୭ ରାଜ୍ୟ ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନାମ ସୁପାରିସ

ନୂଆଦିଲ୍ଲୀ: ୭ଟି ରାଜ୍ୟର ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନାମ ସୁପାରିସ କରିଛି ସୁପ୍ରିମକୋର୍ଟ କଲେଜିଅମ । ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବରେ ଗଠିତ ତିନି ଜଣିଆ ସଦସ୍ୟ ବିଶିଷ୍ଟ କଲେଜିଅମ ଏହି ନାମ ସୁପାରିସ କରିଛନ୍ତି । ମୁଖ୍ୟ ବିଚାରପତି ପାଇଁ ସୁପାରିସ କରାଯାଇଥିବା ରାଜ୍ୟଗୁଡିକ ହେଲେ କେରଳ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଣିପୁର, ବମ୍ବେ, ଓ ଗୁଜରାଟ । ଜଷ୍ଟିସ ସୁନିତା ଅଗ୍ରୱାଲଙ୍କୁ ଗୁଜୁରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ପାଇଁ ସୁପାରିସ କରାଯାଇଥିବାବେଳେ ଦିଲ୍ଲୀ ହାଇକୋର୍ଟ ଜଷ୍ଟିସ ସିଦ୍ଧାର୍ଥ ମୃଦୁଳଙ୍କୁ ମଣିପୁର ହାଇକୋର୍ଟରେ ନିଯୁକ୍ତି ପାଇଁ ସୁପାରିସ କରିଛନ୍ତି କଲେଜିଅମ ।

ସେହିପରି ଗୁଜରାଟ ହାଇକୋର୍ଟରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ବ ତୁଲାଉଥିବା ଜଷ୍ଟିସ ଆଶିଷ ଦେଶାଇଙ୍କୁ କେରଳ ହାଇକୋର୍ଟ, ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି, ବମ୍ବେ ହାଇକୋର୍ଟ ବିଚାରପତି ଧୀରଜ ସିଂ ଠାକୁରଙ୍କୁ ଆନ୍ଧ୍ରପ୍ରଦେଶ, ଆଲହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଦେବେନ୍ଦ୍ର କୁମାର ଉପାଧ୍ୟାୟଙ୍କୁ ବମ୍ବେ ହାଇକୋର୍ଟ ଏବଂ କର୍ଣ୍ଣାଟକ ହାଇକୋର୍ଟ ଜଜ୍ ଜଷ୍ଟିସ ଆଲୋକ ଅରାଧେଙ୍କୁ ତେଲଙ୍ଗାନା ହାଇକୋର୍ଟ ମୁଖ୍ୟ ବିଚାରପତି ନିଯୁକ୍ତି କରିବାକୁ କଲେଜିଅମ ସୁପାରିସ କରିଛି । ପୂର୍ବରୁ ବମ୍ବେ ହାଇକୋର୍ଟ ଜଜ୍ ଧୀରଜ ସିଂ ଠାକୁରଙ୍କୁ ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ କଲେଜିଅମ ସୁପାରିସ କରିଥିଲା । ହେଲେ ଏହାକୁ କେନ୍ଦ୍ର ସରକାର ଅନୁମୋଦନ ନକରିବାରୁ ଏବେ କଲେଜିଅମ ଜଷ୍ଟିସ ଠାକୁରଙ୍କୁ ଆନ୍ଧ୍ରପ୍ରଦେଶ ଚିଫ୍ ଜଷ୍ଟିସ ନିଯୁ୍କ୍ତି ଲାଗି ସୁପାରିସ କରିଛି ।