ବୌଦ୍ଧ: ହେଲମେଟ ଚେକିଂବେଳେ ପୋଲିସକୁ ଚକମା ଦେବା ହେଲା କାଳ । ମୁକୁଳା ଡ୍ରେନରେ ବାଇକ ଗଳି ପଡ଼ିବାରୁ ଦୁଇଜଣ ବାଇକ ଅରୋହୀଙ୍କ ମୃତ୍ୟୁ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପୋଲିସ ପକ୍ଷରୁ ଆଠମଲ୍ଲିକ ପୁରୁଣାକଟକ ରୋଡ଼ ବୁରୁବୁଡା ଠାରେ ହେଲମେଟ ଚେକିଂ ଚାଲିଥିଲା । ପୁରୁଣାକଟକ ପଟୁ ବାଇକରେ ଦୁଇଜଣ ଫାଇନରୁ ବର୍ତ୍ତିବା ପାଇଁ ଦୃତ ଗତିରେ ଆସୁଥିବା ବେଳେ ତିଳେଶ୍ୱର ବଜାର ମଧ୍ୟରେ ଥିବା ମୁକୁଳା ଡ୍ରେନରେ ଭାରସାମ୍ୟ ହରାଇ ଗଳି ପଡ଼ିଥିଲେ । ଫଳରେ ଉଭୟ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ହେଲେ ମଧୁସୂଦନପୁର ଗ୍ରାମର ରମେଶ ଦଳବେହେରା ଓ ମଣିକପୁର ଗ୍ରାମର ଗଣେଶ ପ୍ରଧାନ । ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।
ବୃଥା ଯିବନି ଷ୍ଟେଲନଙ୍କ ପରିଶ୍ରମ, କଟକ କ୍ରୀଡ଼ା ହଷ୍ଟେଲରେ ରହି କ୍ରିକେଟ ପାଇଁ ପ୍ରଶିକ୍ଷଣ ନେବେ
ମାଲକାନଗିରି: ବୃଥା ଯିବନି ପରିଶ୍ରମ । ସାରା ଦେଶ ଦେଖିବ ମାଲକାନଗିରି କୁମୁଟିଗୁଡ଼ା ଷ୍ଟେଲନ ରାଜଙ୍କ ଖୋସଲାଙ୍କ ଲୁକ୍କାୟିତ ପ୍ରତିଭା । ଫାଇଭ -ଟି ସଚିବଙ୍କ ନିର୍ଦ୍ଦେଶରେ ଯୋଗାଇ ଦିଆଗଲା ସହାୟତା । କଟକ କ୍ରୀଡ଼ା ହଷ୍ଟେଲରେ ରହି କ୍ରିକେଟ ପାଇଁ ପ୍ରଶିକ୍ଷଣ ନେବେ ଷ୍ଟେଲନ । ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଷ୍ଟେଲନ କ୍ରୀକେଟରେ ନିଜ ଭବିଷ୍ୟତ ଗଠନ କରିବେ ବୋଲି ମାଲକାନଗିରି ଜିଲ୍ଲା ଗସ୍ତ ସମୟରେ ଫାଇବ-ଟି ସଚିବଙ୍କୁ ଜଣାଇଥିଲେ । ଫାଇବ-ଟି ଭିକେ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷ୍ଟେଲନଙ୍କ ବିଷୟରେ ଅବଗତ କରାଇଥିଲେ ।
ମୁଖ୍ୟମନ୍ତ୍ରୀ ଏବେ ଷ୍ଟେଲନଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ସମସ୍ତ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏନେଇ କଟକ କ୍ରୀଡା ହଷ୍ଟେଲରେ ରହି ରାଇଜିଂ ଷ୍ଟାର କ୍ଲବରେ ପ୍ରଶିକ୍ଷଣ ନେବାକୁ ପ୍ରଶାସନ ବ୍ୟବସ୍ଥା କରିଛି । ଏହା ସହ ସେ କଟକର କ୍ରାଇଷ୍ଟ କଲେଜରେ ପାଠ ପଢିବା ପାଇଁ ମଧ୍ୟ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ସେପଟେ ମାଲକାନଗିରି ଜିଲ୍ଲାପାଳ ତାଙ୍କୁ କୋଡ଼ିଏ ହଜାର ଟଙ୍କାର ଆର୍ଥିକ ରାଶି ପ୍ରଦାନ କରିଛନ୍ତି। ସ୍ବପ୍ନକୁ ସାକର କରିବାକୁ ସୁଯୋଗ ମିଳିଥିବାରୁ ଷ୍ଟେଲନ ଏବଂ ତାଙ୍କ ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଫାଇଭ-ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଦେବଗଡ଼ରେ ନକଲି ନୋଟ କାରବାର ବେଳେ ଜଣଙ୍କୁ ଗିରଫ କଲା ପୋଲିସ
ଦେବଗଡ଼: ଦେବଗଡ଼ରେ ନକଲି ନୋଟ କାରବାର ବେଳେ ଜଣଙ୍କୁ ଗିରଫ କଲା ପୋଲିସ । ବସଷ୍ଟାଣ୍ଡ ନିକଟରେ ନକଲି ନୋଟ ଦେଇ ସାମଗ୍ରୀ କିଣୁଥିବାବେଳେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରର ବିନୋଦ ସିଂ ଗିରଫ ହୋଇଛନ୍ତି । ନକଲି ନୋଟ ସନ୍ଦେହରେ ପ୍ରଥମେ ଦୋକାନୀ ତାଙ୍କୁ ଅଟକାଇଥିଲେ । ସେଠାରୁ କୌଶଳ କ୍ରମେ ଖସିଯାଇଥିଲା ଅଭିଯୁକ୍ତ । ଦୋକାନୀଙ୍କ ଅଭିଯୋଗ ଆଧାରରେ ପୋଲିସ ବିନୋଦର ଘରେ ଚଢ଼ାଉ କରି 135 ଖଣ୍ଡ ନକଲି ପାଞ୍ଚ ଶହ ଓ 20 ଖଣ୍ଡ 200 ଟଙ୍କିଆ ନୋଟ ଜବତ ହୋଇଛି ।
ଜବତ ନକଲି ନୋଟର ମୂଲ୍ୟ 69 ହଜାର 500 ଟଙ୍କା । ଏହା ସହିତ ଗୋଟିଏ ପାସ ବୁକ 14ଟି ଏଟିଏମ କାର୍ଡ, 6ଟି ମୋବାଇଲ ଫୋନ ଓ ଗୋଟିଏ ବୋଲେରୋ ଜବତ କରିବା ସହ ବିନୋଦକୁ ଗିରଫ କରାଯାଇଚି । ପୋଲିସର ପଚରାଉଚରା ପରେ ଅଭିଯୁକ୍ତ କହିଛି, ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ସାଲଡେଗା ଗାଁର ପୁନେଇଁ ଓରାମ 30 ହଜାର ଟଙ୍କା ଅସଲି ନୋଟ ବଦଳରେ ଏକ ଲକ୍ଷ ଟଙ୍କା ନକଲି ନୋଟ ଦେଇଥିଲେ । ନକଲି ନୋଟ କାରବାରର ମୂଳରେ ପହଞ୍ଚିବାକୁ ସ୍ବତନ୍ତ୍ର ଟିମ୍ ଗଠନ କରିଛି ପୋଲିସ ।
ସାତ କୋଟି ଠକେଇ ଅଭିଯୋଗରେ ଦ୍ବାରିକା ଜୁଏଲାରୀ ଓ ତାର ସହଯୋଗୀଙ୍କ ଘରେ CBI ରେଡ୍
ଭୁବନେଶ୍ୱର: ସାତ କୋଟି ଠକେଇ ଅଭିଯୋଗରେ ଦ୍ବାରିକା ଜୁଏଲାରୀ ଓ ତାର ସହଯୋଗୀଙ୍କ ଘରେ CBI ଚଢ଼ାଉ କରିଛି । CBI DSP ଦିବାକର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ରେଡ୍ କରିଛି । CBI ଦ୍ବାରିକା ଜୁଏଲାରୀ ମୁଖ୍ୟ ଦ୍ବାରିକାନାଥ ପାତ୍ର, ତାଙ୍କ ପତ୍ନୀ, ପୁଅ, ବୋହୂ, ଝିଅ ଓ ଅନ୍ୟ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ଭୁବନେଶ୍ବରର 6ଟି ଜାଗାରେ ରେଡ୍ ହୋଇଥିବାବେଳେ ବହୁ ଗୁରୁତ୍ବପୂର୍ଣ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି । ସହିଦ ନଗର ଇଣ୍ଡିଆନ ବ୍ୟାଙ୍କ ମ୍ୟାନେଜରଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଥିଲା ।
