spot_img
Home Blog Page 3033

ମହାପ୍ରସାଦ ନାଁରେ ଭକ୍ତଙ୍କ ଭାବାବେଗ ସହ ଖେଳ, ବାହାରେ ରୋଷେଇ କରି ଅବଢା ନାଁରେ ବିକ୍ରି

ପୁରୀ: ମହାପ୍ରସାଦ ନାଁରେ ଭକ୍ତଙ୍କ ଭାବାବେଗ ସହ ଖେଳ । ଅଣସର ଘରେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଏହି ସମୟରେ ପୁରୀ ପର୍ବତୀପୁର ପାଇକ ସାହିରୁ ଆସିଛି ବେଆଇନ ଭାବେ ଅବଢ଼ା ପ୍ରସ୍ତୁତି ଓ ବିକ୍ରି ଅଭିଯୋଗ । ଖବର ପାଇ ଗଣମାଧ୍ୟମ ସେଠାରେ ପହଞ୍ଚିଥିବା ବେଳେ ସାମ୍ବାଦିକଙ୍କୁ ଦେଖି ପ୍ରସ୍ତୁତକାରୀ ସେଠାରୁ ପଳାଇଥିଲେ । ତେବେ ଯାହା ଦେଖିବାକୁ ମିଳିଥିଲା ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ କୁଠାରଘାତ କରିଛି । ଯେଭଳି କୋଡ଼ୁଆରେ ମହାପ୍ରସାଦ ପ୍ରସ୍ତୁତ ହୁଏ, ଅବିକଳ ସେହିଭଳି ଭାବେ ଅବଢ଼ା ପ୍ରସ୍ତୁତ କରି ବିକ୍ରୟ କରିବାକୁ କିଛି ଦୁର୍ବୁତ୍ତ ଯୋଜନା କରୁଥିବା ଅଭିଯୋଗ ହୋଇଛି ।

 

ଜଳୁଛି ସାରା ଓଡ଼ିଶା, ସାଢ଼େ ୨ଟା ସୁଦ୍ଧା ୪୪.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ଜଳୁଛି ସାରା ଓଡ଼ିଶା । ଦିନ ସାଢେ ଦୁଇଟା ସୁଦ୍ଧା ୪୪.୬ ଡିଗ୍ରୀ ସହିତ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏପଟେ ଜଳୁଛି ରାଜଧାନୀ ଭୁବନେଶ୍ବର । ଭୁବେଶ୍ବରରେ ୪୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି  । ଯାହାକି ରାଜଧାନୀ ପାଇଁ ଚଳିତବର୍ଷର ସର୍ବାଧିକ ତାତି  । ସମ୍ବଲପୁରରେ ମଧ୍ୟ ୪୪.୪ ଡିଗ୍ରୀ ତାତି ରେକର୍ଡ ହୋଇଛି । ଏହା ସହିତ ହୀରାକୁଦରେ ୪୩.୮, କେନ୍ଦୁଝରରେ ୪୦ ଡିଗ୍ରୀ ପାରଦ ରେକର୍ଡ ହୋଇଛି । ଟ୍ୱିନ୍ ସିଟିକୁ ଭୀଷଣ ଗ୍ରୀଷ୍ମପ୍ରବାହ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଶିଶୁ, ଅସୁସ୍ଥ ଓ ବୃଦ୍ଧଙ୍କୁ ଖରାକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ପଶ୍ଚିମ ଓଡ଼ିଶାରେ ପ୍ରବଳ ତାତି, ଉପକୂଳରେ ଗୁଳୁଗୁଳିରୁ ନିସ୍ତାର ମିଳିବନି ବୋଲି  ସତର୍କ କରିଛି ପାଣିପାଗ କେନ୍ଦ୍ର ।

ରଥଯାତ୍ରା ପାଇଁ ପୁରୀରେ ମକଡ୍ରିଲ୍

ପୁରୀ: ରଥଯାତ୍ରା ପାଇଁ ପୁରୀରେ ମକଡ୍ରିଲ୍ । ଅଘଟଣ ଏଡ଼ାଇବାକୁ ଏନଡିଆରଏଫ୍‌, ଓଡ୍ରାଫ, ରେଡକ୍ରସ୍ ଭଳି ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ମକଡ୍ରିଲ୍ ଅନୁଷ୍ଠିତ ହେଉଛି । ଏନେଇ ଆୟୋଜିତ ବୈଠକରେ ପୋଲିସ, ପ୍ରଶାସନର ବରିଷ୍ଠ ଅଧିକାରୀ ଓ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ସାମିଲ ଥିଲେ ।

ତାମିଲନାଡୁର ପୂର୍ବତନ ସ୍ପେଶାଲ ଡିଜିପିଙ୍କୁ ତିନି ବର୍ଷ ଜେଲ ଦଣ୍ଡ

ନୂଆଦିଲ୍ଲୀ :  ଯୌନ ଶୋଷଣ ମାମଲାରେ ତାମିଳନାଡୁ କ୍ୟାଡର ଓଡ଼ିଆ IPS ରାଜେଶ ଦାସଙ୍କୁ ତିନି ବର୍ଷ ଜେଲ । ତାମିଲନାଡୁର ପୂର୍ବତନ ସ୍ପେଶାଲ ଡିଜିପିଙ୍କୁ ତିନି ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି ଭିଲ୍ଲୁପୁରମ କୋର୍ଟ । ରାଜେଶ ଦାସ ୧୯୮୯ ବ୍ୟାଚ IPS ଅଫିସର ।ମହିଳା IPS ଅଫିସରଙ୍କୁ ଯୌନ ନିର୍ଯାତନା ମାମଲାରେ ରାଜେଶ ଦାସଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ଏହାସହ ୨୦ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି । ୨୦୨୧ ଫେବୃଆରୀରେ ମହିଳା ଅଫିସର ଜଣଙ୍କ ରାଜେଶଙ୍କ ନାଁରେ ଅଭିଯୋଗ କରିଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏଦାପଡ଼ି କେ ପାଲାନିସ୍ବାମୀଙ୍କ ନିର୍ବାଚନୀ ରାଲି ସୁରକ୍ଷା ଡ୍ୟୁଟିରେ ଯାଉଥିବା ବେଳେ ଓଡ଼ିଆ IPS ତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ ।

AIADMK ସରକାର ରାଜେଶଙ୍କୁ ନିଲମ୍ବିତ କରିବା ସହ ମାମଲାର ତଦନ୍ତ ପାଇଁ ୬ଜଣିଆ କମିଟି ଗଠନ କରିଥିଲେ । ୬୮ ଜଣଙ୍କ ବୟାନ ଆଧାରରେ କୋର୍ଟ ତାଙ୍କୁ ଦଣ୍ଡିତ କରିଛନ୍ତି । ଏହାସହ ମହିଳା IPS ଅଫିସରଙ୍କୁ ରାଜେଶଙ୍କ ନାମରେ ଅଭିଯୋଗ କରିବାକୁ ଅଟକାଇଥିବା ତତ୍କାଳୀନ ଚେଙ୍ଗାଲପଟ୍ଟୁ ପୋଲିସ ସୁପରିଟେଣ୍ଡେଣ୍ଟଙ୍କୁ ମଧ୍ୟ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ରାଜେଶ ଦାସ ୧୯୮୯ ବ୍ୟାଚ IPS ଅଫିସର ।

ମାଘ ପୂର୍ଣ୍ଣିମା ପୂର୍ବରୁ ବଦଳିବ ମହିମା ଗାଦିର ରୂପ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ପୀଠର ଉନ୍ନତି ପାଇଁ ଖୁବଶୀଘ୍ର କାମ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ୧୧୨ କୋଟି ଟଙ୍କା ମଞ୍ଜୁର କରିବା ପରେ ଢେଙ୍କାନାଳ ଜିଲ୍ଲାପାଳ କହିଛନ୍ତି, ଆସନ୍ତାବର୍ଷ ମାଘ ପୂର୍ଣ୍ଣିମା ଯୋରନ୍ଦାମେଳା ପୂର୍ବରୁ ପୀଠର ଚିତ୍ର ବଦଳିବ । ଏଥିପାଇଁ ପୂରା ଗାଦିର ନୂତନ ନକ୍ସା ପ୍ରସ୍ତୁତ ହୋଇଛି ।

ଗତ ମେ ୨୯ ତାରିଖରେ 5T ସଚିବ ଭି.କେ ପାଣ୍ଡିଆନ ମହିମା ପୀଠ ପରିଦର୍ଶନ କରିଥିଲେ । ପୀଠର ଉନ୍ନତି ପାଇଁ ସାଧୁସନ୍ଥ ଓ ଭକ୍ତମାନଙ୍କ ଆଲୋଚନା କରିବା ସହ ୧୫ ଦିନ ଭିତରେ ପ୍ରକଳ୍ପ ରିପୋର୍ଟ ଦେବା ପାଇଁ ପରାମର୍ଶ ଦେଇଥିଲେ । 5T ସଚିବ ଭି.କେ ପାଣ୍ଡିଆନଙ୍କ ପରାମର୍ଶ ଅନୁସାରେ ଢେଙ୍କାନାଳ ଜିଲ୍ଲାପାଳ ପଠାଇଥିବା ୧୧୨ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏବେ ଏହି ପୀଠର ସର୍ବାଙ୍ଗୀନ ବିକାଶ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

ନେହେରୁ ମେମୋରିଆଲ ଏବେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ

ନୂଆଦିଲ୍ଲୀ :  ନେହେରୁ ମେମୋରିଆଲ ଏବେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ । ଦିଲ୍ଲୀସ୍ଥିତ ନେହେରୁ ମେମୋରିରିଆଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀର ନାଁ ବଦଳାଇଲେ କେନ୍ଦ୍ର ସରକାର । ନାମ ପରିବର୍ତ୍ତନକୁ ସଙ୍କୀର୍ଣ୍ଣ ରାଜନୀତି କହି କେନ୍ଦ୍ର ଉପରେ ବର୍ଷିଛି କଂଗ୍ରେସ । ନେହେରୁ ସ୍ମାରକ ସଂଗ୍ରହାଳୟ ଓ ପୁସ୍ତକାଳୟ 59ବର୍ଷରୁ ଅଧିକ ସମୟ ଧରି ପୁସ୍ତକ ଓ ଅଭିଲେଖର ସ୍ବତନ୍ତ୍ର ପରିଚୟ ପାଇଛି । କେନ୍ଦ୍ର ସରକାର ଏବେ ରାଷ୍ଟ୍ର ନିର୍ମାଣକାରୀଙ୍କ ନାମ ଓ ଐତିହ୍ୟକୁ ବିକୃତ କରିବାରେ ଲାଗିପଡ଼ିଛନ୍ତି ବୋଲି ଟୁଇଟ କରିଛନ୍ତି AICC ସାଧାରଣ ସମ୍ପାଦକ ଜୟରାମ ରମେଶ । ପୂର୍ବରୁ ରାଜୀବ ଗାନ୍ଧୀ ଖେଳ ରତ୍ନ ସମ୍ମାନର ନାଁ ବଦଳାଇଥିଲେ କେନ୍ଦ୍ର ସରକାର ।

ଆଜିଠାରୁ ଦୁଇ ଦିନିଆ କନ୍ଧମାଳ ଗସ୍ତରେ 5T ସଚିବ

କନ୍ଧମାଳ : କେତେ ଆଗେଇଛି କନ୍ଧମାଳ ଜିଲ୍ଲାର ବିକାଶ । କେଉଁଥିରେ ହୋଇଛି ଉନ୍ନତି, କ’ଣ କ’ଣ ରହିଛି ବାକି । ଆଜିଠାରୁ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଯାଇ ସମୀକ୍ଷା କରିବେ 5T ସଚିବ ଭି.କେ ପାଣ୍ଡିଆନ । ଅପରାହ୍ନ ୪ଟାରେ ଗୁଦାରିରରେ ପହଞ୍ଚିବା ପରେ ସେଠାରୁ ବଲସକୁମ୍ପା ଯାଇ ବରାଳଦେବୀ ମନ୍ଦିର ପରିଦର୍ଶନ କରିବେ ।

