କୋର୍ଟ ରାୟ ବିରୋଧରେ କଂଗ୍ରେସ ଖପ୍ପା; ସାରାଦେଶରେ ତେଜୁଛି ନେତା ଓ କର୍ମୀଙ୍କ ପ୍ରତିବାଦ

ନୂଆଦିଲ୍ଲୀ : ରାହୁଲଙ୍କ କୋର୍ଟ ରାୟ ବିରୋଧରେ କଂଗ୍ରେସ ଖପ୍ପା । ହାଇକୋର୍ଟଙ୍କ ରାୟକୁ ନେଇ ତେଜିଲାଣି ଜୋରଦାର ପ୍ରତିବାଦ । କୋର୍ଟଙ୍କ ରାୟକୁ ନେଇ କଂଗ୍ରେସ ଦୃଢ ପ୍ରତିବାଦ କରିଛି । ବିଭିନ୍ନ ରାଜ୍ୟର କଂଗ୍ରେସ ଭବନରେ କଂଗ୍ରେସ ନେତାମାନେ ନାରାବାଜି କରିବା ସହ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ରାହୁଲ ଗାନ୍ଧୀ ଲଢେଇ ଜାରି ରଖନ୍ତୁ ପୂରା କଂଗ୍ରେସ ଦଳ ତାଙ୍କ ପଛରେ ଦୃଢ ଭାବେ ଠିଆହୋଇଛି ।

ଆଗକୁ ଯଦି ବିଚାର ପ୍ରକ୍ରିୟା ବିଳମ୍ବ ହୁଏ ତେବେ ବି ରାହୁଲଙ୍କ ନେତୃତ୍ବରେ ଆଗାମୀ ସାଧାରଣ ନିର୍ବାଚନ କଂଗ୍ରେସ ଲଢିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । ଆଜି ମୋଦି ସାଙ୍ଗିଆ ମାନହାନି ମାମଲାରେ ଗୁଜୁରାଟ ହାଇକୋର୍ଟ ରାହୁଲଙ୍କ ରିଭ୍ୟୁ ପିଟିସନ ଖାରଜ କରିବା ପରେ ଏପରି ପ୍ରତିବାଦ ଆରମ୍ଭ ହୋଇଯାଇଛି ।

ଫଳରେ ରାହୁଲଙ୍କ ବିରୋଧରେ ୨ ବର୍ଷର ସଜ୍ଜା ବଜାୟ ରହିବ । ରାହୁଲଙ୍କ ଆବେଦନକୁ ଖାରଜ କରିବା ସହ ତଳକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ । ସୁରତ କୋର୍ଟଙ୍କ ରାୟର ପୁନର୍ବିଚାର ପାଇଁ ରାହୁଲ ହାଇକୋର୍ଟରେ ଆବେଦନ କରିଥିଲେ । ଦଣ୍ଡାଦେଶ ଉପରେ ରହିତାଦେଶ ପାଇଁ ହାଇକୋର୍ଟ ଯାଇଥିଲେ । ପୂର୍ବରୁ କୋର୍ଟ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଦେବାକୁ ମନା କରିଦେଇଥିଲେ । ଏହାସହ ତାଙ୍କ ଆବେଦନକୁ ସଂରକ୍ଷିତ ରଖିଥିଲେ ।

ସେପଟେ ହାଇକୋର୍ଟଙ୍କ ରାୟ ଉପରେ କଂଗ୍ରେସ କହିଛି, ଦଳ ବିଚାର କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବ । ଏବେ ରାହୁଲଙ୍କ ପାଖରେ ସୁପ୍ରିମକୋର୍ଟ ବିକଳ୍ପ ଭାବେ ଉଭା ହୋଇଛି । ଯଦି ସୁପ୍ରିମକୋର୍ଟ ରାହୁଲଙ୍କ ବିରୋଧରେ ତଳ ଅଦାଲତର ରାୟ ବିରୋଧରେ ରୋକ ଲଗାନ୍ତି ତେବେ ସେ ନିର୍ବାଚନ ଲଢିବାକୁ ସୁଯୋଗ ପାଇବେ । ଅନ୍ୟପଟେ ହାଇକୋର୍ଟଙ୍କ ସିଙ୍ଗଲ ବେଞ୍ଚ ରାୟ ବିରୋଧରେ ରାହୁଲ ଡିଭିଜନ ବେଞ୍ଚରେ ମଧ୍ୟ ଆବେଦନ କରିପାରିବେ । ତେବେ ସେ ସିଧା ସୁପ୍ରିମକୋର୍ଟରେ ଅପିଲ କରିପାରିବେ ।