ସିଙ୍ଗାପୁର ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଭାରତୀୟ ବଂଶୋଦ୍ଭବ ଥର୍ମନ ଶନମୁଗରତ୍ନମ

ସିଙ୍ଗାପୁର: ସିଙ୍ଗାପୁର ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଭାରତୀୟ ବଂଶୋଦ୍ଭବ ଥର୍ମନ ଶନମୁଗରତ୍ନମ । ସିଙ୍ଗାପୁର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଶନମୁଗରତ୍ନମ ୭୦ ପ୍ରତିଶତରୁ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ଗତକାଲି ସିଙ୍ଗାପୁରରେ ନବମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥିଲା । ଏଥିରେ ବହୁ ସଂଖ୍ୟା ଲୋକ ଅଂଶଗ୍ରହଣ କରିଥିଲେ ।

୨୭ ଲକ୍ଷରୁ ଅଧିକ ଲୋକ ଭୋଟ ଦେଇଥିଲେ । ରାତି ୮ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା । ଏହାପରେ ଭୋଟ ଗଣନା ହୋଇଥିଲା । ରାଷ୍ଟ୍ରପତି ନିର୍ବାଚନ ଜିତିବା ପୂର୍ବରୁ ଥର୍ମନ ଶନମୁଗରତ୍ନମ ଦେଶର ଉପପ୍ରଧାନମନ୍ତ୍ରୀ ଥିଲେ । ସେ ଶିକ୍ଷା ଓ ଅର୍ଥମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ୨୦୦୨ରେ ରାଜନୀତିରେ ପ୍ରବେଶ କରିଥିଲେ । ଶାସକ ଦଳ ପିପୁଲ୍ସ ଆକ୍ସନ ପାର୍ଟିରେ ରହି ବହୁଜନହିତକର କାମ କରିବା ସହ ପଦ ପଦବୀରେ ଦାୟିତ୍ବ ସମ୍ଭାଳିଥିଲେ । ସିଙ୍ଗାପୁରର ବିଦାୟୀ ରାଷ୍ଟ୍ରପତି ହଲିମା ୟାକୋବଙ୍କ କାର୍ଯ୍ୟକାଳ ଆସନ୍ତା ୧୩ ତାରିଖରେ ସରିବ । ସେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଥିଲେ ।