ଫେସବୁକରେ ଶ୍ରୀଧରରୁ ଶିବାନୀ ହୋଇ ଠକିଥିଲା ୩୫ ଲକ୍ଷ, ଏବେ ବାନ୍ଧିଲା ସାଇବର ପୋଲିସ

ଭୁବନେଶ୍ୱର: ସାଇବର ଥାନା ପୋଲିସ ହାତରେ ସିଷ୍ଟର ଶିବାନୀ । ଠକେଇ ପାଇଁ ଗାର୍ଲଫ୍ରେଣ୍ଡକୁ ମୋହରା । ଧନ ସୁନା କହୁଥିଲେ, ହେଲେ ଧରା ଦେଉନଥିଲେ। ବାପାଙ୍କ ଦେହ ଖରାପ କହି ବାହାନା କରୁଥିଲେ । ଠକ ଜଣକ ଯୁବତୀ ନଥିଲେ ଥିଲେ ଯୁବକ। ଏଭଳି ଏକ ଠକକୁ ଗିରଫ କରିଛି ସାଇବର ଥାନା ପୋଲିସ । 35 ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ହେଲେ ବ୍ରହ୍ମପୁରର ଶ୍ରୀଧର ମହାରଣା । ଫେସବୁକରେ ଶ୍ରୀଧର ବନିଯାଇଥିଲା ଶିବାନୀ ପଣ୍ଡା । ଫେକ ଆଇଡି କରି ସୁନ୍ଦରପଦାର ଅଙ୍କିତ କୁମାର ଗୁପ୍ତା ନାମକ ଜଣେ ଇଞ୍ଜିନିୟରଙ୍କୁ ଫସେଇଥିଲା ଠକ । ଯୁବକ ଜଣକ ନିଜକୁ ଡାକ୍ତରୀ ଛାତ୍ରୀ ବୋଲି ଇଞ୍ଜିନିୟରଙ୍କୁ ପରିଚୟ ଦେଇଥିଲା । ବର୍ଷେ ହେଲା ଯୁବତୀ ପରିଚୟରେ କଥା ହେଉଥିଲା ।

ଦେଖା କରିବାକୁ ଡାକିଲେ ବାହାନା କରି ଦେଖା ଦେଉନଥିଲେ । ନିଜ ଗାର୍ଲଫ୍ରେଣ୍ଡ ଦ୍ବାରା ପ୍ରେମର ଭଏସ ମେସଜ ପଠାଉଥିଲା । ବାହା ହେବା ପାଇଁ ବି କଥା ହୋଇଥିଲା । ବାପା ଆର୍ମିରେ ଥିବା କହିଥିଲା ଠକ ଶ୍ରୀଧର । ମିଛରେ ବାପାଙ୍କ ଦେଖ ଖରାପ କହି ବିଭିନ୍ନ ସମୟରେ ବାହାନା କରି ଇଞ୍ଜିନିୟରଙ୍କ ଠାରୁ ଫୋନ ପେରେ 35 ଲକ୍ଷ ଟଙ୍କା ନେଇଥିଲା । ଇଞ୍ଜିନିୟର ଜଣଙ୍କ ଠକେଇର ଶିକାର ହେବ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତକୁ କଟକରୁ ଗିରଫ କରିଛି ପୋଲିସ । ଠକେଇ ଟଙ୍କାରେ ବେଟିଂ ଆପରେ ପ୍ରାୟ 28 ଲକ୍ଷ ଟଙ୍କା ବିନିଯୋଗ କରିଥିବା ଅଭିଯୁକ୍ତ ସ୍ବୀକାର କରିଛି । ରାକେଟରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ସନେଇ ତଦନ୍ତ କରାଯାଉଛି । ଆବଶ୍ୟକ ହେଲେ ଶ୍ରୀଧରକୁ ରିମାଣ୍ଡରେ ଆଣିବ ପୋଲିସ ।