ପ୍ରବଳ ତାତି । ୪୮ ଘଣ୍ଟା ପର୍ଯ୍ୟନ୍ତ ଉଷ୍ମ ରାତି ପାଇଁ ଚେତାବନୀ । ସମ୍ବଲପୁର, ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା ଏବଂ ସୋନପୁରକୁ ସତର୍କତା ଜାରି । ରାତିରେ ସ୍ବାଭାବିକ ଠାରୁ ୪ରୁ ୫ ଡିଗ୍ରୀ ଉପରେ ରହିବ ପାରଦ । ଅନୁଭୁତ ହେବ ଅସ୍ବାଭାବିକ ପାଗ । ଲଗାତାର ଦୁଇ ସପ୍ତାହରୁ ଅଧିକ ସମୟ ଧରି ରାଜ୍ୟରେ ରାଜ୍ କରୁଛି ତାତି । ସୂର୍ଯ୍ୟ ଉଇଁଲେ ଲାଗୁଛି ଅଘୋଷିତ କର୍ଫ୍ୟୁ । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ନିସ୍ତାର ମିଳିବନି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୪ ଘଣ୍ଟା ପର୍ଯ୍ୟନ୍ତ ସିଭିୟର ହିଟଓ୍ବେଭ ପାଇଁ ୮ଟି ଜିଲ୍ଲାକୁ ଅରେଞ୍ଜ ଏବଂ ୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗିର, ସୋନପୁର, ବୌଦ୍ଧ, ନୂଆପଡା ଏବଂ ସୁନ୍ଦରଗଡରେ ସ୍ବାଭାବିକ ଠାରୁ ୬.୫ ଡିଗ୍ରୀରୁ ଅଧିକ ରହିବ ତାପମାତ୍ରା । ୧୬ ତାରିଖରେ ୯ ଜିଲ୍ଲା, ୧୭ ତାରିଖରେ ୧୨ ଜିଲ୍ଲା ଏବଂ ୧୮ ତାରିଖରେ ୮ ଜିଲ୍ଲାକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଆସନ୍ତା ୧୮ ରୁ ୨୧ ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଅଗ୍ରସର ନେଇ ପାଗ ଅନୁକୂଳ ହୋଇଛି । ପୂର୍ବ ଭାରତର ଅଧିକାଂଶ ରାଜ୍ୟରେ ମୌସୁମୀ ସକ୍ରିୟ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି । ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ମୌସୁମୀ ପ୍ରବେଶ କରିଥିବା ବେଳେ ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଅବଶିଷ୍ଟ ଅଞ୍ଚଳକୁ ଖୁବଶୀଘ୍ର ମୌସୁମୀ ଛୁଇଁବ । ଆରବ ସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ବିପର୍ଯ୍ୟୟ ଲ୍ୟାଣ୍ଡଫଲ ପରେ ଓଡ଼ିଶାକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିବ । ଏହାସହ ପଶ୍ଚିମା ଉଷ୍ମ ବାୟୁ ପ୍ରବାହ କମିବ । ଫଳରେ ୧୭ ତାରିଖରୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବ । ଯାହା ମୌସୁମୀକୁ ବାଟ କଢେଇବ ବୋଲି ଆକଳନ କରାଯାଇଛି ।

ଦିନ ସହ ରାତିରେ ତାତି ବଢିବା ନେଇ ପାଣିପାଗ କେନ୍ଦ୍ରର ଆକଳନ ପରେ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ବୟସ୍କ, ଶିଶୁ, ରୋଗୀ ଏବଂ ଗୃହପାଳିତ ପଶୁଙ୍କୁ ଖରା ସଂସ୍ପର୍ଶରେ ନ ଆଣିବାକୁ ପରାମର୍ଶ ଦିଆଯାଇଛି ।