ଫୁଲବାଣୀସ୍ଥିତ କନ୍ଧମାଳ ଷ୍ଟାଡିୟମରେ ପ୍ରସ୍ତାବିତ ସ୍ପୋର୍ଟସ କମ୍ପେ୍ଲ ନେଇ ବିଚାର ଆଲୋଚନା କରିବା ସହିତ ନାଗରିକ ସମାଜ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ଫୁଲବାଣୀ ନୂଆ ବସଷ୍ଟାଣ୍ଡ ଯାଇ କାର୍ଯ୍ୟର ପ୍ରଗତି ଅନୁଧ୍ୟାନ କରିବେ । ସନ୍ଧ୍ୟାରେ କରୋନେସନ ପଡ଼ିଆଠାରେ ବ୍ୟାଙ୍କ ମିତ୍ର, ଏମବିକେ ଓ ମିଶନ ଶକ୍ତି ସଦସ୍ୟାମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପୋଲିସ ରିଜର୍ଭ ପଡ଼ିଆରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହିତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିବେ ଫାଇଭ-ଟି ସଚିବ ।

ସେହିପରି ଆସନ୍ତାକାଲି ସକାଳେ ଉଦ୍ୟାନ କୃଷି କାର୍ଯ୍ୟାଳୟ ପରିସରରେ ଏସ୍ଏଚଡିଙ୍କ ଦ୍ବାରା ଚାଲିଥିବା ପ୍ରକ୍ରିୟାକରଣ ଉଦ୍ୟୋଗ ପରିଦର୍ଶନ ଓ ତିଲକପଡ଼ାଠାରେ ନିର୍ମାଣାଧୀନ ମେଡିକାଲ କଲେଜର ଅଗ୍ରଗତି ନେଇ ଅନୁଧ୍ୟାନ କରିବା କାର୍ଯ୍ୟକ୍ରମ ରହିଛି । ସେଠାରୁ ଫିରିଙ୍ଗିଆ ଯାଇ ଡିଣ୍ଡିରା ଗାଁ ଆଦର୍ଶ ବିଦ୍ୟାଳୟ, ଫିରିଙ୍ଗିଆ ମିଶନ ଶକ୍ତି କାଫେ, ମିନି ଷ୍ଟାଡିୟମ, ରତଙ୍ଗ ଉଚ୍ଚ ବିଦ୍ୟାଳୟ, ରତଙ୍ଗ ଆଦର୍ଶ ପୋଖରୀ ଏବଂ ବନ୍ଧଗଡ଼ କସମ କାର୍ଯ୍ୟାଳୟ ପରିଦର୍ଶନ କରିବେ ।

ଏହାପରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ କେ.ନୂଆଗାଁ ଆଦର୍ଶ ଡିଗ୍ରୀ ମହାବିଦ୍ୟାଳୟ ଓ ମାହାସିଙ୍ଗ ପଥପ୍ରାନ୍ତ ସୁବିଧା କେନ୍ଦ୍ର ତଦାରଖ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ବାଲିଗୁଡାରେ ପାଟ୍ଟଖଣ୍ଡା ମନ୍ଦିର ଓ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଦସ୍ୟମାନଙ୍କ ସହ ଆଲୋଚନା କରିବେ ।

