spot_img
Home Blog Page 2935

ସଂସଦ ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ବି ମଣିପୁର ପ୍ରସଙ୍ଗରେ ତାତିବ ଗୃହ

ନୂଆଦିଲ୍ଲୀ: ଆଜି ସଂସଦ ମୌସୁମୀ ଅଧିବେଶନ ଦ୍ବିତୀୟ ଦିନ । ଆଜି ବି ମଣିପୁର ପ୍ରସଙ୍ଗରେ ତାତିବ ଗୃହ । ପ୍ରଥମ ଦିନରେ ବିରୋଧରେ ହଙ୍ଗାମାରେ ଶେଷ ହୋଇଥିବା ବେଳେ ଆଜି ବି ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛି ରଣନୀତି । ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ଗୃହରେ ମୁଲତବି ପ୍ରସ୍ତାବ ଦେଇଛନ୍ତି । କଂଗ୍ରେସ ସମେତ ବିଆରଏସ ଓ ଡିଏମକେ ପକ୍ଷରୁ ମଧ୍ୟ ନୋଟିସ ଦିଆଯାଇଛି । ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ଦଳ ପକ୍ଷରୁ ଆଲୋଚନା ପାଇଁ ନୋଟିସ ଦିଆଯାଇଛି । କଂଗ୍ରେସ ଏମପି ପ୍ରମୋଦ ତିଓ୍ବାରୀ, ବିଆରଏମ ଏମପି କେଶବ ରାଓ, ଆପ୍ ସାଂସଦ ରାଘବ ଚଡ୍ଡା ରାଜ୍ୟସଭାରେ ମୁଲତବି ପ୍ରସ୍ତାବ ଦେଇଛନ୍ତି ।

ମୋଦି ସରନେମ ମାନହାନୀ ମାମଲା, ଆଜି ରାହୁଲଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୋଦି ସରନେମ ମାନହାନୀ ମାମଲା । ଆଜି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଗୁଜରାଟ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ରାହୁଲ ଗାନ୍ଧୀ । ତଳକୋର୍ଟଙ୍କ ରାୟକୁ ଗୁଜରାଟ ହାଇକୋର୍ଟ କାଏମ ରଖିବା ବିରୋଧରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ରାହୁଲ । ରାହୁଲ ନିଜ ଆବେଦନରେ ଦର୍ଶାଇଛନ୍ତି ଯେ, ତଳ କୋର୍ଟ ତାଙ୍କ ବିରୋଧରେ ଅତ୍ୟଧିକ କଠୋର ଆଭିମୁଖ୍ୟ ରଖିଛନ୍ତି ।

ପୂର୍ବରୁ ରାହୁଲ ସୁରଟ ସେସନ୍ସ କୋର୍ଟ ଓ ହାଇକୋର୍ଟରୁ ନିରାଶ ହୋଇଛନ୍ତି । 2019ରେ କର୍ଣ୍ଣାଟକ କୋଲରରେ ମୋଦି ସାଙ୍ଗିଆକୁ ନେଇ ରାହୁଲଙ୍କ ବିବାଦୀୟ ବୟାନ ପରେ ଆଇପିସିର ଧାରା 499, 500 ଓ 504 ଅନୁସାରେ ମାମଲା ରୁଜୁ ହୋଇଥିଲା । ଗତ 23 ମାର୍ଚ୍ଚରେ ମାନହାନି ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 2 ବର୍ଷ ଜେଲଦଣ୍ଡାଦେଶ ଦେଇଥିଲେ ସୁରତ ସିଜେଏମ କୋର୍ଟ । କୋର୍ଟ ରାୟ ପରେ ଗତ 24 ମାର୍ଚ୍ଚରେ ସାଂସଦ ପଦ ହରାଇଥିଲେ ରାହୁଲ ଗାନ୍ଧୀ ।