ଶ୍ରୀଜଗନ୍ନାଥଙ୍କ ପାଇଁ ସବୁଧାମରୁ ଶ୍ରେଷ୍ଠ ପୁରୁଷୋତ୍ତମ

ପୁରୀ: ସନାତନ ଧର୍ମରେ ଭୁବନେଶ୍ବର ଚକ୍ରକ୍ଷେତ୍ର, କୋଣାର୍କ ପଦ୍ମକ୍ଷେତ୍ର, ଯାଜପୁରର ଗଦାକ୍ଷେତ୍ରଠାରୁ ଶଙ୍ଖକ୍ଷେତ୍ର ଶ୍ରୀକ୍ଷେତ୍ର ସବୁଠୁ ଶ୍ରେଷ୍ଠ | ଜଗତର ନାଥ ଶ୍ରୀଜଗନ୍ନାଥ ଏହି ଦିବ୍ୟଧାମରେ ମାନବୀୟ ଲୀଳାଖେଳା କରନ୍ତି । ଏ କ୍ଷେତ୍ରର ଶ୍ରେଷ୍ଠତ୍ୱ ସମ୍ପର୍କରେ ନୃସିଂହ ପୁରାଣରେ ବର୍ଣ୍ଣନା ରହିଛି । ମୁଖ୍ୟତଃ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୁରୁଷ ଶ୍ରେଷ୍ଠ ବୋଲି ବେଦ ଉପନିଷଦରେ ବର୍ଣ୍ଣନା ରହିଥିବା ବେଳେ ଶ୍ରୀକ୍ଷେତ୍ରକୁ ସାକ୍ଷାତ ବୈକୁଣ୍ଠ ସ୍ବରୂପ କ୍ଷେତ୍ର ଶ୍ରୀପୁରୁଷୋତ୍ତମ ବୋଲି ଅଭିହିତ କରାଯାଇଛି । ଶ୍ରୀମନ୍ଦିର ପ୍ରତିଷ୍ଠା ପୂର୍ବରୁ ଶ୍ରୀକ୍ଷେତ୍ରର ଅଧିପତି ଥିଲେ ଶ୍ରୀପୁରୁଷୋତ୍ତମ । ବେଦ ପୂରାଣରେ ଶ୍ରୀଜଗନ୍ନାଥ ହେଉଛନ୍ତି ବ୍ରହ୍ମଦାରୁ | ଯାହାଙ୍କ ଇଙ୍ଗିତରେ ସଚରାଚର ବିଶ୍ବବ୍ରହ୍ମଣ୍ଡ ଆତଯାତ । ସେ ହସ୍ତପଦ ହୀନ ଦେବତା ହୋଇଥିଲେ ସୁଦ୍ଧା, ସର୍ବଦ୍ରଷ୍ଠା, ସର୍ବସ୍ରୋତା, ସର୍ବଜ୍ଞ ଓ ସର୍ବନ୍ତର୍ଯ୍ୟାମୀ ବ୍ରହ୍ମ ପୁରୁଷ । ତେଣୁ ସେ ପୁରୁଷୋତ୍ତମ ହୋଇଥିବାର ଶ୍ରୀକ୍ଷେତ୍ରର ଅନ୍ୟନାମ ପୁରୁଷୋତ୍ତମ କ୍ଷେତ୍ର ।

ଶଙ୍ଖତୁଲ୍ୟ ଶଙ୍ଖକ୍ଷେତ୍ରର ପଶ୍ଚିମ ସୀମାନ୍ତରେ ଶ୍ରୀଲୋକନାଥ, ପୂର୍ବ ସୀମାନ୍ତରେ ଶ୍ରୀବେଲେଶ୍ୱର ମହାଦେବ, ମଧ୍ୟ ଭାଗରେ ମାଉସୀ ମା’ ଏବଂ କେନ୍ଦ୍ର ସ୍ଥଳରେ ରୋହିଣୀ କୁଣ୍ଡ ଓ କଳ୍ପବୃକ୍ଷ ବିରାଜମାନ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶଙ୍ଖର ନାଭିପ୍ରଦେଶରେ ଭକ୍ତଙ୍କୁ ହାତଠାରି ଡାକୁଥିବା ପ୍ରତୀୟମାନ । ତେଣୁ ଯୁଗେ ଯୁଗେ ଶ୍ରୀକ୍ଷେତ୍ର ବହୁ ସାଧୁ ସନ୍ଥ ମୁନି ଋଷି ଓ ଯୋଗୀ ଶ୍ରେଷ୍ଠଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହୋଇଛି । ଏହି ଠାରେ ହିଁ ସିଦ୍ଧ ଆଉ ବୁଦ୍ଧଙ୍କ ମିଳନ ଭୂମି । ଏହି ପବିତ୍ର ଧାମରେ ଅଦୈତବାଦୀ ଶଙ୍କରାଚାର୍ଯ୍ୟ, ଶ୍ରୀଚୈତନ୍ୟ, ସନ୍ଥ ନାନକ, ଭକ୍ତ ସାଲବେଗ, ସଦଗୁରୁ ନିଗମାନନ୍ଦ, ସନ୍ଥ ତୁଳସୀଦାସ, ଭକ୍ତ କବି ଜୟଦେବଙ୍କ ପରି ବହୁ ଅଲୌକିକ ସାଧୁସନ୍ଥ ଅବସ୍ଥାନ ପୂର୍ବକ ସାଧନ ଭଜନ କରି ବିଶ୍ବବିଖ୍ୟାତ ହୋଇପାରିଛନ୍ତି ।

