spot_img
Home Blog Page 3031

ଆଜିଠୁ ରାଜଧାନୀରେ ଆରମ୍ଭ ହେବ ଅଜନ୍ତା ସର୍କସ

ଭୁବନେଶ୍ୱର: ଅପେକ୍ଷାର ହେବ ଅନ୍ତ । ଦୀର୍ଘ ୮ ବର୍ଷ ପରେ ରାଜଧାନୀକୁ ଫେରିଛି ସର୍କସ । ଆଜିଠୁ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବ ଅଜନ୍ତା ସର୍କସ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ଉଦଘାଟନୀ ଦିବସରେ ଅପରାହ୍ନ ୪ଟା ଓ ରାତି ୭ଟାରେ ଦୁଇଟି ଶୋ’ ହେବ । ରବିବାରଠାରୁ ପ୍ରତିଦିନ ଦିନ ଗୋଟାଏ ସମେତ ମୋଟ ୩ଟି ଶୋ ହେବ । ଗତ ୮ ତାରିଖଠାରୁ ସର୍କସ ଆରମ୍ଭ ହେବାକୁ ଥିବାବେଳେ କାଳବୈଶାଖୀ ଯୋଗୁଁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିଲା । ପୁଣି ମରାମତି ପରେ ଆଜିଠୁ ସର୍କସ ଆରମ୍ଭ ହେବାକୁ ଯାଉଛି ।

ସର୍କସରେ ଦୋଳି ଖେଳ ସହିତ ଜୋକର, ଗ୍ଲୋବ ମଧ୍ୟରେ ଦୁଃସାହସିକ ମୋଟର ସାଇକେଲ ଚାଳନା, ଇଥିଓପିଆ, ଆଫ୍ରିକା ଓ ରଷିଆ ଆଦି ଦେଶର ବିଦେଶୀଙ୍କ ଦ୍ବାରା କଷ୍ଟସାଧ୍ୟ ଜିମ୍ନାଷ୍ଟିକ ଖେଳ ଆଦି ଦର୍ଶକଙ୍କ ମନମୋହିବ । ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ଫ୍ୟାନର ବ୍ୟବସ୍ଥା କରାଯାଇଛି । ସର୍କସ ୩୫ ଦିନ ଧରି ଚାଲିବ ବୋଲି ବୋଲି କହିଛନ୍ତି ସର୍କସର ପରିଚାଳକ ।

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ବାରିପଦା: ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ । ମୟୂରଭଞ୍ଜ ବାରିପଦା ଉପଜିଲ୍ଲାପାଳ କାର୍ଯ୍ୟାଳୟର ରାଜସ୍ବ ସହାୟକ ରାମଚନ୍ଦ୍ର ସେନ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଛାପା । କୁଳିଆନା ପଢ଼ିଆରିପୁରରେ ଥିବା ୪ ମହଲା କୋଠା, ରଘୁନାଥଗଞ୍ଜରେ ଥିବା ୩ ମହଲା କୋଠାରେ ରେଡ୍ ହୋଇଛି । ଏଠାରେ ଏକ ଫିଜିଓଥେରାପି କ୍ଲିନିକ ମଧ୍ୟ ରହିଛି । ବାରିପଦାସ୍ଥିତ ଅଫିସ ଚାମ୍ବର, ସାମଖୁଣ୍ଟା ତହସିଲ ଅଫିସରେ ଥିବା ପୁଅର ଚାମ୍ବର ଓ ବାରିପଦା ଟାଉନ ତୁଳସୀ ଚଉରାରେ ଥିବା ସମ୍ପର୍କୀୟଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ୍ । ରାମଚନ୍ଦ୍ର ଦୀର୍ଘ ଦିନ ବାରିପଦା କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ ରହିଥିଲା ।

ଦର୍ପଦଳନ ରଥ ଅଖରେ ଫାଟ, ରଥର ସାନଉଛୁଳା ଅଖରେ ଫାଟ

ପୁରୀ: ଦର୍ପଦଳନ ରଥ ଅଖରେ ଫାଟ । ପଛୁଆଣି ଅଖ ବା ସାନଉଛୁଳା ଅଖରେ ଫାଟ ଥିବା ଦେଖିବାକୁ ମିଳିଛି । ପୂର୍ବରୁ ଫାଟ ଥିବା ବେଳେ ଏହାକୁ କ୍ଲାମ୍ପ ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ଏହି ଫାଟ ଅଧିକ ଦିଶୁଛି । ତେଣୁ ଏହାକୁ ବଦଳାଯିବା ଦରକାର ବୋଲି କହିଛନ୍ତି ଦଇତାପତି ସେବାୟତ ।