୩ଟି ଭୂକମ୍ପ ଝଟକାରେ ଥରିଲା ରାଜସ୍ଥାନର ଜୟପୁର

ଜୟପୁର: ମଣିପୁର ଓ ରାଜସ୍ଥାନରେ ଭୂକମ୍ପ ଝଟ୍‌କା । ମଣିପୁରର ଉଖ୍ରୁଲରେ ଭୂମିକମ୍ପ ଅନୁଭୂତ ହୋଇଛି । ଯାହା ରିକ୍ଟର ସ୍କେଲରେ ତୀବ୍ରତା ୩.୫ ଥିବା ସୂଚନା ମିଲିଛି । ସେପଟେ ରାଜସ୍ଥାନରେ ଜୟପୁରରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ଗୋଟେ ଘଣ୍ଟାରେ ପ୍ରାୟ ୩ ଥର ଭୂକମ୍ପ ଝଟ୍‌କା ଲାଗିଥିବା ସୂଚନା ମିଲିଛି । ରାଜସ୍ଥାନରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ଥିଲା । ଭୋରୁ ଭୂକମ୍ପ ଅନୁଭୂତ ହୋଇଥିବାରୁ ଲୋକ ଭୟରେ ଘରୁ ବାହାରକୁ ଚାଲିଆସିଥିଲେ । ଭୋର ପ୍ରାୟ ୪ଟା ୯ରୁ ୪ ଟା ୨୫ ମିନିଟ ମଧ୍ୟରେ ଏହି ତିନୋଟି ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ୩.୪ରୁ ୪.୪ ମଧ୍ୟରେ ରହିଥିଲା । ଜୟପୁରଠୁ ୧୦ କିମି ତଳେ ଭୂକମ୍ପର କେନ୍ଦ୍ରସ୍ଥଳୀ ରହିଛି ।

ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା, ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର

ସମ୍ବଲପୁର: ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢୁଛି । ସକାଳ ୬ଟା ସୁଦ୍ଧା ୬୧୩ ଫୁଟରେ ପହଞ୍ଚିଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର । ପ୍ରତି ସେକେଣ୍ଡରେ ୧ ଲକ୍ଷ ୪୦ ହଜାର ୫୭୫ ଘନଫୁଟ ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୪୦ ହଜାର ଘନଫୁଟ ବନ୍ୟାଜଳ । ସେପଟେ ଆଉ ଦିନକ ପରେ ହୀରାକୁଦ ଛାଡ଼ିବ ବର୍ଷର ପ୍ରଥମ ବନ୍ୟାଜଳ । ଜୁଲାଇ ୨୩ରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ୍ । ଆସନ୍ତା ରବିବାର ସକାଳ ୯ଟାରେ ପୂଜାର୍ଚ୍ଚନା ପରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ । ଏଥିପାଇଁ ସତର୍କତା ଜାରି କରିଛନ୍ତି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ।

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ଯ କ୍ୟାବିନେଟ ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଂଧ୍ୟା ସାଢ଼େ ୬ଟାରେ ବସିବ ବୈଠକ । ୧୨ରୁ ଅଧିକ ପ୍ରସ୍ତାବ ଉପରେ ଲାଗିବ କ୍ୟାବିନେଟ ମୋହର । କୃଷି, ସ୍ବାସ୍ଥ୍ୟ, ଗଣଶିକ୍ଷା, ଜଳସମ୍ପଦ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଦକ୍ଷତା ବିକାଶ ଭଳି ବିଭିନ୍ନ ବିଭାଗର ୧୨ରୁ ଅଧିକ ପ୍ରସ୍ତାବ ଆସିପାରେ । ରାଜ୍ୟ ସରକାରଙ୍କ ଫୋକସରେ ରହିଛନ୍ତି ଚାଷୀକୂଳ ।