ବାଲିଗୁଡ଼ା ଆମ ଡାକ୍ତରଖାନା ଓ ମିନି ଷ୍ଟାଡିୟମ ପରିଦର୍ଶନ କରି ସେଠାରୁ ଦାରିଙ୍ଗବାଡ଼ି ଅଭିମୁଖେ ଗସ୍ତ କରିବେ ଫାଇଭ-ଟି ସଚିବ । ଦାରିଙ୍ଗବାଡ଼ିର ହିଲ୍‌ ଭିୟୁ ପାର୍କ, ଇକୋ କଟେଜ୍ ଓ ମିନି ଷ୍ଟାଡିୟମ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ଜି.ଉଦୟଗିରି ଯାଇ କଳିଙ୍ଗ ମହାବିଦ୍ୟାଳୟରେ ବିଭିନ୍ନ ଏସ୍ଏଜି, ନାଗରିକ କମିଟି ଓ ସାମାଜିକ ସଙ୍ଗଠନ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ।

ତିରୁପତି ଗୋବିନ୍ଦରାଜସ୍ବାମୀ ମନ୍ଦିର ନିକଟରେ ଅଘଟଣ

ଅମରାବତୀ : ତିରୁପତିରେ ଅଘଟଣ । ଗୋବିନ୍ଦରାଜସ୍ବାମୀ ମନ୍ଦିର ନିକଟରେ ଥିବା ଏକ ଫଟୋଫ୍ରେମ ଓ୍ବାର୍କସପ ସମ୍ପୂର୍ଣ୍ଣ ଜଳିଯାଇଛି । ଅଗ୍ନିକାଣ୍ଡରେ ଅନେକ ଦୋକାନ ବି ନଷ୍ଟ ହୋଇଛି । ଆଜି ମଧ୍ୟାହ୍ନରେ ତିରୁପତି ସହର ଅନ୍ତର୍ଗତ ଲାବଣ୍ୟ ଫଟୋ ଫ୍ରେମ ଓ୍ବାର୍କସପରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ପରେ ଏହା ଅନ୍ୟ ଦୋକାନକୁ ବ୍ୟାପି ଯାଇଥିଲା । ତିନିମହଲା କୋଠାରେ ଲାଗିଥିବା ନିଆଁର ତେଜ ଏତେ ଅଧିକ ଥିଲା ଯେ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିଲେ । ତେବେ ମନ୍ଦିର ନିକଟରେ ଥିବା ଗୋବିନ୍ଦରାଜସ୍ବାମୀ ମନ୍ଦିରର ରଥକୁ ନିଆଁ କବଳରୁ ରକ୍ଷା କରାଯାଇପାରିଛି ।

ଗୋଟିଏ ମିସନରେ ମହାକାଶକୁ ୪୧ଟି ଉପଗ୍ରହ ପ୍ରେରଣ

ନୂଆଦିଲ୍ଲୀ : ଗୋଟିଏ ମିସନରେ ମହାକାଶକୁ ଏକାଥରକେ ୪୧ଟି ଉପଗ୍ରହ ପ୍ରେରଣ କଲା ଚୀନ । ଲଙ୍ଗ ମାର୍ଚ୍ଚ ୨ଡି ରକେଟରେ ଏହି ଉପଗ୍ରହ ପ୍ରେରଣ କରିଛି ଚୀନ । ଗୋଟିଏ ମିସନରେ ମହାକାଶକୁ ସର୍ବାଧିକ ସଂଖ୍ୟକ ସାଟେଲାଇଟ ପ୍ରେରଣ କରିବା ଚୀନ ଇତିହାସରେ ପ୍ରଥମ ।

ତାଇୟୁଆନ ସାଟେଲାଇଟ ଲଞ୍ଚ ସେଣ୍ଟରରୁ ଏହି ଉପଗ୍ରହ ପ୍ରେରଣ କରାଯାଇଛି । ମହାକାଶ ଷ୍ଟେସନକୁ ୩ ଜଣ ଯାତ୍ରୀଙ୍କୁ ପଠାଇବାର କିଛି ସପ୍ତାହ ପରେ ଚୀନ ଏହି ରେକର୍ଡ କରିଛି । ଲଙ୍ଗମାର୍ଚ୍ଚ ରକେଟ ସିରିଜର ଏହା ହେଉଛି ୪୭୬ତମ ଫ୍ଲାଇଟ ମିଶନ ।