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କର ବନକଲାଗି ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କର ବନକଲାଗି ନୀତି । କଳା, ଧଳା, ନାଲି, ହରିତାଳ ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ । ଗତକାଲି ତ୍ରୟୋଦଶୀ ତିଥିରେ ଶ୍ରୀଜିଉଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହୋଇଥିବାବେଳେ ଆଜି ଚତୁର୍ଦ୍ଦଶୀ ତିଥିରେ ବନକଲାଗି ନୀତି ଅନୁଷ୍ଠିତ ହେବ । ସେହିଭଳି ରଥ ଖଳାରେ ଚିତ୍ରକର ସେବକ ରଙ୍ଗ କାର୍ଯ୍ୟ ଜାରି ରଖିଥିବା ବେଳେ ଆଜି ପାର୍ଶ୍ବଦେବଦେବୀ ଲଗାଯିବା ସହ ଅନ୍ୟାନ୍ୟ କାର୍ଯ୍ୟ କରାଯିବ ।

ପୁଣି ଶିମିଳିପାଳରେ ଫୁଟିଲା ଗୁଳି, ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ

ମୟୂରଭଞ୍ଜ: ପୁଣି ମୟୂରଭଞ୍ଜ ଶିମିଳିପାଳରେ ଫୁଟିଲା ଗୁଳି, ଜଣେ ବନ କର୍ମଚାରୀଙ୍କ ମୃତ । ଶିକାରୀ ଗୁଳିରେ ବନ କର୍ମଚାରୀ ମାଥି ହାଁସଦାଙ୍କ ମୃତ୍ୟୁ । ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଆରସିସିଏଫ୍ । ଗତକାଲି ବିଳମ୍ବିତ ରାତି ୨.୩୦ରେ ବାରାକାମୁଡା ରେଞ୍ଜ ଅଞ୍ଚଳରେ ଡ୍ୟୁଟି କରୁଥିଲେ ମାଥି । ହଠାତ୍ ଶିକାରୀ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ବନ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ଡ଼ାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପାଖାପାଖି ୬ ଜଣ ଶିକାରୀ ଥିଲେ, ହାତରେ ଗେମିଂ ବନ୍ଧୁକ ଧରିଥିଲେ । ଗୁଳି ଚଳାଇ ଶିକାରୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଗୋଟିଏ ବନ୍ଧୁକ ଜବତ ହୋଇଛି । ଏହାପୂର୍ବରୁ ଶିମିଳିପାଳ ଅଭୟାରଣ୍ୟରେ ଶିକାରୀ ଗୁଳିରେ ଜଣେ ଫରେଷ୍ଟ ଗାର୍ଡଙ୍କର ମୃତ୍ୟୁ ହୋଇଥିଲା ।

ପଟିଆ ରେଳ ଷ୍ଟେସନ ନିକଟରେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ଠାବ

ଭୁବନେଶ୍ୱର: ପଟିଆ ରେଳ ଷ୍ଟେସନ ନିକଟରେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ଠାବ । ମୃତକଙ୍କ ପିଠିରେ ରହିଛି ଗଭୀର କ୍ଷତ ଚିହ୍ନ । ବ୍ୟକ୍ତି ଜଣଙ୍କୁ କେହି ଧାରୁଆ ଅସ୍ତ୍ରରେ ମାରିଥିବା ସନ୍ଦେହ କରାଯାଉଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ, ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ମୃତଦେହକୁ ଉଦ୍ଧାର କରିଛି ପ୍ରଦୀପ ସେବା ଟ୍ରଷ୍ଟ । ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ମୃତଦେହକୁ ନିଆଯାଇଛି ।