କୃଷକଙ୍କୁ କିଭଳି ଅଧିକ ସଶକ୍ତ କରାଯିବ ସେନେଇ ବିଭାଗ ପକ୍ଷରୁ ହେବାକୁ ଥିବା ମିଶନକୁ ପୂରଣ କରିବାକୁ ୨ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିପାରେ । ଏହାସହ ରାଜ୍ୟରେ ଜଳସେଚନ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ଲାଗି ଜଳସମ୍ପଦ ବିଭା ଗ ପକ୍ଷରୁ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଅଣାଯିବ । ଦକ୍ଷତା ବିକାଶ ବିଭାଗର କ୍ୟାଡର ପୁନର୍ଗଠନ ସମ୍ପର୍କିତ ପ୍ରସ୍ତାବ ସହ ବିଭାଗ ଅଧିନରେ ନୂବଆ ପଦ ସୃଷ୍ଟି ପ୍ରସ୍ତାବକୁ ମିଳିପାରେ କ୍ୟାବିନେଟ୍ ଅନୁମୋଦନ । ସେହିପରି, ଆଇଟି, ଗଣଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତାବ ଆସିବା ନେଇ ସୂଚନା ମିଲିଛି ।

ବର୍ଷେ ପାଇଁ ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ଉପରେ ଲାଗିଲା କଟକଣା

ସମ୍ୱଲପୁର: ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରାକୁ ନା । ଗୋଟିଏ ବର୍ଷ ପାଇଁ ବଳବତ୍ତର ରହିବ କଣାକଣା । ମହରମ ପାଇଁ ଆଜି ଡିଆରଡିଏଙ୍କ ସମ୍ମିଳନୀ କକ୍ଷରେ ବସିଥିବା ଶାନ୍ତି କମିଟି ବୈଠକରେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଏସପି । ସମ୍ବଲପୁରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରତି ବର୍ଷ ମହରମ ଶୋଭାଯାତ୍ରା ବିଭିନ୍ନ ଅଞ୍ଚଳରୁ ଆସି ଗୋଲବଜାରରେ ସାମିଲ ହେଉଥିଲେ । ଚଳିତ ବର୍ଷ କିନ୍ତୁ ଶୋଭାଯାତ୍ରା ଆଉ ବାହାରିବ ନାହିଁ । ଯେଉଁ ଅଞ୍ଚଳର ଶୋଭାଯାତ୍ରା ସେହି ଅଞ୍ଚଳରେ ଆୟୋଜନ ହେବ । କିନ୍ତୁ ଶୋଭାଯାତ୍ରା ଆୟୋଜନ ପୂର୍ବରୁ ନିଜ ଅଞ୍ଚଳର ଥାନା ଠାରୁ ଅନୁମତି ନେବାକୁ ପଡିବ ବୋଲି ଏସପି କହିଛନ୍ତି ।

ସାଉଦି ଆରବରେ ଫସିଥିବା ଓଡ଼ିଆ ଶ୍ରମିକଙ୍କ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସାଉଦି ଆରବରେ ଫସିରହିଥିବା ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରକ୍ରିୟା । ଏ ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସାଉଦି ଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖିଛନ୍ତି । ଓଡ଼ିଶାରୁ ୩୩ ଜଣ ଶ୍ରମିକଙ୍କୁ ଗୋଟିଏ ଠିକା ସଂସ୍ଥା ଗତବର୍ଷ ସାଉଦି ଆରବ ପଠାଇଥିଲା । ସେମାନଙ୍କୁ ୬ ମାସର ଭିସା ଦେଇ ପଠାଇଥିଲା କମ୍ପାନୀ ।

