କାଲିଠୁ ବିଜେଡ଼ି କରିବ ଜନ ସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର: ଆସନ୍ତାକାଲିଠୁ ବିଜେଡ଼ି କରିବ ଜନ ସମ୍ପର୍କ ପଦଯାତ୍ରା। ନବୀନ ସରକାରଙ୍କ ବିକାଶ ବାର୍ତ୍ତାକୁ ଘରେ ପହଞ୍ଚାଇବ ଦଳ‌। ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେଉଥିବା ଏହି ଜନ ସମ୍ପର୍କ ପଦଯାତ୍ରାକୁ ଭୁବନେଶ୍ୱର ବଡଗଡ ବ୍ରିଟ କଲୋନୀ ନେତାଜୀ ପଡ଼ିଆରୁ ୫୭ ୱାର୍ଡ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏଥିପାଇଁ ଆଜି ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି ଦଳର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର ଓ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଓ ମେୟର ସୁଲୋଚନା ଦାଶ। ପଦଯାତ୍ରା ସମୟରେ ବିଭିନ୍ନ ଜନ କଲ୍ୟାଣ ଓ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଯିବ। ଜନ ସମ୍ପର୍କ ପଦଯାତ୍ରା ଚଳିତ ବର୍ଷ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ସ୍ତରରେ ପାଳନ କରାଯିବ।

ଅକ୍ଟୋବର ୧୨ରୁ ମାସେ ବ୍ୟାପୀ ଦଳର ସକ୍ରିୟ ସଦସ୍ୟମାନଙ୍କୁ ନେଇ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଜିଲ୍ଲାପରିଷଦ ଜୋନ ସ୍ତରୀୟ ଓ ପୌରାଞ୍ଚଳ ସ୍ତରରେ ପ୍ରଶିକ୍ଷଣ ଶିବିରମାନ ଆୟୋଜିତ କରାଯିବ। ଉପରୋକ୍ତ କାର୍ଯ୍ୟକ୍ରମ ପରେ ପରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ବୈଠକ ଓ ଜନସଂଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ୱାର୍ଡରେ ଆମ ସରକାରର ଲୋକାଭିମୁଖୀ କାର୍ଯ୍ୟକ୍ରମର ବାର୍ତ୍ତା ପହଞ୍ଚାଯିବ।