ଅଣାୟତ୍ତ କରୁଛି ସିଭିୟର ହିଟ୍ଓ୍ବେଭ, ସକାଳ ୫.୩୦ ସୁଦ୍ଧା ରାଜଧାନୀରେ ୨୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ରାତି ପାହିଲେ ବଢୁଛି ତାତି । ସକାଳ ହେଉ ହେଉ ତତଲା ତାଓ୍ବାରେ ସିଝୁଛି ଓଡ଼ିଶା । ଅଧା ଓଡ଼ିଶାକୁ ଅଣାୟତ୍ତ କରୁଛି ସିଭିୟର ହିଟ୍ଓ୍ବେଭ । ଆଜି ସକାଳ ୫.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୨୯.୮ ଡ଼ିଗ୍ରୀ ତାପମାତ୍ରା ଏବଂ ୭୨% ଆଦ୍ରତା ରେକର୍ଡ ହୋଇଛି । ଉଚ୍ଚ ତାପମାତ୍ରା ସାଙ୍ଗକୁ ଝାଞ୍ଜି ପବନରେ ଆକ୍ତାମାକ୍ତା ଜନଜୀବନ । ଉପକୂଳ ଓଡ଼ିଶାରେ ଉଚ୍ଚ ଆର୍ଦ୍ରତା ବଢ଼ାଉଛି ଗୁଳୁଗୁଳି । ଆଗାମୀ ୪ ଦିନ ଯାଏ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ । ଆଗାମୀ ୩ ଦିନ ଉପକୂଳ ଏବଂ ୫ ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବ । ସ୍ୱାଭାବିକଠାରୁ ୭ରୁ ୮ ଡିଗ୍ରୀ ଯାଏଁ ଅଧିକ ରହିବ ତାପମାତ୍ରା । ଜୁନ୍ ୨୦ ଯାଏଁ ଖରା, ଗରମ ଓ ଉଚ୍ଚ ତାପମାତ୍ରା ଲାଗି ରହିବ ।

ଆଜି ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ସୋନପୁରରେ ସିଭିୟର ହିଟୱେଭ୍ ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ଦେଓଗଡ଼, ଅନୁଗୁଳ, ଢେ଼ଙ୍କାନାଳ, କେନ୍ଦୁଝର, ମୟୁରଭଂଜ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ନୟାଗଡ଼, କଟକ, ଖୋର୍ଦ୍ଧା ଓ ନୂଆପଡ଼ାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଆସନ୍ତା ୨୦ ତାରିଖ ଯାଏଁ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଓଡ଼ିଶାକୁ ଉତ୍ତର ପଶ୍ଚିମ ଦିଗରୁ ଗରମ ଏବଂ ଶୁଷ୍କ ପବନ ପ୍ରବାହିତ ହେବା ସହ କାଳବୈଶାଖୀର ପ୍ରଭାବ କମିଛି । ଫଳରେ ସାରା ରାଜ୍ୟରେ ଅସ୍ବାଭାବିକ ପାଗ ଦେଖାଦେଇଛି । ୧୮ ତାରିଖ ପରେ ପୂର୍ବ ଭାରତକୁ ଆସିବ ମୌସୁମୀ । ୨୧ ବେଳକୁ ଓଡ଼ିଶା ଛୁଇଁବା ନେଇ ପାଣିପାଗ ଅନୁକୂଳ ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର କହିଛି ।

 

 

ରୂପାନ୍ତରଣ ସ୍ପର୍ଶରେ ନୂଆରୂପ ପାଇବ କନ୍ଧମାଳ, ଗ୍ରାଉଣ୍ଡରେ 5T ସଚିବଙ୍କ ସମୀକ୍ଷା

କନ୍ଧମାଳ: ଶାଳ ବଣରେ ସମୃଦ୍ଧିର ସ୍ବାକ୍ଷର । ବଦଳିବ କନ୍ଧମାଳର କାୟାକଳ୍ପ । ରୂପାନ୍ତରଣ ଅଧ୍ୟାୟରେ ଯୋଡ଼ି ହୋଇଛି କନ୍ଧମାଳ ଜିଲ୍ଲା । ଗ୍ରାଉଣ୍ଡକୁ ଯାଇ ବିକାଶ ଅଗ୍ରଗତିର ସମୀକ୍ଷା କରୁଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଦୁଇଦିନିଆ ଗସ୍ତର ଆଜି ଦ୍ବିତୀୟ ଦିନରେ ସକାଳୁ ସକାଳୁ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରୁଛନ୍ତି 5T ସଚିବ  । ଉଦ୍ୟାନ କୃଷି କାର୍ଯ୍ୟାଳୟ ପରିସରରେ ଏସଏଚଡିଙ୍କ ଦ୍ବାରା ଚାଲିଥିବା ପ୍ରକ୍ରିୟାକରଣ ଉଦ୍ୟୋଗ ପରିଦର୍ଶନ କରିଛନ୍ତି । କିଛି ସମୟ ପରେ ତିଲକପଡ଼ାଠାରେ ନିର୍ମାଣାଧୀନ ମେଡିକାଲ କଲେଜର ଅଗ୍ରଗତି ନେଇ ଅନୁଧ୍ୟାନ କରିବା କାର୍ଯ୍ୟକ୍ରମ ରହିଛି । ସେଠାରୁ ଫିରିଙ୍ଗିଆ ଯାଇ ଡିଣ୍ଡିରା ଗାଁ ଆଦର୍ଶ ବିଦ୍ୟାଳୟ, ଫିରିଙ୍ଗିଆ ମିଶନ ଶକ୍ତି କାଫେ, ମିନି ଷ୍ଟାଡିୟମ, ରତଙ୍ଗ ଉଚ୍ଚ ବିଦ୍ୟାଳୟ, ରତଙ୍ଗ ଆଦର୍ଶ ପୋଖରୀ ଏବଂ ବନ୍ଧଗଡ଼ କସମ କାର୍ଯ୍ୟାଳୟ ପରିଦର୍ଶନ କରିବେ । ଏହାପରେ 5T ସଚିବ ଭିକେ ପାଣ୍ଡିଆନ କେ.ନୂଆଗାଁ ଆଦର୍ଶ ଡିଗ୍ରୀ ମହାବିଦ୍ୟାଳୟ ଓ ମାହାସିଙ୍ଗ ପଥପ୍ରାନ୍ତ ସୁବିଧା କେନ୍ଦ୍ର ତଦାରଖ କରିବାର କାର୍ଯ୍ୟକ୍ରମ ରହିଛି ।