ପୁରୁଷୋତ୍ତମ କ୍ଷେତ୍ରର ମନୋରମ, ପବିତ୍ର ବାତାବରଣ ଭକ୍ତ ଓ ଭଗବାନଙ୍କୁ ଏକାକାର କରିବାର ମହାନ ପୀଠ ହୋଇଥିବା ବେଳେ ବିଶ୍ୱର ଯେକୌଣସି ଧାର୍ମିକସ୍ଥଳୀଠାରୁ ପରମ ପାବନ ଆଉ ଶ୍ରେଷ୍ଠ ବୋଲି ବିବେଚନା କରାଯାଏ ।

ମାଣ୍ଡିଆ ଦେଉଛି ରୋଜଗାର, ମେସିନରେ ପ୍ରସ୍ତୁତ କରି ସ୍ବାବଲମ୍ବୀ ହେଉଛନ୍ତି SHG ମାଆ

ଜୟପୁର: ମାଣ୍ଡିଆ ଉତ୍ପତ୍ତିସ୍ଥଳ କୋରାପୁଟ ଜିଲ୍ଲା । ଏଠାରେ ପ୍ରାୟ ୭୦ ଭାଗ ମାଣ୍ଡିଆ ଚାଷ କରାଯାଇଥାଏ । ପୂର୍ବରୁ ଆଦିବାସୀଙ୍କ ଏହା ପ୍ରମୁଖ ଖାଦ୍ୟ ଥିଲା । କିନ୍ତୁ ଏବେ ମାଣ୍ଡିଆର ମୂଲ୍ୟ ବୃଦ୍ଧି କରି ଏଥିରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରାଯାଇପାରୁଛି । ମାଣ୍ଡିଆ ଚା’ , ବିସ୍କୁଟ, ମିକ୍ଚର, କୁକିସ୍, ଲଡୁଠାରୁ ଆରମ୍ଭ କରି ଅନେକ ଚଟପଟି ଖାଦ୍ୟ ପ୍ରସ୍ତୁତ କରାଯାଉଛି । ମିଲେଟ ବ୍ୟାଙ୍କ କରି ବିଭିନ୍ନ ଅତ୍ୟାଧୁନିକ ମେସିନ ସାହାଯ୍ୟରେ ଏସବୁ ପ୍ରସ୍ତୁତ କରି ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମକୁ ପଠାଯାଉଛି । ଏଥିପାଇଁ SHG ମାଆମାନଙ୍କୁ ଦିଆଯାଉଛି ତାଲିମ । ଏହାଦ୍ବାରା ମାଆମାନେ ଆତ୍ମନିର୍ଭରଶୀଳ ହେବା ସହ ପରିବାର ପ୍ରତିପୋଷଣରେ ସହାୟତା କରିପାରୁଛନ୍ତି ।

ମିଲେଟ ବ୍ୟାଙ୍କ ପରିଦର୍ଶନ କରି କୃଷି ସଚିବ SHG ମାଆମାନଙ୍କ ସହିତ ଆଲୋଚନା କରିଛନ୍ତି । ଏଥିପାଇଁ ଭୁବନେଶ୍ବରରେ ଅଧିକ ତାଲିମ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏବେ ବିଶ୍ବ ଦରବାରରେ ମାଣ୍ଡିଆ ସମସ୍ତଙ୍କ ଆଦ୍ରୁତ ହୋଇ ପାରିଛି । ତେଣୁ ଏହାକୁ ଅଧିକରୁ ଅଧିକ ପ୍ରସାର ଦିଗରେ ମିଲେଟ ବ୍ୟାଙ୍କର କାମକୁ ପ୍ରଶଂସା କରିଛନ୍ତି ସଚିବ । କୋରାପୁଟ ମାଣ୍ଡିଆର ଚାହିଦା ଅଧିକ ରହିଥିବାରୁ ମିଲେଟ ବ୍ୟାଙ୍କ ଜରିଆରେ ଅଧିକ ମାଣ୍ଡିଆ ଜାତ ଦ୍ରବ୍ୟର ବ୍ୟବହାରକୁ ଗୁରୁତ୍ବ ଦିଆଯାଇଛି ।