2013 ମସିହାରେ ଦ୍ବାରିକା ଜୁଏଲାରୀର ଦ୍ବାରିକାନାଥ ଓ ଭାଗୀଦାର ତତ୍କାଳୀନ ଆହ୍ଲାବାଦ ବ୍ୟାଙ୍କ୍ ତଥା ବର୍ତ୍ତମାନର ଇଣ୍ଡିଆନ ବ୍ୟାଙ୍କରୁ ଛଅ କୋଟି ଟଙ୍କା କ୍ୟାସ କ୍ରେଡିଟରେ ନେଇଥିଲେ । ଏଥିରେ ଦ୍ବାରିକାନାଥଙ୍କ ଝିଅ ଗ୍ୟରେଣ୍ଟର ରହିଥିଲେ । ଏହି ଟଙ୍କାରେ ସୁନା, ରୁପା ପଥର କିଣିବେ ବୋଲି ବ୍ୟାଙ୍କରେ ଉଲ୍ଲେଖ କରିଥିଲେ । ପରେ ଏହି ଟଙ୍କା ନ ଶୁଝିବାରୁ ଏହା ଠକେଇ ବୋଲି 2022 ମାର୍ଚ୍ଚରେ ଘୋଷଣା ହୋଇଥିଲା । ଏହି ଟଙ୍କାରୁ ଦ୍ବାରିକାଙ୍କ ପୁଅ ଉମାଶଙ୍କରଙ୍କ ବିଲଡର କମ୍ପାନୀ ଆକାଉଣ୍ଟକୁ ତିନି କୋଟି 55 ଲକ୍ଷ ଯାଇଥିଲା । ବ୍ୟାଙ୍କର ଅସାଧୁ ଅଧିକାରୀଙ୍କ ସହ ହାତ ମିଳାଇ ଏଭଳି ଠକେଇ କରିଥିବା ପ୍ରାଥମିକ ତଦନ୍ତରୁ CBI ଜାଣିପାରିଛି ।
ଜାତୀୟ ରାଜପଥ ୫୫ରେ ଦୁର୍ଘଟଣା, ଦୁଇ ଟ୍ରକ ମଝିରେ ଚାପିହୋଇ ଦମ୍ପତି ମୃତ
ଅନୁଗୁଳ: ଜାତୀୟ ରାଜପଥ ୫୫ରେ ପୁଣି ଏକ ଦୁର୍ଘଟଣା ଘଟିଥିବା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ଜୀବନ ଚାଲି ଯାଇଛି । ଦୁଇ ଟ୍ରକ ମଝିରେ ଚାପି ହୋଇ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ସୂଚନା ଅନୁସାରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଏକ ମୋଟର ସାଇକେଲରେ ବଡକେରା ପଟରୁ ଅନୁଗୋଳ ଆଡକୁ ଯାଉଥିଲେ । ତାଙ୍କ ଆଗରେ ଏକ ଟ୍ରକ ଥିବା ବେଳେ ପଛରୁ ଆସୁଥିବା ଆଉ ଏକ ଟ୍ରକ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଧକ୍କା ଦେଇ ଆଗରେ ଯାଉଥିବା ଟ୍ରକ ପଛରେ ବାଡେଇ ହୋଇଥିଲା । ଫଳରେ ଦୁଇ ଟ୍ରକ ମଝିରେ ଚାପି ହୋଇ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ଅନୁଗୋଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ତେବେ ବର୍ତ୍ତମାନ ସୁଦ୍ଧା ଉଭୟଙ୍କ ପରିଚୟ ମିଳି ପାରି ନାହିଁ ।

