ଦିବ୍ୟାଙ୍ଗ ହୋଇ ବି ସକ୍ଷମ ସୁଭଦ୍ରା

କଟକ: ଦିବ୍ୟାଙ୍ଗ ହେଲେ ବି ସକ୍ଷମ । ନିଜର ଶକ୍ତି ବଳରେ ଆତ୍ମନିର୍ଭରଶୀଳ । ହାତ ଗୋଡ଼ ନଥିଲେ ବି ମନରେ ରହିଛି ଅନେକ ସ୍ବପ୍ନ । ପାଠ ପଢିବେ, ନିଜ ପରିଚୟ ନିଜ ଉଦ୍ୟମରେ ସୃଷ୍ଟି କରିବେ । ଏହି ଲକ୍ଷ୍ୟ ନେଇ ଜୀବନକୁ ଏକ ନୂଆ ରାହା ଦେଇଛନ୍ତି । କଟକ ସଦର ଅଞ୍ଚଳ କନ୍ଦରପୁର ପଞ୍ଚାୟତ ବମ୍ବୁରି ଗ୍ରାମର ବାବୁଲି ଓ ବେବିଙ୍କ ଝିଅ ସୁଭଦ୍ରା । ଜନ୍ମରୁ ଦିବ୍ୟାଙ୍ଗ । ଆସନ୍ତା ବର୍ଷ ସେ ମାଟ୍ରିକ ପରୀକ୍ଷା ଦେବେ। ହାତଗୋଡ଼ ନ ଥାଇ ମଧ୍ୟ ଲେଖିବା, ଚିତ୍ର ଆଙ୍କିବା, ନାଚିବା ସହ ଘରର ସବୁ କାର୍ଯ୍ୟ କରି ପାରନ୍ତି । ବଡ଼ ଭଉଣୀ ତାଙ୍କୁ ପ୍ରତିଦିନ ସ୍କୁଲ ନେବା ଆଣିବା କରନ୍ତି । ତେବେ ଭଉଣୀଙ୍କ ବିବାହ ହେବା ପରେ ତାଙ୍କୁ ସ୍କୁଲ ନେବାକୁ କେହି ନାହିଁ । କାରଣ ବାପା ସ୍କୁଲକୁ ନେଲେ ରୋଜଗାର କରିବ କିଏ ? ଭଲ ପାଠ ପଢି ଭଲ ସରକାରୀ ଚାକିରି କରିବାକୁ ଲକ୍ଷ୍ୟ ରଖିଛନ୍ତି ସୁଭଦ୍ରା ।

ଦିବ୍ୟାଙ୍ଗ ହେଲେ ବି ମନରେ ରହିଛି ଉଡ଼ିବାର ସ୍ବପ୍ନ । ନିଜେ ଆତ୍ମନିର୍ଭରଶିଳ ହେବା ସହ ଦିନ ମଜୁରିଆ ବାପାଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି । ହେଲେ ସ୍କୁଲକୁ ଯିବା ଓ ଲେଖାଲେଖିରେ ତାଙ୍କୁ ସହାୟତା କରିବାକୁ କେହି ନାହିଁ । ତଥାପି ଆତ୍ମବଳ ଭାଙ୍ଗି ନାହାନ୍ତି ସୁଭଦ୍ରା । ସାମାନ୍ୟ ସହାୟତା ମିଳିଲେ ସେ ତାଙ୍କ ସ୍ବପ୍ନ ପୂରା କରି ପାରନ୍ତେ ବୋଲି କହିଛନ୍ତି ପରିବାର ଲୋକ ।