spot_img
Home Blog Page 2986

ମହାରାଷ୍ଟ୍ର ରାଜନୀତି: ଶରଦ ପାୱାର କହିଲେ ପରିବାରରେ ସବୁ ଠିକ୍‌, କିଛି ସମସ୍ୟା ନାହିଁ

ମୁମ୍ବାଇ: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ବଡ ଧରଣର ହଲଚଲ ହୋଇଛି  । ଏନସିପିର ବରିଷ୍ଠ ନେତା ଅଜିତ ପାୱାର ଏକନାଥ ସିନ୍ଦେ ନେତୃତ୍ୱ ଏନଡିଏ ସରକାରରେ ସାମିଲ ହୋଇଛନ୍ତି  । ଅଜିତଙ୍କ ପଦକ୍ଷେପ ଦଳର ମୁଖ୍ୟ ଶରଦ ପାୱାରଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ଆଣିଦେଇଛି  । କିନ୍ତୁ ମହାରାଷ୍ଟ୍ର ସରକାରରେ ଆସିଥିବା ଝଡକୁ ଏକପ୍ରକାର ଏଡାଇ ଦେଇଛନ୍ତି ଏନସିପିର ବରିଷ୍ଠ ନେତା ଶରଦ ପାୱାର  । ‘ସେ କହିଛନ୍ତି ପରିବାରରେ କୌଣସି ସମସ୍ୟା ନାହିଁ  । ଏବେ ସୁଦ୍ଧା ମୁଁ କାହା ସହ ସମ୍ପର୍କ କରିନାହିଁ  । ମୁଁ ଏବେ ସତାରା ପାଇଁ ବାହାରୁଛି  । କାଲି ଠାରୁ ଏ ପର୍ଯ୍ୟନ୍ତ ମୁଁ କାହା ସହ କୌଣସି ସମ୍ପର୍କ କରିନାହିଁ’ ।

 

ଏନଡିଟିଭିରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ଶରଦ ପାୱାର କହିଛନ୍ତି ଯେ ‘ଆମ ପରିବାରରେ କୌଣସି ସମସ୍ୟା ନାହିଁ  । ପରିବାରରେ ଆମେ ରାଜନୀତି ବିଷୟରେ ଚର୍ଚ୍ଚା କରୁନାହୁଁ  । ପ୍ରତ୍ୟେକ ସଦସ୍ୟ ନିଜ ନିଜର ନିଷ୍ପତ୍ତି ନେଇଥାନ୍ତି’ । ପାୱାର ଆଜି ସତାରାରେ ଥିବା ସ୍ବତନ୍ତ୍ର ସେନାନୀ ଭାଇବି ଚୌହ୍ବାନଙ୍କ ସ୍ମାରକ ପରିଦର୍ଶନ କରିବେ  । ସେଠାରେ ସେ ସ୍ମାରକୀରେ ଶ୍ରଦ୍ଧାଞ୍ଜଳୀ ଦେବା ସହିତ ମହାରାଷ୍ଟ୍ରର ଭବିଷ୍ୟତ ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରିବେ ।

 

ସେହିପରି ଅଜିତ ପାୱାରଙ୍କ ବିଦ୍ରୋହ ପରେ ପାର୍ଟିର ଆଇନଗତ ଲଢେଇ ଉପରେ କିଛି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି ଶରଦ ପାୱାର  । ସେ କହିଛନ୍ତି ତାଙ୍କୁ ଆଇନଗତ ଲଢେଇ ବିଷୟରେ କିଛି ଜଣା ନାହିଁ  । ଏନସିପିର ପ୍ରଦେଶ ଅଧ୍ୟକ୍ଷ ଜୟନ୍ତ ପାଟିଲ ଏସବୁ ମାମଲା ବିଷୟରେ ନଜର ରଖିଛନ୍ତି  । ସେ ଏହ ପ୍ରଶ୍ନର ଉତ୍ତର ଭଲଭାବେ ଦେଇପାରିବେ  । ଗତ ୪ ବର୍ଷ ମଧ୍ୟରେ ବହୁ ବାଦ ବିବାଦ ମଧ୍ୟରେ ମହାରାଷ୍ଟ୍ର ସରକାର ଚାଲି ଆସୁଛି  । ବିଧାୟକଙ୍କ ବିଦ୍ରୋହ ହେଉ କି ସରକାର ପତନ ମଧ୍ୟରେ ୪ଟି ଶପଥ ଗ୍ରହଣ ସମାରୋହ ସରିଲାଣି  ।

 

 

ନଈ ମଝିରେ ମଦ୍ୟପ ଯୁବକଙ୍କ ହାଇଡ୍ରାମା, ବିଳମ୍ବିତ ରାତିରେ ନଦୀରୁ ଉଦ୍ଧାର

ବାଙ୍କୀ: ସାରା ରାତି ନଈ ମଝିରେ ହାଇଡ୍ରାମା । ଅଗ୍ନିଶମ ବାହିନୀଙ୍କୁ ନାକେଦମ କଲା ମଦ୍ୟପ ଯୁବକ । ଏ ଦୃଶ୍ୟ ହେଉଛି ବାଙ୍କୀ ଭେଡା ରାମଚନ୍ଦ୍ରପୁର ଗାଁର । ମହାନଦୀରେ ପାଣି ଆସିଯିବାରୁ ଚନ୍ଦନ ବେହେରା ନାମକ ଯୁବକ ଜଣକ ଫସି ରହିଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ଦୁଇ ଜଣ ମଧ୍ୟ ସେଠାରେ ଫସି ରହିଥିଲେ । ଦୀର୍ଘ ସମୟ ପରେ ଅଗ୍ନିଶମ ବାହିନୀ ପହଞ୍ଚି ୨ ଜଣଙ୍କୁ ଉଦ୍ଧାର କରିଥିଲେ ।

ହେଲେ ଏହି ମଦ୍ୟପ ଯୁବକ ଜଣକ ଧରା ନଦେଇ ଦଉଡିବାକୁ ଲାଗିଥିଲେ । ନଦୀ ମଝିରେ ରାତି ଅଧରେ ଲୁଚକାଳି ଖେଳ ଚାଲିଥିଲା । ଶେଷରେ ଯୁବକ ଜଣକ ନଦୀର ସୁଅକୁ ଡେଇଁ ପଡିଥିଲେ । ବହୁ ଚେଷ୍ଟା ପରେ ଉଦ୍ଧାର ପରେ ଯୁବକ ଜଣକୁ ଚିକିତ୍ସା ପାଇଁ ବାଙ୍କୀ ମେଡିକାଲକୁ ପଠାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ଛୁଆଙ୍କୁ କୂଅରେ ଫିଙ୍ଗି ଡେଇଁ ପଡିଲେ ମହିଳା, ପୁଅଝିଅ ମୃତ

ବ୍ରହ୍ମପୁର: ଗଞ୍ଜାମ ଶେରଗଡ଼ ବ୍ଲକ କରଡାକଣା ପଞ୍ଚାୟତ ଲାଉଗୁଡ଼ା ଗାଁରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ ନେଇ ଦୁଇ ଝିଅ ଓ ପୁଅକୁ କୂଅରେ ଫିଙ୍ଗି ଦେଲେ ମହିଳା । ଏହାପରେ ମହିଳା ଜଣକ କୂଅକୁ ଡେଇଁ ପଡିଥିଲେ ।

ସାନ ଝିଅ ଓ ପୁଅର ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ । ବଡ଼ ଝିଅ ଓ ମହିଳାଙ୍କୁ ଗ୍ରାମବାସୀ ଉଦ୍ଧାର କରିଥିଲେ । ଗତକାଲି ଏଭଳି ଘଟଣା ଘଟିଥିବା ବେଳେ ଉଭୟ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି ।

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ବଢୁଛି ଭିଡ

ନନ୍ଦିଘୋଷ ବ୍ୟୁରୋ: ପୂର୍ଣ୍ଣିମା ତିଥି ଅନୁଯାୟୀ ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର । ଏହି ଅବସରରେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ରୀତିନୀତି ଅନୁଯାୟୀ ଚାଲିଛି ଜଳାଭିଷେକ ଓ ପୂଜାର୍ଚ୍ଚନା । ଆଜି ପୂର୍ଣ୍ଣିମା ତିଥି ଆରମ୍ଭ ହୋଇଥିବାରୁ ବିଭିନ୍ନ ନଦୀରେ କାଉଡିଆ ଭକ୍ତମାନେ ଜଳଭାର ଉଠାଇ ଶିବାଳୟକୁ ଆସିବେ ।

ଏଥିପାଇଁ ଆରଡିପୀଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଯବସ୍ଥା କରାଯାଇଛି । ବିଶେଷକରି ପୀଠରେ ଥିବା ବୈତରଣୀ ଓ ସାଳନ୍ଦୀ ନଦୀର ୩ଟି ଘାଟରେ ଅଗ୍ନିଶମ ବାହିନୀ ମୁତୟନ ହୋଇଥିବା ବେଳେ, ନଦୀର ଉଭୟ ପାର୍ଶ୍ବକୁ ପୋଲିସ ଜଗି ରହିଛି ।

ସୁପ୍ରିମକୋର୍ଟ ଖୋଲିବାର ପ୍ରଥମ ଦିନରେ ମଣିପୁର ମାମଲାର ଶୁଣାଣି

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ମଣିପୁର ହିଂସା ସମ୍ପର୍କିତ ମାମଲାର ଶୁଣାଣି କରାଯିବ । ସିଜେଆଇଙ୍କ ନେତୃତ୍ୱରେ ସ୍ବତନ୍ତ୍ର ବେଞ୍ଚ ମଣିପୁରରେ ହିଂସା ସହ ଜଡିତ ଏକ ପିଟିସନର ଶୁଣାଣି କରିବେ । ୬ ସପ୍ତାହର ଗ୍ରୀଷ୍ଣକାଳୀନ ଛୁଟିପରେ ଆଜିଠୁ ସୁପ୍ରିମକୋର୍ଟ ଖୋଲିବାକୁ ଥିବାବେଳେ ପ୍ରଥମ ଦିନରେ ମଣିପୁର ମାମଲାର ଶୁଣାଣି କରାଯିବ । ଏହାସହିତ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ହତ୍ୟା ମାମଲାର ମଧ୍ୟ ଶୁଣାଣି ହେବାନେଇ ସୂଚନା ରହିଛି ।

ଛୁଟି ଅବଧିରେ କୋର୍ଟ ୨ହଜାରରୁ ଅଧିକ ମାମଲାର ଶୁଣାଣି କରିବାକୁ ଆବେଦନ ଗ୍ରହଣ କରିଥିଲେ । ଏହି ସମୟରେ ସମାଜସେବୀ ତିସ୍ତା ସେଟାଲଭାଡଙ୍କ ଜାମିନ ଆବେଦନର ଶୁଣାଣି କରିଥିଲେ ସର୍ବୋଚ୍ଚ ଅଦାଲତ । ଅନ୍ୟପଟେ ଗ୍ରୀଷ୍ମ ବିରତି ସମୟରେ ସୁପ୍ରିମକୋର୍ଟର ତିନିଜଣ ବରିଷ୍ଠ ବିଚାରପତି ଜଷ୍ଟିସ୍ କେ.ଏମ ଜୋସେଫ, ଜଷ୍ଟିସ ଅଜୟ ରାଷ୍ଟୋଗି ଏବଂ ଜଷ୍ଟିସ ଭି ରାମାସୁବ୍ରମଣ୍ୟନ ଅବସର ନେଇଛନ୍ତି । ଏବେ ବିଚାରପତିଙ୍କ ସଂଖ୍ୟା ୩୧ କୁ ଖସି ଆସିଛି ।

ବିଚାରପତିଙ୍କ ଅବସର ପରେ କାର୍ଯ୍ୟକାରୀ 15ଟି ବେଞ୍ଚରେ ନୂତନ ମାମଲା ଆବଣ୍ଟନ ପାଇଁ ସର୍ବୋଚ୍ଚ ଅଦାଲତ ମଧ୍ୟ ଏକ ନୂତନ ରୋଷ୍ଟର ବାହାର କରିଛନ୍ତି । ସିଜେଇର ଅଧ୍ୟକ୍ଷତାରେ ଥିବା ପ୍ରଥମ ତିନିଟି କୋର୍ଟ ଏବଂ ଦୁଇଜଣ ବରିଷ୍ଠ ବିଚାରପତି ଯଥାକ୍ରମେ ପିଏଲ୍ ଶୁଣାଣି କରିବେ।