ଭିସା ଅବଧି ସରିଯିବା ପରେ ସମ୍ପୃକ୍ତ କମ୍ପାନୀ ଆଉ ଧରାଛୁଆଁ ଦେଉନି । ଭିସା ନଥିବାରୁ ୩୩ ଜଣ ଶ୍ରମିକ ସାଉଦି ଆରବରେ ଭୋକ ଉପାସରେ ଅଛନ୍ତି । କମ୍ପାନୀ ଶ୍ରମିକଙ୍କ ଦରମା ବି ବକେୟା ରଖିଛି । ଏପରିକି ସେମାନଙ୍କୁ ଭାରତ ଫେରାଇ ଆଣିବାକୁ ମଧ୍ୟ ଠିକା ସଂସ୍ଥା ପକ୍ଷରୁ କୌଣସି ଉଦ୍ୟମ କରାଯାଉନି । ଏ ନେଇ ଶ୍ରମିକମାନେ ଗୋଟିଏ ଭିଡିଓ ଜାରି କରି ଭାଇରାଲ୍‌ କରିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କୁ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶକ ଗଲ୍‌ଫ ର ଓଡ଼ିଆ ସୋସାଇଟି ସହିତ ଯୋଗାଯୋଗ କରି ଶ୍ରମିକମାନଙ୍କ ଟେଲିଫୋନ୍‌ ନମ୍ବର ସଂଗ୍ରହ କରିଥିଲେ । ପରେ ଓଡ଼ିଆ ସୋସାଇଟିର କର୍ମକର୍ତ୍ତା ଶ୍ରମିକଙ୍କୁ ଭେଟି ସେମାନଙ୍କ ଉଦ୍ଧାର ତ୍ବାରାନ୍ବିତ କରିବାକୁ ନିର୍ଦ୍ଦେଶାଳୟକୁ ଜଣାଇଥିଲେ ।

ଓଡିଶା ଐତିହ୍ୟ ସୁରକ୍ଷା ପାଇଁ ଦିଲ୍ଲୀରେ ଉଠିଲା ସ୍ବର, ସଂସଦରେ କେନ୍ଦ୍ରକୁ ୩ ବିଜେଡି ସାଂସଦଙ୍କ ପ୍ରଶ୍ନ

ଭୁବନେଶ୍ୱର: ଓଡ଼ିଶାରେ ଐତିହ୍ୟ ସୁରକ୍ଷା ନେଇ ସଂସଦରେ ୩ ବିଜେଡି ସାଂସଦଙ୍କ ପ୍ରଶ୍ନ । କେନ୍ଦ୍ରୀୟ ସୁରକ୍ଷା ତାଲିକାରେ ଓଡ଼ିଶାର କେତେ ଐତିହ୍ୟ ରହିଛି ? ଏହି ଐତିହ୍ୟସ୍ଥଳରୁ ବାର୍ଷିକ କେତେ ରାଜସ୍ବ ସଂଗ୍ରହ ହେଉଛି ? ଐତିହ୍ୟ ସୁରକ୍ଷା ବାବଦରେ କେତେ ରାଜସ୍ବ ବିନିଯୋଗ ହୋଇଛି ? ଏଭଳି ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ, ସୁଲତା ଦେଓ ଓ ପ୍ରଶାନ୍ତ ନନ୍ଦ ।

ଯାହାର ଉତ୍ତର ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡୀ । କେନ୍ଦ୍ରୀୟ ସୁରକ୍ଷା ତାଲିକାରେ ଓଡ଼ିଶାର ୮୦ଟି ଐତିହ୍ୟସ୍ଥଳ ରହିଛି । ୨୦୨୧-୨୨ରେ ୩ କୋଟି ୩୪ ଲକ୍ଷ ଟଙ୍କାର ରାଜସ୍ବ ସଂଗ୍ରହ ହୋଇଥିଲା । ୨୦୨୨-୨୩ରେ ୧୧ କୋଟି ୫୬ ଲକ୍ଷ ଟଙ୍କାର ରାଜସ୍ବ ସଂଗ୍ରହ ହୋଇଛି । ସଂଗୃହୀତ ରାଜସ୍ବ କନସୋଲିଡେଟେଡ୍ ଫଣ୍ଡରେ ଜମା ହୋଇଛି ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ।