ମହାପ୍ରଭୁଙ୍କ ରଥ ଅଟାକାଇବ ବ୍ରଜରାଜନଗର ବ୍ରେକ୍

ଝାରସୁଗୁଡ଼ା: ରଥ ଅଟାକାଇବ ବ୍ରଜରାଜନଗର ବ୍ରେକ୍ । ଅଘଟଣ ରୋକିବ ଜଗୁ ବେନିଆଁଙ୍କ କମାର ଶାଳରେ ପ୍ରସ୍ତୁତ ଯନ୍ତ୍ର । ଆଉ ମାତ୍ର କିଛି ଦିନ ପରେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଘର୍ଘର ନାଦରେ ବଡ଼ ଦାଣ୍ଡରେ ଗଡିବ ଶ୍ରୀଜିଉଙ୍କ ତିନି ରଥ । ଲୋକାରଣ୍ୟ ପରିବେଶ ଭିତରେ ରଥ ନିକଟରେ କିଛି ବି ଅଘଟଣ ଘଟିବାର ଆଶଙ୍କା ରହିଛି । ଏନେଇ ଆବଶ୍ୟକ ସ୍ଥଳେ ରଥ ରୋକିବାକୁ ବ୍ୟବହାର ହୋଇଥାଏ ସ୍ବତନ୍ତ୍ର ବ୍ରେକ୍ । ଏହି ବ୍ରେକ୍ ଝାରସୁଗୁଡ଼ା ବ୍ରଜରାଜନଗର ସାନଯୋବ ଗାଁର ଜଗୁ ବେନିଆଁଙ୍କ କମାର ଶାଳରେ ପ୍ରସ୍ତୁତ ହୋଇଥାଏ । ବ୍ରେକ୍ ତିଆରି ପାଇଁ ସମସ୍ତ ଖର୍ଚ୍ଚ ନିଜେ ବହନ କରିଥାନ୍ତି କାରିଗର । ଏପରିକି ପୁରୀ ଯାଇ ରଥରେ ଲାଗାଇବା ସମସ୍ତ ଖର୍ଚ୍ଚ ମଧ୍ୟ ନିଜେ ଉଠାଇଥାନ୍ତି ଜଗୁ ବେନିଆଁ । ମହାପ୍ରଭୁଙ୍କ ସେବାରେ ନିୟୋଜିତ କରିବାର ସୁଯୋଗ ମିଳିଥିବାରୁ ନିଜକୁ ଧନ୍ୟ ମନେକରିଛନ୍ତି ଜଗୁ ବେନିଆଁ, ଅଶ୍ବିନୀ ମିଶ୍ର ଏବଂ ସହଯୋଗୀ ।

ତିନି ରଥର ବ୍ରେକ୍ ତିଆରି ପାଇଁ ରବର ଓ ନାଇଲନ ଲେୟାର ଥିବା ବେଲ୍ଟ ଆବଶ୍ୟକ ହୋଇଥାଏ । ତିନି ରଥ ପାଇଁ ମୋଟ ୩୬ ଖଣ୍ଡ ବେଲ୍ଟ ଦରକାର ହୁଏ । ପ୍ରତି ବେଲ୍ଟର ଲମ୍ବ ୧ ଫୁଟ, ଚଉଡା ୯ ଇଞ୍ଚ, ମୋଟା ୧୬ ମିଲିମିଟର ରଖାଯାଏ । ଏହା ସହିତ ୧୫ କେଜି ନିହାଣ କଣ୍ଟା, ୫ କେଜି ଜୁଖିଆ କଣ୍ଟା ଓ ୩ କେଜି ୱାସର ବ୍ୟବହାର ହୋଇଥାଏ । ଏହି ସମଗ୍ରୀଗୁଡ଼କୁ ଜଗୁ ନିଜେ ନିଜ ପୁଅ ଏବଂ ସାଥି ମାନଙ୍କ ସହ ନିଜ କମାର ଶାଳରେ ପ୍ରସ୍ତୁତ କରିଥାନ୍ତି । ୨୦୦୮ ମସିହାରୁ ଜଗୁ ବେନିଆଁ ଓ ଇଂଜିନିୟର ଅଶ୍ବିନୀ ମିଶ୍ର ମିଶି ପୁରୀ ରଥ ପାଇଁ ବ୍ରେକ୍ ତିଆରି କରି ଆସୁଛନ୍ତି । ମହାପ୍ରଭୁଙ୍କ ସେବାରେ ନିଜକୁ ନିୟୋଜିତ କରି ଜିଲ୍ଲା ପାଇଁ ଗୌରବ ପାଲଟିଛନ୍ତି ଜଗୁ ବେନିଆଁ ଓ ପରିବାର ।

