ଢେଙ୍କନାଳ: ଢେଙ୍କନାଳ ସଦର ତହସିଲ ଅଫିସରେ ପଶି ହାବିଲଦାରଙ୍କ ଦାଦାଗରି । ଅଫିସ ଭିତରେ ପଶି କର୍ମଚାରୀଙ୍କୁ ମାଡ଼ ମାରିଲେ ହାବିଲଦାର । ଜାତୀୟ ପତାକା ଉପରେ ବି ପରିସ୍ରା କଲେ ହାବିଲଦାର । ଏଭଳି ଉନ୍ମତ କାଣ୍ଡ ଘଟାଇଛନ୍ତି ହାବିଲଦାର ମକରଧୂଜ ମୁଣ୍ଡା । ମାଡ଼ ଖାଇଥିବା ତହସିଲ କର୍ମଚାରୀଙ୍କ ହେଲେ ମଳୟ କୁମାର ନାୟକ । ସେ ସଦର ତହସିଲରେ କନିଷ୍ଠ ରାଜସ୍ବ କିରାଣୀ ରୂପେ କାମ କରୁଥିଲେ । ଜାତିଗତ ପ୍ରମାଣ ପତ୍ରକୁ ନେଇ ହୋଇଥିବା ବଚସାରୁ ଏଭଳି କାଣ୍ଡ ଭିଆଇଥିଲେ ମକରଧୂଜ ମୁଣ୍ଡା ।
୭ ରାଜ୍ୟ ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନାମ ସୁପାରିସ
ନୂଆଦିଲ୍ଲୀ: ୭ଟି ରାଜ୍ୟର ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନାମ ସୁପାରିସ କରିଛି ସୁପ୍ରିମକୋର୍ଟ କଲେଜିଅମ । ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବରେ ଗଠିତ ତିନି ଜଣିଆ ସଦସ୍ୟ ବିଶିଷ୍ଟ କଲେଜିଅମ ଏହି ନାମ ସୁପାରିସ କରିଛନ୍ତି । ମୁଖ୍ୟ ବିଚାରପତି ପାଇଁ ସୁପାରିସ କରାଯାଇଥିବା ରାଜ୍ୟଗୁଡିକ ହେଲେ କେରଳ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଣିପୁର, ବମ୍ବେ, ଓ ଗୁଜରାଟ । ଜଷ୍ଟିସ ସୁନିତା ଅଗ୍ରୱାଲଙ୍କୁ ଗୁଜୁରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ପାଇଁ ସୁପାରିସ କରାଯାଇଥିବାବେଳେ ଦିଲ୍ଲୀ ହାଇକୋର୍ଟ ଜଷ୍ଟିସ ସିଦ୍ଧାର୍ଥ ମୃଦୁଳଙ୍କୁ ମଣିପୁର ହାଇକୋର୍ଟରେ ନିଯୁକ୍ତି ପାଇଁ ସୁପାରିସ କରିଛନ୍ତି କଲେଜିଅମ ।
ସେହିପରି ଗୁଜରାଟ ହାଇକୋର୍ଟରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ବ ତୁଲାଉଥିବା ଜଷ୍ଟିସ ଆଶିଷ ଦେଶାଇଙ୍କୁ କେରଳ ହାଇକୋର୍ଟ, ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି, ବମ୍ବେ ହାଇକୋର୍ଟ ବିଚାରପତି ଧୀରଜ ସିଂ ଠାକୁରଙ୍କୁ ଆନ୍ଧ୍ରପ୍ରଦେଶ, ଆଲହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଦେବେନ୍ଦ୍ର କୁମାର ଉପାଧ୍ୟାୟଙ୍କୁ ବମ୍ବେ ହାଇକୋର୍ଟ ଏବଂ କର୍ଣ୍ଣାଟକ ହାଇକୋର୍ଟ ଜଜ୍ ଜଷ୍ଟିସ ଆଲୋକ ଅରାଧେଙ୍କୁ ତେଲଙ୍ଗାନା ହାଇକୋର୍ଟ ମୁଖ୍ୟ ବିଚାରପତି ନିଯୁକ୍ତି କରିବାକୁ କଲେଜିଅମ ସୁପାରିସ କରିଛି । ପୂର୍ବରୁ ବମ୍ବେ ହାଇକୋର୍ଟ ଜଜ୍ ଧୀରଜ ସିଂ ଠାକୁରଙ୍କୁ ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ କଲେଜିଅମ ସୁପାରିସ କରିଥିଲା । ହେଲେ ଏହାକୁ କେନ୍ଦ୍ର ସରକାର ଅନୁମୋଦନ ନକରିବାରୁ ଏବେ କଲେଜିଅମ ଜଷ୍ଟିସ ଠାକୁରଙ୍କୁ ଆନ୍ଧ୍ରପ୍ରଦେଶ ଚିଫ୍ ଜଷ୍ଟିସ ନିଯୁ୍କ୍ତି ଲାଗି ସୁପାରିସ କରିଛି ।
ଭୁବନେଶ୍ବରରେ ବସିବ ଡପଲାର୍ ରାଡାର, ଟ୍ୱିନ୍ ସିଟିର ପାଣିପାଗ ଆକଳନ କରିବ ରାଡାର
ଭୁବନେଶ୍ବର: ଭୁବନେଶ୍ବରରେ ବସିବ ଡପଲାର୍ ୱେଦର ରାଡାର । ରାଡାର କଟକ-ଭୁବନେଶ୍ବର ଦୈତ ନଗରୀର ପାଣିପାଗ ଆକଳନ କରିବ । ଦୁଇ ସହର ପାଇଁ ସଠିକ୍ ପୂର୍ବାନୁମାନ କରି ଆଗୁଆ ପ୍ରତିକାର ବ୍ୟବସ୍ଥା ଲାଗି ଏହି ପଦକ୍ଷେପ ନିଆଯିବ । ରାଡାର ବସାଇବା ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଯୋଜନା କରାଯାଇଥିବା ବେଳେ ଏନେଇ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ଜମି ଯୋଗାଇ ଦେବା ପାଇଁ ଆଇଏମଡି ଏସଆରସିଙ୍କୁ ଚିଠି ଲେଖିଛି । ଏହି ରାଡାର ବସିବା ଦ୍ବାରା ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା, କାଳବୈଶାଖୀ, ବଜ୍ରପାତ ଓ ପ୍ରବଳ ବର୍ଷା ସମ୍ପର୍କରେ ୩ ଘଣ୍ଟା ପୂର୍ବରୁ ସଠିକ୍ ସୂଚନା ମିଳିଯିବ । ଭୁବନେଶ୍ବରରେ ଏକ ଏକ୍ସ-ବ୍ୟାଣ୍ଡ ରାଡାର ବସାଇବା ପାଇଁ ଯୋଜନା କରାଯାଉଥିବା ଆଇଏମ୍ଡି ଏସଆରସିଙ୍କୁ ଚିଠି ଲେଖି ୪୦୦ ବର୍ଗମିଟର ଜମି ସହିତ କମ୍ପ୍ୟୁଟର ହାଉସିଂ ପାଇଁ ଅତିରିକ୍ତ ୪୦୦ ଫୁଟ୍ର ଜମି ଲୋଡ଼ିଛି । ଜମି ନିକଟରେ କୌଣସି ପ୍ରାକୃତିକ ନିର୍ମାଣ ଅର୍ଥାତ ପାହାଡ଼ ପର୍ବତ ନ ଥିବା ଓ ଉଚ୍ଚ ଅଟାଳିକା ନିର୍ମାଣ ହୋଇ ନ ଥିବା ଏଥିରେ ଉଲ୍ଲେଖ କରାଯାଇଛି । ଏହା ସହ ବିଦ୍ୟୁତ୍ ଯୋଗାଣର ବ୍ୟବସ୍ଥା ଥିବା ମଧ୍ୟ ଜରୁରୀ ବୋଲି ଏଥିରେ କୁହାଯାଇଛି ।