ମଣିପୁର ହିଂସାରେ ୪ ଜଣଙ୍କ ମୃତ୍ୟୁ, ବଢିଲା କର୍ଫ୍ୟୁ ସମୟ

ଇମ୍ପାଲ: ମଣିପୁରରେ ବଢୁଛି ହିଂସା । ବିଷ୍ଣୁପୁର ଓ ଚୁରାଚନ୍ଦପୁର ଜିଲ୍ଲାର ସୀମାରେ ହିଂସା ଯୋଗୁଁ ଗତକାଲି ୪ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ଅନେକ ସ୍ଥାନରେ ଏବେ କର୍ଫ୍ୟୁ ସମୟକୁ ବଢାଇ ଦିଆଯାଇଛି । ସକାଳ ୫ଟାରୁ ସକାଳ ୧୦ ଟା ପର୍ଯ୍ୟନ୍ତ କର୍ଫ୍ୟୁ ସମୟକୁ କୋହଳ କରାଯାଇଛି । ତାପରେ ଲୋକେ ଘରୁ ବାହାରିଲେ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ମୃତକଙ୍କ ମଧ୍ୟରେ ଜଣେ କୁକି ସମ୍ପ୍ରଦାୟର ଥିବା ବେଳେ ଅନ୍ୟ ତିନି ଜଣ ମୈତେଇ କମ୍ୟୁନିଟିର ବୋଲି ଜଣାପଡ଼ିଛି ।

ଆକ୍ରମଣକାରୀ ହଠାତ ଆକ୍ରମଣ କରିବାରୁ ଏମାନେ ସମସ୍ତେ ଅପରପକ୍ଷକୁ ଆକ୍ରମଣ କରିଥିଲେ । ମଣିପୁର ହିଂସା ପଛରେ ପଡୋଶୀ ଦେଶର ହାତ ଅଛି ବୋଲି ଗତକାଲି ମୁଖ୍ୟମନ୍ତ୍ରୀ ବିରେନ ସିଂହ କହିଥିଲେ । ତାଙ୍କ ମତକୁ ନେଇ ବିବାଦ ବଢିଥିଲା । ବିରୋଧୀ ଏହାକୁ ସମାଲୋଚନା କରିବା ସହ ଯଦି ହିଂସା ପଛରେ ଚୀନର ହାତ ଅଛି । ତେବେ ବିଜେପି ସରକାର ଏଥିପାଇଁ କି ପଦକ୍ଷେପ ନେଇଛନ୍ତି ।

ମଣିପୁର ସୀମାକୁ ଚୀନ ଓ ମିଆଁମାରର ସୀମା ଲାଗିଥିବା ବେଳେ ସୀମା ସେପଟୁ ବିବାଦ ସୃଷ୍ଟି ପାଇଁ ପ୍ରୟାସ କରାଯାଉଛି । ଦିନକୁ ଦିନ ଉଗ୍ର ହେଉଛି ହିଂସା । ସବୁ ପ୍ରକାର ଉଦ୍ୟମ ପରେ ବି ବାରମ୍ବାର ହିଂସା କାହିଁକି ଘଟୁଛି, ଏହାକୁ ନେଇ ଜାରି ରହିଛି ଚର୍ଚ୍ଚା । ମଣିପୁର ଭଳି ଶାନ୍ତିପ୍ରିୟ ରାଜ୍ୟରେ ଗତ କିଛିଦିନ ଧରି ଭୟଙ୍କର ଦଙ୍ଗା ହେଉଛି । ଶତାଧିକ ଲୋକଙ୍କ ପ୍ରାଣହାନି ଘଟିବା ସହ ଅନେକ ଲୋକ ଅନ୍ୟତ୍ର ଆଶ୍ରୟ ନେଇଛନ୍ତି ।

 

ସାମାନ୍ୟ ବଚସାରୁ ବୃଦ୍ଧଙ୍କୁ ଅତର୍କିତ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଝାରସୁଗୁଡ଼ା: ସଂଘବଦ୍ଧ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛରେ ଥିବା ଲେକଚର କଲୋନୀରେ ବୃଦ୍ଧଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ମୃତକ ହେଲେ କୈଳାସ ମେହେର । କୌଣସି କଥାକୁ ନେଇ କୈଳାସଙ୍କୁ ଲେକଚର କଲୋନୀର କିଛି ବ୍ୟକ୍ତି ଅତର୍କିତ ଆକ୍ରମଣ କରିଥିଲେ । ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଟାଉନ ଥାନା ଅଧିକାରୀ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତକ କୈଳାସଙ୍କ ସମ୍ପର୍କୀୟ ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଜୁଲାଇ ୮ ଯାଏଁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ୮୦ଟି କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଭୁବନେଶ୍ବର: ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ରାଜ୍ୟରେ ୮୦ଟି କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଆଡମିଟ କାର୍ଡ ପ୍ରଦାନ କରାଯାଇଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୧ ହଜାର ୩୧୧ ଛାତ୍ରଛାତ୍ରୀ ଫେଲ୍ ହୋଇଥିଲେ ।

