ଭୁବନେଶ୍ବରରେ ବସିବ ଡପଲାର୍ ରାଡାର, ଟ୍ୱିନ୍ ସିଟିର ପାଣିପାଗ ଆକଳନ କରିବ ରାଡାର

1 min read

ଭୁବନେଶ୍ବର: ଭୁବନେଶ୍ବରରେ ବସିବ ଡପଲାର୍‌ ୱେଦର ରାଡାର । ରାଡାର କଟକ-ଭୁବନେଶ୍ବର ଦୈତ ନଗରୀର ପାଣିପାଗ ଆକଳନ କରିବ । ଦୁଇ ସହର ପାଇଁ ସଠିକ୍‌ ପୂର୍ବାନୁମାନ କରି ଆଗୁଆ ପ୍ରତିକାର ବ୍ୟବସ୍ଥା ଲାଗି ଏହି ପଦକ୍ଷେପ ନିଆଯିବ । ରାଡାର ବସାଇବା ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଯୋଜନା କରାଯାଇଥିବା ବେଳେ ଏନେଇ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ଜମି ଯୋଗାଇ ଦେବା ପାଇଁ ଆଇଏମଡି ଏସଆରସିଙ୍କୁ ଚିଠି ଲେଖିଛି । ଏହି ରାଡାର ବସିବା ଦ୍ବାରା ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା, କାଳବୈଶାଖୀ, ବଜ୍ରପାତ ଓ ପ୍ରବଳ ବର୍ଷା ସମ୍ପର୍କରେ ୩ ଘଣ୍ଟା ପୂର୍ବରୁ ସଠିକ୍‌ ସୂଚନା ମିଳିଯିବ । ଭୁବନେଶ୍ବରରେ ଏକ ଏକ୍ସ-ବ୍ୟାଣ୍ଡ ରାଡାର ବସାଇବା ପାଇଁ ଯୋଜନା କରାଯାଉଥିବା ଆଇଏମ୍‌ଡି ଏସଆରସିଙ୍କୁ ଚିଠି ଲେଖି ୪୦୦ ବର୍ଗମିଟର ଜମି ସହିତ କମ୍ପ୍ୟୁଟର ହାଉସିଂ ପାଇଁ ଅତିରିକ୍ତ ୪୦୦ ଫୁଟ୍‌ର ଜମି ଲୋଡ଼ିଛି । ଜମି ନିକଟରେ କୌଣସି ପ୍ରାକୃତିକ ନିର୍ମାଣ ଅର୍ଥାତ ପାହାଡ଼ ପର୍ବତ ନ ଥିବା ଓ ଉଚ୍ଚ ଅଟାଳିକା ନିର୍ମାଣ ହୋଇ ନ ଥିବା ଏଥିରେ ଉଲ୍ଲେଖ କରାଯାଇଛି । ଏହା ସହ ବିଦ୍ୟୁତ୍‌ ଯୋଗାଣର ବ୍ୟବସ୍ଥା ଥିବା ମଧ୍ୟ ଜରୁରୀ ବୋଲି ଏଥିରେ କୁହାଯାଇଛି ।

ବର୍ତ୍ତମାନ ସହରାଞ୍ଚଳଗୁଡ଼ିକ ପାଇଁ ସହରୀବନ୍ୟା ଏକ ବଡ଼ ସମସ୍ୟା ପାଲଟିଛି । ହଠାତ୍‌ ହେଉଥିବା ବର୍ଷା ଯୋଗୁଁ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବା ସହ ଲୋକଙ୍କ ପାଇଁ ସମସ୍ୟା ବଢ଼ୁଛି । ହଠାତ୍‌ ବର୍ଷାର ତୀବ୍ରତା ଅଧିକ ହେଉଥିବା ହେତୁ ସହରବାସୀଙ୍କ ସମେତ ପ୍ରଶାସନ ପାଇଁ ମଧ୍ୟ ଚିନ୍ତାର କାରଣ ସାଜୁଛି । ଏହି ଏକ୍ସ-ବ୍ୟାଣ୍ଡ ରାଡାର୍‌ ବସିଲେ ୧୦୦ କିଲୋମିଟର ପରିଧି ମଧ୍ୟରେ ଯେଉଁ ପାଣିପାଗ ଜନିତ ଘଟଣା ଘଟିବ ତାହା ଅତି ସହଜରେ ଜାଣି ହେବ । କଟକ ଓ ଭୁବନେଶ୍ବରରେ ଅଞ୍ଚଳୱାରୀ ବର୍ଷା ଓ ବଜ୍ରପାତର ଆଗୁଆ ସୂଚନା ଦିଆଯିବା ସହିତ କେଉଁ ସ୍ଥାନରେ କେତେ ପରିମାଣରେ ବର୍ଷା ହେବ ତାହା ରାଡାର ସୂଚନା ଦ୍ବାରା ଜାରି କରାଯାଇପାରିବ ।