ବିଶ୍ୱ ଦରବାରରେ ବଢିଲା ଓଡ଼ିଶାର ଗୌରବ, ଜି୨୦ ସମ୍ମିଳନୀରେ କୋଣାର୍କର ଚାରୁକଳା ଦେଖିଲା ବିଶ୍ୱ

ନୂଆଦିଲ୍ଲୀ: ବିଶ୍ବ ଦରବାରରେ ବଢିଲା ଓଡ଼ିଶାର ଗୌରବ । ଉତ୍କଳୀୟ କଳାର ଅନ୍ୟତମ ପ୍ରାଣକେନ୍ଦ୍ର କୁହାଯାଉଥିବା କୋଣାର୍କର ଚାରୁକଳାକୁ ଦେଖିଛି ବିଶ୍ବ । ନୂଆଦିଲ୍ଲୀରେ ଆୟୋଜିତ ଗ୍ରୁପ ୨୦ ସମ୍ମିଳନୀ ଅବସରରେ କୋଣାର୍କର ଏକ ଚକର ପ୍ରତିକୃତି ବ୍ୟାକଡ୍ରପରେ ବିଶ୍ବ ନେତାଙ୍କୁ ସ୍ବାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମେତ ବହୁ ନେତାଙ୍କୁ ସେ ସ୍ବାଗତ କରିଛନ୍ତି ।

ଚାରୁକାରୁକଳାର ବିମୁଗ୍ଧ ସଂରଚନା ଦେଖି ଅଭିଭୂତ ହୋଇଥିଲେ ଅତିଥି । ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ କଳାକୃତି ସମ୍ପର୍କରେ ବୁଝାଇଥିଲେ ମୋଦି । ପ୍ରଗତି ମଇଦାନ ସ୍ଥିତ ଭାରତ ମଣ୍ଡପର ଏକ ସ୍ବତନ୍ତ୍ର ସ୍ଥାନରେ ଅବସ୍ଥାପିତ ହୋଇଥିଲା ବିଶ୍ବପ୍ରସିଦ୍ଧ କୋଣାର୍କର ଚକ । ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ବିଶ୍ବପ୍ରସିଦ୍ଧ କୋଣାର୍କକୁ ପ୍ରତିବର୍ଷ ଦେଶବିଦଶର ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସୁଥିବାବେଳେ ଖୁବ୍ ନିକଟରୁ ପ୍ରସିଦ୍ଧ କଳାର ଝଲକ ଦେଖି ବିମୋହିତ ହୋଇଥିଲେ ବିଶ୍ବନେତା ।