ସେହିପରି ଦିଲ୍ଲୀରେ କେନ୍ଦ୍ରୀୟ ମ୍ୟୁଜିକ ଲାଇବ୍ରେରୀ ଖୋଲିବା ଯୋଜନା ଅଛି କି ବୋଲି ସଂସଦରେ ପ୍ରଶ୍ନ କରିଛନ୍ତି ବିଜେଡିର ଦୁଇ ସାଂସଦ ମାନସ ମଙ୍ଗରାଜ ଓ ସୁଲତା ଦେଓ । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଛନ୍ତି, ସଂଗୀତ ନାଟକ ଏକାଡେମୀ ଏକ ସ୍ବୟଂଶାସିତ ସଂସ୍ଥା । ଶାସ୍ତ୍ରୀୟ ସଂଗୀତ, କଳାର ସଂରକ୍ଷଣ ପାଇଁ ଏହା କାର୍ଯ୍ୟ କରୁଛି । ବହୁ ଲୋକ ଓ ଶାସ୍ତ୍ରୀୟ ସଂଗୀତ ସମ୍ପର୍କିତ ଲିଟରେଚର ଏକାଡେମୀରେ ସଂରକ୍ଷିତ ରହିଛି । ଏକାଡେମୀର ଅଡିଓ ଭିଜୁଆଲ ଲାଇବ୍ରେରୀରେ ବହୁ କୃତୀ ସଂରକ୍ଷିତ ରହିଛି ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ।

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଓଡ଼ିଶା ବିଜେପିର କୌଣସି ଦରଦ ନାହିଁ: ବିଜେଡି

ଭୁବନେଶ୍ୱର: ଓଡ଼ିଶାର ଲକ୍ଷଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ରାଜ୍ୟ ବିଜେପିର ଦରଦ ନାହିଁ । ସେମାନେ କେନ୍ଦୁପତ୍ର ତୋଳାଳିଙ୍କୁ ନେଇ କେବଳ ରାଜନୀତି କରିବା ଜାଣନ୍ତି । କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ରାଜ୍ୟ ସରକାରଙ୍କ ଅବଦାନକୁ ସ୍ବୀକାର କରିବା ଲାଗି ରାଜ୍ୟ ବିଜେପି ନେତାମାନଙ୍କର ସତ୍‌ ସାହସ ନାହିଁ । କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ ଓ ପ୍ରୋତ୍ସାହନ ରାଶି ପ୍ରସଙ୍ଗରେ ବିଜେପି ନେତାଙ୍କ ବୟାନ ଉପରେ ବିଜେଡି ଏଭଳି ବର୍ଷିଛି ।

କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସମ୍ପାଦକ ତଥା ବିଜେଡି ନେତା ସଞ୍ଜିତ ମହାନ୍ତି କହିଛନ୍ତି, ରାଜ୍ୟର ୮ ଲକ୍ଷରୁ ଅଧିକ କେନ୍ଦୁପତ୍ର ତୋଳାଳି ଓ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୨ ଶସ୍ୟବର୍ଷ ପାଇଁ ତନିଟି ପର୍ଯ୍ୟାୟରେ ୨୫୦ କୋଟି ୭୮ ଲକ୍ଷ ଟଙ୍କା ବୋନସ ଓ ପ୍ରୋତ୍ସାହନ ରାଶି ଦେଇସାରିଲାଣି । ଏଥିରୁ ୫୬ କୋଟି ଟଙ୍କା ଗତକାଲି ପ୍ରଦାନ କରାଯାଇଛି । କୌଣସି ରାଜ୍ୟ କେବେ ବି ଗୋଟିଏ ବର୍ଷରେ ଏତେ ଟଙ୍କା ଦେଇନାହାନ୍ତି । ମାତ୍ର ବିଡ଼ମ୍ବନାର ବିଷୟ, ବିଜେପି ନେତା ଏନେଇ ମୁହଁ ଖୋଲିବେନି ।

କାରଣ ସତ କହିଲେ ସେମାନଙ୍କ ଛାତି ଫାଟିଯିବ । କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ଜିଏସଟି ଛାଡ଼ ପାଇଁ ରାଜ୍ୟ ସରକାର ଲଗାତାର ଦାବି କରିଆସୁଛନ୍ତି । କିନ୍ତୁ ରାଜ୍ୟ ବିଜେପି ନେତା କେବେବି କେନ୍ଦ୍ର ପାଖରେ ଏହି ଦାବି ଉଠାଇନାହାନ୍ତି । କେନ୍ଦୁପତ୍ର ତୋଳାଳିଙ୍କୁ ନେଇ କେବଳ ରାଜନୀତି କରନ୍ତି ବିଜେପି ନେତା । ସେଥିପାଇଁ ଅଧିକାଂଶ ତୋଳାଳି ଥିବା ପଦ୍ମପୁର ନିର୍ବାଚନମଣ୍ଡଳୀରେ ବିଜେପି ପ୍ରତ୍ୟାଖ୍ୟାତ ହୋଇଛି ବୋଲି ବିଜେଡି ନେତା ତଥା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସମ୍ପାଦକ ସଞ୍ଜିତ ମହାନ୍ତି କହିଛନ୍ତି ।