ବର୍ତ୍ତମାନ ସହରାଞ୍ଚଳଗୁଡ଼ିକ ପାଇଁ ସହରୀବନ୍ୟା ଏକ ବଡ଼ ସମସ୍ୟା ପାଲଟିଛି । ହଠାତ୍ ହେଉଥିବା ବର୍ଷା ଯୋଗୁଁ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବା ସହ ଲୋକଙ୍କ ପାଇଁ ସମସ୍ୟା ବଢ଼ୁଛି । ହଠାତ୍ ବର୍ଷାର ତୀବ୍ରତା ଅଧିକ ହେଉଥିବା ହେତୁ ସହରବାସୀଙ୍କ ସମେତ ପ୍ରଶାସନ ପାଇଁ ମଧ୍ୟ ଚିନ୍ତାର କାରଣ ସାଜୁଛି । ଏହି ଏକ୍ସ-ବ୍ୟାଣ୍ଡ ରାଡାର୍ ବସିଲେ ୧୦୦ କିଲୋମିଟର ପରିଧି ମଧ୍ୟରେ ଯେଉଁ ପାଣିପାଗ ଜନିତ ଘଟଣା ଘଟିବ ତାହା ଅତି ସହଜରେ ଜାଣି ହେବ । କଟକ ଓ ଭୁବନେଶ୍ବରରେ ଅଞ୍ଚଳୱାରୀ ବର୍ଷା ଓ ବଜ୍ରପାତର ଆଗୁଆ ସୂଚନା ଦିଆଯିବା ସହିତ କେଉଁ ସ୍ଥାନରେ କେତେ ପରିମାଣରେ ବର୍ଷା ହେବ ତାହା ରାଡାର ସୂଚନା ଦ୍ବାରା ଜାରି କରାଯାଇପାରିବ ।
ନିଜ ଉପରକୁ ଗୁଳି ଚଳାଇଲେ ତାମିଲନାଡୁ କୋଏମ୍ବାଟୁରର ଡିଆଇଜି
ଚେନ୍ନାଇ : ନିଜ ଉପରକୁ ଗୁଳି ଚଳାଇଲେ DIG । ତାମିଲନାଡୁ କୋଏମ୍ବାଟୁରର ଡିଆଇଜି ନିଜେ ନିଜ ଉପରେ ଗୁଳି ଚଳାଇଛନ୍ତି । ମୃତ ଡିଆଇଜି ହେଲେ ସି. ବିଜୟକୁମାର । ରେସ୍ କୋର୍ସରେ ଥିବା ତାଙ୍କ କ୍ୟାମ୍ପ ଅଫିସରେ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି । ଡିଆଇଜି ବିଜୟ କୁମାର ଅନେକ ଦିନ ହେବ ଚାପରେ ରହୁଥିଲେ ବୋଲି କହିଛନ୍ତି ତାଙ୍କ ସହକର୍ମୀ ।
କିଛି ଦିନ ହେବ ତାଙ୍କ ପରିବାର ଲୋକ ଚେନ୍ନାଇରୁ ଆସି ତାଙ୍କ ସହିତ କୋଏମ୍ବାଟୁରସ୍ଥିତ ସରକାରୀ ବାସଭବନରେ ରହୁଥିଲେ। କିନ୍ତୁ ଆଜି ଭୋରରୁ ସେ ଏକ ସର୍ଭିସ ପିସ୍ତଲରୁ ନିଜକୁ ଗୁଳି କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ସର୍ଭିସ ପିସ୍ତଲଟି ତାଙ୍କର ନଥିଲା। ସେ ଏହାକୁ ତାଙ୍କ ବାସଭବନରେ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ପୋଲିସ କର୍ମଚାରୀଙ୍କଠାରୁ ମାଗି ନେଇଥିଲେ। ପୋଲିସ ବିଜୟ କୁମାରଙ୍କ ମୃତଦେହକୁ ଜବତ କରି କୋଏମ୍ବାଟୁର ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ବିଜୟ କୁମାର କାହିଁକି ଆତ୍ମହତ୍ୟା ଭଳି ପଦକ୍ଷେପ ନେଲେ, ତାହା ଜଣାପଡିନାହିଁ ।…
କୋର୍ଟ ରାୟ ବିରୋଧରେ କଂଗ୍ରେସ ଖପ୍ପା; ସାରାଦେଶରେ ତେଜୁଛି ନେତା ଓ କର୍ମୀଙ୍କ ପ୍ରତିବାଦ