କର୍କଟ ରୋଗରେ ପଡ଼ି କଷ୍ଟ ଜର୍ଜରିତ ହୋଇଥିଲା ଜୀବନ, ବରଦାନ ସାଜିଲା ବିଏସକେଓ୍ୱାଇ

ବରଗଡ଼: ନିଜ ଭୁଲ ପାଇଁ କର୍କଟ ରୋଗର ଶିକାର ହୋଇଥିଲେ । ପ୍ରଶ୍ଚାତାପ ପାଇଁ ସମୟ ବି ପାଇନଥିଲେ । ଜୀବନ ସହ କେବଳ ସଂଗ୍ରାମ ରହିଥିଲା ଶେଷ ବାଟ । ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ । ହେଲେ ରାଜ୍ୟ ସରକାରଙ୍କ ବିଏସକେଓ୍ବାଇ ସାଜିଲା ବରଦାନ । ବିନା ଅର୍ଥରେ ଚିକିତ୍ସା ପରେ କ୍ୟାନସରକୁ ହରାଇବାରେ ସକ୍ଷମ ହୋଇଛନ୍ତି ବରଗଡ଼ ବ୍ଲକ ବରଡୋଲ ଗାଁର ପୂର୍ଣ୍ଣ ଜେନା । ଅତ୍ୟଧିକ ଗୁଟଖା ଖାଇବା ଦ୍ବାରା ମୁଖରେ ଏକ ଘା’ ହୋଇଥିଲା । ସେହି ଘା’ ବଢ଼ିବାରୁ ସେ ବୁର୍ଲା ମେଡିକାଲରେ ଦେଖାଇଥିଲେ । ବିଭିନ୍ନ ଟେଷ୍ଟ ପରେ ଏହା ମୁଖ କର୍କଟ ବୋଲି କହିଥିଲେ ଡାକ୍ତର । କର୍କଟ ଚିକିତ୍ସା ପାଇଁ ଆବଶ୍ୟକ ଥିବା ଲକ୍ଷ ଲକ୍ଷ ଟଙ୍କା ଗରିବ ପରିବାର କେଉଁଠୁ ଯୋଗାଡ଼ କରିବେ ବୋଲି ଚିନ୍ତାରେ ପଡ଼ିଥିଲେ । ହେଲେ ଏକ ସମାଜସେବୀ ସଙ୍ଗଠନ ଠାରୁ ଏହାର ଖବର ପାଇଁ ସମସ୍ତ ସହାୟତା ଯୋଗାଇଛନ୍ତି ରାଜ୍ୟ ସରକାର । ରାୟପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇ ବିନା ଟଙ୍କାରେ ବିଏସକେଓ୍ବାଇ କାର୍ଡ ମାଧ୍ୟମରେ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି  । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୂର୍ଣ୍ଣ ଏବଂ ପୂରା ପରିବାର ।

ଛୋଟିଆ ଭୁଲ ଆଜି ଆଜି ପୂର୍ଣ୍ଣଙ୍କୁ ବଡ଼ ବିପଦରେ ପକାଇଥିଲା । ହେଲେ ରାଜ୍ୟ ସରକାରଙ୍କ ବିଏସକେଓ୍ବାଇ ଯୋଜନା ତାଙ୍କୁ କାଳ ମୁହଁରୁ ଟାଣି ଆଣିଲା । ଜୀବନ ଯୁଦ୍ଧରେ ବିଜୟୀ କରିଛି । ଲୋକେ ତମ୍ବାଖୁ ସେବନରୁ ନିବୃତ ରହିବାକୁ ଅପିଲ କରିଛନ୍ତି ଅନେକ କ୍ୟାନସର ବିଜୟୀ । ପୂର୍ଣ୍ଣଙ୍କୁ ବିଏସକେଓ୍ବାଇ ମାଧ୍ୟମରେ ଚିକିତ୍ସା ସେବା ମିଳିପାରିଥିବାରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ସମସ୍ତେ । କ୍ୟାନସରରୁ ମୁକୁଳିଥିବା ପୂର୍ଣ୍ଣ ଏବେ ଲୋକଙ୍କୁ ଗୁଟଖା ଓ ତମ୍ବାଖୁ ପରି ମାଦକ ଦ୍ରବ୍ୟ ସେବନରୁ ବଞ୍ଚିତ ରହିବାକୁ ସେଚତନର ବାର୍ତ୍ତା ଦେଇଛନ୍ତି ।

ଖଳିଲାଗିରେ ଶ୍ରୀଜିଉଙ୍କୁ ଲାଗିହେଲା ସାତ୍ତ୍ବିକ ପାଟବସ୍ତ୍ର, ପରୀକ୍ଷାମୂଳକ ଭାବେ ବୟନ ଶିଳ୍ପ ବିଭାଗ ଉଦ୍ୟମ ସଫଳ