ଜୀବନ ମାଗୁଛି କୁନି ଝିଅ ଆରିଫା, ଦୁଇଟି ଯାକ କିଡନୀ ନଷ୍ଟ ହେବା ପରେ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ସୁନ୍ଦରଗଡ଼: ଜୀବନ ମାଗୁଛି କୁନି ଝିଅ ଆରିଫା ଫାତିମା । କେତେବେଳେ ମ୍ୟୁଜିକର ତାଳେ ତାଳେ ନିର୍ଦ୍ଧୁମ ନାଚୁଥିଲା ପାଦ ତ କେତେବେଳେ ଅଭିନୟରେ ଜିଣୁଥିଲା ସଭିଙ୍କ ହୃଦୟ । ହେଲେ ଆଜି ମଉନ ପାଲଟିଛି ମତୁଆଲା ମନ । ଥକି ଯାଇଛି ଅଥୟ ପାଦ । ଅଭିନୟର ଆଖିରେ ବସା ବାନ୍ଧିଛି ଅଭିମାନର ଲୁହ । ଦିନେ ଷ୍ଟେଜରେ କରତାଳି ଶୁଣୁଥିବା କୁନି ଝିଅ ଏବେ କିଡନୀ ରୋଗରେ ଭାଙ୍ଗିପଡ଼ିଛି । ଖେଳନା ଭିତରେ ଖୁସି ଖୋଜୁଥିବା ଝିଅ ହେଲେ ସୁନ୍ଦରଗଡ଼ ସହରର ଆରିଫା ଫାତିମା । ବୟସ ମାତ୍ର ୧୦ ବର୍ଷ । ସ୍ବପ୍ନ ଅଛି ବଡ଼ ହୋଇ ଡାକ୍ତର ବନିବି । ଲୋକଙ୍କ ସେବା କରିବି । ହେଲେ ବୟସ ପୂର୍ବରୁ କଅଁଳ ଦେହକୁ ଛୁଇଁଥିବା ରୋଗ ଆରିଫାକୁ ନିରାଶ କରିଛି ।

ଦୁଇଟି କିଡନୀ ଖରାପ ହୋଇଥିବା ବେଳେ ଏବେ କେବଳ ପ୍ରତ୍ୟାରୋପଣ ହିଁ ଏକମାତ୍ର ବିକଳ୍ପ । ପାଦରେ ଘୁଙ୍ଗୁର ବାନ୍ଧି କଥକ ନାଚୁଥିବା ଆରିଫା ଏବେ କେବଳ ସ୍ବପ୍ନ ଦେଖୁଛି । ତିଆରି ହୋଇଥିବା ପୋଷାକକୁ ଦେଖି ଲୁହ ଗଡ଼ାଉଛି । ସୁନ୍ଦରଗଡ ସରକାରୀ ଚିକିତ୍ସାଳୟରେ ଆରିଫାଙ୍କ ଚିକିତ୍ସା ଚାଲିଥିବା ବେଳେ ସପ୍ତାହକୁ ଦୁଇରୁ ତିନି ଥର ଡାଇଲେସିସ ଚାଲିଛି । କିଡନୀ ପ୍ରତ୍ୟାରୋପଣ କରିବାକୁ ହେଲେ ୧୨ରୁ ୧୪ ଲକ୍ଷ ଟଙ୍କା ଦରକାର । ପାଖରେ ଏତେ ଟଙ୍କା ନଥିବାରୁ ସହାୟତା ମାଗୁଛନ୍ତି ବାପା ମାଆ । ଜୀବନର ବାସ୍ତବତାକୁ ବୁଝିନଥିବା ଝିଅ ଏବେ ଭରସା ରଖିଛି ପୁଣି ସେ ନାଚିବ ଆଉ ପାଠ ପଢ଼ିବ । କୁନି ଝିଅଟି ଛଳ ଛଳ ଆଖିରେ କହିଛି ମୋର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି ।

