କେରଳରେ ନିପା ଭାଇରସ୍ ଭୟ; ୨୪ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

କୋଝିକୋଡ: କେରଳରେ ନିପା ଭାଇରସ୍ ଭୟ। କେରଳର କୋଝିକୋଡରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାକୁ ଲାଗିଥିବା ବେଳେ ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦେଇଛନ୍ତି।  ଗତ ଶୁକ୍ରବାର ଦିନ କୋଝିକୋଡ ଅଞ୍ଚଳରେ ଜଣେ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଥିଲେ। ଯାହା ପରେ କେରଳରେ ନିପା ସଂକ୍ରମିତଙ୍କ ସଂଖ୍ୟା ୬ରେ ପହଞ୍ଚିଛି।

ସମସ୍ତ ସ୍କୁଲ, କଲେଜ, କୋଚିଂ ସେଣ୍ଟର, ବୈଷୟିକ ଶିକ୍ଷାନୁଷ୍ଠାନ ଆଦି ପାଇଁ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ। କେରଳରେ ବ୍ୟାପୁଥିବା ଏହି ନିପା ଭାଇରସର ଷ୍ଟ୍ରେନ୍ ବାଂଲାଦେଶ ଭେରିଏଣ୍ଟ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତକାଲି ଜଣେ ୩୯ ବର୍ଷୀୟ ବ୍ୟକ୍ତି ନିପା ଭାଇରସରେ ସଂକ୍ରମିତ ଚିହ୍ନଟ ହେବା ପରେ ସରକାରଙ୍କ ଚିନ୍ତା ବଢିଯାଇଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ନିପା ଭାଇରସରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସଂଖ୍ୟା ୧୦୮୦ରେ ପହଞ୍ଚିଛି। ଶୁକ୍ରବାର ଦିନ ଏହି ଲିଷ୍ଟରେ ଆଉ ୧୩୦ ଜଣଙ୍କ ନାଁ ସାମିଲ ହୋଇଛି। ସେମାନଙ୍କ ମଧ୍ୟରେ ୩୨୭ ଜଣ ସ୍ୱାସ୍ଥ୍ୟ କର୍ମୀ ଥିବା ଜଣାପଡିଛି।

କେରଳରେ ସ୍ଥିତି ଅନୁଧ୍ୟାନ କରୁଛି କେନ୍ଦ୍ରୀୟ ଟିମ୍। ତାଳ ସଲପ ନପିଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସଂକ୍ରମିତ ଥିବା ଗ୍ରାମପଞ୍ଚାୟତ ଗୁଡ଼ିକୁ କ୍ବାରେଣ୍ଟାଇନ୍ ଜୋନ୍ ଘୋଷଣା କରାଯାଇଛି। କର୍ଣ୍ଣାଟକର ସୀମାବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ସଂକ୍ରମଣକୁ ଚେକ୍ ଦେବାକୁ ସର୍ଭେଲାନ୍ସ ବଢାଯାଇଛି।