ପୁରୀ: ଖଳିଲାଗିରେ ଶ୍ରୀଜିଉଙ୍କୁ ଲାଗିହେଲା ସାତ୍ତ୍ବିକ ପାଟବସ୍ତ୍ର । ପରୀକ୍ଷା ମୂଳକ ଭାବେ ଉଦ୍ୟମ ସଫଳ । ଏଣିକି ଆଉ ମାରିବାକୁ ପଡ଼ିବନି ରେଶମ ପୋକ । ଅଂହିସା ଉପାୟରେ ମହାପ୍ରଭୁଙ୍କ ପାଇଁ ବସ୍ତ୍ର ବୁଣାଯିବ । ପୂର୍ବରୁ ରେଶମ ପୋକକୁ ମାରି ପାଟ ଉତ୍ପାଦନ ହେଉଥିଲା । ରାଜ୍ୟ ସରକାରଙ୍କ ବୟନ ଶିଳ୍ପ ବିଭାଗ ପରୀକ୍ଷା ମୂଳକ ଭାବେ ପୋକକୁ ନମାରି ସେଥିରୁ ପାଟ ବାହାର କରିଥିଲେ । ଏହି ପାଟରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ମା’ ସୁଭଦ୍ରାଙ୍କ ଲାଗି ଏକ ସେଟ୍ ଗୀତ ଗୋବିନ୍ଦ ପାଟ ଖୋର୍ଦ୍ଧା ରାଉତପଡାର ବୁଣାକାରଙ୍କ ଦ୍ଵାରା ତିଆରି କରିଥିଲେ । ମୁଖ୍ୟ ଶାସନ ସଚିବ ଏହାକୁ ରଥଯାତ୍ରା ପ୍ରସ୍ତୁତି ବୈଠକରେ ଘୋଷଣା କରିବା ପରେ ଆଜି ଖଳିଲାଗି ଏକାଦଶୀରେ ତାହା ଲାଗି ହୋଇଛି ।

ଅହିଂସା ସାତ୍ତ୍ବିକ ପାଟରେ ମହାପ୍ରଭୁଙ୍କ ସମସ୍ତ ବସ୍ତ୍ର ବୁଣିବାକୁ ରାଉତପଡାରେ ୧୦ଜଣ ବୁଣାକାରଙ୍କୁ ସ୍ଵତନ୍ତ୍ର ତାଲିମ ପ୍ରଦାନ କରାଯାଉଛି । ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏହି ତାଲିମ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ମହାପ୍ରଭୁଙ୍କ ବସ୍ତ୍ର ବୁଣିବା କୌଶଳକୁ ବୁଲି ଦେଖିଥିଲେ । ସାତ ଦିନ ଧରି ଏହି ତାଲିମ କେନ୍ଦ୍ରରେ ବୁଣାକାରମାନେ ତାଲିମ ନେଇ ମହାପ୍ରଭୁଙ୍କ ଲାଗି ବର୍ଷ ତମାମ ଆବଶ୍ୟକ ହେଉଥିବା ପାଟ ବସ୍ତ୍ର ପ୍ରସ୍ତୁତ କରି ଯୋଗାଇବେ ।

 

ଗରିବ ଆଦିବାସୀ ଛାତ୍ରୀଙ୍କ ଦୁଃଖ ଶୁଣିଲେ 5T ସଚିବ, ଟ୍ୱିଟ୍ ଦେଖି ଅନାଥ ଶିଶୁକୁ ବଢ଼ାଇଲେ ସହଯୋଗର ହାତ

ମାଲକାନଗିରି: ଗରିବ ଆଦିବାସୀ ଛାତ୍ରୀଙ୍କ ଦୁଃଖ ଶୁଣିଲେ 5T ସଚିବ ଭି.କେ. ପାଣ୍ଡିଆନ । ଟୁଇଟ ଦେଖି ଅନାଥ ଶିଶୁକୁ ବଢାଇଲେ ସହଯୋଗର ହାତ । ଏଣିକି ବାପାମାଆ ଛେଉଣ୍ଡ କୁନି ଝିଅ ରଞ୍ଜୁ ପଢ଼ିବ ପାଠ । ରଞ୍ଜୁ ଜାନିଙ୍କୁ 5T ସଚିବ ପଠାଇଲେ ଉପହାର । ମାଲକାନଗିରି ଜିଲ୍ଲା ବମ୍ବେ କୋଲନୀର ରଞ୍ଜୁ ଜାନି । ବାପା ମାଆଙ୍କୁ ହରାଇବା ପରେ ସମ୍ପର୍କୀୟ ଦାଦାଙ୍କ ପାଖରେ ରହୁଥିଲେ । ପାଠ ପଢ଼ିବାକୁ ଇଚ୍ଛା ଥିଲେ ବି ଅଭାବ ତାଙ୍କ ସ୍ବପ୍ନର ରାସ୍ତାରେ ପ୍ରତିବନ୍ଧକ ସାଜିଥିଲା । ଜଣେ ବ୍ୟକ୍ତିଙ୍କ ଟ୍ବିଟରରୁ ଏସମ୍ପର୍କରେ ଜାଣିବା ପରେ ତତ୍ପରତା ଦେଖାଇଥିଲେ 5T ସଚିବ । ଉପହାରରେ ରଞ୍ଜୁଙ୍କୁ ପୋଷାକ ଓ ଖାତାବହି ପଠାଇଥିଲେ । ଏହାସହିତ ମାଲକାନଗିରି ଜିଲ୍ଲାପାଳ ଓ ଏସଟିଏସି ବିଭାଗର ସଚିବ ରୂପା ରୋଶନ ସାହୁଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।