ଏହାପରେ ବାଲିଗୁଡାରେ ପାଟ୍ଟଖଣ୍ଡା ମନ୍ଦିର ଓ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଦସ୍ୟମାନଙ୍କ ସହ ଆଲୋଚନା କରିବେ । ବାଲିଗୁଡ଼ା ଆମ ଡାକ୍ତରଖାନା ଓ ମିନି ଷ୍ଟାଡିୟମ ପରିଦର୍ଶନ କରି ସେଠାରୁ ଦାରିଙ୍ଗବାଡ଼ି ଅଭିମୁଖେ ଗସ୍ତ କରିବେ 5T ସଚିବ । ଦାରିଙ୍ଗବାଡ଼ିର ହିଲ୍ ଭିୟୁ ପାର୍କ, ଇକୋ କଟେଜ୍ ଓ ମିନି ଷ୍ଟାଡିୟମ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ଜି.ଉଦୟଗିରି ଯାଇ କଳିଙ୍ଗ ମହାବିଦ୍ୟାଳୟରେ ବିଭିନ୍ନ ଏସଏଜି, ନାଗରିକ କମିଟି ଓ ସାମାଜିକ ସଙ୍ଗଠନ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ 5T ସଚିବ ଭିକେ ପାଣ୍ଡିଆନ ।

 

ସାରା ବିଶ୍ବ ଦେଖିବ ହକି କ୍ରେଜ୍, ୨୦୨୪ ଡିସେମ୍ବରରେ ଫେରିବ ହକି ଇଣ୍ଡିଆ ଲିଗ୍

ଭୁବନେଶ୍ୱର: ସାରା ବିଶ୍ବ ଦେଖିବ ହକି କ୍ରେଜ୍‌ । କଳିଙ୍ଗରେ ପୁଣି ହେବ ଗୋଲ ବର୍ଷା । କମ୍ପିବ ଷ୍ଟାଡିୟମ, ଝୁମିବେ ଦର୍ଶକ । କଳିଙ୍ଗ ଷ୍ଟାଡ଼ିୟମ ସହ ବିର୍ସାମୁଣ୍ଡା ଷ୍ଟାଡ଼ିୟମରେ ଦେଖିବାକୁ ମିଳିବ ହକି କ୍ରେଜ୍ । ୨୦୧୭ ପରେ ପୁଣିଥରେ ଭାରତରେ ଖେଳାଯିବ ହକି ଇଣ୍ଡିଆ ଲିଗ୍ । ୨୦୨୪ ଡିସେମ୍ବରରେ ଖେଳାଯିବ ହକି ଇଣ୍ଡିଆ ଲିଗ୍ । FIH କୁ HILର କାର୍ଯ୍ୟସୂଚୀ ହକି ଇଣ୍ଡିଆ ପକ୍ଷରୁ ପ୍ରଦାନ କରାଯାଇଛି । FIH ମଧ୍ୟ ଗ୍ରୀନ ସିଗନାଲ ଦେଇଛି । ଆସନ୍ତାବର୍ଷ FIH କାର୍ଯ୍ୟସୂଚୀରେ ହକି ଇଣ୍ଡିଆ ଲିଗ୍ ସ୍ଥାନ ପାଇବାକୁ ଯାଉଛି । ୨୦୧୩ରୁ ୨୦୧୭ ପର୍ଯ୍ୟନ୍ତ ୫ ବର୍ଷ ଧରି ଏଚଆଇଏଲ ଖେଳାଯାଇଥିବାବେଳେ ଏକାଠି ହୋଇଥିଲେ ବିଶ୍ବର ତାରକା ଖେଳାଳି । ଏହି ଲିଗ୍ ଭାରତୀୟ ହକିର ବିକାଶର ଯାତ୍ରାର ଭାଗୀଦାରି ହୋଇଥିଲା । ଅନେକ ଯୁବ ପ୍ରତିଭା ଲିଗରେ ନିଜର ପ୍ରଦର୍ଶନ ଦେଇ ଚୟନକର୍ତ୍ତାଙ୍କୁ ଆକୃଷ୍ଟ କରିଥିଲେ ।