କମର୍ସିଆଲ ରିମୋଟ ସେନସିଂ ସର୍ଭିସ ଓ ଟେକ୍ନୋଲୋଜି ଭେରିଫିକେସନ କାର୍ଯ୍ୟରେ ଏହି ସାଟେଲାଇଟ ବ୍ୟବହୃତ ହେବ । ଗତ କିଛି ବର୍ଷ ଧରି ଚୀନ ମହାକାଶ କାର୍ଯ୍ୟକ୍ରମକୁ ଅଧିକ ଗତିଶୀଳ କରିବା ସହ ଅଧିକ ସଂଖ୍ୟକ ଉପଗ୍ରହ ପ୍ରେରଣ କରୁଛି । ଆସନ୍ତା ୨୦୩୦ ସୁଦ୍ଧା ଚନ୍ଦ୍ରକୁ ମାନବ ପ୍ରେରଣ ଲାଗି ଚୀନ ଯୋଜନା କରିଛି ।

କର୍ଣ୍ଣାଟକ ପାଠ୍ୟପୁସ୍ତକରୁ ହଟିଲା ଆରଏସଏସ ପ୍ରତିଷ୍ଠାତା ହେଡଗେବାରଙ୍କ ନାମ

ବେଙ୍ଗାଲୁରୁ: କର୍ଣ୍ଣାଟକ ପାଠ୍ୟପୁସ୍ତକରୁ ହଟିଲା ଆରଏସଏସ ପ୍ରତିଷ୍ଠାତା କେ.ବି. ହେଡଗେବାର ଓ ଅନ୍ୟାନ୍ୟ ହିନ୍ଦୁତ୍ବବାଦୀ ନେତା ସଂକ୍ରାନ୍ତ ପାଠ୍ୟକ୍ରମ । ତାଙ୍କ ସ୍ଥାନରେ ଜବାହାରଲାଲ ନେହରୁ, ବି.ଆର. ଆମ୍ବେଦକର ପ୍ରମୁଖ ସ୍ଥାନ ପାଇବା ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।

ପୂର୍ବତନ ବିଜେପି ସରକାର ଅମଳରେ କନ୍ନଡ ଓ ସୋସିଆଲ ସାଇନ୍ସରେ ହେଡଗେବାର, ହିନ୍ଦୁବାଦୀ ନେତା ଭି.ଡି. ସଭରକରଙ୍କ ଜୀବନୀ ସମ୍ପର୍କରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏ ସ୍ଥାନ ପାଇଥିଲା । ମାତ୍ର ନୂଆ ନିୟମ ଅନୁସାରେ ସେହି ପାଠ୍ୟପୁସ୍ତକଗୁଡିକରେ ସମାଜସେବୀ ତଥା ସଂସ୍କାରକ ସାବିତ୍ରୀବାଇ ଫୁଲେ, ଚକ୍ରବର୍ତ୍ତୀ ସୁଲିବେଲେ, ଜବାହାରଲାଲ ନେହରୁ, ଇନ୍ଦିରା ଗାନ୍ଧି, ବି.ଆର. ଆମ୍ବେଦକରଙ୍କ ସମ୍ପର୍କିତ ବିଷୟ ସ୍ଥାନ ପାଇବ ।

ରାଜ୍ୟର ସରକାରୀ ସ୍କୁଲଗୁଡିକରେ ଏହି ବିଷୟ ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ଗତ ନିର୍ବାଚନ ସମୟରେ ପାଠ୍ୟ ପୁସ୍ତକଗୁଡିକରେ ପରିବର୍ତ୍ତନ ଆଣିବା ସହ ନୂଆ ଶିକ୍ଷାନୀତି ରଦ୍ଦ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ । କ୍ୟାବିନେଟ ବୈଠକରେ ପାଠ୍ୟପୁସ୍ତକରେ ସଂଶୋଧନ ଅଣାଯାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ଆଇନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏଚକେ ପାଟିଲ ।