5T ସଚିବଙ୍କ ନିର୍ଦ୍ଦେଶର କିଛି ସମୟ ମଧ୍ୟରେ ରଞ୍ଜୁଙ୍କ ପାଖରେ ପହଞ୍ଚିଥିଲା ଜିଲ୍ଲା ପ୍ରଶାସନ । ରଞ୍ଜୁଙ୍କୁ ଥଇଥାନ ଓ ତାଙ୍କର ପରବର୍ତ୍ତୀ ଉଚ୍ଚ ଶିକ୍ଷାର ଦାୟିତ୍ୱ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ପରିବାର ସହିତ ଆଲୋଚନା ପରେ ଉଦ୍ଧାର କରି ଏବେ ପରିବର୍ତ୍ତନ ଶିଶୁଗୃହରେ ରଖାଯାଇଛି । ସ୍କୁଲ ଖୋଲିବା ପରେ SCST ହଷ୍ଟେଲରେ ରଖାଯାଇ ପାଠ ପଢାଯିବ । ସେପଟେ ସ୍ବପ୍ନକୁ ପୂରଣ କରିବାକୁ ସହାୟତାର ହାତ ବଢାଇଥିବାରୁ 5T ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି ରଞ୍ଜୁ । ଭବିଷ୍ୟତରେ ଜଣେ ପୋଲିସ ଅଫିସର ହୋଇ ସେବା କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।

 

ବିଦ୍ୟୁତ ଭିତ୍ତିଭୂମିକୁ ସଜାଡ଼ିବା ପାଇଁ ଦିନ ରାତି ଏକ କରି ପ୍ରୟାସ କରୁଛନ୍ତି ବିଦ୍ୟୁତ କର୍ମଚାରୀ

ଭୁବନେଶ୍ୱର: କାଳବୈଶାଖୀ ଯୋଗୁଁ ରାଜ୍ୟରେ ବିଦ୍ୟୁତ ସରବରାହ ବ୍ୟାପକ ମାତ୍ରାରେ ପ୍ରଭାବିତ ହେଉଛି । ବିଦ୍ୟୁତ ଭିତ୍ତିଭୂମି ଗୁଡ଼ିକ ନଷ୍ଟ ମଧ୍ୟ ହେଉଥିବା ଦେଖିବାକୁ ମିଳିଛି । ଏହାଦ୍ବାରା ବିଭିନ୍ନ ଅଞ୍ଚଳର ଲୋକେ ଅନେକ ସମୟ ପର୍ଯ୍ୟନ୍ତ ଅନ୍ଧାର ସହ ଗରମ ଯୋଗୁଁ ବ୍ୟତିବ୍ୟସ୍ତ ହେଉଛନ୍ତି । କିନ୍ତୁ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଅନବରତ ସେବା ଯୋଗାଇବା ସହ ବିଦ୍ୟୁତ ସେବାକୁ ପୁଣିଥରେ ଆରମ୍ଭ କରିବା ପାଇଁ ତତକ୍ଷଣାତ ପ୍ରୟାସ କରୁଛନ୍ତି । ଦିନ ରାତି ଏକ କରି ବିଦ୍ୟୁତ ଭିତ୍ତିଭୂମିକୁ ସଜାଡ଼ିବା ପାଇଁ ପ୍ରୟାସ କରୁଛନ୍ତି । ଦିନରେ ଡହ ଡହ ଖରାକୁ ଖାତିର ନକରି ବିଦ୍ୟୁତ ଖୁଣ୍ଟରେ ଚଢ଼ି ମରାମତି କରୁଥିବା ଦେଖିବାକୁ ମିଳିଛି । ଏଭଳି ପ୍ରୟାସ ପାଇଁ ସେମାନେ ସମ୍ମାନର ହକଦାର ବୋଲି ଶକ୍ତି ବିଭାଗ ପକ୍ଷରୁ କୁହାଯାଇଛି ।