କେତେ ଦିନ ଏମିତି ଡାୟାଲିସିସ ଚାଲିବ । ପ୍ରାଇଭେଟ୍‌ ହସ୍ପିଟାଲରେ ଡାୟାଲିସିସ ପାଇଁ ଆମ ପାଖରେ ଅର୍ଥ ନାହିଁ । ମୋତେ ପାଠ ପଢ଼ିବାକୁ ଭାରି ଭଲ ଲାଗେ ।  ମୁଁ ଡାକ୍ତର ହେଲେ ଲୋକଙ୍କୁ ଡାୟାଲିସିସରୁ ବଞ୍ଚେଇବି । ଯେମିତି କାହାକୁ କିଛି କଷ୍ଟ ହେବନି । ଏମିତି ଗେଲେଇ ଗେଲେଇ କଥା କହୁଛି ସୁନ୍ଦରଗଡ଼ର ଆରିଫା । ଯେତେ ଥର ତା କଥା ଶୁଣିଲେ ମଧ୍ୟ ବିରକ୍ତ ଲାଗୁନି । ମିଠା ମିଠା କଥାରେ ମନ କିଣି ନେଉଛି ଆରିଫା ? ହେଲେ ତା କଷ୍ଟ କଥା ଭାବିଲା ବେଳକୁ ଆଖି ଲୁହରେ ଭରି ଯାଉଛି । କାହିଁକି ନିର୍ଦ୍ଦୟ ସାଜିଲେ ଭଗବାନ ? ଆଗକୁ ସ୍କୁଲ ଛୁଟି ହେବ । ସବୁ ପିଲା ଆଇ ଘରକୁ ପିଉସୀ ଘରକୁ ଯିବେ ଛୁଟି ମନେଇବାକୁ । ହେଲେ ଯାଇ ପାରିବନି ଆରିଫା

। କେମିତି ଯିବ ? ଦଇବ ଦାଉ ସାଜିଛି ? ଅଢ଼େଇ ବର୍ଷ ହେଲା ଆରିଫାର ଦୁଇଟି ଯାକ କିଡନୀ ନଷ୍ଟ ହୋଇ ଯାଇଛି । ବାପା ମା’ ଆରିଫାକୁ ଭଲ କରିବା ପାଇଁ ଅହରହ ଲାଗି ପଡ଼ିଛନ୍ତି । ହେଲେ ଅର୍ଥ ସାଜିଛି ବାଧକ । ରାତି ଅଧରେ କେତେବେଳେ ଆରିଫା ଅଣନିଶ୍ୱାସୀ ହେଇ ଯାଉଛି ତ କେତେବେଳେ ନିସ୍ତେଜ । ଡାୟାଲିସିସ ପାଇଁ କେତେବେଳେ ଭୁବନେଶ୍ୱର ତ କେତେବେଳେ କଟକ ଯିବାକୁ ପଡ଼ୁଛି । ସପ୍ତାହରେ ଦୁଇରୁ ୩ ଥର ଆରିଫାକୁ ଡାୟାଲିସିସର ଆବଶ୍ୟକତା ପଡ଼ୁଛି । ଆର୍ଥିକ ସ୍ଥିତି ଏତେ ଭଲ ନଥିବାରୁ ଅହରହ ଜୀବନ ସହିତ ବଞ୍ଚିବା ପାଇଁ ସଂଘର୍ଷ କରୁଛି ଫାତିମା । ଯଦି ସରକାରଙ୍କ କୌଣସି ସହାୟତା ଯୋଗାଇ ଦିଅନ୍ତି ତେବେ ଆରିଫା ଏବଂ ପରିବାର ଉପକୃତ ହେବେ ବୋଲି କହିଛନ୍ତି ।