ପରଲୋକରେ ଜିମ୍ଵାୱେର ପୂର୍ବତନ ଅଧିନାୟକ ହିଥ୍‌ ଷ୍ଟ୍ରିକ୍‌, ୧୦ ଦିନ ପୂର୍ବରୁ ଦେହାନ୍ତକୁ ନେଇ ହୋଇଥିଲା ଗୁଜବ

ନୂଆଦିଲ୍ଲୀ: ଆଉନାହାନ୍ତି ଜିମ୍ବାଓ୍ୱେ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକ୍ । ୪୯ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ଷ୍ଟ୍ରିକ୍ । ଏହା ପୂର୍ବରୁ ତାଙ୍କ ଦେହାନ୍ତ ବିଷୟରେ ଗୁଜବ ପ୍ରଚାରିତ ହୋଇଥିଲା । ଯେଉଁଥି ପାଇଁ ହିଥ୍ ଷ୍ଟ୍ରିକ୍ ନିଜେ କ୍ରୋଧ ପ୍ରକାଶ କରିବା ସହ ସେ ସୁସ୍ଥ ଅଛନ୍ତି ବୋଲି କହିଥିଲେ । କିନ୍ତୁ ଏହି ଗୁଜବର ୧୦ ଦିନ ପରେ ଅର୍ଥାତ ସେପ୍ଟେମ୍ବର ୩ରେ ମୃତ୍ୟୁବରଣ କରିଛନ୍ତି  ହିଥ୍ ଷ୍ଟ୍ରିକ୍ । ଏଥର କିନ୍ତୁ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ଗୁଜବ ନୁହେଁ ବରଂ ସମ୍ପୂର୍ଣ୍ଣ ସଠିକ୍ । ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁ ହୋଇଥିବା କଥା ତାଙ୍କ ପରିବାର ଲୋକ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ।

୧୯୯୩ ମସିହା ନଭେମ୍ବରରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଡେବ୍ୟୁ କରିଥିଲେ ହାଥ୍ ଷ୍ଟ୍ରିକ୍ । ସେହି ବର୍ଷ ଡିସେମ୍ବର ମାସରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ଷ୍ଟ୍ରିକ୍ । ହିଥ୍ ତାଙ୍କ କ୍ୟାରିୟରରେ ସଚିନ୍ ତେନ୍ଦୁଲକରଙ୍କୁ ୩ ଥର ଏବଂ ସୌରଭ ଗାଙ୍ଗୁଲିଙ୍କୁ ଚାରିଥର ଆଉଟ କରିଥିଲେ ।

ହିଥ୍ ଷ୍ଟ୍ରିକ୍ ତାଙ୍କ କ୍ୟାରିୟରରେ ମୋଟ୍ ୬୫ଟି ଟେଷ୍ଟ ଓ ୧୮୯ଟି ଦିନିକିଆ ମ୍ୟାଚରେ ଜିମ୍ବାଓ୍ୱେ ପକ୍ଷରୁ ଖେଳିଥିଲେ । ସେ ଟେଷ୍ଟରେ ୨୧୬ଟି ଓ୍ୱିକେଟ ନେଇଥିବାବେଳେ ଦିନିକିଆରେ ୨୩୯ ଓ୍ୱିକେଟ ଅକ୍ତିଆର କରିଥିଲେ । ଅବସର ଗ୍ରହଣ ପରେ ସେ ଜିମ୍ବାୱେ, ସ୍କଟ୍‌ଲାଣ୍ଡ୍‌, ବାଂଲାଦେଶ, ଗୁଜରାଟ ଲାଇଅନ୍ସ ଓ କୋଲ୍‌କାତା ନାଇଟ୍‌ ରାଇଡର୍ସ ପ୍ରଭୃତିଙ୍କର କୋଚ୍‌ ଭାବେ କାର୍ଯ୍ୟ କରି କ୍ରିକେଟ୍‌ ଖେଳ ସହିତ ଜଡ଼ିତ ଥିଲେ।