ଆପାର୍ଟମେଣ୍ଟ ସୋସାଇଟିରେ ପିନ୍ଧି ପାରିବେନି ଲୁଙ୍ଗି, ନାଇଟି

ନୂଆଦିଲ୍ଲୀ: ଆପାର୍ଟମେଣ୍ଟ ସୋସାଇଟିରେ ପିନ୍ଧି ପାରିବେନି ଲୁଙ୍ଗି, ନାଇଟି । କମନ ଏରିଆ, ପାର୍କ ପାଇଁ ଡ୍ରେସ୍ କୋଡ୍ ଲାଗୁ । ଗ୍ରେଟର ନୋଏଡ଼ାର ରେସିଡେଣ୍ଟସ ଓ୍ବେଲଫେୟାର ଆସୋସିଏସନର ଡ୍ରେସକୋଡ୍ ନିୟମକୁ ନେଇ ଜୋରଦାର ଚର୍ଚ୍ଚା । ସୋସିଆଲ ମିଡିଆରେ ଆସୋସିଏସନ ପକ୍ଷରୁ ଜାରି ହୋଇଥିବା ନୋଟିସ ଭାଇରାଲ ହେଉଥିବା ବେଳେ ୟୁଜର୍ସ ଏହାକୁ ସମାଲୋଚନା କରିଛନ୍ତି । ଜୁନ ୧୦ ତାରିଖରେ ହିମସାଗର ଆପାର୍ଟମେଣ୍ଟ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି ।

ଲୁଙ୍ଗି ଓ ନାଇଟି ପିନ୍ଧି ନିଜ ଫ୍ଲାଟରୁ ନବାହାରିବାକୁ ନୋଟିସରେ ଉଲ୍ଲେଖ ରହିଛି । ନାଇଟି ଓ ଲୁଙ୍ଗି ପିନ୍ଧି ସୋସାଇଟି ପରିସରରେ ବୁଲିବା ଯୋଗୁ ଅନ୍ୟମାନଙ୍କ ପାଇଁ ଅସହଜ ଅନୁଭବ କରୁଛନ୍ତି । ତେଣୁ ଘର ଡ୍ରେସ୍ ପିନ୍ଧି ସୋସାଇଟିରେ ବୁଲାବୁଲି ନକରିବାକୁ ନୋଟିସ ଜାରି କରାଯାଇଛି ବୋଲି ଆସୋସିଏସନ ଅଧ୍ୟକ୍ଷ କହିଛନ୍ତି ।

୧୮ରୁ ୨୧ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ, ୧୮ରୁ ଦକ୍ଷିଣ ଓଡ଼ିଶାରେ ହେବ ପ୍ରାକ୍ ମୌସୁମୀ ବର୍ଷା

ଭୁବନେଶ୍ୱର: ଆସନ୍ତା ୧୮ ରୁ ୨୧ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ । ମୌସୁମୀ ଅଗ୍ରସର ନେଇ ଅନୁକୂଳ ହୋଇଛି ପାଗ । ଭୀଷଣ ବାତ୍ୟା ବିପର୍ଯ୍ୟୟ ଲ୍ୟାଣ୍ଡଫଲ ପରେ ଏନେଇ ମିଳିବ ସ୍ପଷ୍ଟ ସୂଚନା । ଓଡ଼ିଶାକୁ ପ୍ରବେଶ କରିବ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ । ପ୍ରଭାବରେ ୧୮ରୁ ଦକ୍ଷିଣ ଓଡ଼ିଶାରେ ଆରମ୍ଭ ହେବ ପ୍ରାକ୍ ମୌସୁମୀ ବର୍ଷା । ବର୍ଷା ପ୍ରଭାବରେ ରାଜ୍ୟରେ ବଦଳିବ ପାଗ । ଆସନ୍ତା ୧୮ ଯାଏଁ ପଶ୍ଚିମ ଓଡ଼ିଶାରେ ସିଭିୟର ହିଟଓ୍ବେଭ ଆଲର୍ଟ ଜାରି ହୋଇଛି । ସ୍ବାଭାବିକଠାରୁ ୬.୫ ଡିଗ୍ରୀ ଉପରେ ରହିବ ପାରଦ । ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର, ସୋନପୁରକୁ ସତର୍କତା ଜାରି ହୋଇଛି । ୧୬ ତାରିଖରୁ ଉପକୂଳରେ ବି ବଢ଼ିବ ତାତି । ତାତି ସହ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେବେ ଲୋକେ । ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଅନୁଭୂତ ହେବ ଅସ୍ବାଭାବିକ ପାଗ ।

ଦିନ ସହ ବଢିବ ରାତିର ତାପମାତ୍ରା । ଉଷ୍ମ ରାତି ପାଇଁ ସମ୍ବଲପୁର, ବରଗଡ଼, ଝାରସୁଗୁଡା, ବଲାଙ୍ଗୀର, ବୌଦ୍ଧକୁ ଚେତାବନୀ ଦିଆଯାଇଛି । ସ୍ବାଭାବିକଠାରୁ ୪.୫ ଡିଗ୍ରୀ ଉପରେ ରହିବ ରାତିର ତାପମାତ୍ରା । ଦିନରେ ଭୀଷଣ ଗ୍ରୀଷ୍ମପ୍ରବାହ ଏବଂ ଉଷ୍ମ ରାତିରେ ହେବ ଅସ୍ବାଭାବିକ ସ୍ଥିତି ରହିବ । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।