ହକି ଇଣ୍ଡିଆ ଲିଗ୍ ଆରମ୍ଭ ହେଲେ ଦେଶର ଅନେକ ଯୁବ ଖେଳାଳିଙ୍କ ପାଇଁ ସୁଯୋଗ ସୃଷ୍ଟି ହେବ । ବିଶ୍ୱର ବଡ଼ ବଡ଼ ତାରକା କଳିଙ୍ଗରେ ଦେଖାଇବେ ହକି ଷ୍ଟିକର ଯାଦୁ । ସାରା ଦେଶରେ ହକିର ମାହୋଲ ଦେଖିବାକୁ ମିଳିବ । ବିଶ୍ୱର ବଡ଼ ବଡ଼ ତାରକା କଳିଙ୍ଗରେ ଦେଖାଇବେ ହକି ଷ୍ଟିକର ଯାଦୁ । କଳିଙ୍ଗ ଲାନସର୍ସ ଭଳି ଓଡ଼ିଶାରୁ ଏକ ଟିମ୍ ମଧ୍ୟ ରହିବ । ଯାହା ରାଜ୍ୟ ସରକାରଙ୍କ ଦ୍ୱାରା କିଣାଯିବ । ୨୦୧୩ରୁ ୨୦୧୭ ପର୍ଯ୍ୟନ୍ତ ୫ ବର୍ଷ ଧରି ଏଚଆଇଏଲ୍ ଖେଳାଯାଇଥିବା ବେଳେ ୨୦୧୭ରେ କଳିଙ୍ଗ ଲାନସର୍ସ ଚାମ୍ପିୟନ ହୋଇଥିଲା ।

ରାଜ୍ୟରେ ବଢିଲା ଗ୍ରୀଷ୍ମ ଛୁଟି ଅବଧି, ୨୧ ତାରିଖରେ ଖୋଲିବ ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ବଢିଲା ଗ୍ରୀଷ୍ମ ଛୁଟି ଅବଧି । ୨ ଦିନ ବଢ଼ିଲା ଖରାଛୁଟି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଛୁଟି ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୧୯ ତାରିଖ ପରିବର୍ତ୍ତେ ୨୧ ତାରିଖରେ ଖୋଲିବ ସ୍କୁଲ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୨୧ ତାରିଖରୁ ସ୍କୁଲରେ ଖରାଛୁଟି ହୋଇଥିଲା । ଆଗୁଆ ଖରାଛୁଟି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ମେ’ ୫ରୁ ଜୁନ୍ ୧୭ ଯାଏଁ ଖରା ଛୁଟି ଘୋଷଣା କରାଯାଇଥିଲା । ହେଲେ ହିଟଓ୍ବେଭ୍ ପାଇଁ  ନିର୍ଦ୍ଧାରିତ ତାରିଖର ୧୫ ଦିନ ପୂର୍ବରୁ ଖରାଛୁଟି କରାଯାଇଥିଲା । ଅଧିକ ଦିନ ଛୁଟି ଯେପରି ପାଠପଢାକୁ ପ୍ରଭାବିତ ନକରେ, ସେଥିପାଇଁ ଅବକାଶକାଳୀନ ଶିକ୍ଷା ବା ସମର କୋର୍ସ ପାଇଁ ସ୍ବତନ୍ତ୍ର ସିଲାବସର ବ୍ୟବସ୍ଥା କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଆସନ୍ତା ୧୯ ତାରିଖରେ ସ୍କୁଲ ଖୋଲିବାର ଥିଲା  । ମାତ୍ର ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ୨ ଦିନ ଛୁଟି ବଢାଯାଇଛି  ।