‘କାଶ୍ମୀର ହେଉ କି ଅରୁଣାଚଳ, ଯେଉଁଠି ଇଛା ସେଇଠି କରିବୁ ଜି-୨୦ ସମ୍ମିଳନୀ’

1 min read

ନୂଆଦିଲ୍ଲୀ: ଜି-୨୦ ବୈଠକକୁ ନେଇ ପାକିସ୍ତାନ ଓ ଚୀନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟାର୍ଗେଟ । ଶ୍ରୀନଗର ଓ ଅରୁଣାଚଳ ପ୍ରଦେଶରେ ଜି-୨୦ ବୈଠକ ଉପରେ ଆପତ୍ତି ଉଠାଉଥିବା ଏହି ଦୁଇ ଦେଶଙ୍କୁ ପ୍ରଧାନମନ୍ତ୍ରରଙ୍କ କଡ଼ା ଜବାବ । କହିଲେ, ‘କାଶ୍ମୀର ହେଉ କି ଅରୁଣାଚଳ ପ୍ରଦେଶ, ଯେଉଁଠି ଇଚ୍ଛା ସେଇଠି ଜି-୨୦ ବୈଠକ କରିବୁ ।’

ଜି-୨୦ ଅଧ୍ୟକ୍ଷତାକୁ ନେଇ କହିଛନ୍ତି, ‘ଏହାଦ୍ବାରା ବହୁତ ସକରାତ୍ମକ ପ୍ରଭାବ ପଡ଼ିଛି । ଏଥିରୁ କିଛି ମୋ ହୃଦୟକୁ ଜଣିପାରିଛି । ଜି-୨୦ରେ ଆମ ଦୃଷ୍ଟିକୋଣକୁ ଦୁନିଆ କେବଳ ବିଚାରରେ ନେଇନାହିଁ, ଏହାକୁ ଭବିଷ୍ୟର ରୋଡମ୍ୟାପ ଭାବେ ଦେଖୁଛି । ଦୁନିଆର ଜିଡିପି କେନ୍ଦ୍ରିତ ଦୃଷ୍ଟିକୋଣ ଏବେ ମାନବ କେନ୍ଦ୍ରିତ ହେବାରେ ଲାଗିଛି ଓ ଏଥିରେ ଭାରତ ପ୍ରମୁଖ ଭୂମିକା ଲିଭାଉଛି । ଦାୟିତ୍ବହୀନ ଆର୍ଥିକ ନୀତି ଓ ଲୋଭନୀୟ ପ୍ରତିଶ୍ରୁତି ସଙ୍ଗେ ସଙ୍ଗେ ରାଜେନୖତିକ ଲାଭ ଦେଇପାରେ । ହେଲେ, ଭବିଷ୍ୟତରେ ଏଥିପାଇଁ ଆର୍ଥିକ ଓ ସାମାଜିକ ମୂଲ୍ୟ ଦେବାକୁ ପଡିଥାଏ । ଏଥିରେ ଗରିବ ହିଁ ପୀଡ଼ିତ ହୋଇଥାଏ ।’

ଜି-୨୦ର ଗୁରୁତ୍ବ କହିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଭାରତ ଜି-୨୦ ଅଧ୍ୟକ୍ଷତା କରିବା ତୃତୀୟ ବିଶ୍ବର ଦେଶଙ୍କ ମଧ୍ୟରେ ବିଶ୍ବାସ ଭରିଛି । ଭାରତର ଜି-୨୦ ଥମ୍ ‘ବସୁଧୈବ କୁଟୁମ୍ବକମ’ କେବଳ ଏକ ସ୍ଲୋଗାନ ନୁହେଁ, ଆମ ବିଚାର ଓ ନୈତିକତାର ଏକ ଦର୍ଶନ ।’

ଆଗକୁ ସେ କହିଛନ୍ତି, ‘ଜି-୨୦ରେ ଆଫ୍ରିକା ଆମ ପାଇଁ ପ୍ରଥମ ପ୍ରାଥମିକତା ରହିଛି । ସମସ୍ତଙ୍କ ମତ ନ ଶୁଣି କୌଣସି ଭବିଷ୍ୟତ ଯୋଜନା କଲେ, ତାହା ସଫଳ ହେବ ନାହିଁ ।’

ସବକା ସାଥ, ସବକା ବିକାଶ ମଧ୍ୟ ବିଶ୍ବ କଲ୍ୟାଣ ପାଇଁ ମାର୍ଗଦର୍ଶକ ହୋଇପାରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ କହିଛନ୍ତି, ବିଶ୍ବର ବିଭିନ୍ନ ସ୍ଥାନରେ ସଂଘର୍ଷ ଘଟୁଛି । ଏମିତି ସଂଘର୍ଷ ସମାଧାନର ଏକମାତ୍ର ବାଟ ହେଉଛି ଆଲୋଚନା । ଆଜି ଭାରତୀୟଙ୍କ ପାଖରେ ବିକାଶର ମଞ୍ଜି ପୋତିବାର ସୁଯୋଗ ଆସିଛି, ଯାହା ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଦୁନିଆ ମନେ ରଖିବ ।