ଆଜି ବି ମନରୁ ଲିଭିନି ଫାଇଲିନର ଦୁଖଃଦ ଚିତ୍ର, ଭୟଙ୍କର ବାତ୍ୟାକୁ ପୁରିଲା ୧୦ ବର୍ଷ

ଭୁବନେଶ୍ୱର : ଆଜିବି ପାଇଲିନ୍ ବାତ୍ୟା ମନେ ପଡିଲେ ଭୟ ଓ ଆତଙ୍କରେ ଶିହରୀ ଉଠୁଛି ଶରିର । ମନରୁ ଲିଭୁନି ବାତ୍ୟା ଦୁଖଃଦ ଚିତ୍ର । ସେହି ଭୟଙ୍କର ବାତ୍ୟାକୁ ଆଜି ପୁରିଛି ୧୦ ବର୍ଷ । ୨୦୧୩ ମସିହା ଅକ୍ଟୋବର ୧୩ ତାରିଖ , ଆଜିର ଦିନ । ୧୯୯୯ ମହାବାତ୍ୟା ପରେ ସବୁଠାରୁ ବଡ଼ ବାତ୍ୟାର ସମ୍ମୁଖିନ ହୋଇଥିଲା ଓଡ଼ିଶା । ଅକ୍ଟୋବର ୧୨ ତାରିଖରେ ସ୍ଥଳଭାଗ ଛୁଇଁଥିଲା ଭୟଙ୍କର ବାତ୍ୟା ଫାଇଲିନ ।

ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ କରିଥିଲା ଲ୍ୟାଣ୍ଡଫଲ । ସ୍ଥଳଭାଗ ଛୁଇଁଲା ବେଳକୁ ଘଣ୍ଟାପ୍ରତି ପବନର ବେଗ ଥିଲା ପାଖାପାଖି ୨୨୦ କିଲୋମିଟର । ବାତ୍ୟାରେ ଅଧିକ କ୍ଷତି ସହିଥିଲା ଗଞ୍ଜମ ଜିଲ୍ଲା । ଜିଲ୍ଲାର ପ୍ରାୟ ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ଗଞ୍ଜାମ ଜିଲ୍ଲା ସହ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାର ତଳି ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ସରକାରଙ୍କ ମିଶନ ଜିରୋ କାଜୁଆଲଟି ପାଇଁ ବଡ଼ ଅଘଟଣରୁ ବର୍ତ୍ତିଥିଲା ଓଡ଼ିଶା ।

ଓଡ଼ିଶା ଇତିହାସରେ ଫାଇଲିନ ବାତ୍ୟା, ରାଜ୍ୟର ବିପର୍ଯ୍ୟୟ ମୁକାବିଲା ପରିଚାଳନାରେ ଏକ ମାଇଲ ଖୁଣ୍ଟ ହୋଇ ରହିଛି । ରାଜ୍ୟ ସରକାର ଆଗୁଆ ସତର୍କ ରହିବା ଯୋଗୁଁ ହଜାର ହଜାର ଲୋକଙ୍କ ଜୀବନ ବଞ୍ଚିଯାଇପାରିଥିଲା । ଯେଉଁଥି ପାଇଁ ବିଶ୍ବରେ ପ୍ରଶଂସିତ ହୋଇଥିଲା ଓଡ଼ିଶା । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲା ଜାତି ସଂଘ ।