୮ହଜାର ୧୯୫ ଜଣ ଷ୍ଟେଟ୍ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷାର୍ଥୀ ମଧ୍ୟ ଅକୃତକାର୍ଯ୍ୟ ହୋଇଥିଲେ । ୮ତାରିଖରେ ପରୀକ୍ଷା ସରିବା ପରେ ଫଳ ଖୁବଶୀଘ୍ର ପ୍ରକାଶ କରାଯିବ । ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଚଳିତ ବର୍ଷ ଯୁକ୍ତ ଦୁଇରେ ନାମ ଲେଖାଇବାର ସୁଯୋଗ ପାଇବେ । ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଗତ ମେ ୨୬ ତାରିଖରୁ ଫର୍ମ ଫିଲଅପ୍ ଆରମ୍ଭ ହୋଇ ଜୁନ୍ ୧ ତାରିଖରେ ଶେଷ ହୋଇଥିଲା ।

୪ ପରେ ବଦଳିବ ପାଗ, ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ବର: ଗୁଳୁଗୁଳିରୁ ମିଳିବ ତ୍ରାହି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବଢିବ ବର୍ଷା ବିସ୍ତୃତି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ଏଥିପାଇଁ ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ବିଶେଷକରି ଦକ୍ଷିଣ ଓଡିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଞ୍ଜାମ, ଗଜପତି, କନ୍ଧମାଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।

୧୬ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବା ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଥିବାବେଳେ ୯ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି ହୋଇଛି । ୧୨ ଜିଲ୍ଲାକୁ ବଜ୍ରପାତ ପାଇଁ ଆଲର୍ଟ ଜାରି ହୋଇଛି । କାଲିଠୁ ବର୍ଷାର ପରିମାଣ ଓ ବିସ୍ତୃତି ବଢିବାର ସମ୍ଭାବନା ରହିଛି । ଜୁନ ଆରମ୍ଭରୁ ଏଯାଏଁ ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି ।

ମୌସୁମୀ ଦୁର୍ବଳ ଥିଲା, ଏବେ ତାହା ସ୍ବଭାବିକ ସ୍ଥିତିକୁ ଆସୁଛି । ମୌସୁମୀ ଦୁର୍ବଳ ହେତୁ ଉପକୂଳ ଓଡିଶାରେ ଅର୍ଦ୍ରତା ୭୦ ପ୍ରତିଶତରୁ ଅଧିକ ରହୁଛି । ସମଗ୍ର ରାଜ୍ୟରେ ୫୦ ପ୍ରତିଶତରୁ ଅଧିକ ଆର୍ଦ୍ରତା ରହୁଛି । ୪ ତାରିଖ ପରେ ସାରା ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

IPS ସାଗରିକା ନାଥଙ୍କ ପରିବାରକୁ ବିଚ୍‌ ରାସ୍ତାରେ ଅଟକାଇ ଲୁଟ ଉଦ୍ୟମ

ଭୁବନେଶ୍ବର: IPS ସାଗରିକା ନାଥଙ୍କ ପରିବାର ଠାରୁ ଲୁଟ ଉଦ୍ୟମ । ଘାଟିକିଆ ରାସ୍ତାରେ ବିଳମ୍ବିତ ରାତିରେ ଲୁଟିବା ପାଇଁ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ସାଗରିକାଙ୍କ ବାପା ମା’ ଆମ୍ରି ହସ୍ପିଟାଲ ନିକଟ ସତ୍ୟସାଇ ଏନ୍‌କ୍ଲେଭ୍‌ସ୍ଥିତ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଗାଡିକୁ ଅଟକାଇବା ସହ ଟଙ୍କା ସୁନା ଛଡ଼ାଇଥିଲେ ।

କିଛି ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । କିଛି ନଦେବାରୁ ସାଗରିକାଙ୍କ ବାପା ମା’ଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଏତଲା ପରେ ଘଟଣାର ତଦନ୍ତ କରୁଛି ଭରତପୁର ଥାନା ପୋଲିସ । ପୂର୍ବତନ ଭୁବନେଶ୍ବର ଟ୍ରାଫିକ୍‌ ଡିସିପି ତଥା ବର୍ତ୍ତମାନର ବାଲେଶ୍ବର ଏସ୍‌ପି ଅଛନ୍ତି ସାଗରିକା ନାଥ ।