ନୂଆଦିଲ୍ଲୀ : ରାହୁଲଙ୍କ କୋର୍ଟ ରାୟ ବିରୋଧରେ କଂଗ୍ରେସ ଖପ୍ପା । ହାଇକୋର୍ଟଙ୍କ ରାୟକୁ ନେଇ ତେଜିଲାଣି ଜୋରଦାର ପ୍ରତିବାଦ । କୋର୍ଟଙ୍କ ରାୟକୁ ନେଇ କଂଗ୍ରେସ ଦୃଢ ପ୍ରତିବାଦ କରିଛି । ବିଭିନ୍ନ ରାଜ୍ୟର କଂଗ୍ରେସ ଭବନରେ କଂଗ୍ରେସ ନେତାମାନେ ନାରାବାଜି କରିବା ସହ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ରାହୁଲ ଗାନ୍ଧୀ ଲଢେଇ ଜାରି ରଖନ୍ତୁ ପୂରା କଂଗ୍ରେସ ଦଳ ତାଙ୍କ ପଛରେ ଦୃଢ ଭାବେ ଠିଆହୋଇଛି ।
ଆଗକୁ ଯଦି ବିଚାର ପ୍ରକ୍ରିୟା ବିଳମ୍ବ ହୁଏ ତେବେ ବି ରାହୁଲଙ୍କ ନେତୃତ୍ବରେ ଆଗାମୀ ସାଧାରଣ ନିର୍ବାଚନ କଂଗ୍ରେସ ଲଢିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । ଆଜି ମୋଦି ସାଙ୍ଗିଆ ମାନହାନି ମାମଲାରେ ଗୁଜୁରାଟ ହାଇକୋର୍ଟ ରାହୁଲଙ୍କ ରିଭ୍ୟୁ ପିଟିସନ ଖାରଜ କରିବା ପରେ ଏପରି ପ୍ରତିବାଦ ଆରମ୍ଭ ହୋଇଯାଇଛି ।
ଫଳରେ ରାହୁଲଙ୍କ ବିରୋଧରେ ୨ ବର୍ଷର ସଜ୍ଜା ବଜାୟ ରହିବ । ରାହୁଲଙ୍କ ଆବେଦନକୁ ଖାରଜ କରିବା ସହ ତଳକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ । ସୁରତ କୋର୍ଟଙ୍କ ରାୟର ପୁନର୍ବିଚାର ପାଇଁ ରାହୁଲ ହାଇକୋର୍ଟରେ ଆବେଦନ କରିଥିଲେ । ଦଣ୍ଡାଦେଶ ଉପରେ ରହିତାଦେଶ ପାଇଁ ହାଇକୋର୍ଟ ଯାଇଥିଲେ । ପୂର୍ବରୁ କୋର୍ଟ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଦେବାକୁ ମନା କରିଦେଇଥିଲେ । ଏହାସହ ତାଙ୍କ ଆବେଦନକୁ ସଂରକ୍ଷିତ ରଖିଥିଲେ ।
ସେପଟେ ହାଇକୋର୍ଟଙ୍କ ରାୟ ଉପରେ କଂଗ୍ରେସ କହିଛି, ଦଳ ବିଚାର କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବ । ଏବେ ରାହୁଲଙ୍କ ପାଖରେ ସୁପ୍ରିମକୋର୍ଟ ବିକଳ୍ପ ଭାବେ ଉଭା ହୋଇଛି । ଯଦି ସୁପ୍ରିମକୋର୍ଟ ରାହୁଲଙ୍କ ବିରୋଧରେ ତଳ ଅଦାଲତର ରାୟ ବିରୋଧରେ ରୋକ ଲଗାନ୍ତି ତେବେ ସେ ନିର୍ବାଚନ ଲଢିବାକୁ ସୁଯୋଗ ପାଇବେ । ଅନ୍ୟପଟେ ହାଇକୋର୍ଟଙ୍କ ସିଙ୍ଗଲ ବେଞ୍ଚ ରାୟ ବିରୋଧରେ ରାହୁଲ ଡିଭିଜନ ବେଞ୍ଚରେ ମଧ୍ୟ ଆବେଦନ କରିପାରିବେ । ତେବେ ସେ ସିଧା ସୁପ୍ରିମକୋର୍ଟରେ ଅପିଲ କରିପାରିବେ ।

